ବିଧାୟକଙ୍କ ଦେହରେ ଠାକୁରାଣୀ !

ବିଧାୟକଙ୍କ ଦେହରେ ଠାକୁରାଣୀ !

ଭୁବେନେଶ୍ୱର:ଅନୁଗୁଳ, ଜାନୁଆରୀ ୫ : ଠାକୁରାଣୀଙ୍କ କଳସ ଶୋଭାଯାତ୍ରାରେ ସାମିଲ ହୋଇଥିବା ବିଧାୟକ । ବେକରେ ଥିଲା ଗେଣ୍ଡୁମାଳ ଓ ହାତରେ ଧରିଥିଲେ ଖଣ୍ଡା । ହଠାତ୍ ବିଧାୟକ ଥରି ଉଠିଥିଲେ ।

ଶୋଭାଯାତ୍ରାରେ ପ୍ରଚାର ହୋଇଗଲା, ବିଧାୟକଙ୍କ ଦେହରେ ଠାକୁରାଣୀ ସବାର ହୋଇଛନ୍ତି ।

ଲୋକମାନେ ମନସ୍କାମନା ପୂରଣ ପାଇଁ ତାଙ୍କର ପୂଜାର୍ଚ୍ଚନା କରିଥିଲେ ଏବଂ କିଛି ସମୟ ପରେ ସେ ସ୍ୱାଭାବିକ ସ୍ଥିତିକୁ ଆସିଥିଲେ ବୋଲି ଶୋଭାଯାତ୍ରାରେ ସାମିଲ ହୋଇଥିବା ଲୋକମାନେ କହିଛନ୍ତି ।

ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଆମ୍ବସରମୁଣ୍ଡା ଗ୍ରାମରେ ରବିବାର ଏଭଳି ଏକ ଘଟଣା ଦେଖିବାକୁ ମିଳିଥିବା ବେଳେ ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏଙ୍କୁ ନେଇ ଚର୍ଚ୍ଚା ଲାଗି ରହିଛି ।

ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରବିବାର ଶାମ୍ବଦଶମୀରେ ଗୋଁଣ୍ଡ ସମାଜର ଇଷ୍ଟ ଦେବତା ଶ୍ରୀ ଶ୍ରୀ ଜଙ୍ଘାବଡ଼ଦେଓଙ୍କ ବାର୍ଷିକ ଉତ୍ସବ ଆମ୍ବସରମୁଣ୍ଡାଠାରେ ପାଳନ କରାଯାଇଥିଲା ।

ବିଭିନ୍ନ ଜିଲ୍ଲାରୁ ଗୋଁଣ୍ଡ ସମାଜର ହଜାର ହଜାର ଲୋକ ଏହି ସମାରୋହରେ ସାମିଲ ହୋଇଥିଲେ । ମଧ୍ୟାହ୍ନରେ ଅନୁଷ୍ଠିତ କଳସ ଶୋଭାଯାତ୍ରାରେ ବହୁ ପୁରୁଷ/ମହିଳାଙ୍କ ସହ ବିଧାୟକ ଶ୍ରୀ ସାଏ ମଧ୍ୟ ସାମିଲ ଥିଲେ ।

ସେ ମୁଣ୍ଡରେ ନାଲି ଗାମୁଛା ଭିଡ଼ିବା ସହ ବେକରେ ଗେଣ୍ଡୁ ମାଳ ପକାଇ ହାତରେ ଖଣ୍ଡା ଧରି ଚାଲୁଥିଲେ ।

କିଛି ବାଟ ଚାଲିବା ପରେ ଅଚାନକ ବିଧାୟକ ଥରିବାରେ ଲାଗିଥିଲେ । ସେ ତଳେ ପଡ଼ିବା ପୂର୍ବରୁ ତାଙ୍କୁ ଅନ୍ୟମାନେ ଧରି ନେଇଥିଲେ ଏବଂ ଶୋଭଯାତ୍ରାରେ ତ୍ୱରିତ ବେଗରେ ପ୍ରଚାର ହୋଇ ଯାଇଥିବା ବିଧାୟକଙ୍କ ଦେହରେ କାଳିସୀ ଲାଗିଛି ।

ଶୋଭାଯାତ୍ରାରେ ଚାଲିଥିବା ଶ୍ରଦ୍ଧାଳୁମାନେ ଏହା ଶୁଣି ନିଜ ନିଜ ମନସ୍କାମନା ପୂରଣ ପାଇଁ ବିଧାୟକଙ୍କ ପୂଜାର୍ଚ୍ଚନା କରିଥିଲେ । ଅବଶ୍ୟ କିଛି ସମୟ ପରେ ବିଧାୟକ ପୁନର୍ବାର ସ୍ୱାଭାବିକ ହୋଇଥିଲେ ।

ତେବେ ସେ ଶୋଭାଯାତ୍ରାରେ ଯାଉଥିଲେ ଏବଂ ତାଙ୍କ ଦେହରେ କୌଣସି ପ୍ରକାର ଅସ୍ୱାଭାବିକତା ଦେଖା ଯାଇଥିବା କିମ୍ବା ତାଙ୍କ ଦେହରେ ଠାକୁରାଣୀ ସବାର ହୋଇଥିବା କଥାକୁ ଅସ୍ୱୀକାର କରିଛନ୍ତି ବିଧାୟକ ଶ୍ରୀ ସାଏ ।

Leave a Reply

Your email address will not be published. Required fields are marked *