ନବକୃଷ୍ଣଙ୍କ ବିଚାରର ପ୍ରଚାର ହିଁ ତାଙ୍କ ପ୍ରତି ଯଥାର୍ଥ ଶ୍ରଦ୍ଧାଞ୍ଜଳି’ : ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ପ୍ରଚାରଧର୍ମୀ ନଥିଲେ
‘ନବକୃଷ୍ଣଙ୍କ ବିଚାରର ପ୍ରଚାର ହିଁ ତାଙ୍କ ପ୍ରତି ଯଥାର୍ଥ ଶ୍ରଦ୍ଧାଞ୍ଜଳି’ : ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ସତ୍ୟନଷ୍ଠ ରାଜନୀତିଜ୍ଞ ଭାବରେ ସାଧୁତା, ନୈତିକତା ଓ ପରୋପକାରିତାକୁ ଜୀବନରେ ପ୍ରୟୋଗ କରିଥିଲେ ।

ସେ ପ୍ରଚାରଧର୍ମୀ ନଥିଲେ । ସାମ୍ୟବାଦୀ ଚିନ୍ତାଧାରାରେ ପ୍ରତିବଦ୍ଧ ନବକୃଷ୍ଣ ଚୌଧୁରୀଙ୍କ ବିଚାରଧାରାର ଅଧିକ ପ୍ରସାର ହିଁ ତାଙ୍କ ପ୍ରତି ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ହେବ ବୋଲି
ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରକାଶ କରିଛନ୍ତି ।

ଶନିବାର ଦିନ ସନ୍ଧ୍ୟାରେ ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୂଲ୍ୟରେ ମାଳିତୀ ଦେବୀ-ନବକୃଷ୍ଣ ଚୌଧୁରୀ ଟ୍ରଷ୍ଟର ସହଯୋଗରେ ସ୍ଥାନୀୟ ଜୟଦେବ ଭବନରେ ଆୟୋଜିତ ରାଜ୍ୟସ୍ତରୀୟ ନବକୃଷ୍ଣ ଚୌଧୁରୀ ଜୟନ୍ତୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ଯେ ଜଣେ ସଚ୍ଚା ଗାନ୍ଧୀବାଦୀ ଓ
ରଚନାତ୍ମକ ନେତା ଭାବରେ ନବକୃଷ୍ଣ ଚୌଧୁରୀ ଚିରସ୍ମରଣୀୟ ରହିବେ ।

ଜମିଦାର ପରିବାରରୁ ଆସି ସେ କୃଷକ, ଖଟିଖିଆ ଓ ମେହନତି ମଣିଷର ସ୍ୱାର୍ଥ ସୁରକ୍ଷା ନିମନ୍ତେ ସଂକଳ୍ପବଦ୍ଧ ଥିଲେ । ତାଙ୍କ ମୁଖ୍ୟମନ୍ତ୍ରୀତ୍ୱରେ ଭୂସଂସ୍କାର ସହିତ ନିଶାନିବାରଣ ପାଇଁ ହୋଇଥିବା ଉଦ୍ୟମ ସ୍ମରଣୀୟ ।

ମନ୍ତ୍ରୀ ଶ୍ରୀ ସ୍ୱାଇଁ ଜରୁରୀ ପରିସ୍ଥିତି କାଳରେ ବିରୋଧୀ ଦଳଗୁଡ଼ିକର ଏକତା ନିମନ୍ତେ ନବକୃଷ୍ଣ ଚୌଧୁରୀଙ୍କ ଉଦ୍ୟମର ସ୍ମୃତିଚାରଣପୂର୍ବକ ନିଜ ଅନୁଭୂତି ବର୍ଣ୍ଣନା କରିଥିଲେ ।

ନବକୃଷ୍ଣ ଚୌଧୁରୀଙ୍କ କଥା ଓ କାର୍ଯ୍ୟରେ କୌଣସି ବୈଷମ୍ୟ ନଥିଲା ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ଉଲ୍ଲେଖ କରିଥିଲେ ।

ଜଗତସିଂହପୁର ବିଧାୟକ ଶ୍ରୀ ପ୍ରଶାନ୍ତ ମୁଦୁଲି ଅନ୍ୟତମ ଅତିଥି ଭାବେ ଯୋଗଦେଇ କହିଲେ ଯେ ସ୍ୱର୍ଗୀୟ ନବକୃଷ୍ଣ ପ୍ରାଚୁର୍ଯ୍ୟକୁ ତୁଚ୍ଛ କରି ତ୍ୟାଗ ଆଦରି ନେଇଥିଲେ ।

କ୍ଷମତାରେ ଥିଲାବେଳେ ମଧ୍ୟ ସେ ସରଳ ଜୀବନ ଜିଉଁଥିଲେ ।

ସେ ହେଉଛନ୍ତି ଜଣେ ଅବତାରୀ ପୁରୁଷ ଓ ଆମ ସମାଜର ସଂପଦ ।

ମୁଖ୍ୟବକ୍ତା ଭାବରେ ଯୋଗଦେଇ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟର ଆସୋସିଏଟ୍‌ ପ୍ରଫେସର ଡ. ପ୍ରେମାନନ୍ଦ ମହାପାତ୍ର ବିଭିନ୍ନ ଉଦାହରଣ ସହ ନବକୃଷ୍ଣଙ୍କ ଜୀବନୀ ଆଲୋଚନା କରିଥିଲେ ଏବଂ ତାଙ୍କ ବହୁମୁଖୀ ଅବଦାନ ଉପରେ ଆଲୋକପାତ କରିଥିଲେ ।

ଓଡ଼ିଆ ଭାଷାର ପ୍ରସାର ଓ ବହୁଳ ବ୍ୟବହାର ପାଇଁ ତାଙ୍କ ଉଦ୍ୟମ ଅବିସ୍ମରଣୀୟ ହୋଇଥିବାବେଳେ ସେ ସବୁ ସ୍ୱାଭିମାନୀ ଓଡ଼ିଆଙ୍କ ପାଖରେ ଆଦର୍ଶ ପୁରୁଷ ହୋଇରହିବେ ବୋଲି ଡ. ମହାପାତ୍ର ମତ ଦେଇଥିଲେ ।

ଅତିଥିବୃନ୍ଦ ସ୍ୱର୍ଗୀୟ ଚୌଧୁରୀଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରିବା ପରେ ଆବାହନୀ ସଂଗୀତ ପରିବେଷଣ କରାଯାଇଥିଲା । ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ କୃପାସିନ୍ଧୁ ମିଶ୍ର ସ୍ୱାଗତ ଭାଷଣ ପ୍ରସଙ୍ଗରେ ନବକୃଷ୍ଣ ଜଗତସିଂହପୁର ଜିଲ୍ଲାର ଖେରସ ଜମିଦାର ପରିବାରରୁ ଆସି ସାରା ରାଜ୍ୟର ଜଣେ ଅନନ୍ୟ ବ୍ୟକ୍ତିତ୍ୱ ଭାବରେ ପରିଚିତ ହୋଇଥିଲେ ବୋଲି ଉଲ୍ଲେଖ କରିଥିଲେ ।

ପୂର୍ବରୁ ଅନଷ୍ଠୁିତ ଆନ୍ତଃସ୍କୁଲ ଓ କଲେଜସ୍ତରୀୟ ବକ୍ତୃତା ତଥା ପ୍ରବନ୍ଧ ପ୍ରତିଯେଗିତାର କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ସୂଚନା ଅଧିକାରୀ ଶ୍ରୀ ସଚ୍ଚିଦାନନ୍ଦ ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉପନିର୍ଦ୍ଦେଶକ ଶ୍ରୀ ବରଦା ପ୍ରସନ୍ନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ସହକାରୀ ନିର୍ଦ୍ଦେଶକ (କ୍ଷେତ୍ର) ଶ୍ରୀ ସନ୍ତୋଷ କୁମାର ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ସଭା ଶେଷରେ ଶାଶ୍ୱତୀ ସାମାଜିକ ସାଂସ୍କୃତିକ କେନ୍ଦ୍ର ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।

Leave a Reply

Your email address will not be published. Required fields are marked *