ପ୍ରବାସୀ ଶ୍ରମିକଙ୍କ ଅଧିକାର ପାଇଁ ସ୍ୱତନ୍ତ୍ର ନୀତି ର ଆବଶ୍ୟକ ରହିଛି

ପ୍ରବାସୀ ଶ୍ରମିକଙ୍କ ଅଧିକାର ପାଇଁ ସ୍ୱତନ୍ତ୍ର ନୀତି ର ଆବଶ୍ୟକ ରହିଛି

ଭୁବନେଶ୍ୱର, ୧୮ ଡିସେମ୍ବର- ଆନ୍ତର୍ଜାତୀୟ ପ୍ରବାସୀ ଶ୍ରମିକ ଦିବସ ଅବସରରେ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏଡ୍ ଏଟ୍ ଏକ୍ସନ୍ ତରଫରୁ ପ୍ରବାସୀ ଶ୍ରମିକ ମାନଙ୍କ ଅଧିକାର ଉପରେ ଏକ ଦିନିକିଆ କର୍ମଶାଳା ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାର ପ୍ରାରମ୍ଭରେ ଏଡ୍ ଏଟ୍ ଏକ୍ସନ୍ ର ଶ୍ରୀ ଉମି ଡାନିଏଲ୍ କାର୍ଯ୍ୟକ୍ରମର ଆଭିମୁଖ୍ୟ ରଖି କହିଥିଲେ ଯେ, ଆମରାଜ୍ୟରେ ଅଭାବୀ ସ୍ଥାନାନ୍ତରଣ ଏକ ପ୍ରମୁଖ ସମସ୍ୟା ରୁପେ ଉଭା ହୋଇଅଛି । ଆନ୍ତରାଜ୍ୟ ପ୍ରବାସୀ ଶ୍ରମିକ ଆଇନ ଅନୁଯାୟୀ କେବଳ ପୁରୁଷ ମାନଙ୍କୁ ପଞ୍ଜୀକରଣ କରାଯାଉଥିବା ବେଳେ ମହିଳା ଓ ଶିଶୁମାନଙ୍କୁ ବାଦ୍ ଦିଆଯାଉଛି । ତେଣୁ ପରିବାର ସହ ଯାଉଥିବା ସଦଶ୍ୟ ମାନେ ମଧ୍ୟ ଅନେକ ଶୋଷଣ ଓ ନିର୍ଯାତନା ର ଶିକାର ହେଉଛନ୍ତି । ବର୍ତମାନ କେନ୍ଦ୍ର ସରକାର ଶ୍ରମ ଆଇନ୍ ରେ ବ୍ୟାପକ ସଂଶୋଧନ ଆଣୁଥିବା ବେଳେ ପ୍ରବାସୀ ଶ୍ରମିକଙ୍କ ପାଇଁ ସ୍ୱତନ୍ତ୍ର ନୀତି ପ୍ରଣୟନ କରିବାର ଆବଶ୍ୟକତା ରହିଛି ।

କର୍ମଶାଳାର ମୁଖ୍ୟଅତିଥି ତଥା ଓଡିଶା ମାନବିକ ଅଧିକାର ଆୟୋଗ ର ସଦସ୍ୟ ଶ୍ରୀ ଅସୀମ ଅମିତାଭ ଦାଶ କହିଥିଲେ ଯେ ପ୍ରତ୍ୟେକ ପ୍ରବାସୀ ଶ୍ରମିକଙ୍କ ଅଧିକାରର ସୁରକ୍ଷା କରିବା କମିଶନ ର ଦାୟୀତ୍ୱ । ଏହି ଦିଗରେ ମାନବିକ ଅଧିକାର କମିଶନ ଯତ୍ନବାନ ରହିଛି । ଅନ୍ୟତମ ଅତିଥି ତଥା ରାଜ୍ୟ କୋଠାବାଡି ନିର୍ମାଣ ଶ୍ରମିକ ବୋର୍ଡ ର ଅଧ୍ୟକ୍ଷ ଶ୍ରୀ ସୁବାସ ସିଂ ବୋର୍ଡ ତରଫରୁ ନିଆଯାଉଥିବା ବିଭିନ୍ନ ଶ୍ରମିକ କଲ୍ୟାଣକାରୀ ପଦକ୍ଷେପ ସମ୍ପର୍କରେ ସୁଚନା ପ୍ରଦାନ କରି କହିଥିଲେଯେ ଓଡିଶା ସରକାର ୧୧ଟି ଦାଦନ ପ୍ରବଣ ଅଂଚଳ ଚିହ୍ନଟ କରିଛନ୍ତି ଏବଂ ଦାଦନ ଶ୍ରମିକଙ୍କୁ ପଂଚାୟତ ସ୍ତରରେ ପଞ୍ଜୀକରଣ କରି ରାଜ୍ୟସରକାରଙ୍କ ବିଭିନ୍ନ ସରକାରୀ ଯୋଜନାର ଲାଭ ଦେଉଛନ୍ତି ।

ବିଶିଷ୍ଟ ସାମାଜିକ କର୍ମୀ ଶ୍ରୀମତି ଆଶା ହଂସ ମହିଳା ଶ୍ରମିକ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରି କହିଥିଲେ ଯେ, ଦାଦନ ଯାଉଥିବା ମହିଳା ଓ କିଶୋରୀ ବାଳିକା ମାନେ ବିଭିନ୍ନ ପ୍ରକାର ଶୋଷଣ ଓ ନିର୍ଯାତନା ର ଶିକାର ହୋଇଥାନ୍ତି । ସେମାନଙ୍କ ପାଇଁ ସ୍ୱତନ୍ତ୍ର ଧ୍ୟାନ ଦେବାର ଆବଶ୍ୟକତା ରହିଛି ।

ରାଜ୍ୟ ସରକାରଙ୍କ ତରଫରୁ ପଂଚାୟତିରାଜ ବିଭାଗର ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ରାଜେଶ ପ୍ରଭାକର ପାଟିଲ ରାଜ୍ୟ ସରକାରଙ୍କ ତରୁଫରୁ ଚିହ୍ନଟ ହୋଇଥିବା ଚରୋଟି ଜିଲ୍ଲା ବଲାଙ୍ଗିର, ନୁଆପଡା, କଳାହାଣ୍ଡୀ ରେ ମନରେଗା ମାଧ୍ୟମରେ ଦାଦନ ସମସ୍ୟାର ସମାଧାନ ନିମନ୍ତେ ନିଆଯାଇଥିବା ପଦକ୍ଷେପ ବିଷୟରେ ଆଲୋକପାତ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ସଦଶ୍ୟ ଶ୍ରୀ ହରିହର ନାଏକ, ପଶ୍ଚିମ ଓଡିଶା ମାଇଗ୍ରେସନ ନେଟଓର୍କ ର ଶ୍ରୀ ପ୍ରଶାନ୍ତ ନାୟକ, ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ର ଶ୍ରୀମତୀ କୁନ୍ତିରାଣୀ ପ୍ରଧାନ, ସାମ୍ବାଦିକ ଶ୍ରୀ ସୁଧିର ମିଶ୍ର, ସହଭାଗୀ ବିକାଶ ଅଭିଯାନ ର ଶ୍ରୀ ଜଗଦିଶ ପ୍ଧାନ ଓ ଏଡ୍ ଏଟ୍ ଏକ୍ସନ୍ ର ଶ୍ରୀ ଜ୍ୟୋତିପ୍ରକାଶ ବ୍ରହ୍ମା ପ୍ରମୁଖ ନିଜର ମତ ରଖିଥିଲେ । ଶେଷରେ ସରକାରଙ୍କ ଅବଗତି ନିମନ୍ତେ କର୍ମଶାଳାରୁ ବାହାରି ଥିବା ନିର୍ଯାସ ଉପରେ ଏକ କାର୍ଯ୍ୟଖସଡା ପ୍ରସ୍ତୁତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଏଡ୍ ଏଟ୍ ଏକ୍ସନ୍ ତରଫରୁ ସରୋଜ କୁମାର ବାରରିକ ପରିଚାଳନା କରିଥିଲେ । ଏହିକର୍ମଶାଳାରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ଦାଦନ ଶ୍ରମିକ, ସ୍ୱେଚ୍ଛାସେବୀ ସଂଗଠନ, ସରକାରୀ ଅଧିକାରୀ ଓ ଶିକ୍ଷା ଅନୁଷ୍ଠାନ ରୁ ମୋଟ ୭୦ ଜଣ ପ୍ରତିନିଧି ଅଂଶଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *