ଅଶ୍ଳୀଳତାକୁ କଳିଙ୍ଗ ସେନାର ବିରୋଧ

ଅଶ୍ଳୀଳତାକୁ କଳିଙ୍ଗ ସେନାର ବିରୋଧ

ଭୁବେନେଶ୍ୱର:ପାଶ୍ଚାତ୍ୟ ଶୈଳୀରେ ନୂଆବର୍ଷ ପାଳନକୁ କଳିଙ୍ଗ ସେନାର ବିରୋଧ । ନ୍ୟୁ ଇୟର ସେଲିବ୍ରେସନ୍ ପାଇଁ ରାଜଧାନୀର ବିଭିନ୍ନ ହୋଟେଲ୍ ଓ ରେସ୍ତୋରେଁ କରିଥିବା ପ୍ରସ୍ତୁତିରୁ ଅପସଂସ୍କୃତି ଓ ଅଶ୍ଳୀଳତାକୁ ବାଦ୍ ଦେବାକୁ ଆହ୍ବାନ ଦେଇଛି ଦଳ । ନିଜ ସଂସ୍କୃତି ଓ ପରମ୍ପରାକୁ ବଳି ଦେଇ ଯୁବ ପିଢ଼ି ଏସବୁ ମାୟାରେ ନପଡ଼ିବାକୁ କଳିଙ୍ଗ ସେନା ନିବେଦନ କରିଛି ।
ରାଜଧାନୀ ଭୁବନେଶ୍ବରର କିଛି ହୋଟେଲ୍ ଏବଂ ରେସ୍ତୋରେଁ ନୂଆବର୍ଷରେ ଅଶ୍ଳୀଳ ନୃତ୍ୟ ପରିବେଷଣ କରିବାକୁ ଯାଉଥିବା ସୂଚନା ପାଇବା ପରେ କଳିଙ୍ଗ ସେନା, ଏହାର ତୀବ୍ର ବିରୋଧ କରିଛି । ସେନାର ଶତାଧିକ ନେତା ଓ କର୍ମୀ, ମାଷ୍ଟର କ୍ୟାଣ୍ଟିନ୍ ଛକରୁ ବିଶାଳ ରାଲିରେ ଆସି ଖାରବେଳ ନଗର ସ୍ଥିତ HHI ଏବଂ ସତ୍ୟନଗର ସ୍ଥିତ ସନ୍ ଗ୍ରୀନ୍ ହୋଟେଲ୍ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଅଶ୍ଳୀଳ ନୃତ୍ୟ ଏବଂ ଅପସଂସ୍କୃତିକୁ ବାଦ୍ ଦେଇ ନୂଆବର୍ଷ ପାଳନ କରିବାକୁ ଉଭୟ ହୋଟେଲ୍ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ । ଯେଉଁଥିରେ ହୋଟେଲ୍ କର୍ତ୍ତୃପକ୍ଷ ମଧ୍ୟ ସମ୍ମତ ହୋଇଛନ୍ତି । ଏହି ବିକ୍ଷୋଭ ରାଲିରେ କଳିଙ୍ଗ ସେନାର ସାଧାରଣ ସମ୍ପାଦକ ବିଜୟ ରାଜ୍, ସ୍ୱାତୀଶ ରଞ୍ଜନ ସାହୁ, ସମ୍ପାଦକ ଅବଦ୍ଦୁଲ୍ କୟିମ୍ ଖାନ୍, ସୁଧାକର ବେହେରା ଏବଂ ମହିଳା ନେତ୍ରୀ ଦୀପ୍ତିମୟୀ ମହାପାତ୍ର ଓ ଜାନକୀ ରାଉତ ପ୍ରମୁଖ ସାମିଲ ହୋଇଥିଲେ । ଡିସେମ୍ବର 31 ଓ ଜାନୁଆରୀ ପହିଲା, ଦୁଇ ଦିନ ଧରି ଦଳର ନେତା ଓ କର୍ମୀମାନେ ଭୁବନେଶ୍ବରର ବିଭିନ୍ନ ହୋଟେଲ୍, ରେସ୍ତୋରେଁ, ମଲ୍ ଏବଂ ପାର୍କ ଉପରେ ନଜର ରଖିବେ । ଯେଉଁଠାରେ ଅଶ୍ଳୀଳତାର ସୁରାକ ମିଳିବ, ତୁରନ୍ତ ପୋଲିସକୁ ଅବଗତ କରାଇ ତାହା ରୋକିବାକୁ ଚେଷ୍ଟା କରିବେ ବୋଲି କଳିଙ୍ଗ ସେନା ପକ୍ଷରୁ କୁହାଯାଇଛି ।
ନୂଆବର୍ଷରେ ଅପସଂସ୍କୃତି ଓ ଅଶ୍ଳୀଳ ନୃତ୍ୟକୁ ବିରୋଧ କରି ଦୁଇ ଦିନ ତଳେ କଳିଙ୍ଗ ସେନା ପକ୍ଷରୁ ଭୁବନେଶ୍ବର ଡିସିପି ଅନୁପ ସାହୁଙ୍କୁ ଏକ ଦାବିପତ୍ର ଦିଆ ଯାଇଥିଲା । ଯେଉଁଥିରେ ରାଜଧାନୀରେ ନୂଆବର୍ଷ ପାଳନ ବେଳେ କମିଶନରେଟ୍ ପୋଲିସ୍ ଅଧିକ ଦାୟିତ୍ବସମ୍ପନ୍ନ ହୋଇ ଆଇନ ଶୃଙ୍ଖଳା ରକ୍ଷା କରିବାକୁ ଅନୁରୋଧ କରିଥିଲା ସେନା । ଏଥି ସହିତ ଜନ ସାଧାରଣ ମଧ୍ୟ ପୋଲିସକୁ ସହଯୋଗ କରିବାକୁ ଦଳର ସଭାପତି ହେମନ୍ତ ରଥ ନିବେଦନ କରିଥିଲେ । ତେବେ ପବ୍ଲିକ୍ ଇଣ୍ଟେରେଷ୍ଟ ଦର୍ଶାଇ କଟକ, ଭୁବନେଶ୍ବର ଏବଂ ପୁରୀରେ (ଡିସେମ୍ବର 31 ଓ ଜାନୁଆରୀ ପହିଲା) ରାତି ଗୋଟାଏ ଯାଏ ମଦ ବିକ୍ରି ପାଇଁ ହୋଟେଲ୍, ରେସ୍ତୋରେଁ, ଦୋକାନ ଏବଂ ବାରଗୁଡ଼ିକୁ ସରକାର ଦେଇଥିବା ଅନୁମତିକୁ କଳିଙ୍ଗ ସେନା ନିନ୍ଦା କରିଛି । ଦେଶରେ ନୂଆ ମୋଟର ଯାନ ଆଇନ ଲାଗୁ ହୋଇଥିବା ଜାଣି, ସରକାର କାହିଁକି ଏଭଳି ଅବିଚାରିତ ନିଷ୍ପତ୍ତି ନେଇଛନ୍ତି ବୋଲି କଳିଙ୍ଗ ସେନା ପ୍ରଶ୍ନ କରିଛି । ଗୋଟିଏ ପଟେ ସରକାର, ଲୋକଙ୍କୁ ମଦ ପିଆଇ ରାଜସ୍ବ ଆଦାୟ କରିବେ ଏବଂ ଅନ୍ୟ ପଟେ ପୋଲିସ ଦ୍ବାରା ସେମାନଙ୍କ ଠାରୁ ଭଲ ରକମ ମୋଟା ଅଙ୍କର ଜରିମାନା ଝାଡ଼ିବେ । ଯାହା ସରକାରଙ୍କ ସୁଚିନ୍ତିତ ଚାଲ୍ । ତେବେ ଯୁବ ଗୋଷ୍ଠୀ, ସରକାରଙ୍କ ଷଡ଼ଯନ୍ତ୍ରର ଶିକାର ନହେବାକୁ କଳିଙ୍ଗ ସେନାର ସଭାପତି ହେମନ୍ତ ରଥ ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *