ଓଡ଼ିଶା ରାଜ୍ୟ ଔଷଧ ନିଗମ ପରିସରରେ ଥିବା ରାଜ୍ୟ ଖାଦ୍ୟ ପରୀକ୍ଷଣ ବିଜ୍ଞାନଗାରର ନବୀକରଣ ସହିତ ନୂତନ ଭାବେ ଅତ୍ୟାଧୁନିକ ଯନ୍ତ୍ରାପାତି ବ୍ୟବସ୍ଥାର ଲୋକାର୍ପଣ:ମନ୍ତ୍ରୀ

ଓଡ଼ିଶା ରାଜ୍ୟ ଔଷଧ ନିଗମ ପରିସରରେ ଥିବା ରାଜ୍ୟ ଖାଦ୍ୟ ପରୀକ୍ଷଣ ବିଜ୍ଞାନଗାରର ନବୀକରଣ ସହିତ ନୂତନ ଭାବେ ଅତ୍ୟାଧୁନିକ ଯନ୍ତ୍ରାପାତି ବ୍ୟବସ୍ଥାର ଲୋକାର୍ପଣ:ମନ୍ତ୍ରୀ

ଭୁବନେଶ୍ୱର: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନବ କିଶୋର ଦାସ ଆଜି ଓଡ଼ିଶା ରାଜ୍ୟ ଔଷଧ ନିଗମ ପରିସରରେ ଥିବା ରାଜ୍ୟ ଖାଦ୍ୟ ପରୀକ୍ଷଣ ବିଜ୍ଞାନଗାରର ନବୀକରଣ ସହିତ ନୂତନ ଭାବେ ଅତ୍ୟାଧୁନିକ ଯନ୍ତ୍ରାପାତି ବ୍ୟବସ୍ଥାର ଲୋକାର୍ପଣ କରିଛନ୍ତି । ଭାରତୀୟ ଖାଦ୍ୟ ନିରାପତ୍ତା ଏବଂ ମାନକ କର୍ତ୍ତୃପକ୍ଷ, ଫାସାଇ, କେନ୍ଦ୍ରୀୟ ଯୋଜନାରେ ରାଜ୍ୟରେ ଥିବା ରାଜ୍ୟ ଖାଦ୍ୟ ପରୀକ୍ଷଣ ବିଜ୍ଞାନଗାରର ନବୀକରଣ କରାଯାଇଛି । ଏହି ଯୋଜନାରେ ବିଜ୍ଞାନଗାରର ଭିତ୍ତିଭୂମିର ଉନ୍ନତି ସହ ୩ଟି ନୂତନ ଅତ୍ୟାଧୁନିକ ଯନ୍ତ୍ରପାତି ଯୋଗାଇ ଦିଆଯାଇଛି । ସେଗୁଡ଼ିକ ମଧ୍ୟରେ ଆଇ.ସି.ପି-ଏମ୍‌ଏସ୍‌ ମାଧ୍ୟମରେ ଖାଦ୍ୟ ଓ ଜଳରେ ଥିବା ହେଭି ମେଟାଲସ୍‌ ଯଥା, କପର, ଲିଡ୍‌, କାଡାମିୟମ୍‌, ମର୍କୁରୀ, ମିଥାଇଲ୍‌ ମର୍କୁରି, ଜିଙ୍କ୍‌, ଷ୍ଟାନ୍ସ୍‌, ନିକେଲ୍‌ କ୍ରୋମିୟମ୍‌ ଓ ଆର୍ସେନିକ୍‌ର ଉପସ୍ଥିତି ତଥା ଏହାର ପରିମାଣ ଜଣାପଡ଼ିବ । ଏଲ୍‌ସି-ଏମ୍‌ଏମ୍‌ ଦ୍ୱାରା ଖାଦ୍ୟ ଓ ଜଳରେ କେଉଁ କେଉଁ କୀଟନାଶକ, ଆଣ୍ଟିବାୟୋଟିକ୍ସ, ଭିଟାମିନସ୍‌ ରହିଛି, ତାହାର ଉପସ୍ଥିତି ଓ ପରିମାଣ ବିଷୟରେ ଜଣାପଡ଼ିବା ସହ ଜିଏସ୍‌-ଏମ୍‌ଏମ୍‌ ଦ୍ୱାରା ଖାଦ୍ୟରେ ଉପସ୍ଥିତ ଥିବା କୀଟନାଶକ ଏବଂ ଫ୍ୟାଟ୍‌ ପ୍ରୋଫାଇଲସ୍‌ ମନୋ-ଅନ୍‌ସାଚୁରେଟେଡ୍‌, ପଲି-ଅନ୍‌ସାଚୁରେଟେଡ୍‌ ଓ ଟ୍ରାନ୍ସଫ୍ୟାଟସ୍‌ର ଉପସ୍ଥିତି ସଂର୍ପର୍କରେ ତଥ୍ୟ ମିଳିପାରିବ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ଦାସ ବିଜ୍ଞାନଗାର ଓ ନୂତନ ଯନ୍ତ୍ରପାତି ବୁଲି ଦେଖିଥିଲେ । ପରେ ଉପସ୍ଥିତ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ କହିଲେ ଯେ ସରକାର ରାଜ୍ୟରେ ଖାଦ୍ୟ ଓ ପାନୀୟ ଜଳର ଶୁଦ୍ଧତା ଓ ଗୁଣବତ୍ତା କ୍ଷେତ୍ରରେ ସବୁବେଳେ ଗୁରୁତ୍ୱ ଦେଇ ଆସୁଛନ୍ତି । ଏବେ ଏହି ଅତ୍ୟାଧୁନିକ ଯନ୍ତ୍ରପାତି ଦ୍ୱାରା ପରୀକ୍ଷଣ ବ୍ୟବସ୍ଥା ଆହୁରି ସହଜ ଓ ସୁବିଧାଜନକ ହୋଇପାରିବ । କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶକ ଯାମିନୀ ଷଡଙ୍ଗୀ, ରାଜ୍ୟ ଖାଦ୍ୟ ନିରାପତ୍ତା ନିର୍ଦ୍ଦେଶକ ଡା. ପ୍ରଦୀପ କୁମାର ମହାପାତ୍ର, ଖାଦ୍ୟ ନିରାପତ୍ତା ଯୁଗ୍ମ କମିଶନର ସୁମନ ସୁନ୍ଦର ରାୟ, ଖାଦ୍ୟ ବିଶ୍ଳେଷକ ଡା. କୁମୁଦ ସାହୁ, ଖାଦ୍ୟ ନିରାପତ୍ତା ଅଧିକାରୀ ଶ୍ରୀ ସତ୍ୟଜିତ ପଟେଲ୍‌ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *