ନାଗରିକମାନଙ୍କ ଅଧିକାରର ସୁରକ୍ଷା ପାଇଁ ମୋ ସରକାର ପ୍ରତିଜ୍ଞା : ନବୀନ ପଟ୍ଟନାୟକ

ନାଗରିକମାନଙ୍କ ଅଧିକାରର ସୁରକ୍ଷା ପାଇଁ ମୋ ସରକାର ପ୍ରତିଜ୍ଞା : ନବୀନ ପଟ୍ଟନାୟକ

ଭୁବନେଶ୍ୱର: ରାଜ୍ୟ ମାନବାଧିକାର ଆୟୋଗ ଏବଂ ସୂଚନା ଓ ଲୋକସଂପର୍କ ବିଭାଗର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଜୟଦେବ ଭବନଠାରେ ବିଶ୍ୱ ମାନବାଧିକାର ଦିବସ ମହାଆଡ଼ମ୍ବରରେ ପାଳିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଦିବସ ପାଳନ ସମାରୋହକୁ ଉଦ୍‌ଘାଟନ କରିବା ସହ ନାଗରିକମାନଙ୍କ ଅଧିକାରର ସୁରକ୍ଷା ପାଇଁ ମୋ ସରକାର ପ୍ରତିଜ୍ଞାବଦ୍ଧ ବୋଲି ମତବ୍ୟକ୍ତ କରିଥିଲେ । ଏହି ଉତ୍ସବରେ ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଗୋପଳବଲ୍ଲଭ ପଟ୍ଟନାୟକ ଅନ୍ୟତମ ଅତିଥି ଭାବେ ଯୋଗଦେଇ ସମାଜର ପ୍ରତ୍ୟେକ ନାଗରିକମାନଙ୍କର ସମସ୍ତ ପ୍ରକାର ଅଧିକାରର ସୁରକ୍ଷା କରିବା ସମାଜର ମୁଖ୍ୟ ଦାୟିତ୍ୱ ବୋଲି ମତପ୍ରକାଶ କରିଥିଲେ । ଗୃହ ନିର୍ମାଣ ଓ ନଗର ଉନ୍ନୟନ, ଆଇନ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ଅନ୍ୟତମ ଅତିଥି ଭାବେ ଯୋଗଦେଇ ଓଡ଼ିଶାରେ ମାନବାଧିକାର କମିଶନ ଦୀର୍ଘ ୧୬ ବର୍ଷ ଧରି ନିରବିଚ୍ଛିନ୍ନ ଭାବରେ ସମାଜରେ ପୀଡ଼ିତ ନାଗରିକମାନଙ୍କର ଅଧିକାରର ସୁରକ୍ଷା କରିଆସୁଛି ବୋଲି କହିଥିଲେ । ଓଡ଼ିଶା ମାନବାଧିକାର ଆୟୋଗର ଅଧ୍ୟକ୍ଷ ନ୍ୟାୟମୂର୍ତ୍ତି ବିମଳ ପ୍ରସାଦ ଦାସ ବର୍ତ୍ତମାନ ସରକାରଙ୍କ ୫ ‘ଟି’ ଯୋଜନା ଅନୁସାରେ ନାଗରିକମାନଙ୍କର ଅଧିକାର ପ୍ରକୃତରେ ସୁରକ୍ଷିତ ହୋଇପାରିବ ବୋଲି ଆଶା ପ୍ରକାଶ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ମାନବାଧିକାର ଆୟୋଗର ପୂର୍ବତନ କାର୍ଯ୍ୟକାରୀ ଅଧ୍ୟକ୍ଷ
ସୁଧାଂଶୁ ମୋହନ ପଟ୍ଟନାୟକ, ଆର୍‌.ଏନ୍‌ ବହିଦାର, ନ୍ୟାୟମୂର୍ତ୍ତି ବୀରକିଶୋର ମିଶ୍ର ଓ ପୂର୍ବତନ ପ୍ରଶାସକ ତଥା ଆୟୋଗର ସଭ୍ୟ ବିଜୟ କୁମାର ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଓଡ଼ିଶା ମାନବାଧିକାର ଆୟୋଗର ପ୍ରଥମ ଅଧ୍ୟକ୍ଷ ନ୍ୟାୟମୂର୍ତ୍ତି ଦେବେନ୍ଦ୍ର ପ୍ରସାଦ ମହାପାତ୍ର ଅସୁସ୍ଥତା ବଶତଃ ଅନୁପସ୍ଥିତ ଥିବାରୁ ଯୋଗଦେଇ ପାରିନଥିଲେ । ପ୍ରାରମ୍ଭରେ ଆୟୋଗର ସଭ୍ୟ ନ୍ୟାୟମୂର୍ତ୍ତି ଅସୀମ ଅମିତାଭ ଦାସ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବାବେଳେ ଅନ୍ୟତମ ସଭ୍ୟ ନ୍ୟାୟମୂର୍ତ୍ତି ରଘୁବୀର ଦାସ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୂଚନା ଓ ଲୋକସଂପର୍କ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂହ, ନିର୍ଦ୍ଦେଶକ ଶ୍ରୀ କୃପାସିନ୍ଧୁ ମିଶ୍ର, ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ନିରଞ୍ଜନ ସେଠୀ, ମାନବାଧିକାର ଆୟୋଗର ସଚିବ ଶ୍ରୀ ସୁନୀଲ କୁମାର ନାୟକ, ଅତିରିକ୍ତ ଡିଜି ଶ୍ରୀ ବିନୟାନନ୍ଦ ଝା, ରେଜିଷ୍ଟ୍ରାର ଶେଖ୍‌ ମହମ୍ମଦ କ୍ଯୁସି, ଯୁଗ୍ମ ସଚିବ ଜ୍ୟୋତି ଏମ୍‌. ପ୍ରଧାନଙ୍କ ସହିତ ଆୟୋଗର ବରଷ୍ଠି ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *