ମହାନଦୀ ଟ୍ରିବୁନାଲ ପଦ୍ମ ଘୁଛି ଘୁଛି ଯାଉଛି : ଏମ୍.ବି.ଏ

ମହାନଦୀ ଟ୍ରିବୁନାଲ ପଦ୍ମ ଘୁଛି ଘୁଛି ଯାଉଛି : ଏମ୍.ବି.ଏ

ଭୁବନେଶ୍ୱର, ୧୫.୧୨: ମହାନଦୀ ଜଳ ବିବାଦ ସମାଧାନ ପାଇଁ ଗଠିତ ମହାନଦୀ ଟ୍ରିବୁନାଲର କାର୍ଯ୍ୟଧାରାକୁ ଅବଲୋକନ କଲେ ଏ କ୍ଷେତ୍ରରେ ପଦ୍ମ ଘୁଛି ଘୁଛି ଯାଉଛି କଥାଟି ବେଶ୍ ପ୍ରଯୁଜ୍ୟ ବୋଲି ମନେ ହୁଏ । ୨୦୧୮ ମସିହା ମେ ମାସରେ ଗଠିତ ହୋଇଥିବା ଟ୍ରିବୁନାଲ ୧୯ ମାସ ପୁରିବାକୁ ବସିଲାଣି । ଆଜି ଏହାର ୧୦ମ ଶୁଣାଣି ଥିଲା । ମାତ୍ର ଆଜି ପର୍ଯ୍ୟନ୍ତ ଜଳ ବିବାଦର ସମାଧାନ ଦିଗରେ କୌଣସି ଆଖି ଦୃଶିଆ ଅଗ୍ରଗତି ହୋଇଛି ବୋଲି ବିଶ୍ୱାସ କରିବା କଷ୍ଟ ।ବିଶେଷକରି ଟ୍ରିବୁନାଲ ତାଙ୍କର ଚୁଡ଼ାନ୍ତ ରାୟ ପ୍ରକାଶ କଲା ପର୍ଯ୍ୟନ୍ତ ଛତିଶଗଡ଼ରେ ମହାନଦୀ ଉପରେ ନିର୍ମାଣଧୀନ ସମସ୍ତ ପ୍ରକଳ୍ପର କାର୍ଯ୍ୟକୁ ସ୍ଥଗିତ ରଖିବା ସହିତ ସମ୍ପୂର୍ଣ୍ଣ ହୋଇସାରିଥିବା ପ୍ରକଳ୍ପ ଗୁଡ଼ିକୁ କାର୍ଯ୍ୟକ୍ଷମ ନ କରିବା ପାଇଁ ଯେଉଁ ମୌଳିକ ଦାବି ରହିଥିଲା ତା’ଉପରେ ଟ୍ରିବୁନାଲ ଏତେ ପର୍ଯ୍ୟନ୍ତ ଦୃଷ୍ଟି ନଦେବା ପରିତାପର ବିଷୟ ।
ଇତି ମଧ୍ୟରେ ଟ୍ରିବୁନାଲଙ୍କର ସେପ୍ଟେମ୍ବର ମାସର ନିର୍ଦ୍ଦେଶ ମୁତାବକ ଉଭୟ ଛତିଶଗଡ଼ ଏବଂ ଓଡ଼ିଶା ପକ୍ଷରୁ ମହାନଦୀ ଉପରେ ନିର୍ମିତ ପ୍ରକଳ୍ପଗୁଡ଼ିକୁ ପରିଦର୍ଶନ ଓ ନିରୀକ୍ଷଣ କରିବାର କାର୍ଯ୍ୟ ଶେଷ ହୋଇଛି । ଆଜି ତାର ରିପୋର୍ଟ ଟ୍ରିବୁନାଲରେ ଦାଖଲ ହେବାର ଥିଲା । ମାତ୍ର ଆଜି ତାହା ହୋଇପାରିଲା ନାହିଁ । ଜାନୁୟାରୀ ମାସରେ ପୁଣିଥରେ ଉଭୟ ରାଜ୍ୟ ଉଭୟ ରାଜ୍ୟର ପ୍ରକଳ୍ପର ପରିଦର୍ଶନରେ ଯିବାକୁ ଟ୍ରିବୁନାଲ ସମ୍ମତି ପ୍ରକାଶ କରିଛନ୍ତି । ମାତ୍ର ପ୍ରଥମ ପରିଦର୍ଶନ ଫଳାଫଳ ବିଷୟରେ ଲୋକେ ଅବଗତ ନାହାଁନ୍ତି । ବିଶେଷକରି ଓଡ଼ିଶାର ପ୍ରତିନିଧି ଦଳ ଛତିଶଗଡ଼ରେ କ’ଣ ଦେଖିଲେ, ସେ ବିଷୟରେ ଓଡ଼ିଶାବାସୀ ଜାଣିବା ଉଚିତ୍ । ଛତିଶଗଡ଼ରେ ମହାନଦୀର ବାସ୍ତବ ଚିତ୍ର କ’ଣ ସେ ବିଷୟରେ ରାଜ୍ୟ ସରକାର ଓଡ଼ିଶାବାସୀଙ୍କୁ ଜଣାଇବା ଏକ ନୈତିକ ଦାୟିତ୍ୱ ଏବଂ ମହାନଦୀ ବାଅ ଆନ୍ଦୋଳନ ଓଡ଼ିଶା ସରକାରଙ୍କଠାରୁ ଏହି ଦାୟିତ୍ୱ ପାଳନ କରନ୍ତୁ ବୋଲି ଆଶା କରେ ।ଦେଶର ଅନ୍ୟ ନଦୀ ଟ୍ରିବୁନାଲ ଗୁଡ଼ିକ ପରି ମହାନଦୀ ଟ୍ରିବୁନାଲ ରାୟ ପ୍ରଦାନ କ୍ଷେତ୍ରରେ ବିଳମ୍ବିତ ପ୍ରକ୍ରିୟାକୁ ଓଡ଼ିଶାବାସୀ ବରଦାସ୍ତ କରିବେ ନାହିଁ ବୋଲି ମହାନଦୀ ବାଅ ଆନ୍ଦୋଳନର ଆବାହକ ଶ୍ରୀ ସୁଦର୍ଶନ ଦାସଙ୍କ ସମେତ ଶ୍ରୀ ବାସୁଦେବ ଭଟ୍ଟ, ବିଜୟ ପ୍ରଧାନ, ପ୍ରସନ୍ନ ବିଶୋଇ, ନିରଦ ବରଣ ଖୁିଆ ପ୍ରମୁଖ ଏକ ପ୍ରେସ୍ ବିବୃିରେ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *