ଜାନୁୟାରୀ ୪ରୁ ଶିଶିର ସରସ ଦେଶର ୨୫ ରାଜ୍ୟ ଅଂଶଗ୍ରହଣ କରୁଥିବାବେଳେ ୩୦ଟି ଜିଲ୍ଲାରୁ ୩୦୦ରୁ ଅଧିକ ଷ୍ଟଲ ସ୍ଥାନ ପାଇବ

ଜାନୁୟାରୀ ୪ରୁ ଶିଶିର ସରସ ଦେଶର ୨୫ ରାଜ୍ୟ ଅଂଶଗ୍ରହଣ କରୁଥିବାବେଳେ ୩୦ଟି ଜିଲ୍ଲାରୁ ୩୦୦ରୁ ଅଧିକ ଷ୍ଟଲ ସ୍ଥାନ ପାଇବ!
ଭୁବନେଶ୍ୱର, ୨୭ା୧୨ ଆସନ୍ତା ଜାନୁଆରି ୪ ତାରିଖରୁ ସ୍ଥାନୀୟ ଇଡ୍‍କୋ ପ୍ରଦର୍ଶନୀ ପଡିଆରେ ଆରମ୍ଭ ହେବ ଶିଶିର ସରସ ମେଳା । ଏହି ମେଳାରେ ଦେଶର ୨୫ ରାଜ୍ୟ ଅଂଶଗ୍ରହଣ କରୁଥିବାବେଳେ ୩୦ଟି ଜିଲ୍ଲାରୁ ୩୦୦ରୁ ଅଧିକ ଷ୍ଟଲ ସ୍ଥାନ ପାଇବ ବୋଲି ପଚାଂୟତିରାଜ ଓ ପାନୀୟଜଳ, ଆଇନ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି ।
ଆଜି ଏଠାରେ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଜେନା କହିଛନ୍ତି ଯେ ଗ୍ରାମୀଣ ଉତ୍ପାଦକମାନଙ୍କ ସାମଗ୍ରୀ ଗୁଡିକୁ ବିପଣନ ସୁବିଧା ଯୋଗାଇ ଦେବା ଲକ୍ଷ୍ୟ ନେଇ ପ୍ରତିବର୍ଷ ଏହି ମେଳା ଭୁବନେଶ୍ୱରରେ ଆୟୋଜନ ହେଉଛି । ସରକାରଙ୍କ ଦାରିଦ୍ର‌୍ୟ ଦୂରୀକରଣ ଯୋଜନା ଅନ୍ତର୍ଗତ ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଉତ୍ପାଦକ ଗୋଷ୍ଠୀମାନଙ୍କୁ, ସେମାନଙ୍କ ଉତ୍ପାଦ ବା ସାମଗ୍ରୀ ବିକ୍ରିବଟା କରିବା ତଥା ପ୍ରଦର୍ଶନୀ ପାଇଁ ଏହି ଜାତୀୟସ୍ତରୀୟ ମେଳା ଏକ ଭଲ ମାଧ୍ୟମ ପାଲଟିଛିା ଓଡିଶା ସରକାରଙ୍କ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନସ୍ତ ଓରମାସ ଏହି ମେଳା ଆୟୋଜନ କରିଆସୁଛି । ତେବେ ମେଳାକୁ ଆସୁଥିବା ବ୍ୟବସାୟୀମାନେ ଗ୍ରାହକମାନଙ୍କ ଠାରୁ ଯେଭଳି ଉଚିତ୍‍ ଦର ନେବେ ତାହା ଉପରେ ଚଳିତବର୍ଷ କର୍ତ୍ତୃପକ୍ଷ ନଜର ରଖିବେ ବୋଲି ମନ୍ତ୍ରୀ କହିଛନ୍ତି ।ଏଥର ମେଳାରେ ମୋଟ ୩୦୦ଟି ଷ୍ଟଲ ସ୍ଥାନ ପାଇବ । ଏଥିସହ ମେଳା ପରିସରକୁ ପରିଷ୍କାର ରଖିବା, ପ୍ଲାଷ୍ଟିକ-ପଲିଥିନ ମୁକ୍ତ କରିବା, ପାନୀୟ ଜଳ ସୁବିଧା, ସୁରକ୍ଷା, ଆଲୋକ ସୁବିଧା ସହ ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ମିନି ଇଣ୍ଡିଆ ବଜାର ସଦୃଶ ଏହି ମେଳାରେ ଏଥର ଦେଶର ୨୫ଟି ରାଜ୍ୟ ଅଂଶଗ୍ରହଣ କରୁଛନ୍ତି । ଯେଉଁଥିରେ ଉତର-ପୂର୍ବ ରାଜ୍ୟର ବାଉଁଶ ଶିଳ୍ପ ସାମଗ୍ରୀ, ଘରସଜ୍ଜା ଫୁଲ ଓ ଫୁଲଦାନୀ, ଶୀତ ପୋଷାକ, ଉତର ପ୍ରଦେଶର ହସ୍ତତନ୍ତ, ସିଲ୍କ ଏବଂ ରଟ୍ ଆଇରନ ସାମଗ୍ରୀ, ମଧ୍ୟପ୍ରଦେଶ ଏବଂ ଛତିଶଗଡର ଟସର କପଡା ଓ ଲୁଗା, ରାଜସ୍ଥାନ, ଗୁଜୁରାଟ ଏବଂ ମହାରାଷ୍ଟ୍ରର ଖାଦ୍ୟ, ଆନ୍ଧପ୍ରଦେଶ ଓ ତାମିଲନାଡୁର ହସ୍ତତନ୍ତ ଓ ଘରକରଣା ସାମଗ୍ରୀ, ପଞ୍ଜାବର ଫୁଲକରୀ ପୋଷାକ ସହତି ଜମ୍ମୁ ଓ କଶ୍ମୀରର ଶୀତ ପୋଷାକ ମେଳାର ପ୍ରମୁଖ ଆକର୍ଷଣ ରହିବ । ଗତ ବର୍ଷ ପ୍ରାୟ ୧୪ କୋଟି ଟଙ୍କାର ବ୍ୟବସାୟ ହୋଇଥିବା ବେଳେ ଚଳିତ ବର୍ଷ ୧୫ କୋଟିରୁ ଅଧିକ ଟଙ୍କାର ବ୍ୟବସାୟ ହେବ ବୋଲି ଆଶା କରାଯାଉଛି ।
ସେହିପରି ଓଡିଶାର ୩୦ ଜିଲ୍ଲାରୁ ସ୍ୱୟଂ ସହାୟକ ଗୋଷ୍ଠୀ ଓ ଉତ୍ପାଦକ ଗୋଷ୍ଠୀ ମେଳାରେ ସାମିଲ ହେବୋ ବାଲେଶ୍ୱର, ବଲାଙ୍ଗିର, କେନ୍ଦୁଝର, ସୁବର୍ଣପୁରର ଟେରାକୋଟା ସାମଗ୍ରୀ, ରାୟଗଡା, କନ୍ଧମାଳ ଓ ନୂଆପଡାର ଖାଦ୍ୟ ଓ ମସଲା, ବରଗଡ, ସୁବର୍ଣପୁର ଓ ବଲାଙ୍ଗିରର ହସ୍ତତନ୍ତ ସାମଗ୍ରୀ, କୋରାପୁଟ, ମୟୂରଭଞ୍ଜ, ମାଲକାନଗିରି ଓ କଳାହାଣ୍ଡିର ବନଜାତ ଦ୍ରବ୍ୟ, କେନ୍ଦ୍ରପଡାର କାଇଁଚରୁ ପ୍ରସ୍ତୁତ ସାମଗ୍ରୀ ଏବଂ ମୟୂରଭଞ୍ଜର ସବାଇ ଘାସରୁ ପ୍ରସ୍ତୁତ ଘରକରଣା ସାମଗ୍ରୀ ଓ କାଠ ଜିନିଷ ମଧ୍ୟ ମେଳାରେ ଉପଲବଧ ହେବ । ଏଥର ମେଳାରେ ପ୍ରଥମ ଥର ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଉତ୍ପାଦକ ଗୋଷ୍ଠୀମାନଙ୍କ ଉତ୍ପାଦ ଗୁଡିକର ଉଦ୍ୟୋଗ ଆଧାର ଓ ଏରଗ ପଞ୍ଜୀକରଣ ପାଇଁ ବ୍ୟବସ୍ଥା କରାଯାଇଛିା ଚଳିତବର୍ଷ ମେଳାରେ ୧୨ଟି ଷ୍ଟଲକୁ ନେଇ ଫୁଡ କୋର୍ଟ ରହିବ । ନିଜ ରାଜ୍ୟଠାରୁ ଦୂରରେ ରହୁଥିବା ବାହାର ରାଜ୍ୟର ଲୋକମାନଙ୍କ ଦ୍ୱାରା ଏହି ଫୁଡ କୋର୍ଟ ବେଶ ଆଦୃତ ହେବ ବୋଲି ଆଶା ରଖିଛନ୍ତି ଆୟୋଜକା ଏଥିରେ ୮ଟି ରାଜ୍ୟ ଯଥା ବିହାର, ଗୁଜୁରାଟ, ମହାରାଷ୍ଟ୍ର, ତେଲେଙ୍ଗାନା, ଛତିଶଗଡ, ଝାଡଖଣ୍ଡ, ହରିୟାଣା ଓ କେରଳର ଖାଦ୍ୟ ସହ ଓଡିଶାର ପାରମ୍ପରିକ ଖାଦ୍ୟ ସାମଗ୍ରୀ ମିଳିବା ଯେଉଁଥିରେ ବାରିପଦାର ମୁଢି-ମାଂସ ସହ କେନ୍ଦ୍ରାପଡାର ରସାବଳି, ଖୋର୍ଦ୍ଧା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ତିଆରି ପାରମ୍ପରିକ ଓଡିଆ ପିଠା ଓ ମିଲେଟ ମିଶନ ଦ୍ୱାରା ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ସାମଗ୍ରୀ ବିକ୍ରି ହେବ ।ସେହିପରି ରାଜ୍ୟ ତଥା ରାଜ୍ୟ ବାହାରେ ପ୍ରଚଳିତ ପୋଷାକ ଏବଂ ହସ୍ତଶିଳ୍ପ ସାମଗ୍ରୀ ନେଇ ଏକ ଫ୍ୟାସନ ସୋ ଆୟୋଜନ କରାଯିବ । କେବଳ ବିକ୍ରିବଟା ନୁହେଁ, ମେଳାକୁ ବୁଲି ଆସୁଥିବା ଦର୍ଶକ ଏବଂ ଗ୍ରାହକଙ୍କ ମନୋରଞ୍ଜନ ପାଇଁ ପ୍ରତି ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛିା ଶାସ୍ତ୍ରୀୟ ନୃତ୍ୟ ସଙ୍ଗୀତ ସହ ପାରମ୍ପରିକ ନୃତ୍ୟ, ଓଡିଆ ଓ ହିନ୍ଦୀ ସଙ୍ଗୀତ କାର୍ଯ୍ୟକ୍ରମ ଏବଂ ବ୍ୟଙ୍ଗ କଳାକାର ମଧ୍ୟ ଦର୍ଶକଙ୍କ ମନୋରଞ୍ଜନ କରିବୋ ଏହି ମେଳାରେ ଓରମାସ ସହ ପ୍ରମୁଖ ସହଯୋଗୀ ସଂସ୍ଥା ଭାବେ ମିଶନ ଶକ୍ତି, ଖଦୀ ଓ ଗ୍ରାମଦ୍ୟୋଗ ବୋର୍ଡ, ହସ୍ତଶିଳ୍ପ ଓ ଲଘୁ ଉଦ୍ୟୋଗ ନିର୍ଦ୍ଦେଶାଳୟ ସହ ସରକାରଙ୍କ ବିଭିନ୍ନ ସଂସ୍ଥା ସାମିଲ ହେଉଛନ୍ତିା ଏହି ସାମ୍ବାଦିକ ସମ୍ମିଳନୀରେ ଓରମାସର ସିଇଓ ଏସ ଆର ପ୍ରଧାନ, ଯୁଗ୍ମ ସଚିବ ସ୍ୱୟଂ ପ୍ରଭା ମହାନ୍ତିଙ୍କ ସମେତ ବିଭିନ୍ନ ବିଭାଗର ପଦସ୍ଥ ଅଧିକାରୀମାନେ ଉପସ୍ଥିତ ଥିଲେ । ମେଳାର ଆୟୋଜନ ଲାଗି ମନ୍ତ୍ରୀ ଶ୍ରୀ ଜେନା ଆଜି ପୁଲିସ୍‍, ସ୍ୱାସ୍ଥ୍ୟ ଅଧିକାରୀ, ବିଏମ୍‍ସି, ଅଗ୍ନିଶମ ଆଦି ଅଧିକାରୀଙ୍କୁ ନେଇ ସମୀକ୍ଷା କରିଥିଲେ । ଏହି ଅବସରରେ ମନ୍ତ୍ରୀ ଜେନା ନୂତନ ଡାଇରୀ ଓ କ୍ୟାଲେଣ୍ଡରକୁ ଉନ୍ମୋଚନ କରିଥିଲେ ।

Leave a Reply

Your email address will not be published. Required fields are marked *