ଡାକ୍ତର ସରସ୍ୱତୀ ସ୍ୱାଇଁଙ୍କ ପରଲୋକ

ଡାକ୍ତର ସରସ୍ୱତୀ ସ୍ୱାଇଁଙ୍କ ପରଲୋକ

କଟକ : ଲୋକସଭାର ପୂର୍ବତନ ବାଚସ୍ପତି ସ୍ୱର୍ଗତ ରବି ରାୟଙ୍କ ପତ୍ନୀ ପ୍ରଫେସର ଡାକ୍ତର ସରସ୍ୱତୀ ସ୍ୱାଇଁ(୮୮)ଙ୍କର ବୁଧବାର ପ୍ରତ୍ୟୁଷରେ କଟକ ବଡ଼ ଡାକ୍ତରଖାନାରେ ପରଲୋକ ଘଟିଛି। ସେ କିଛଦିନ ହେଲା ବାର୍ଦ୍ଧକ୍ୟ ଜନିତ ବ୍ୟାଧିରେ ପୀଡ଼ିତ ଥିଲେ। ତାଙ୍କ ବିୟୋଗ ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତି କଲ୍ୟାଣୀ ନଗରସ୍ଥିତ ବାସଭବନରେ ପହଞ୍ଚି ଶେଷଦର୍ଶନ କରିଥିଲେ। ଡା. ସ୍ୱାଇଁ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଓ ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ମେଡ଼ିକାଲ କଲେଜର ସାମାଜିକ ଓ ପ୍ରତିଷେଧକ ମେଡ଼ିସିନ୍‍ ବିଭାଗର ପ୍ରଫେସର ରୂପେ ଦୀର୍ଘଦିନ ଧରି କାର୍ଯ୍ୟ କରି ୧୯୮୯ରେ ଚାକିରିରୁ ଅବସର ଗ୍ରହଣ କରିଥିଲେ। ଡା. ସ୍ୱାଇଁ ବିଶିଷ୍ଟ ସମାଜସେବୀ ନେତା ରାମମନୋହର ଲୋହିଆ ଓ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କର ଜଣେ ଘନିଷ୍ଠ ସହଯୋଗୀ ଥିଲେ। ସେ ହାବାର୍ଡ଼ ବିଶ୍ୱବିଦ୍ୟାଳୟ ସମେତ ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ପରିଦର୍ଶକ ଅଧ୍ୟାପକ ଭାବେ ଶିକ୍ଷାଦାନ କରିଥିଲେ। ତାଙ୍କ ଦ୍ୱାରା ପ୍ରତିଷ୍ଠିତ ସ୍ୱେଚ୍ଛାସେବୀ ସଂଗଠନ ‘ନିହାର୍ଡ଼’ ସହାୟତାରେ ସେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ କରିଥିଲେ।
ଅପରାହ୍ଣରେ ଖୋର୍ଦ୍ଧା ଜିଲାର ବନମାଳୀପୁର ନିକଟବର୍ତ୍ତୀ ଭଅଁରାଗଡ଼ ଗ୍ରାମ୍ୟ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ପୁତୁରା ସୌମୀୟ ରଞ୍ଜନ ରାୟ ମୁଖାଗ୍ନି ଦେଇଥିଲେ।
ଡାକ୍ତର ସ୍ୱାଇଁଙ୍କର ବିୟୋଗରେ ବିଧାୟକ ଶଶିଭୂଷଣ ବେହେରା, ଅତନୁ ସବ୍ୟସାଚୀ ନାୟକ, ସମତା ମଞ୍ଚର ସଭାପତି ଚିତ୍ତରଞ୍ଜନ ମହାନ୍ତି, ଡିଏମଇଟି ଡା. ସି.ବି.କେ ମହାନ୍ତି, ପ୍ରଫେସର ପ୍ରଭାସଚନ୍ଦ୍ର ସିଂହ, ସାରଳା ସାହିତ୍ୟ ସଂସଦର ପ୍ରତିଷ୍ଠାତା ସଭାପତି ଡଃ ପ୍ରଭାକର ସ୍ବାଇଁ, ଡା. ରବିରଞ୍ଜନ ସାହୁ, ଡଃ ବିଜୟ ସ୍ବାଇଁ, ଡଃ ପ୍ରମିଳା ଦେବୀ, ଡଃ ପ୍ରଶାନ୍ତ ପ୍ରଧାନ, ଶୈଳଜ ରବି, ପଦ୍ମଚରଣ ନାୟକ, ଡଃ ମନୋରଞ୍ଜନ ମହାନ୍ତି, ଶୈଳବାଳା ପ୍ରଧାନ, ପଦ୍ମଚରଣ ରାଉତ, ସମୀର ରାଉତ, ଦେବପ୍ରସାଦ ରାୟ ମହାପାତ୍ର, ଶାନ୍ତନୁ ମହାପାତ୍ର, ସମାଜସେବୀ କ୍ଷୀରୋଦ ମହାପାତ୍ର, ଡ. ସତ୍ୟ ରାୟ, ପ୍ରଶାନ୍ତ ଦାସ, ଡଲି ଦାସ, ଶିଶିର ଦାସ, ଉତ୍କଳ କଳା ପରିଷଦର ସାଧାରଣ ସମ୍ପାଦକ ସଞ୍ଜିତ ପଟ୍ଟନାୟକ, ଉତ୍କଳ ସର୍ବୋଦୟ ମଣ୍ଡଳର ସମ୍ପାଦକ ରମାକାନ୍ତ ମଣ୍ଡଳ, ବିକାଶ ଦାସଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *