ନିର୍ମଳ ଯୋଜନାରେ ଅର୍ଥ ପ୍ରଦାନକୁ ସୁବ୍ୟବସ୍ଥିତ କରିବା ପାଇଁ ସ୍ୱାସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶ

ନିର୍ମଳ ଯୋଜନାରେ ଅର୍ଥ ପ୍ରଦାନକୁ ସୁବ୍ୟବସ୍ଥିତ କରିବା ପାଇଁ ସ୍ୱାସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର, ଚିକିତ୍ସାଳୟ ଗୁଡିକରେ କାର୍ଯ୍ୟକାରୀ ହେଉଥିବା ନିର୍ମଳ ଯୋଜନାରେ ଅର୍ଥ ପ୍ରଦାନକୁ ସୁବ୍ୟବସ୍ଥିତ କରିବା ସହିତ ଡାକ୍ତରଖାନାରେ ପରିଷ୍କାର ପରିଚ୍ଛନ୍ନତାର ଗୁଣାତ୍ମକ ଦିଗକୁ ଦୃଷ୍ଟିଦେଇ ମୋ ସରକାରର ଲକ୍ଷ୍ୟ ହାସଲ କରିବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀମାନଙ୍କୁ କୁହାଯାଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦା ଏହି ମର୍ମରେ ସିଡିଏମ୍‍ଓମାନଙ୍କୁ ପତ୍ର ଲେଖିଛନ୍ତି ।ନିର୍ମଳ ଯୋଜନାରେ ଚିକିତ୍ସାଳୟ ଗୁଡିକରେ ସେବା ଯୋଗାଣକାରୀ ସଂସ୍ଥା ଗୁଡିକ ଯେଭଳି ଠିକଣା ସମୟରେ ଅର୍ଥ ପାଇପାରିବେ ତାହା ସୁନିଶ୍ଚିତ କରିବାକୁ କୁହାଯାଇଛି । ସିଏଚ୍‍ସି, ଉପଖଣ୍ଡ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ତରରେ ସେବା ଯୋଗାଣକାରୀ ସଂସ୍ଥାକୁ ଅର୍ଥ ପ୍ରଦାନ କରାଯିବ । ସେଥିପାଇଁ ସିଡିଏମ୍‍ଓମାନେ ତାଙ୍କ ଅଧିନରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଉପଖଣ୍ଡ ଓ ସିଏଚ୍‍ସିରେ ନିର୍ମଳ ଯୋଜନାରେ ଆବଶ୍ୟକତା ଅନୁଯାୟୀ ଅର୍ଥ ଯୋଗାଇଦେବେ । ଏହି ଅର୍ଥ ପ୍ରଦାନ ପାଇଁ ଏକ କମିଟି ଗଠନ କରିବାକୁ କୁହାଯାଇଛି । ଏହି କମିଟି ପ୍ରତି ମାସ ୧୦ ତାରିଖରେ ବସି ସେବା ଯୋଗାଣକାରୀ ସଂସ୍ଥାର ବିଲ୍‍ ଓ ଅନ୍ୟାନ୍ୟ କାଗଜପତ୍ର ଯାଞ୍ଚ କରି ଅର୍ଥ ପ୍ରଦାନର ବ୍ୟବସ୍ଥା କରିବେ । ଜାରି ମାର୍ଗଦର୍ଶିକା ଅନୁଯାୟୀ ସମ୍ପୃକ୍ତ ସେବା ଯୋଗାଣକାରୀ ସଂସ୍ଥା ସେମାନଙ୍କର ବିଲ୍‍ ପ୍ରତ୍ୟେକ ମାସର ୭ତାରିଖ ସୁଦ୍ଧା ଦାଖଲ କରିବେ । ବିଲ୍‍ ପାଇବାର ୧୫ ଦିନ ଅର୍ଥାତ ପ୍ରତିମାସର ୨୧ ତାରିଖ ସୁଦ୍ଧା ସେମାନଙ୍କୁ ନିଶ୍ଚିତ ଭାବେ ଅର୍ଥ ପ୍ରଦାନ ଲାଗି କୁହାଯାଇଛି । ସେବା ଯୋଗାଣକାରୀ ପଇଠ କରିଥିବା ବିଲ୍‍ ଅର୍ଥକୁ ହ୍ରାସ କରାଗଲେ ସେ ସଂକ୍ରାନ୍ତରେ ସମ୍ପୃକ୍ତ ସଂସ୍ଥାକୁ ଅବଗତ କରାଯିବ ଏବଂ ପରବର୍ତ୍ତୀ ମାସର କମିଟି ବୈଠକରେ ଏହା ଆଲୋଚନା ହେବ । ଚିକିତ୍ସାଳୟରେ ନିର୍ମଳ ଯୋଜନାର ସଫଳତା ପାଇଁ ଏହି କମିଟି ଉତ୍ତରଦାୟୀ ରହିବେ । କମିଟି ପକ୍ଷରୁ ଚିକିତ୍ସାଳୟର ସ୍ୱଚ୍ଛତା ଅନୁଧ୍ୟାନ କରାଯିବ । ସେବା ଯୋଗାଣକାରୀ ସଂସ୍ଥା ନିଯୁକ୍ତ କରିଥିବା କର୍ମଚାରୀମାନେ ଯେଭଳି ନିୟମିତ ଭାବେ ଇଏସ୍‍ଆଇ, ଇପିଏଫ୍‍ ଭଳି ସୁବିଧା ପାଇବେ ତାହା ଉପରେ ନଜର ଦେବାକୁ ପତ୍ରରେ ଉଲ୍ଲେଖ ଅଛି । ସେବା ଯୋଗାଣକାରୀ ସଂସ୍ଥାକୁ ତାହାର ପ୍ରାପ୍ୟ ପ୍ରଦାନ ସଂକ୍ରାନ୍ତରେ ପ୍ରତିମାସ ୩୦ତାରିଖ ସୁଦ୍ଧା ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶଙ୍କୁ ଜଣାଯିବା ସହିତ ଏହାର ନକଲ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶକଙ୍କୁ ଦେବାପାଇଁ ନିର୍ଦ୍ଦେଶ ଦିଆଯାଇଛି

Leave a Reply

Your email address will not be published. Required fields are marked *