ସେଗୱେ – ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ଦୁଇ ଚକିଆ ପାଟ୍ରୋଲିଂ ପ୍ରଣାଳୀ ପ୍ରଚଳନ :

ସେଗୱେ – ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ଦୁଇ ଚକିଆ ପାଟ୍ରୋଲିଂ ପ୍ରଣାଳୀ ପ୍ରଚଳନ :

ଆଜି ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ଦୁଇ ଚକିଆ (ସେଗୱେ) ପାଟ୍ରୋଲିଂ ପ୍ରଣାଳୀର ପ୍ରଚଳନ କରାଯାଇଅଛି I ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ ଆଜି ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ରେଳପଥର ପ୍ରମୁଖ ନିରାପତ୍ତା ଆୟୁକ୍ତ ଶ୍ରୀ ରାଜା ରାମ ଓ ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଶ୍ରୀ ଶଶୀକାନ୍ତ ସିଂହଙ୍କ ଉପସ୍ଥିତିରେ ଏହାକୁ ଉଦ୍ଘାଟନ କରିଛନ୍ତି I

ବ୍ୟାଟେରୀ ଦ୍ୱାରା ପରିଚାଳିତ ଏବଂ ପରିବେଶ ଉପଯୋଗୀ ସେଗୱେ ପ୍ରଣାଳୀ ଦ୍ୱାରା ଆରପିଏଫ କର୍ମଚାରୀ ମାନେ ଷ୍ଟେସନ ଠାରେ ସେମାନଙ୍କର ପାଟ୍ରୋଲିଂ ଡ୍ୟୁଟି ସମୟରେ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଖୁବ କମ ସମୟରେ ଯାଇ ପାରିବେ ଓ ଯାତ୍ରୀ ଭିଡକୁ ପରିଚାଳନା କରିପାରିବେ I ଏହା ଦ୍ୱାରା ମଧ୍ୟ ଆରପିଏଫ କର୍ମଚାରୀ ମାନେ ରେଳ ସମ୍ପତ୍ତିର ସୁରକ୍ଷା ସହିତ ଯାତ୍ରୀ ନିରାପତ୍ତା ପ୍ରତି ବିଶେଷ ଧ୍ୟାନ ଦେଇପାରିବେ I ଏହି ହାଇ-ଟେକ ପାଟ୍ରୋଲିଂ ପ୍ରଣାଳୀ ମଧ୍ୟ ଆରପିଏଫ କର୍ମଚାରୀ ମାନଙ୍କ ମନୋବଳକୁ ବୃଦ୍ଧି କରିବା ସହ ଖୁବ କମ ସମୟ ମଧ୍ୟରେ ଯାତ୍ରୀ ମାନଙ୍କର ଅଭିଯୋଗ ପ୍ରତି ଧ୍ୟାନ ଦେଇପାରିବେ I ଅଧିକରୁ ଅଧିକ ସେଗୱେ ପ୍ରଚଳନ ପାଇଁ ସୁରକ୍ଷା କର୍ମୀ ମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଅଛି I

ଏହି ସେଗୱେ ପ୍ରଣାଳୀ ଦେଶର ଗୁରୁତ୍ବପୂର୍ଣ୍ଣ ରେଳ ଷ୍ଟେସନ ମାନଙ୍କଠାରେ କିଛିଦିନ ପୂର୍ବରୁ ପ୍ରଚଳନ କରାଯାଇ ଅଛି I ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ବିଶାଖାପାଟଣା ଷ୍ଟେସନ ଠାରେ ଇତିମଧ୍ୟରେ ପ୍ରଚଳନ କରାଯାଇଥିବା ବେଳେ ଓଡିଶା ରେ ଏହା ପ୍ରଥମ ଅଟେ I

ବ୍ୟସ୍ତ ସମୟରେ ଷ୍ଟେସନ ମାନଙ୍କଠାରେ ଯାତ୍ରୀ ମାନଙ୍କଦ୍ୱାରା ଟୁଇଟର କିମ୍ବା ନିରାପତ୍ତା ହେଲ୍ପଲାଇନ ନମ୍ବର – ୧୮୨ ରେ ବିଭିନ୍ନ ଅଭିଯୋଗ ଯଥା ଚୋରି, ଛିନତାଇ, ଗାଳିଗୁଲଜ କରିବା ଏବଂ ବିଶୃଙ୍ଖଳା ସୃଷ୍ଟିକରିବା ଇତ୍ୟାଦିର ଖୁବ ଶୀଘ୍ର ସମାଧାନ କରିବା ଏବଂ ପଦକ୍ଷେପ ନେବାପାଇଁ ଏହି ସେଗୱେ ପ୍ରଣାଳୀ ସହାୟକ ହେବ I

Leave a Reply

Your email address will not be published. Required fields are marked *