ଜେଇଇ ଓ ନିଟ ପରୀକ୍ଷାରୁ ବଞ୍ଚିତ ପରୀକ୍ଷାର୍ଥୀଙ୍କୁ ପୁନଃପରୀକ୍ଷା ଲାଗି ଦାବୀ : ଆମ ଜନତା ଅଧିକାର

ଜେଇଇ ଓ ନିଟ ପରୀକ୍ଷାରୁ ବଞ୍ଚିତ ପରୀକ୍ଷାର୍ଥୀଙ୍କୁ ପୁନଃପରୀକ୍ଷା ଲାଗି ଦାବୀ : ଆମ ଜନତା ଅଧିକାର

ଭୁବନେଶ୍ୱର:୧୬.୦୯ ସଦ୍ୟ ସମାପ୍ତ ହେଇଥିବା ଜେଈଇ ଓ ନିଟ ପରୀକ୍ଷାରେ ହଜାର ହଜାର ଗରୀବ ମେଧାବୀ ପରୀକ୍ଷାର୍ଥୀ ବଞ୍ଚିତ ହେବାକୁ ନେଇ ଗଭୀର ଉଦବେଗ ପ୍ରକାଶ କରିଛି ସାମାଜିକ ସଂଗଠନ “ଆମ ଜନତା ଅଧିକାର” । ଗତ ଅଗଷ୍ଟ ୨୭ତାରିଖରେ ଜେଇଇ ଓ ନିଟ ଉପଲକ୍ଷେ ଧାରଣାରେ ବସିଥିବା ସଂଗଠନର କର୍ମକର୍ତ୍ତାମାନେ କୋଭିଡ ଓ ବନ୍ୟା ପରିସ୍ଥିତିକୁ ନେଇ କେନ୍ଦ୍ର ସରକାରଙ୍କ ପାଖରେ ପରୀକ୍ଷାକୁ ସାମୟିକ ଭାବେ ସ୍ଥଗିତ ରଖିବାକୁ ଓ ସୁବନ୍ଦୋବସ୍ତ କରି ପରୀକ୍ଷାକୁ ପୁନଃ ତାରିଖ ନିର୍ଧାରଣ କରିବାକୁ ଦାବୀ କରି ଧାରଣା ଦେଇଥିଲେ । କେନ୍ଦ୍ର ସରକାରଙ୍କ ଏକଜିଦିଆ ନୀତି ଓ ରାଜ୍ଯ ସରକାରଙ୍କ ଖାମଖିଆଲ ମନୋଭାବ ଯୋଗୁଁ ଅନେକ ଗରୀବ ମେଧାବୀ ଛାତ୍ରଛାତ୍ରୀ ଏହାର ସୁଯୋଗ ଉପଯୋଗ କରିପାରିନଥିଲେ । ରାଜ୍ୟର ଅନେକ ଜିଲ୍ଲା ବନ୍ୟା କ୍ଷତିଗ୍ରସ୍ତ ଥିବା ସମୟରେ ଏହି ପ୍ରକାର ଏକ ନିଷ୍ପତି ଅନେକ ନିରୀହ ମେଧାବୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅନ୍ଧକାର ମଧ୍ୟକୁ ଠେଲି ଦେଇଛି । କୋଭିଡ ସମୟରେ କେବଳ ରାଜ୍ୟର ପ୍ରମୁଖ ସାତଗୋଟି ସହରରେ ପରୀକ୍ଷା କେନ୍ଦ୍ର କରାଯିବାକୁ ନେଇ ଅଭିଭାବକଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖା ଦେଇଛି । ଜେଇଇ ପରୀକ୍ଷା ଲାଗି ଅଠତିରିଶ ହଜାର ଦୁଇଶହ ଛତିଶ ପରୀକ୍ଷାର୍ଥୀ ଆବେଦନ କରିଥିବାବେଳେ ଅନ୍ୟୂନ ଏଗାର ହଜାର ପରୀକ୍ଷାର୍ଥୀ ପରୀକ୍ଷା କେନ୍ଦ୍ର ପର୍ଯ୍ୟନ୍ତ ପହଞ୍ଚିପାରି ନାହାନ୍ତି । ସାତଟି ସହରରେ ଛବିଶଟି ପରୀକ୍ଷା କେନ୍ଦ୍ରରେ ଏହି ପରୀକ୍ଷା ଲାଗି ବନ୍ଦୋବସ୍ତ କରାଯାଇଥିଲା ଏଵଂ ଅଠେଇସି ପ୍ରତିଶତ ପରୀକ୍ଷାର୍ଥୀ ପରୀକ୍ଷାରୁ ବଞ୍ଚିତ ହେଇଛନ୍ତି । ସେହି ଭଳି ନିଟ ପାଇଁ ସତତିରିଶ ହଜାର ଚାରିଶହ ଅଣସଠି ପରୀକ୍ଷାର୍ଥୀ ଆବେଦନ କରିଥିବାବେଳେ ୧୨ ପ୍ରତିଶତ ଜଥା ଅନ୍ୟୂନ ଚାରି ହଜାର ପାଞ୍ଚଶହ ପରୀକ୍ଷାର୍ଥୀ ବଞ୍ଚିତ ହେଇଛନ୍ତି । ପ୍ରଳୟଙ୍କରୀ ବନ୍ୟାର ପ୍ରକୋପ ଓ କୋଭିଡର ଭୟରେ ପନ୍ଦର ହଜାରରୁ ଉର୍ଦ୍ଧ୍ୱ ପରୀକ୍ଷାର୍ଥୀ ବଞ୍ଚିତ ହେବା ଏକ ପ୍ରକାର ପରୀକ୍ଷାର ବିଫଳତା ଦର୍ଶାଯାଇଛି । ତେଣୁ କେନ୍ଦ୍ର ସରକାର ଏତେ ମାତ୍ରାରେ ପରୀକ୍ଷାର୍ଥୀଙ୍କ ଭବିଷ୍ୟତକୁ ନଜରରେ ରଖି ପୁନଃ ପରୀକ୍ଷା କରିବାକୁ ସଂଗଠନ ତରଫରୁ ଆଜିର ପ୍ରେସମିଟରେ ଦାବୀ କରାଯାଇଛି ।
ଆଜି “ଉତ୍କଳ ସାମ୍ବାଦିକ ଭବନ” ପରିସରରେ ଅନୁଷ୍ଠିତ ଏହି ପ୍ରେସମିଟରେ ସଂଗଠନର ଆବାହକ ଶ୍ରୀ ମନୋଜ ଜେନା , ସହ ଆବାହକ ବାସୁଦେବ ଭଟ୍ଟ , ସାଧାରଣ ସମ୍ପାଦକ ଲଲାଟେନ୍ଦୁ ଶତପଥୀ , କୋଷାଧ୍ୟକ୍ଷ ଶାରଦା ପ୍ରସନ୍ନ ସ୍ବାଇଁ , ମୁଖପାତ୍ର ପ୍ରସନ୍ନ ବିଷୋୟୀ, ଜଗବନ୍ଧୁ ଜେନା, ସଂଯୋଜକ ଭକ୍ତି ରଞ୍ଜନ ପଲାଇ,ସହ ସଂଯୋଜିକା ପ୍ରଣତି ସ୍ୱାଇଁ, ରତିକାନ୍ତ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *