କ୍ୱିଣ୍ଟାଲ ଧାନ ସଂଗ୍ରହ କରାଯାଇଛି:ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ୨୪-୧୧-୨୦୧୯ ସୁଦ୍ଧା,

କ୍ୱିଣ୍ଟାଲ ଧାନ ସଂଗ୍ରହ କରାଯାଇଛି:ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ
୨୪-୧୧-୨୦୧୯ ସୁଦ୍ଧା, ଆଠଗୋଟି ଜିଲ୍ଲାରୁ

ଭୁବନେଶ୍ଵର: ରାଜ୍ୟରେ ଖରିଫ ଧାନ ସଂଗ୍ରହ ଆରମ୍ଭ ହୋଇ ଯାଇଛି । ବରଗଡ, ସମ୍ବଲପୁର, କଳାହାଣ୍ଡି, ସୁବର୍ଣ୍ଣପୁର, ନୂଆପଡା, ବଲାଙ୍ଗୀର, ମାଲକାନାଗିରି ଓ କୋରାପୁଟ ଆଦି ଜିଲ୍ଲାରୁ ଏହା ଆରମ୍ଭ ହୋଇଛି ଏବଂ ଅମଳ ସମୟ ଅନୁସାରେ ଏହା ଅନ୍ୟାନ୍ୟ ଜିଲ୍ଲାମାନଙ୍କରେ ଆରମ୍ଭ ହେବ । ୨୪-୧୧-୨୦୧୯ ସୁଦ୍ଧା ୧,୭୫,୫୫୮ କ୍ୱିଣ୍ଟାଲର ଧାନ ଆଠଗୋଟି ଜିଲ୍ଲାରୁ ସଂଗ୍ରହ କରାଯାଇଛି ।

ଧାନ ସଂଗ୍ରହର ଯଥେଷ୍ଟ ପୂର୍ବରୁ ଚାଷୀମାନଙ୍କୁ ସେମାନଙ୍କର ବିକ୍ରିଯୋଗ୍ୟ ଧାନ ସହ ସମ୍ପୃକ୍ତ ମଣ୍ଡିରେ ଉପସ୍ଥିତ ରହିବା ପାଇଁ SMS ମାଧ୍ୟମରେ ପଞ୍ଜିକୃତ ମୋବାଇଲ ନମ୍ବରକୁ ବାର୍ତ୍ତା ପ୍ରେରଣ କରାଯାଇଛି ।

Online ଟୋକେନର ତାଲିକା କ୍ରୟକାରୀ ସୋସାଇଟି / ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ କାର୍ଯ୍ୟାଳୟରେ ମଧ୍ୟ ଉପଲବ୍ଧ ହେଉଛି ।

ଚଳିତ ବର୍ଷ ଟୋକେନ ପ୍ରସ୍ତୁତି ପ୍ରକ୍ରିୟା ମାନବ ହସ୍ତକ୍ଷେପରୁ ମୁକ୍ତ କରାଯାଇଛି ।

ଏହା ଅନଲାଇନର କମ୍ପ୍ୟୁଟରୀକୃତ ବ୍ୟବସ୍ଥା ମାଧ୍ୟମରେ କରାଯାଉଛି । କିନ୍ତୁ ଯେଉଁ ‘ଚାଷୀ ତାଲିକା’ ଭିତରେ ଟୋକେନ ପ୍ରସ୍ତୁତ କରାଯାଉଛି, ତା’ର ତଥ୍ୟ ସୋସାଇଟି ସେକ୍ରେଟାରୀମାନେ ପ୍ରଦାନ କରୁଛନ୍ତି ।

ଯେଉଁମାନେ ଧାନ ଅମଳ କରିସାରିଛନ୍ତି ବା ପ୍ରକ୍ରିୟାରେ ଅଛନ୍ତି, ସେମାନଙ୍କର ନାମ ସୋସାଇଟି ସେକ୍ରେଟାରୀ ଅନଲାଇନରେ ସିଷ୍ଟମକୁ ପ୍ରେରଣ କରୁଛନ୍ତି; ସିଷ୍ଟମ ଏହି ତଥ୍ୟକୁ Sorting କରୁଛି ଓ ବିକ୍ରୟ ଦିନ ଧାର୍ଯ୍ୟ କରୁଛି ।

ପ୍ରତ୍ୟେକ ବିକ୍ରୟ ଦିବସରେ କ୍ଷୁଦ୍ର, ନାମମାତ୍ର, ମଧ୍ୟମ ଏବଂ ବଡ ଚାଷୀ ପୂର୍ବ ନିର୍ଦ୍ଧାରିତ ମାପକାଠି ଅନୁସାରେ ସରକାରଙ୍କୁ ଧାନ ବିକ୍ରି କରିବା ପାଇଁ ସୁଯୋଗ ପାଉଛନ୍ତି ।

ଏଥିରେ ବ୍ୟକ୍ତି ବିଶେଷଙ୍କ ହସ୍ତକ୍ଷେପ ନାହିଁ । ଏଥିରେ କୌଣସି ପାତର ଅନ୍ତର ନାହିଁ । ଏହା ସ୍ୱଚ୍ଛ, ଯୁକ୍ତିଯୁକ୍ତ ଏବଂ ନ୍ୟାୟୋଚିତ । ତୃଣମୂଳ ସ୍ତରରେ ଟୋକେନ ବଣ୍ଟନରେ ଅନିୟମିତତାକୁ ଏହା ପ୍ରତିହତ କରିବ । ଚାଷୀମାନଙ୍କୁ ଟୋକେନ ପାଇଁ କ୍ରୟକାରୀ ସୋସାଇଟି ନିକଟକୁ ବାରମ୍ବାର ଦୌଡିବାକୁ ପଡିବ ନାହିଁ । ଏହା କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ସଶକ୍ତ କରିବ ।

ଚଳିତବର୍ଷ ଚାଷୀଙ୍କର ପରିଚୟ ଆଧାର ପ୍ରମାଣୀକରଣ ବ୍ୟବସ୍ଥାରେ କରାଯାଉଛି । ସେଥିପାଇଁ ସମସ୍ତ କ୍ରୟ କେନ୍ଦ୍ରକୁ Iris Scanner ଯୋଗାଇ ଦିଆଯାଉଛି ।

ବୃଦ୍ଧ, ରୋଗଗ୍ରସ୍ତ ବା ଅକ୍ଷମ ବ୍ୟକ୍ତିମାନେ, ଆଧାର ପ୍ରମାଣୀ କରଣ ପାଇଁ ମଣ୍ଡିରେ ଉପସ୍ଥିତ ନ ରହି ପାରିଲେ ମଧ୍ୟ ସେମାନଙ୍କ ଧାନ କ୍ରୟ କରାଯିବ । ଆଧାର ପ୍ରମାଣୀକରଣ ମଣ୍ଡିରେ ଭୂତ ଚାଷୀ/ବେପାରୀ ଅନୁପ୍ରବେଶକୁ ପରିସମାପ୍ତ କରିବ ।

ସ୍ଥିରୀକୃତ ଦିବସରେ ପଞ୍ଜିକୃତ ଚାଷୀ ଧାନ ବିକ୍ରି ନ କରିପାରିଲେ, ସମ୍ପୃକ୍ତ ଚାଷୀଙ୍କୁ ଧାନ ବିକ୍ରି ପାଇଁ ପୁନର୍ବାର ଏକାଧିକ ସୁଯୋଗ ଦିଆଯିବ ।

ଟୋକେନ ବ୍ୟବସ୍ଥା ଚାଷୀମାନଙ୍କ ହିତ ଉଦ୍ଦେଶ୍ୟରେ ଅନୁପ୍ରେରିତ । ଏହା ମଣ୍ଡି ସ୍ତରରେ ଧାନ କ୍ରୟ ବିକ୍ରୟ କାର୍ଯ୍ୟକଳାପକୁ ଶୃଙ୍ଖଳିତ କରିବ ଏବଂ ଚାଷୀଙ୍କୁ ଅନିଶ୍ଚିତତା ଓ ଆଶଙ୍କାରୁ ମୁକ୍ତ କରିବ ।

ମଣ୍ଡିକୁ ଧାନ ବିକ୍ରି କରିବାକୁ ଆସୁଥିବା ଚାଷୀମାନଙ୍କ ଧାନକୁ ସୁରକ୍ଷା ଦେବା, ସେମାନଙ୍କ ପାଇଁ ବିଶ୍ରାମସ୍ଥଳ, ଶୌଚାଳୟ ପ୍ରତିଷ୍ଠା କରିବା ପାଇଁ ସୋସାଇଟି ନିର୍ଦ୍ଦେଶ ଦିଆଯାଇଛି ।

RMC ପରିଚାଳିତ ମାର୍କେଟ ୟାର୍ଡରେ ଚାଷୀଙ୍କ ପାଇଁ ସମସ୍ତ ସୁବିଧା ଉପଲବ୍ଧ ଅଛି ।

ଚାଷୀ ଯେଉଁ ବସ୍ତାରେ ଧାନ ନେଇ ମଣ୍ଡିକୁ ଆସୁଛନ୍ତି, ତାକୁ ଫେରସ୍ତ କରିବାର ନିୟମ ରହିଛି । ଯେଉଁଠି ଫେରସ୍ତ କରାଯାଉ ନାହିଁ, ସେ କ୍ଷେତ୍ରରେ ବସ୍ତା ବାବଦ ଚାଷୀଙ୍କୁ ପ୍ରାପ୍ୟ ପ୍ରଦାନ ମିଲର ମାନଙ୍କ ତରଫରୁ କରାଯିବାର କଥା । ଯେଉଁ ମିଲରମାନେ ଏହାର ଉଲଙ୍ଘନ କରୁଛନ୍ତି, ଜିଲ୍ଲାପାଳ, ସି.ଏସ୍.ଓ ବା ବିଭାଗର ଦୃଷ୍ଟିକୁ ଆଣିଲେ ସଂପୃକ୍ତ ମିଲରମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯିବ ।

ଚଳିତ ଖରିଫ ଧାନ ସଂଗ୍ରହ ପାଇଁ ରାଜ୍ୟ ସରକାର ଜଳସେଚିତ ଓ ଅଣଜଳସେଚିତ ଜମିରୁ ଯଥାକ୍ରମେ ଏକର ପ୍ରତି ୧୯ କ୍ୱିଣ୍ଟାଲ ଓ ୧୩ କ୍ୱିଣ୍ଟାଲ ହାରରେ ପଞ୍ଜିକୃତ ଚାଷୀଙ୍କଠାରୁ ଧାନ କ୍ରୟ କରିବାପାଇଁ ନିଷ୍ପତ୍ତି ନେଇଛନ୍ତି ।

ସରକାର ଏକ ହାରାହାରି ଅମଳ ହାର (Estimated Average Yield Rate) ନୀତିରେ ଧାନ କ୍ରୟ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

ଚଳିତ ଖରିଫ ଧାନ ସଂଗ୍ରହ ଦୃଶ୍ୟପଟ ଉପରେ ରାଜ୍ୟ ସରକାର ଦୈନନ୍ଦିନ ଭିତ୍ତିରେ ତୀକ୍ଷ୍ଣ ନଜର ରଖିଛନ୍ତି ।

ଧାନ ସଂଗ୍ରହ କାର୍ଯ୍ୟକୁ ସ୍ୱଚ୍ଛତା, ଶୃଙ୍ଖଳା ଓ ପାରଦର୍ଶିତା ସହ ସମ୍ପାଦନ କରିବା ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ ।

Leave a Reply

Your email address will not be published. Required fields are marked *