ସୁନ୍ଦରଗଡ଼ ଜିଲ୍ଲାରେ ସଂଗଠନ ମଜଭୁତ ପାଇଁ ବିଜେଡିର ପ୍ଲାନ:

ସୁନ୍ଦରଗଡ଼ ଜିଲ୍ଲାରେ ସଂଗଠନ ମଜଭୁତ ପାଇଁ ବିଜେଡିର ପ୍ଲାନ:

ଭୁବନେଶ୍ୱର’ ସୁନ୍ଦରଗଡ଼:ନୂଆ ବର୍ଷରୁ ମଙ୍ଗ ଧରିବ ନୂଆ ଟିମ୍
ବିଜେଡିର ସଭ୍ୟ ରେକର୍ଡ ସଂଖ୍ୟକ ବ୍ଲକ-ପୌରାଞ୍ଚଳ ସଂଗଠନ ନିର୍ବାଚନ ସାରି ନୂଆ ବର୍ଷରୁ ନୂଆ ଟିମ୍ ବିଧାୟକଙ୍କ ଭରସାରେ ରାଉରକେଲା-ରଘୁନାଥପାଲ୍ଲି ସୁନ୍ଦରଗଡ଼ରେ ଯୋଗେଶ ସିଂ, ରାଜଗାଙ୍ଗପୁରରେ ମଙ୍ଗଳା କିଷାନଙ୍କୁ ଅଗ୍ରାଧିକାର
ପୌର ପରିଷଦ ନିର୍ବାଚନର ତାରିଖ କେବେ ହେବ ତାହା ଏଯାଏଁ ଘୋଷଣା ହୋଇନାହିଁ। ଆଉ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ୨୦୨୨ ପୂର୍ବରୁ ହେବା ନାହିଁ। କିନ୍ତୁ ବିଜେଡି ସୁନ୍ଦରଗଡ଼ ଜିଲ୍ଲାରେ ନିଜର ସଂଗଠନକୁ ଏବେଠାରୁ ସଜାଡିବା ଆରମ୍ଭ କରିଦେଇଛି। ଗତ ଲୋକସଭା ଏବଂ ବିଧାନସଭା ନିର୍ବାଚନରେ ସୁନ୍ଦରଗଡ଼ରେ ବିଜେଡି ବ୍ୟାକଫୁଟରେ ଥିଲା।ସେଥିପାଇଁ ବିଜେଡି ସଭାପତି ନବୀନ ପଟ୍ଟନାୟକ, ବରିଷ୍ଠ ନେତା ପ୍ରଶାନ୍ତ ନନ୍ଦଙ୍କ ସ୍ଥାନରେ ଯୁବ ବିଧାୟକ ଇଂ ପ୍ରୀତିରଞ୍ଜନ ଘଡ଼ାଇଙ୍କୁ ସୁନ୍ଦରଗଡ଼ ଜିଲ୍ଲା ବିଜେଡି ପ୍ରଭାରୀ କରିଛନ୍ତି। ନୂଆ କରି ଦାୟିତ୍ୱ ନେଇଥିବା ପ୍ରୀତିରଞ୍ଜନ ଘଡ଼ାଇ, ସୁନ୍ଦରଗଡ଼କୁ ତୋଫାନୀ ଗସ୍ତ କରି ବିଜେଡିର ସଭ୍ୟ ସଂଖ୍ୟାକୁ ୩ ଲକ୍ଷ ୮୯ ହଜାର ୭୧୩ରେ ପହଞ୍ଚାଇଛନ୍ତି।
ଆଜି(ରବିବାର) ସୁନ୍ଦରଗଡ଼ ଠାରେ ତଲସରା, ରାଜଗାଙ୍ଗପୁର ଏବଂ ସୁନ୍ଦରଗଡ଼ ନିର୍ବାଚନ ମଣ୍ଡଳୀର ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ବୈଠକ ହୋଇଛି।ସେହିପରି ରାଉରକେଲାରେ ବୀରମିତ୍ରପୁର, ବଣାଇ ଏବଂ ରଘୁନାଥପାଲ୍ଲୀ ବିଧାନସଭା କ୍ଷେତ୍ରର ଦଳୀୟ କର୍ମକର୍ତ୍ତାଙ୍କ ସହ ମନ୍ତ୍ରଣା କରିଛନ୍ତି ପ୍ରଭାରୀ ଘଡ଼ାଇ।୧୭ଟି ବ୍ଲକ,୩ଟି ପୌରପରିଷଦ ଏବଂ ଗୋଟିଏ ମହାନଗର ନିଗମରେ ସଂଗଠନ ନିର୍ବାଚନ କାର୍ଯ୍ୟ ସାରି ନୂଆ ଟିମ୍ ଗଠନ କାର୍ଯ୍ୟକୁ ତରାନ୍ୱିତ କରିବାରେ ଲାଗିଛି ବିଜୁ ଜନତା ଦଳ। ନୂଆବର୍ଷ(୨୦୨୦)ରୁ ବିଜେପିର ଦବଦବା ଥିବା ସୁନ୍ଦରଗଡ଼କୁ ନିୟନ୍ତ୍ରଣ କରିବାର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି ବିଜେଡି।
ରାଉରକେଲା ଏବଂ ରଘୁନାଥପାଲ୍ଲୀ ଆସନରେ ବିଜେଡି ଜିତିଥିବା ବେଳେ,ସୁନ୍ଦଗରଡ଼ ଏବଂ ରାଜଗାଙ୍ଗପୁରକୁ ପୂରା ଫୋକସ୍ କରୁଛି ବିଜେଡି।୨୦୧୯ ନିର୍ବାଚନରେ ମାତ୍ର ୯୪୬ ଖଣ୍ଡ ଭୋଟରେ ପରାସ୍ତ ହୋଇଥିବା ମଙ୍ଗଳା କିଷାନଙ୍କ ନିର୍ବାଚନ କ୍ଷେତ୍ରକୁ ଟାର୍ଗେଟ୍ କରିଛି ଶାସକ ଦଳ। ସେଥିପାଇଁ ସଭ୍ୟ ସଂଗ୍ରହକୁ ଯୋରଦାର କରି ୬୩ ହଜାର ୩୯୦ଜଣ ବିଜେଡିରେ ସାମିଲ କରାଇଛି ଦଳ। ସେହିପରି ସୁନ୍ଦରଗଡ଼ ଓ ତଲସରାରେ ବିଜେଡିର ସଭ୍ୟ ସଂଖ୍ୟା ଯଥାକ୍ରମେ ୭୦ହଜାର ୯୩ଜଣ ଏବଂ ୫୧ହଜାର ୭୪୯ ହୋଇଛି। ସଭ୍ୟ ସଂଗ୍ରହର ସୁଫଳ କିପରି ପୌର ନିର୍ବାଚନରେ ମିଳିବ, ବିଶେଷ କରି ରାଜଗାଙ୍ଗପୁର ସମେତ ସୁନ୍ଦରଗଡ଼ ଏବଂ ବୀରମିତ୍ରପୁର ପୌର ପରିଷଦ ଏବଂ ରାଉରକେଲା ମହାନଗର ନିଗମକୁ ଅକ୍ତିଆର କରି ହେବ,ସେହି ଫର୍ମୂଲାରେ ଏବେଠାରୁ ବିଜେଡି ପ୍ରସ୍ତୁତି ଚଳାଇଛି। ସେଥିପାଇଁ ଗୋଷ୍ଠୀ କନ୍ଦଳକୁ ନିୟନ୍ତ୍ରଣ କରିବାକୁ ଜିଲ୍ଲା ପ୍ରଭାରୀ ପ୍ରୀତିରଞ୍ଜନ ଘଡ଼ାଇ ଉଦ୍ୟମ ଚଳାଇଛନ୍ତି।ତେବେ ରାଉରକେଲା ଓ ରଘୁନାଥପାଲ୍ଲୀରେ ବିଧାୟକ ସାରଦା ନାୟକ ଓ ସୁବ୍ରତ ତରାଇଙ୍କ ଉପରେ ସଂଗଠନର ଦାୟିତ୍ୱ ବିଜେଡି ଛାଡିଛି। ଆଉ ସୁନ୍ଦଗଗଡ଼ରେ ଯୋଗେଶ ସିଂ ଏବଂ ରାଜଗାଙ୍ଗପୁରରେ ମଙ୍ଗଳା କିଷାନଙ୍କୁ ଦଳ ଅଗ୍ରାଧିକାର ଦେଉଛି। କିନ୍ତୁ ତଲସରା, ବୀରମିତ୍ରପୁର ଏବଂ ବଣାଇରେ ସଂଗଠନକୁ ସୁଦୃଢ଼ କରିବାକୁ ଜିଲ୍ଲାର ସବୁ ନେତାଙ୍କ ସହ ପରାମର୍ଶ କରୁଛନ୍ତି ପ୍ରଭାରୀ ଘଡ଼ାଇ।

Leave a Reply

Your email address will not be published. Required fields are marked *