କାଳିଆ ଘୋଟାଲାରେ ରଙ୍ଗେହାତ ଧରାପଡିଲେ ସରକାର – କଂଗ୍ରେସ

କାଳିଆ ଘୋଟାଲାରେ ରଙ୍ଗେହାତ ଧରାପଡିଲେ ସରକାର
– କଂଗ୍ରେସ

ଭୁବନେଶ୍ୱର ତା ୧୮.୧୧ – କୃଷକ କଲ୍ୟାଣ ନାଁରେ ନିର୍ବାଚନ ପୂର୍ବରୁ ନବୀନ ସରକାର ଲକ୍ଷାଧିକ ଅଯୋଗ୍ୟ ବ୍ୟକ୍ତିଙ୍କୁ କାଳିଆ ଯୋଜନା ଆଳରେ କୋଟି କୋଟି ଟଙ୍କା ବାଂଟିଛନ୍ତି । ଏ ଅଭିଯୋଗକୁ ସରକାର ମୂଳରୁ ଫାଙ୍କି ଆସୁଥିଲେ ମଧ୍ୟ ଶେଷରେ ଧରା ପଡିଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଲା, କାଳିଆ ଯୋଜନାରେ ଅଯୋଗ୍ୟ ହିତାଧିକାରୀଙ୍କ ସମସ୍ତ ସଠିକ୍ ସୂଚନା କୃଷିମନ୍ତ୍ରୀଙ୍କ ପାଖରେ ମହଜୁଦ ଥିବାବେଳେ, ଜାଲିଆତିରୁ ବଂଚିବା ପାଇଁ ଶେଷରେ ବିଧାନସଭା ଗୃହରେ ଭୟଙ୍କର ମିଥ୍ୟା ତଥ୍ୟ ଦେଇଛନ୍ତି କୃଷି ଓ କୃଷକ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଡ. ଅରୁଣ ସାହୁ ବୋଲି କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ ଅଭିଯୋଗ କରିଛନ୍ତି ।ସୋମବାର ଦିନ କଂଗ୍ରେସ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସମସ୍ତ ତଥ୍ୟ ପ୍ରମାଣର ଦସ୍ତାବିଜ ଦେଖାଇ ମନ୍ତ୍ରୀ ଅରୁଣ ସାହୁ କିଭଳି ଗୃହକୁ ମିଥ୍ୟା ତଥ୍ୟ ଦେଇଛନ୍ତି ତାହାର ଖୁଲାସା କରିଥିଲେ ।ଗତ ୧୩ ତାରିଖ ଦିନ ବିଧାୟକ ଅଶ୍ୱିନୀ ପାତ୍ରଙ୍କ ପ୍ରଶ୍ନର ଉତର ରଖି ମନ୍ତ୍ରୀ ଶ୍ରୀ ସାହୁ ଗୃହକୁ ତଥ୍ୟ ଦେଇଥିଲେ ଯେ କାଳିଆ ଯୋଜନାରେ ପ୍ରଥମ କିସ୍ତି ପାଇଥିବା ମୋଟ୍ ୫୧ ଲକ୍ଷ ୫ ହଜାର ୨୯୦ ହିତାଧିକାରୀଙ୍କ ମଧ୍ୟରୁ ମୋଟ୍ ୪୫ ହଜାର ୯୬୫ ଜଣ ହିତାଧିକାରୀଙ୍କୁ ଅଯୋଗ୍ୟ ଭାବରେ ଚିହ୍ନଟ କରାଯାଇଛି । ରାଜ୍ୟ କଂଗ୍ରେସ ପକ୍ଷରୁ ଶ୍ରୀ ନାୟକ ବିଭିନ୍ନ ଜିଲ୍ଲା କୃଷି ଅଧିକାରୀମାନେ ସରକାରଙ୍କୁ ଦେଇଥିବା

ଅଯୋଗ୍ୟ ହିତାଧିକାରୀଙ୍କ ତାଲିକାର ତଥ୍ୟକୁ ଦେଖାଇ ମନ୍ତ୍ରୀ ଅରୁଣ ସାହୁ କିଭଳି ମିଥ୍ୟ ତଥ୍ୟ ଦେଇଛନ୍ତି ତାହାର ଖୁଲାସା କରିଛନ୍ତି ।
ସରକାରଙ୍କୁ ବିଶେଷ ଭାବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ “କାଳିଆ କେଳେଙ୍କାରୀ”ରୁ ବଂଚାଇବା ପାଇଁ ମନ୍ତ୍ରୀ ଶ୍ରୀ ସାହୁ ଗୃହକୁ ମଧ୍ୟ ମିଥ୍ୟା ତଥ୍ୟ ଦେଇ ଅବମାନନା କରିବାକୁ ପଛେଇ ନାହାନ୍ତି ବୋଲି ଶ୍ରୀ ନାୟକ ସମାଲୋଚନା କରିଛନ୍ତି । କଂଗ୍ରେସ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୧୦ଟି ଜିଲ୍ଲାର ଅଯୋଗ୍ୟ ହିତାଧିକାରୀଙ୍କ ସରକାରୀ ତଥ୍ୟ ପ୍ରଦାନ

କରାଯାଇଛି । ଏଥିରୁ ସ୍ପଷ୍ଟ ଯେ ମନ୍ତ୍ରୀ ଗୃହରେ ଦେଇଥିବା ତଥ୍ୟ ୩୦ ଜିଲ୍ଲାର ମୋଟ୍ ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ୪୫୯୬୫ ଠାରୁ ବହୁ ଅଧିକ ।
କଂଗ୍ରେସ ପକ୍ଷରୁ ଜାରି ୧୦ଟି ଜିଲ୍ଲାର ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ୧ ଲକ୍ଷ ୭୨ ହଜାର ୯୦୮ । ଯଦି ୧୦ଟି ଜିଲ୍ଲାର ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ୧,୭୨,୯୦୮ ଜଣ ତେବେ ୩୦ଟି ଜିଲ୍ଲାର ଅଯୋଗ୍ୟ ହିତାଧିକାରୀଙ୍କର କେତେ ତାହା ଗତ ପର୍ଯ୍ୟାୟରେ କଂଗ୍ରେସ ଖୁଲାସା କରିବ ବୋଲି ଶ୍ରୀ ନାୟକ କହିଛନ୍ତି ।

ବିଭିନ୍ନ ୧୦ଟି ଜିଲ୍ଲା କୃଷି ଅଧିକାରୀଙ୍କ ପକ୍ଷରୁ ବିଭାଗକୁ ଦିଆଯାଇଥିବା ଅଯୋଗ୍ୟ ହିତାଧିକାରୀଙ୍କ ତାଲିକା ଅନୁଯାୟୀ
କୋରାପୁଟ ଜିଲ୍ଲା –ଚିଠି ସଂଖ୍ୟା – ୨୩୫୫/୮.୧୧.୨୦୧୯ – ୧୫୨୫୫ ଜଣ ଅଯୋଗ୍ୟ ହିତାଧିକାରୀ
ଖୋର୍ଦ୍ଧା ଜିଲ୍ଲା – ଚିଠି ସଂଖ୍ୟା – ୨୯୧୬/୨୨.୧୦.୨୦୧୯ – ୧୮୫୫୨ ଜଣ ଅଯୋଗ୍ୟ ହିତାଧିକାରୀ
ଗଞ୍ଜାମ ଜିଲ୍ଲା – ଚିଠି ସଂଖ୍ୟା – ୧୩୦/୩୦.୧୦.୨୦୧୯ – ୧୯୯୮୦ ଜଣ ଅଯୋଗ୍ୟ ହିତାଧିକାରୀ
ମୟୁରଭଞ୍ଜ – ଚିଠି ସଂଖ୍ୟା – ୪୧୫୬/୨୯.୧୦.୨୦୧୯ – ୧୪୦୧୭ ଜଣ ଅଯୋଗ୍ୟ ହିତାଧିକାରୀ
ସୋନପୁର ଜିଲ୍ଲା- ଚିଠି ସଂଖ୍ୟା – ୩୨୭୦/୨୫.୧୦.୨୦୧୯ – ୩୭୭୫୯ ଜଣ ଅଯୋଗ୍ୟ ହିତାଧିକାରୀ
କଟକ ଜିଲ୍ଲା – ଚିଠି ସଂଖ୍ୟା – ୩୭୧୨/୩୦.୧୦.୨୦୧୯ – ୨୦୦୧୦ ଜଣ ଅଯୋଗ୍ୟ ହିତାଧିକାରୀ
ମାଲକାନାଗିରି – ଚିଠି ସଂଖ୍ୟା – ୨୨୭୩/୩୦.୧୦.୨୦୧୯ – ୯୮୫୨ ଜଣ ଅଯୋଗ୍ୟ ହିତାଧିକାରୀ
ସୁନ୍ଦରଗଡ – ଚିଠି ସଂଖ୍ୟା – ୨୮୭୪/୩୧.୧୦.୨୦୧୯ – ୧୧୫୪୨ ଜଣ ଅଯୋଗ୍ୟ ହିତାଧିକାରୀ
ସମ୍ବଲପୁର – ଚିଠି ସଂଖ୍ୟା – ୩୦୮୭/୨.୧୧.୨୦୧୯ – ୧୦୦୫୦ ଜଣ ଅଯୋଗ୍ୟ ହିତାଧିକାରୀ
ଜଗତସିଂହପୁର – ଚିଠି ସଂଖ୍ୟା – ୧୬୫୭/୨୯.୧୦.୨୦୧୯ – ୧୫୮୯୧ ଜଣ ଅଯୋଗ୍ୟ ହିତାଧିକାରୀ
ମୋଟ୍ ଅଯୋଗ୍ୟ ହିତାଧିକାରୀ – ୧,୭୨,୯୦୮ ଖୋଦ୍ ମନ୍ତ୍ରୀଙ୍କ ବିଭାଗୀୟ ସହଯୋଗୀଙ୍କ ରିପୋର୍ଟ ଦର୍ଶାଉଛି ଯେ ଜରୁରୀକାଳୀନ ପାଣ୍ଠିରୁ ଅର୍ଥ ଆଣି କିଭଳି ସରକାର ଶହ ଶହ କୋଟି ଟଙ୍କା ବାଟମାରଣା କରିଛନ୍ତି । ଏବେ କେଳେଙ୍କାରୀର ଅପବାଦରୁ ବଂଚିବା ପାଇଁ ସରକାର କେତେ ଭୟଭୀତ ତା’ର ଜ୍ୱଳନ୍ତ୍ ଉଦାହରଣ ହେଉଛି ମନ୍ତ୍ରୀ ଅରୁଣ ସାହୁଙ୍କ ଗୃହରେ ମିଥ୍ୟା ତଥ୍ୟ ।
ବିଧାନସଭାରେ ମିଥ୍ୟା ତଥ୍ୟ ରଖିବା ଏବଂ ବିଭ୍ରାନ୍ତି କରି ମନ୍ତ୍ରୀ ଶ୍ରୀ ସାହୁ ଗୃହର ଅବମାନନା କରିଛନ୍ତି ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି । ତେଣୁ ୫ଟି ବାଜା ବଜାଉଥିବା ମୁଖ୍ୟମନ୍ତ୍ରୀଙ୍କର ଯଦି ସତ୍ସାହସ ଅଛି ତେବେ ତାକୁ ମନ୍ତ୍ରୀ ଅରୁଣ ସାହୁଙ୍କ ଠାରୁ ଲାଗୁ କରନ୍ତୁ ବୋଲି ଶ୍ରୀ ନାୟକ କହିଛନ୍ତ ।
କେବଳ ମିଥ୍ୟା ତଥ୍ୟ ନୁହେଁ, ମନ୍ତ୍ରୀ ଅରୁଣ ସାହୁ ଗୃହର ଅବମାନନା ସହ କୃଷି ବିଭାଗ ମନ୍ତ୍ରୀ ପଦବୀର ମର୍ଯ୍ୟାଦା ହାନି କରିଛନ୍ତି । ସେଥିପାଇଁ ତୁରନ୍ତ ଡଃ ଅରୁଣ ସାହୁଙ୍କୁ ମନ୍ତ୍ରୀ ପଦରୁ ହଟାଇବା ପାଇଁ ଶ୍ରୀ ନାୟକ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *