ଜାତୀୟବାଦୀ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓଙ୍କ ୧୪୮ ତମ ଜୟନ୍ତୀ ପାଳିତ

ଜାତୀୟବାଦୀ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓଙ୍କ ୧୪୮ ତମ ଜୟନ୍ତୀ ପାଳିତ
ଭୁବନେଶ୍ୱର-ଆଜି ତା ୧୭.୧୨.୨୦୧୯ ରିଖ ମୟୁରଭଞ୍ଜ ମହାରାଜ ତଥା ଉତ୍କଳ ସମ୍ମିଳନୀର ପ୍ରଥମ ସଭାପତି ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ୧୪୮ ତମ ଜୟନ୍ତୀ ଉପଲକ୍ଷେ ଅଦ୍ୟ ପୂର୍ବାହ୍ନ ୮ ଟା ସମୟରେ ସ୍ଥାନୀୟ ପାୱାରହାଉସ ଛକ ସ୍ଥିତ ଉକ୍ତ ବିଶିଷ୍ଟ ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କମିଟି ପକ୍ଷରୁ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହାପରେ ମହାରାଜଙ୍କ ସ୍ମୃତି ଉଦ୍ଦେଶ୍ୟରେ ସଭାପତି ଶ୍ରୀ ବସନ୍ତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତା ଏବଂ ସାଧାରଣ ସଂପାଦକ ଡା. ରାଧାନାଥ ପ୍ରହରାଜଙ୍କ ପରିଚାଳନାରେ ଏକ ସଭା ଅନୁଷ୍ଠିତ ହୋଇ ଏହି ପୁଣ୍ୟ ଶ୍ଳୋକଙ୍କ ଗୁଣାବଳୀର ବର୍ଣ୍ଣନା କରାଯାଇଥିଲା । ଏଥିରେ ବକ୍ତାମାନେ ରାଜତନ୍ତ୍ର ବ୍ୟବସ୍ଥା ଭିତରେ ଥାଇ ମଧ୍ୟ ଜାତୀୟତା ଭାବରେ ଉଦ୍ବୁଦ୍ଧ ହୋଇ ସେ ମୟୁରଭଞ୍ଜ ସମେତ ସମଗ୍ର ଓଡ଼ିଆ ଜାତି ଓ ଏହାର ଭାଷା ପାଇଁ କିପରି ଆନ୍ତରିକ ଭାବ ପ୍ରଦର୍ଶନ କରିଥିଲେ ତାର ଭୂୟସୀ ପ୍ରଶଂସା କରିଥିଲେ । ତାଙ୍କର ଏହି ଜାତୀୟତା ପ୍ରେମ ଭାବ ପାଇଁ ସେ ୧୯୦୩ ମସିହା ଡିସେମ୍ବର ମାସ ୩୦ ତାରିଖରେ କଟକଠାରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନ ସଭାପତି ଆସନ ଅଳଙ୍କୃତ କରି ସମଗ୍ର ଓଡ଼ିଆ ଜାତିକୁ ଗୌରବାନ୍ୱିତ କରିଯାଇଛନ୍ତି । ସେ ଜଣେ ଅତ୍ୟନ୍ତ ପ୍ରଜାବତ୍ସଳ ଓ ସରଳ ପ୍ରକୃତିର ରାଜା ଥିବାରୁ ନିଜ ପ୍ରଜାଙ୍କ ପାଇଁ ଉତ୍ତମ ଶିକ୍ଷା, ସ୍ୱାସ୍ଥ୍ୟ, ବୃହତ୍ ଜଳଭଣ୍ଡାର ସ୍ଥାପନ, ଗମନାଗମନ ପାଇଁ ରୂପ୍ସା-ବାରିପଦା ରେଳ ବ୍ୟବସ୍ଥା ଇତ୍ୟାଦି କରିବା ସମେତ ରାଜ୍ୟ ବାହାର ଓଡ଼ିଆମାନଙ୍କ ଉନ୍ନତି ଉଦ୍ଦେଶ୍ୟରେ ବିଭିନ୍ନ ଅନୁଷ୍ଠାନକୁ ଅର୍ଥରାଶି ଦାନ କରିଥିଲେ । ଏହି ଦାନସ୍ୱରୂପ କଟକ ବଡ ଡାକ୍ତରଖାନା ଗଢି ଉଠିଥିଲା । ଉପରୋକ୍ତ ପ୍ରେକ୍ଷାପଟ୍ଟରେ ମହାରାଜ ଓଡ଼ିଆ ଜାତିର ଚିରନମସ୍ୟ ଏବଂ ପ୍ରାତଃସ୍ମରଣୀୟ ହୋଇ ରହିବେ ବୋଲି ସଭାରେ ସର୍ବସମ୍ମତ ପ୍ରସ୍ତାବ ଗୃହୀତ ହୋଇଥିଲା ।
ଆଜିର ଉପରୋକ୍ତ କାର୍ଯ୍ୟକ୍ରମ ଦ୍ୱୟରେ ଅନ୍ୟମାନଙ୍କ ମଧ୍ୟରେ ସମ୍ମିଳନୀର ସର୍ବଶ୍ରୀ ପ୍ରାଧ୍ୟାପକ ଦୁର୍ଯ୍ୟୋଧନ ପରିଡା, ପ୍ରଫେସର ଡା. କାଶୀନାଥ ରଥ, ଡା. ବାନାମ୍ବର ପରିଡା, ତ୍ରିନାଥ ସାମନ୍ତରାୟ, ଭୁବନେଶ୍ୱର ଶାଖା ସଭାପତି ଅଧିବକ୍ତା ତାପସ ରଞ୍ଜନ ମିଶ୍ର, ଇଂ. ସତ୍ୟଜିତ୍ ନାୟକ, ପଠାଣୀ ଜେନା, ସାରଦା କୁମାର ସାହୁ, ଚିନ୍ମୟ ବୋଡେ, ଇଂ ଶୁଭ୍ରାଶୁଂ ଶେଖର ଦାସ, ସୁରେନ୍ଦ୍ର ପାଇଲ, ବିଜୟ ଜେନା, ବିରଂଚି ଜେନା, ବୈରାଗୀ ସେଠୀ ପ୍ରମୁଖ ଯୋଗଦେଇଥିଲେ ।
ସଭାଶେଷରେ ଉପସଭାପତି ଡକ୍ଟର ଗୌରାଙ୍ଗ ପ୍ରସାଦ ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *