ନିରାଶ୍ରିତଙ୍କୁ ସ୍ନେହର ରଜୁରେ ବାନ୍ଧିଛି ମାନବିକତା: ସାଗରିକା ନାଥ

ଅନୁଭବ ବାଣ୍ଟିଲେ ନିରାଶ୍ରିତ

ନିରାଶ୍ରିତଙ୍କୁ ସ୍ନେହର ରଜୁରେ ବାନ୍ଧିଛି ମାନବିକତା: ସାଗରିକା ନାଥ

ଭୁବନେଶ୍ବର,୫/୧୨(): ଜିଇଁବା ବି ଏକ କଳା। ଯିଏ ଏ କଳାକୁ ଆୟତ୍ତ କରିପାରେ ସେ ଜୀବନକୁ ଠିକଣା ଢଙ୍ଗରେ ଜିଇଁପାରେ। ନିରାଶ୍ରିତ ମଣିଷର ମନରେ ବଞ୍ଚିବାର ଆଶା ମରିମରି ଆସୁଥିବା ବେଳେ ସେମାନଙ୍କୁ ଜିଇଁବା ଶିଖାଇବା ଉଦ୍ଦେଶ୍ୟ ନେଇ ଆଜି ବିଏମ୍‌ସି ସହଯୋଗରେ ଓଡ଼ିଶା ପତିତା ଉଦ୍ଧାର ସମିତି ପକ୍ଷରୁ ବିଏମ୍‌ସି ଗଙ୍ଗନରଗସ୍ଥିତ ବାସହୀନଙ୍କ ଆଶ୍ରୟସ୍ଥଳୀରେ ଅନ୍ତର୍ଜାତୀୟ ସ୍ବେଚ୍ଛାସେବୀ ଦିବସ ଆନୁକୂଲ୍ୟରେ ଆୟୋଜିତ ହୋଇଥିଲା ‘ସେୟାରିଂ ଇଜ୍‌ କେୟାରିଂ’ କାର୍ଯ୍ୟକ୍ରମ। ଦୁଃଖ ବାଣ୍ଟିଲେ ଯେ କମିଯାଏ, ଏହାକୁ ସାର୍ଥକ କରିବା ପାଇଁ ଆଜି ଆୟୋଜନ ହୋଇଥିବା କାର୍ଯ୍ୟକ୍ରମରେ ଆଜି ଅନ୍ତେବାସୀ ଓ ସେମାନଙ୍କ ମୁହ‌ଁରେ ହସ ଫୁଟାଉଥିବା ସ୍ବେଚ୍ଛାସେବୀମାନେ ନିଜର ଅନୁଭବ ବ୍ୟକ୍ତ କରୁଥିଲେ।

ଏହି ଅବସରରେ ଭୁବନେଶ୍ବର ଟ୍ରାଫିକ୍‌ ଡିସିପି ସାଗରିକା ନାଥ ଅତିଥି ଭାବେ ଯୋଗଦେଇ କହିଲେ, ଆଜି ବି ଏମିତି କିଛି ସ୍ବେଚ୍ଛାସେବୀ ଅଛନ୍ତି ସେମାନଙ୍କ ଭିତରେ ମାନବିକତା ବଞ୍ଚିଛି। ଫଳରେ ରାସ୍ତାକଡ଼ରେ ରହୁଥିବା ନିରାଶ୍ରିତ ବ୍ୟକ୍ତିମାନେ ପୁଣି ସ୍ନେହର ରଜୁରେ ବାନ୍ଧି ହୋଇ ପାରିଛନ୍ତି। ନିରାଶ୍ରିତ ଲୋକଙ୍କ ଗହଣରେ କିଛି ସମୟ ବିତାଇବା ବେଳେ ଓ ସେମାନଙ୍କ ସହ ନିଜ ଅନୁଭବ ବାଣ୍ଟିବା ବେଳେ ଶ୍ରୀମତୀ ନାଥଙ୍କ ଆଖି ବି ଜକେଇ ଆସିଥିଲା। ବିଏମ୍‌ସିର ଅତିରକ୍ତ କମିସନର ସୁରଥ ମଲ୍ଲିକ ଅତିଥି ଭାବେ ଯୋଗଦେଇ କହିଲେ, ମଣିଷ ଦିନକୁ ଦିନ ହୃଦୟହୀନ ହୋଇଯାଉଛି। ମାନବିକତା ହଜିଯାଉଛି। ଏଭଳି ସ୍ଥିତିରେ ସେମାନଙ୍କୁ ଏକ ଛାତ ଯୋଗାଇ ଦେବା, ସେମାନଙ୍କୁ ସ୍ନେହ ବାଣ୍ଟିବାର ଏହି ପ୍ରୟାସ ସବୁବେଳେ ଚାଲୁ ରହିବ ବୋଲି ସେ କହିଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ବିଏମ୍‌ସିର ଅତିରିକ୍ତ କମିସନର (ଏନଫୋର୍ସମେଣ୍ଟ୍‌) ଅବନୀକାନ୍ତ ପଟ୍ଟନାୟକ, ପୂର୍ବତନ ପ୍ରଶାସକ ଏସ୍‌.ପି ଦାସ, ବିଏମ୍‌ସିର ସିଏମ୍‌ଏମ୍‌ୟୁ ମ୍ୟାନେଜର ଦେବାଶିଷ ମହାପାତ୍ର ଓ ଯୁବା ଉତ୍କଳର ପ୍ରତିଷ୍ଠାତା ଦେବାଶିଷ ଜେନା ପ୍ରମୁଖ ଅତିଥି ଭାବେ ଯୋଗଦେଇ ନିଜର ଅନୁଭବ ବ୍ୟକ୍ତ କରିଥିଲେ। ସମିତିର ସମ୍ପାଦିକା ଆଭାରାଣୀ ଚୌଧୁରୀ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ମାତୃମୟୀ ପ୍ରିୟଦର୍ଶିନୀ। ପ୍ରିୟମ୍ବଦା, ଲୋପାମୁଦ୍ରା, ଶୀତଲ, ରିତେଶ, ନିହାର ଓ ସୌମ୍ୟ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *