ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଧାନସଭା ମୁଲତବୀ।

ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଧାନସଭା ମୁଲତବୀ।

ଭୁବନେଶ୍ୱର : ବିଧାନସଭାର ଶୀତକାଳୀନ ଅଧିବେଶନ ନିର୍ଦ୍ଧାରିତ ଅବଧିର ୧୭ଦିନ ପୂର୍ବରୁ ଶେଷ ହୋଇଛି। ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର।

ନଭେମ୍ବର ୧୩ ତାରିଖରୁ ଆରମ୍ଭ ହୋଇଥିବା ଶୀତ ଅଧିବେଶନ ଡିସେମ୍ବର ୧୯ତାରିଖ ପର୍ଯ୍ୟନ୍ତ ଚାଲିବାର କାର୍ଯ୍ୟକ୍ରମ ରହିଥିଲା। କିନ୍ତୁ ଏହା ପୂର୍ବରୁ ଗୃହକୁ ଆଜି ମୁଲତବୀ କରାଯାଇଛି। ଏହି ଅବଧି ମଧ୍ୟରେ ଗୃହରେ ମୋଟ ୧୩ଟି କାର୍ଯ୍ୟଦିବସ ହୋଇଥିବା ବେଳେ ଏଥିରେ ୧୨ଟି ସରକାରୀ କାର୍ଯ୍ୟ ଦିବସ ରହିଛି। ଏହି ଅଧିବେଶନ କାଳରେ ଆଗତ ହୋଇଥିବା ମୋଟ ୫ଟି ବିଲ୍ ଗୃହରେ ଅନୁମୋଦନ ଲାଭ କରିଛି। ୧୬୩୬ଟି ଅଣତାରକା ପ୍ରଶ୍ନ ଓ ୨୨୬୧ଟି ତାରକା ପ୍ରଶ୍ନର ଉତ୍ତର ସରକାରଙ୍କ ପକ୍ଷରୁ ଗୃହରେ ଉପସ୍ଥାପନ କରାଯାଇଛି। ୧୩ଟି ମୁଲତବୀ ପ୍ରସ୍ତାବ ସ୍ୱୀକାର ହୋଇଥିବା ବେଳେ ସେଥିରୁ ୫ଟି ପ୍ରସ୍ତାବ ଉପରେ ଆଲୋଚନା ହୋଇଛି। ୫ଟି ବିଭାଗର ଖର୍ଚ୍ଚଦାବି ଉପରେ ହୋଇଛି ଆଲୋଚନା।

ଉଲ୍ଲେଖଯୋଗ୍ୟ ଚଳିତ ଅଧିବେଶନରେ ଯାଜପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ହତ୍ୟା, ଧାନକିଣାରେ ଅବ୍ୟବସ୍ଥା, ଜଗତସିଂହପୁରରେ ଦଳିତ ଯୁବତୀଙ୍କ ଆତ୍ମହତ୍ୟା, ସରକାରୀ ଖର୍ଚ୍ଚରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ସହ ଦୁଇ ମହିଳା ହାଇଦ୍ରାବାଦ ଯିବା ଆଦି ପ୍ରସଙ୍ଗ ଗୃହକୁ ସରଗରମ କରିଥିଲା। ସ୍ମିତାରାଣୀ ପ୍ରସଙ୍ଗରେ ଆଲୋଚନା ଓ ସିବିଆଇ ତଦନ୍ତ ଦାବିରେ ବିଜେପି ବିଧାୟକମାନେ ଗାନ୍ଧି ମୂର୍ତ୍ତି ତଳେ ଧାରଣା ଦେବା ସହ କଳାପଟି ପିନ୍ଧି ଗୃହରେ ପ୍ରତିବାଦ କରିଥିଲେ।

Leave a Reply

Your email address will not be published. Required fields are marked *