ନିରପେକ୍ଷ ଓ ପ୍ରତିବଦ୍ଧ ଗଣମାଧ୍ୟମ ହିଁ ଆମ ଗଣତନ୍ତ୍ରକୁ ଦୃଢ଼ କରିଛି :ରଘୁନନ୍ଦନ ଦାସ

ନିରପେକ୍ଷ ଓ ପ୍ରତିବଦ୍ଧ ଗଣମାଧ୍ୟମ ହିଁ ଆମ ଗଣତନ୍ତ୍ରକୁ ଦୃଢ଼ କରିଛି :ରଘୁନନ୍ଦନ ଦାସ

ଭୁବନେଶ୍ୱର: ଏକ ବଳିଷ୍ଠ ଓ ଶକ୍ତିଶାଳୀ ଗଣମାଧ୍ୟମ ସମାଜକୁ ବିକାଶ ପଥରେ ଆଗେଇ ନେଇଥାଏ । ସତ୍ୟଶୀଳ, ନିରପେକ୍ଷ ଓ ପ୍ରତିବଦ୍ଧ ଗଣମାଧ୍ୟମ ହିଁ ଆମ ଗଣତନ୍ତ୍ରକୁ ଦୃଢ଼ କରିଛି ।

ଗୋଟିଏ ଦାୟିତ୍ୱବାନ ଗଣମାଧ୍ୟମ ସର୍ବଦା ଜନମତକୁ ଜାଗ୍ରତ କରିବା ସହିତ ଦେଶର ବିକାଶ ଯାତ୍ରାକୁ ପ୍ରୋତ୍ସାହିତ କରିଥାଏ ବୋଲି ସୂଚନା ଓ ଲୋକସଂପର୍କ, ଜଳସଂପଦ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ମତବ୍ୟକ୍ତ କରିଛନ୍ତି ।

ଆଜି ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ଗୀତଗୋବିନ୍ଦ ସଦନଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଜାତୀୟ ପ୍ରେସ୍‌ ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ଯେ ସମ୍ବାଦକୁ ଶୀଘ୍ର ପ୍ରକାଶ କରିବା ଉଦ୍ଦେଶ୍ୟରେ ଭ୍ରମାତ୍ମକ ଓ ଉପଯୁକ୍ତ ତର୍ଜମାବିହୀନ ସମ୍ବାଦ ପରିବେଷଣ କରିବା ବାଞ୍ଛନୀୟ ନୁହେଁ ।

ତଥ୍ୟଭିତ୍ତିକ ସମ୍ବାଦ ପ୍ରକାଶନ ନାଗରିକ ଆଦୃତି ଓ ଜନମତ ଜାଗୃତିରେ ସହାୟକ ହେବା ସହିତ ପ୍ରଶାସନ ତଥା ବ୍ୟବସ୍ଥାକୁ ମଧ୍ୟ ଦିଗ୍‌ଦର୍ଶନ ଦେଇଥାଏ । ଗଣମାଧ୍ୟମ ତା’ର ଗୁରୁଦାୟତ୍ୱ ଯଥାର୍ଥ ଭାବରେ ପାଳନ କଲେ ସତ୍ୟ ଜାଣିବା ପାଇଁ ଲୋକଙ୍କ ପାଖରେ ବିଭିନ୍ନ ପଥ ପରିଷ୍କାର ହୋଇଯିବ ବୋଲି ଶ୍ରୀ ଦାସ ଉଲ୍ଲେଖ କରିଥିଲେ ।

ସୂଚନା ଓ ଲୋକସଂପର୍କ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ସାମ୍ବାଦିକତା ବୃତ୍ତି ପ୍ରତି ତାଙ୍କର ଅନୁରାଗ ଓ ଅଭିଜ୍ଞତାର ଉଲ୍ଲେଖ କରିବା ସହିତ କହିଥିଲେ ଯେ ଗଣମାଧ୍ୟମ ଆମ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ହୋଇଥିବାବେଳେ ଅନ୍ୟ ତିନି ସ୍ତମ୍ଭର କାର୍ଯ୍ୟକଳାପ ନେଇ ଲକ୍ଷ୍ମଣରେଖା
ରହିଛି, କିନ୍ତୁ ଗଣମାଧ୍ୟମ ପାଇଁ ଥିବା ଲକ୍ଷ୍ମଣରେଖା ସଂପର୍କରେ କେଉଁଠାରେ ଉଲ୍ଲେଖ ନାହିଁ ।

କାରଣ ଗଣମାଧ୍ୟମ ହିଁ ସେହି ଲକ୍ଷ୍ମଣରେଖା ନିର୍ଦ୍ଧାରିତ କରିପାରିବ ।

ପାରମ୍ପରିକ ସାମ୍ବାଦିକତା ପରେ ଏବେ ସବୁ ନାଗରିକ ଜଣେ ସାମ୍ବାଦିକରେ ପରିଣତ ହୋଇଛନ୍ତି ।

ସାମାଜିକ ଗଣମାଧ୍ୟମର ବିପୁଳ ପ୍ରସାର ହେତୁ ସତ୍ୟକୁ ସାମ୍ନାକୁ ଆଣିବାରେ କୌଣସି ଅସୁବିଧା ନାହିଁ ବୋଲି ଦର୍ଶାଇ ଶ୍ରୀ ସିଂ ରାଜ୍ୟରେ ୫ ‘ଟି’ ଆଧାରରେ ଗଣମାଧ୍ୟମ ନିମନ୍ତେ ମଧ୍ୟ ତାଙ୍କ ବିଭାଗ ପ୍ରାଥମିକତା ଦେଇଛି ବୋଲି କହିଥିଲେ ।

ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଛପା ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରମୁଖ ବିଷୟଗୁଡ଼ିକୁ ନେଇ ଏକ ଅଭିଲେଖାଗାର ପ୍ରତିଷ୍ଠା ପାଇଁ ପରିକଳ୍ପନା ରହିଛି ବୋଲି ଶ୍ରୀ ସିଂ ସୂଚନା ଦେଇଥିଲେ ।

ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ଶ୍ରୀ ପ୍ରଦୋଷ ପଟ୍ଟନାୟକ ମୁଖ୍ୟବକ୍ତା ଭାବରେ ଯୋଗଦେଇ କହିଥିଲେ ଯେ ଗଣମାଧ୍ୟମର ସ୍ୱର ଚାପିଦେଲେ ଗଣତନ୍ତ୍ର ସ୍ଥାନରେ ଏକଛତ୍ରବାଦ ସୃଷ୍ଟି ହୁଏ । ତେଣୁ ଗଣମାଧ୍ୟମର ଅପବ୍ୟବହାର ଉଚିତ ନୁହେଁ ।

ଅନୁରୂପ ଭାବରେ ଗଣମାଧ୍ୟମରେ ଅସ୍ୱାସ୍ଥ୍ୟକର ପ୍ରତିଯୋଗିତା, ଅସତ୍ୟ ଓ କାଳ୍ପନିକ ଖବର ପ୍ରସାରଣ ତଥା ସାମାଜିକ ନ୍ୟାୟ ବିରୋଧୀ ଆଭିମୁଖ୍ୟ ଗଣତନ୍ତ୍ର ଓ ସୁସ୍ଥ ସମାଜ ପ୍ରତି ଶୁଭଙ୍କର ନୁହେଁ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ ।

ସରକାରଙ୍କ ବିଭିନ୍ନ ଆଭିମୁଖ୍ୟ ଓ ଜନାଭିମୁଖୀ ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ସହିତ ଗଣତନ୍ତ୍ରର ମୂଲ୍ୟବୋଧକୁ ସଂପ୍ରସାରିତ କରିବା ଗଣମାଧ୍ୟମର ପ୍ରମୁଖ ଆଭିମୁଖ୍ୟ ବୋଲି ସେ ପ୍ରକାଶ କରିଥିଲେ ।

ଏହି ଅବସରରେ ଚଳିତ ବର୍ଷ ଜାତୀୟ ପ୍ରେସ ଦିବସର ପ୍ରମୁଖ ପ୍ରସଙ୍ଗ ‘ସମ୍ବାଦ ପରିବେଷଣ-ବ୍ୟାଖ୍ୟାନ: ଏକ ଅଭିଯାନ’ ଉପରେ ପୂର୍ବରୁ ଆୟୋଜିତ ଆନ୍ତଃମହାବିଦ୍ୟାଳୟ ଇଂରାଜୀ ଏବଂ ଓଡ଼ିଆ ବକ୍ତୃତା ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *