ଭାରତ ଟି-୨୦ ସିରିଜ୍ ବିଜୟୀ

 ଭାରତ ଟି-୨୦ ସିରିଜ୍ ବିଜୟୀ

ଭୁବନେଶ୍ୱର:ମୁମ୍ବଇ : ବିସ୍ଫୋରକ ବ୍ୟାଟିଂ ଓ ବାଉଣ୍ଡରୀ ବର୍ଷା ବଳରେ ଭ୍ରମଣକାରୀ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟ୍ବେଣ୍ଟି୨୦ ସିରିଜ୍ ଜିତିନେଇଛି ଭାରତ। ବୁଧବାର ଖେଳା ଯାଇଥିବା ୩ୟ ତଥା ଅନ୍ତିମ ଟ୍ବେଣ୍ଟି୨୦ ମ୍ୟାଚ୍‌କୁ ୬୭ ରନ୍‌ରେ ଜିତି ଭାରତ ୨-୧ରେ ଏହି ସିରିଜ୍ ହାତେଇ ନେଇଛି। ଦୁଇ ଓପ୍‌ନର ରୋହିତ ଶର୍ମା ଓ କେ.ଏଲ୍‌. ରାହୁଲଙ୍କ ସହ ଅଧିନାୟକ ବିରାଟ କୋହଲି ଅର୍ଦ୍ଧଶତକ ମାରିବାରୁ ପ୍ରଥମେ ବ୍ୟାଟିଂକରି ଭାରତ ୩ ୱିକେଟରେ ବିଶାଳ ୨୪୦ ରନ୍ କରିଥିଲା। ଟ୍ବେଣ୍ଟି-୨୦ରେ ଏହାର ଭାରତର ୨ୟ ସର୍ବାଧିକ ସ୍କୋର୍। ଏହି ବିଶାଳ ଲକ୍ଷ୍ୟର ପିଛାକରି ଅଧିନାୟକ କୈରନ୍ ପୋଲାର୍ଡଙ୍କ ଅର୍ଦ୍ଧଶତକ ସତ୍ତ୍ବେ ଇଣ୍ଡିଜ୍ ୮ ୱିକେଟ ହରାଇ ୧୭୩ ରନ୍ କରି ପାରିଥିଲା । ରବିବାରଠାରୁ ଉଭୟ ଦଳଙ୍କ ମଧ୍ୟରେ ୩ ମ୍ୟାଚ୍‌ର ଦିନିକିଆ ସିରିଜ୍ ଖେଳାଯିବ।
ଏଭିନ୍ ଲୁଇସ୍ ଆହତ ହେବାରୁ ତାଙ୍କ ସ୍ଥାନରେ ବ୍ରାଣ୍ଡନ୍ କିଙ୍ଗ୍ ଇନିଂସ ଓପନ୍ କରିଥିଲେ। କିଙ୍ଗ୍ ୫ ଓ ଗତ ମ୍ୟାଚ୍‌ର ହିରୋ ଲେଣ୍ଡଲ ସିମନ୍‌ସ ୭ ରନ୍‌କରି ବିଦାୟ ନେଇଥିଲେ। ଗତ ମ୍ୟାଚ୍‌​ରେ‌ ଚମତ୍କାର ବ୍ୟାଟିଂ କରିଥିବା ନିକୋଲାସ୍ ପୁରନ୍ ପ୍ରଥମ ବଲ୍‌ରେ ଆଉଟ ହୋଇଥିଲେ। ୱେଷ୍ଟଇଣ୍ଡିଜ୍ ୧୭ ରନ୍‌ରେ ୩ଟି ୱିକେଟ ହରାଇବା ପରେ ସିମ୍ରନ୍ ହେତ୍‌ମେୟର ଓ ଅଧିନାୟକ କୈରନ୍ ପୋଲାର୍ଡ ଆକ୍ରମଣ କରିଥିଲେ। ଦୁହେଁ ୩୮ ବଲ୍‌ରେ ୭୪ ରନ୍ ଯୋଗ କରିଥିଲେ। ବାମହାତି ହେତ୍‌ମେୟର ପୁଣି ଏକ ବିସ୍ଫୋରକ ଇନିଂସ ଖେଳି ୨୪ ବଲ୍‌ରୁ ୫ଟି ଛକା ଓ ଗୋଟିଏ ଚୌକା ସହ ୪୧ ରନ୍‌କରି ବିଦାୟ ନେଇଥିଲେ। ୧୦ ଓଭରରେ ଇଣ୍ଡିଜ୍ ୯୭ ରନ୍ କରିଥିଲା। ପରେ ପୋଲାର୍ଡ ଏକା ଲଢ଼ିଥିଲେ। ୩୯ ବଲ୍‌ରୁ ୬ଟି ଛକା ଓ ୫ଟି ଚୌକା ସହ ପୋଲାର୍ଡ ୬୮ ରନ୍ କରିବା ପରେ ମ୍ୟାଚ୍‌ର ଫଳାଫଳ ସ୍ପଷ୍ଟ ହୋଇ ଯାଇଥିଲା। ଦୀପକ ଚହର, ଭୁବନେଶ୍ବର କୁମାର, ମହମ୍ମଦ ସାମି ଓ କୁଲଦୀପ ଯାଦବ ୨ଟି ଲେଖାଏଁ ୱିକେଟ ନେଇଥିଲେ। ରାହୁଲ ପ୍ଲେୟର ଅଫ୍ ଦି ମ୍ୟାଚ୍ ଏବଂ କୋହଲି ପ୍ଲେୟର ଅଫ୍ ଦି ସିରିଜ୍ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *