ନାଗରିକ ସଂଶୋଧନ ଆଇନ ବିରୋଧରେ ସିପିଆଇର ବିକ୍ଷୋଭ ଓ ରାସ୍ତାରୋକୋ

ନାଗରିକ ସଂଶୋଧନ ଆଇନ ବିରୋଧରେ ସିପିଆଇର ବିକ୍ଷୋଭ ଓ ରାସ୍ତାରୋକୋ
ଭୁବନେଶ୍ୱର, ୧୪/୧୨–
ନାଗରିକତା ସଂଶୋଧନ ବିଲ୍ ଓ ଜାତୀୟ ନାଗରିକ ପଞ୍ଜିକା ବିରୋଧରେ ପ୍ରତିବାଦ ଜଣାଇ ଆଜି ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଓ ଭାରତୀୟ କ୍ଷେତ ମଜଦୁର ୟୁନିୟନ (ବିକେଏମ୍ୟୁ) ପକ୍ଷରୁ ରାଜଧାନୀ ଭୁବନେଶ୍ୱରରେ ବିକ୍ଷୋଭ ଓ ରାସ୍ତାରୋକୋ ଆନ୍ଦୋଳନ ସଂଘଟିତ ହୋଇଯାଇଛି ।ଆଜି ପୂର୍ବାହ୍ନରେ ସିପିଆଇ ଓ ବିକେଏମ୍ୟୁର ଶତାଧିକ କର୍ମୀ ବେକରେ କଳା ପଟି ବାନ୍ଧି ପାର୍ଟିର ରାଜ୍ୟ ଦପ୍ତର ଭଗବତୀ ଭବନଠାରୁ ଏକ ଶୋଭାଯାତ୍ରାରେ ବାହାରିଥିଲେ । ଶୋଭାଯାତ୍ରାକାରୀମାନେ ରାଜମହଲ ଛକଠାରେ ବିକ୍ଷୋଭ ପ୍ରଦର୍ଶନ ସହିତ ରାସ୍ତା ଉପରେ ବସିରହି ପ୍ରତିବାଦ କରିଥିଲେ ଏବଂ ଏହାପରେ ଶୋଭାଯାତ୍ରାରେ ସମଗ୍ର ଅଶୋକନଗର ଅଞ୍ଚଳ ପରିକ୍ରମା ମଧ୍ୟ କରିଥିଲେ ।
ରାଜମହଲ ଛକଠାରେ ସିପିଆଇ ଜୋନ୍ ସମ୍ପାଦକ ସୁର ଜେନା ଓ ରାଜ୍ୟ କାର୍ଯ୍ୟକାରୀ କମିଟି ସଭ୍ୟ ଜୟନ୍ତ ଦାସ ବିକ୍ଷୋଭକାରୀମାନଙ୍କୁ ଉଦ୍ବୋଧନ ଦେଇ ନାଗରିକତା ସଂଶୋଧନ ଆଇନ ସମ୍ବିଧାନକୁ ସମ୍ପୂର୍ଣ୍ଣ ଉଲ୍ଲଙ୍ଘନ କରୁଛି ଏବଂ ଏହା ଭାରତର ଧର୍ମ ନିରପେକ୍ଷ ଭିତ୍ତିଭୂମିକୁ ଧ୍ୱଂସ କରିବା ସଙ୍ଗେ ସଙ୍ଗେ ଧର୍ମକୁ ଆଧାର କରି ନାଗରିକତା ପ୍ରଦାନ ସାମ୍ପ୍ରଦାୟିକ ବିଭାଜନକାରୀ ବୋଲି ମତ ପ୍ରକାଶ କରିଥିଲେ । ଏହାକୁ ୬ଟି ରାଜ୍ୟ ବିରୋଧ କରିସାରିଥିବାରୁ କେନ୍ଦ୍ର ସରକାର ତୁରନ୍ତ ବାତିଲ କରିବା ଉଚିତ ବୋଲି ସେମାନେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ କୈଳାସ ପୁହାଣ, କ୍ଷେତ ମୂଲିଆ ନେତା ଶରତ ସ୍ୱାଇଁ, ଛେତମ୍ବର ଭୋଇ, ଲକ୍ଷ୍ମୀଧର ବେହେରା, ନାରୀନେତ୍ରୀ ରୀତା ସେଠୀ, ଅଭିମନ୍ୟୁ ବେହେରା ପ୍ରମୁଖ ଏହି ବିକ୍ଷୋଭ, ଶୋଭାଯାତ୍ରା ଓ ରାସ୍ତାରୋକୋ ଆନ୍ଦୋଳନର ନେତୃତ୍ୱ ନେଇଥିଲେ ।

Leave a Reply

Your email address will not be published. Required fields are marked *