୧୮ ଜେଲ ରାଜ୍ୟର ବନ୍ଦ ହେବ

୧୮ ଜେଲ ରାଜ୍ୟର ବନ୍ଦ ହେବ

ଭୁବନେଶ୍ୱର : ରାଜ୍ୟରେ ୧୮ଟି ଜେଲ ବନ୍ଦ ହେବ । ଆବଶ୍ୟକ ଠାରୁ ମାତ୍ରାଧିକ କମ୍ ସଂଖ୍ୟାରେ କଏଦୀ ରହୁଥିବା ଜେଲଗୁଡିରେ ତାଲା ଝୁଲିବ । ଜେଲ ନିର୍ଦ୍ଦେଶାଳୟ ଏଭଳି ନିଷ୍ପତି ନେଇଥିବା ବେଳେ ଗୃହବିଭାଗର ଅନୁମତି ଲୋଡିଛି । କଏଦୀଙ୍କ ସଂଖ୍ୟାରେ ମାତ୍ରାଧିକ କମ୍ ଥିବାରୁ ଅଯଥା ଖର୍ଚ୍ଚକୁ ରୋକିବା ଓ ମାନବସମ୍ବଳ ବୃଦ୍ଧି ଲାଗି ଏଭଳି ନିଷ୍ପତି ନିଆଯାଇଥିବା ଜଣାପଡିଛି ।
ସୂଚନା ଅନୁସାରେ, ଜେଲ ବିଭାଗର ପକ୍ଷରୁ ଗୃହରାଷ୍ଟ୍ର ବିଭାଗକୁ ଏକ ପତ୍ର ପଠାଯାଇଛି । ଉକ୍ତ ଚିଠିରେ କଟକ ଜିଲ୍ଲାରେ ଥିବା ବଡ଼ମ୍ବା-ନରସିଂହପୁର, ଢ଼େଙ୍କାନାଳ ଜିଲ୍ଲାରେ ଥିବା ହିନ୍ଦୋଳ, ପାଲଲହଡ଼ା, ସମ୍ବଲପୁର ଜିଲ୍ଲାର ରାଇରାଖୋଲ, ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର, ବାଲେଶ୍ୱରର ନୀଳଗିରି, ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ା, ଦଶପଲ୍ଲା ଏବଂ ରଣପୁର, ଖୋର୍ଦ୍ଧାର ବାଣପୁର, ଗଜପତି ଜିଲ୍ଲାର ଆର୍ ଉଦୟଗିରି, କନ୍ଧମାଳର ଜି. ଉଦୟଗିରି, ଗଞ୍ଜାମର ଦିଗପହଣ୍ଡି, ରାୟଗଡ଼ା ଜିଲ୍ଲାର ବିଷମକଟକ, କୋରାପୁଟ ଜିଲ୍ଲାର କୋଟପାଡ଼ ଏବଂ କଳାହାଣ୍ଡି ଜିଲ୍ଲାର ଖରିଆର, ମଦନପୁର-ରାମପୁର କାରାଗାରକୁ ବନ୍ଦ କରାଯିବାକୁ କୁହାଯାଇଛି ।
ନରସିହଂପୁର ଜେଲ୍ରେ ୨୦୬ଜଣ କଏଦୀ ରହିବା ଲାଗି ବ୍ୟବସ୍ଥା ଥିବା ବେଳେ ସେଠାରେ ମାତ୍ର ୨୦ଜଣ କଏଦୀ ରହୁଛନ୍ତି । ସେହିପରି ୨୩୮ ସଂଖ୍ୟା ବିଶିଷ୍ଟ ବାଣପୁର ଜେଲରେ ୩୯ ଜଣ କଏଦୀ ରହୁଛନ୍ତି । ଖରିଆର ଜେଲରେ ୨୭୧ଜଣ ରହିବାକୁ ସ୍ଥାନ ଥିବା ବେଳେ, ସେଠାରେ ୩୦ଜଣ କଏଦୀ ରହୁଛନ୍ତି । ସେହିପରି ବିଷମକଟକ କାରାଗାରରେ ୨୭୧ଙ୍କ ସ୍ଥାନରେ ୨୯ଜଣ ଅନ୍ତେବାସୀ ରହୁଥିବା ଜଣାପଡ଼ିଛି ।
ଏହି ଜେଲ ଗୁଡ଼ିକରେ ଆବଶ୍ୟକୀୟ ଠାରୁ ବହୁ କମ୍ ସଂଖ୍ୟାରେ କଏଦୀ ରହୁଛନ୍ତି । ଯେଉଁଥିପାଇଁ କାରାଗାର କର୍ମଚାରୀଙ୍କ ବେଶୀ କିଛି କାମ ରହୁନାହିଁ । ଏହାସହ ରାଜ୍ୟର ଅନ୍ୟ ଜେଲ ଗୁଡ଼ିକରେ ଆବଶ୍ୟକୀୟ ମାନବ ସମ୍ବଳ ନଥିବାରୁ, ସେଠାରେ ବିଭିନ୍ନ ପ୍ରକାର ଅସୁବିଧା ଦେଖାଯାଉଛି । ଏମିତିକି କଏଦୀମାନେ ଫେରାର ହୋଇଯାଉଥିବା ଭଳି ଘଟଣା ଅତୀତରେ ବହୁ ସଂଖ୍ୟାରେ ଘଟିଛି । ତେବେ ଏହି ଜେଲ ଗୁଡ଼ିକରେ ପରିଚାଳନା ବ୍ୟବସ୍ଥା ସହିତ ସୁରକ୍ଷାକୁ କଡ଼ାକଡ଼ି କରିବା ପାଇଁ ଅଧିକ ମାନବସମ୍ବଳ ଆବଶ୍ୟକ ରହିଛି ।
ଏନେଇ ରାଜ୍ୟର ଏହି ୧୮ଟି ଜେଲକୁ ବନ୍ଦ କରି ସେଠାକାର କର୍ମଚାରୀଙ୍କୁ ସ୍ଥାନାନ୍ତର କରାଯାଇ ସେମାନଙ୍କୁ ଆବଶ୍ୟକୀୟ କାରାଗାରରେ ନିୟୋଜିତ କରିବା ପାଇଁ ଜେଲ ନିର୍ଦ୍ଦେଶାଳୟ ପକ୍ଷରୁ ନିଷ୍ପତି ନିଆଯାଇଛି । ତେବେ ଉକ୍ତ ପ୍ରସଙ୍ଗକୁ ନେଇ କାରାଗାର ନିର୍ଦ୍ଦେଶାଳୟର ବରିଷ୍ଠ ଅଧିକାରୀ ଏବଂ ଗୃହରାଷ୍ଟ୍ର ବିଭାଗର ଅଧିକାରୀମାନଙ୍କୁ ନେଇ ଏକ ସ୍ୱତନ୍ତ୍ର ବୈଠକ ଆୟୋଜନ ହେବ । ବୈଠକ ପରେ ଜେଲ ବନ୍ଦ କରାଯିବ କି ନାହିଁ ନିଷ୍ପତି ନିଆଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।
ଏନ୍ସିଆର୍ବି ରିପୋର୍ଟ ଅନୁସାରେ, ରାଜ୍ୟରେ ଥିବା ୯୦ଟି ଜେଲ୍୧୮ହଜାର ୧୨ଜଣ କଏଦୀ ରହିବା ପାଇଁ ସୁବିଧା ଅଛି । ହେଲେ ୧୫ହଜାର ୨୨୩ଜଣ କଏଦୀ ରହୁଛନ୍ତି । ତେବେ ଅଲଗା ରାଜ୍ୟଭଳି ଓଡ଼ିଶାର ଜେଲ ଗୁଡ଼ିକରେ ଆବଶ୍ୟକୀୟ ଠାରୁ କଏଦୀଙ୍କ ସଂଖ୍ୟା କମ୍ ରହିଥିବା ରିପୋର୍ଟରେ ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *