ସୁସ୍ଥ ଜୀବନ ନିମନ୍ତେ ପ୍ରତ୍ୟେକ ଶିଶୁର ଅଧିକାର

କଲ୍ଲୋଳ ଆୱାର୍ଡସ୍ ୨୦୧୯’- ଶିଶୁ ଅଧିକାର ସମ୍ପର୍କିତ ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରତିଯୋଗିତା ବିଷୟବସ୍ତୁ: ସୁପୋଷଣ- ସୁସ୍ଥ ଜୀବନ ନିମନ୍ତେ ପ୍ରତ୍ୟେକ ଶିଶୁର ଅଧିକାର

ଭୁବନେଶ୍ୱର, ୨୦ ନଭେମ୍ବର ୨୦୧୯: ଓଡିଶା ସ୍ଥିତ ଏକ ସ୍ୱେଚ୍ଛାସେବୀ ସଙ୍ଗଠନ ଆଇନା ପକ୍ଷରୁ ୟୁନିସେଫ୍ ଓଡିଶା ସହଭାଗୀତାରେ, ସୁପୋଷଣ- ସୁସ୍ଥ ଜୀବନ ନିମନ୍ତେ ପ୍ରତ୍ୟେକ ଶିଶୁର ଅଧିକାର ବିଷୟବସ୍ତୁ ସମ୍ବନ୍ଧିତ ଶିଶୁ ଅଧିକାର ସମ୍ପର୍କିତ ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରତିଯୋଗିତାର ପୁରସ୍କାର ବିତରଣ ଉତ୍ସବ ‘କଲ୍ଲୋଳ ଆୱାର୍ଡସ୍ ୨୦୧୯’ର ପଂଚମ ସଂସ୍କରଣ ଆଜି ଏଠାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ଶ୍ରୀମତୀ ନନ୍ଦିତା ଦାସ, ସମ୍ମାନୀତ ଅତିଥିମାନଙ୍କ ମଧ୍ୟରେ ଶ୍ରୀଯୁକ୍ତ ରଶ୍ମିରଞ୍ଜନ ନାୟକ, ଯୁଗ୍ମ ସଚିବ, ଆଇସିଡିଏସ୍ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା, ମହିଳା ଓ ଶିଶୁ ବିକାଶ ବିଭାଗ, ଓଡିଶା ସରକାର, ୟୁନିସେଫ୍ ଓଡିଶାର ମୁଖ୍ୟ ଡକ୍ଟର ମୋନିକା ଓ. ନିଲସନ୍, ଓଡିଆ ଚଳଚ୍ଚିତ୍ର ଅଭିନେତ୍ରୀ ମିସ୍ ଅର୍ଚ୍ଚିତା ସାହୁ, ଓଲିଉଡ୍ ଅଭିନେତା ତଥା ଓଡିଶା ସରକାରଙ୍କ ମୋ କଲେଜ ଯୋଜନାର ଅଧ୍ୟକ୍ଷ ଶ୍ରୀଯୁକ୍ତ ଆକାଶ ଦାସ ନାୟକ, ବିଶିଷ୍ଟ ନାଟ୍ୟକାର ଶ୍ରୀଯୁକ୍ତ ଅନନ୍ତ ମହାପାତ୍ର, ଅଳଙ୍କାର ଟିଭିର ଶ୍ରୀଯୁକ୍ତ ଦେବୀଦତ ମହାନ୍ତି ଏବଂ ଆଇନାର ସମ୍ପାଦିକା ଶ୍ରୀମତୀ ସ୍ନେହା ମିଶ୍ର ପ୍ରମୁଖ ଏହି ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଓଡିଶା ସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଏବଂ ଅଳଙ୍କାର ଟିଭି/ ଓଟିଭି ଗଣମାଧ୍ୟମ ସହଭାଗୀତାରେ ଏହି ବର୍ଷର ପ୍ରତିଯୋଗିତା ଆୟୋଜନ କରାଯାଉଛି । ୟୁନିସେଫ୍ର ଶ୍ରୀମତୀ ଲୋପାମୁଦ୍ରା ତ୍ରିପାଠୀ ଓ ଶ୍ରୀଯୁକ୍ତ ସୌରଭ ଭଟ୍ଟାଚାର୍ଯ୍ୟ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ ।

ସୁପୋଷଣ- ସୁସ୍ଥ ଜୀବନ ନିମନ୍ତେ ପ୍ରତ୍ୟେକ ଶିଶୁର ଅଧିକାର ବିଷୟବସ୍ତୁ ଉପରେ ୩୦, ୬୦ ଏବଂ ୯୦ ସେକେଣ୍ଡର ଅବଧି ବିଶିଷ୍ଟ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରତିଯୋଗିତା ନିମନ୍ତେ ‘କଲ୍ଲୋଳ ୨୦୧୯’ ଆଶାୟୀ ଅଂଶଗ୍ରହଣକାରୀଙ୍କ ଠାରୁ ଦରଖାସ୍ତ ଆହ୍ୱାନ କରିଥିଲା । ଏହି ପ୍ରତିଯୋଗିତାରେ ରହିଥିବା ଉପ ବିଷୟବସ୍ତୁଗୁଡିକ ନିମ୍ନରେ ପ୍ରଦାନ କରାଯାଇଛି ।
ବଢୁଥିବା ଶିଶୁମାନଙ୍କ ନିମନ୍ତେ ସନ୍ତୁଳିତ ଆହାର
ସୁପୋଷଣ ପ୍ରଦାନ କ୍ଷେତ୍ରରେ ଲିଙ୍ଗଗତ ଭେଦଭାବର ପରିସମାପ୍ତି
ସୁପୋଷଣ ବିଷୟବସ୍ତୁ ସମ୍ପର୍କିତ ଏହି ପ୍ରତିଯୋଗିତାରେ ୫ ଟି କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ର ଚଳିତ ଥର ବିଭିନ୍ନ ବର୍ଗରେ ଶ୍ରେଷ୍ଠ ପୁରସ୍କାର ପାଇବା ନିମନ୍ତେ ମନୋନୀତ ହୋଇଥିଲେ । ଉଷାରାଣୀ ପାତ୍ରଙ୍କ ଦ୍ୱାରା ନିର୍ମିତ ୯୦ ସେକେଣ୍ଡର ଅବଧି ବିଶିଷ୍ଟ ୱାଓ ଚଳଚ୍ଚିତ୍ର ଶିଶୁମାନଙ୍କ ପସନ୍ଦର ପୁରସ୍କାର ହାସଲ କରିଥିବା ବେଳେ ସପ୍ତର୍ଷି ମଣ୍ଡଳଙ୍କ ଦ୍ୱାରା ନିର୍ମିତ ୬୦ ସେକେଣ୍ଡର ଅବଧି ବିଶିଷ୍ଟ କ୍ଷୀରା ଚଳଚ୍ଚିତ୍ର ବିଚାରପତିଙ୍କ ପସନ୍ଦ ପୁରସ୍କାର ହାସଲ କରିଥିଲା । ପ୍ରଦୀପ କୁମାର ଜେନାଙ୍କ ଦ୍ୱାରା ନିର୍ମିତ ଶିଖା, ଗୁଲସନ ମହନ୍ତଙ୍କ ଦ୍ୱାରା ନିର୍ମିତ ପୁଷ୍ଟି- ଟୁ ୱାର୍ଡସ୍ ଏ ହେଲଦି ଲାଇଫ୍, ରିତ୍ୱିକ୍ ଦାସଙ୍କ ଦ୍ୱାରା ନିର୍ମିତ ଏସେନ୍ସ୍ ଅଫ୍ ନ୍ୟୁଟ୍ରେସନ୍ ଶୀର୍ଷକ ପ୍ରତ୍ୟେକ ୯୦ ସେକେଣ୍ଡର ଅବଧି ବିଶିଷ୍ଟ କ୍ଷୁଦ୍ର ଚଳଚ୍ଚିତ୍ର ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ପୁରସ୍କାର ହାସଲ କରିଥିଲେ ।

ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀମତୀ ନନ୍ଦିତା ଦାସ କହିଥିଲେ, “ୟୁନିସେଫ୍ ଓଡିଶା ଓ ଆଇନାର ମିଳିତ ସହଭାଗୀତାରେ ପୁଷ୍ଟି ସମ୍ପର୍କିତ କ୍ଷୁଦ୍ର ପ୍ରମାଣିକ ଚଳଚ୍ଚିତ୍ର ପ୍ରତିଯୋଗିତା ଅଭିଯାନର ଅଂଶ ସ୍ୱରୂପ ପୁରସ୍କାର ବିତରଣ ସମାରୋହରେ ସାମିଲ ହୋଇଥିବାରୁ ମୁଁ ଅତ୍ୟନ୍ତ ଗର୍ବିତ । କଲ୍ଲୋଳର ଏହା ପଂଚମ ସଂସ୍କରଣ ଏବଂ ଏଥି ମଧ୍ୟରେ ଶିଶୁ ଅଧିକାର ସମ୍ପର୍କିତ ୧୦୦ ରୁ ଉଦ୍ଧ୍ୱର୍ କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ର ପ୍ରଦର୍ଶିତ ହେବା ନିଶ୍ଚିତ ଭାବେ ଏକ ଗୌରବର ଅଧ୍ୟାୟ । ଏକ ନଅ ବର୍ଷ ପିଲାର ମାଆ ଭାବରେ ମୋର ସ୍ୱପ୍ନ ଦୁନିଆଁର ସମସ୍ତ ଶିଶୁ ସେସବୁ ପ୍ରାପ୍ତ କରନ୍ତୁ ଯାହା ମୁଁ ମୋର ପିଲା ନିମନ୍ତେ ଚାହେଁ । ଅଧିକରୁ ଅଧିକ ଲୋକ ଏହି କ୍ଷୁଦ୍ର ଚଳଚ୍ଚିତ୍ର ପ୍ରତିଯୋଗିତାରେ ସାମିଲ ହୋଇ ଶିଶୁ ଅଧିକାର ଏବଂ ପୁଷ୍ଟି ସମ୍ପର୍କିତ ବିଷୟବସ୍ତୁକୁ ସାର୍ବଜନୀନ କରିବା ନିଶ୍ଚିତ ରୂପେ ଅତ୍ୟନ୍ତ ସ୍ୱାଗତଯୋଗ୍ୟ । ଏତଦ ବ୍ୟତୀତ ଶିଶୁ ପୋଷଣ ସମ୍ପର୍କିତ କ୍ଷୁଦ୍ର ଚଳଚ୍ିତ୍ରର ନୀରବ ବିପ୍ଳବ ସୃଷ୍ଟି ହେବାର ଆବଶ୍ୟକତା ରହିଛି । କ୍ଷୁଦ୍ର ପ୍ରମାଣିକ ଚଳଚ୍ଚିତଗୁଡିକ ଅତ୍ୟନ୍ତ ଶକ୍ତିଶାଳୀ ଏବଂ ସଠିକ ହୋଇଥାଏ ଓ ଏହାର ବିଷୟବସ୍ତୁଗୁଡିକ ନିଜର ଭାବନାକୁ ଏକ ନୂତନ ଦିଗ ପ୍ରଦାନ କରିଥାଏ । ମୁଁ ଅତ୍ୟନ୍ତ ଖୁସି ଯେ ଏହି ଅଭିଯାନ ଅର୍ନ୍ତଗତ ଶିଶୁ ପୋଷଣ ସମ୍ପର୍କିତ ୧୦୦ ଟି ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଛି । ସେହି ଚଳଚ୍ଚିତ୍ର ନିର୍ମାତାଙ୍କ ମଧ୍ୟରେ ସାମର୍ଥ୍ୟ ରହିଛି ଜନମାନସର ଚିନ୍ତାଧାରାରେ ପରିବର୍ତନ ସୃଷ୍ଟି କରିବା । ଏହା ଏକ ଧୀର ଏବଂ ଶକ୍ତିଶାଳୀ ପ୍ରକ୍ରିୟା । ଶିଶୁମାନଙ୍କ ନିମନ୍ତେ ଆମେମାନେ ସମସ୍ତେ ଯତ୍ନବାନ ହେବା ଉଚିତ୍ ଏବଂ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାତାମାନଙ୍କୁ କଲ୍ଲୋଳ ଏକ ଉକ୍ରୃଷ୍ଟ ମଂଚ ପ୍ରଦାନ କରିଛି । ଏହା ଅତ୍ୟନ୍ତ ଉତ୍ସାହଜନକ ଯେ ଯୁବ ଉତ୍ସାହୀ ପିଲାମାନେ ଶିଶୁ ଅଧିକାର ସମ୍ପର୍କିତ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ ନିମନ୍ତେ ନିଜର ପ୍ରତିଭା ଓ କୌଶଳର ଉପଯୋଗ କରୁଛନ୍ତି ।”

ଏହି ସମାରୋହରେ ୟୁନିସେଫ୍ ଓଡିଶାର ମୁଖ୍ୟ ଡକ୍ଟର ମୋନିକା ନିଲସନ୍ କହିଥିଲେ, “ଶିଶୁ ଓ ମହିଳାମାନଙ୍କ ନିମନ୍ତେ ସୁପୋଷଣର ଆବଶ୍ୟକତାକୁ ରାଜ୍ୟ ସରକାର, ରାଜ୍ୟରେ ଥିବା ୟୁଏନ୍ ଏଜେନ୍ସିଗୁଡିକ ଏବଂ ସାମାଜିକ ଅନୁଷ୍ଠାନଗୁଡିକ ଅଗ୍ରାଧିକାର ଦେବା ସହିତ ପ୍ରାଥମିକତା ପ୍ରଦାନ କରୁଛନ୍ତି । ଏଥି ପାଇଁ ରାଜ୍ୟରେ ଥିବା ଆମର ସହଭାଗୀମାନେ ନିରନ୍ତର ପ୍ରଚେଷ୍ଠା ଜାରି ରଖିଛନ୍ତି ଏବଂ ଗ୍ରାମୀଣ ସମାଜ ସହିତ ସହରୀ ସମାଜରେ ମଧ୍ୟ ଏହି ଅଭିଯାନକୁ ଆହୁରି ଅଧିକ ଫଳପ୍ରସୂ କରିବା ନିମନ୍ତେ ଆଗାମୀ ଦିନରେ ବିଭିନ୍ନ କାର୍ଯ୍ୟକ୍ରମମାନ ହାତକୁ ନିଆଯିବ । ପ୍ରଥମ ପର୍ଯ୍ୟାୟରେ ସୁପୋଷଣ- ସୁସ୍ଥ ଜୀବନ ନିମନ୍ତେ ପ୍ରତ୍ୟେକ ଶିଶୁର ଅଧିକାର ବିଷୟରେ ପରିବାର ବର୍ଗଙ୍କର ଚିନ୍ତାଧାରା, ମନୋସ୍ତାତ୍ୱିକ ବିଚାରଧାରାରେ ପରିବର୍ତନ ଆଣିବା ପାଇଁ ଉଦ୍ୟମ କରାଯିବ । ୟୁନିସେଫ୍ ଯେ କେବଳ ସର୍ବଦା ସେବା ବିତରଣକୁ ମଜବୁତ କରିବାର ପଦ୍ଧତି ଏବଂ ଯନ୍ତ୍ରକ୍ରିୟା ଉପରେ ଗୁରୁତ୍ୱ ପ୍ରଦାନ କରିଛି ତାହା ନୁହେଁ ବରଂ ଏହି ଅଭିଯାନକୁ ଏକ ଉନ୍ନତ ଯୋଗାଯୋଗର ମାଧ୍ୟମରେ ଗ୍ରାମ ଓ ସହରର ସବୁ ବର୍ଗର ଲୋକମାନଙ୍କ ନିକଟରେ ପହଂଚାଇପାରିଛି । ଗ୍ରାମୀଣ ଓଡିଶାରେ କୁପୋଷଣର ଶିକାର ଶିଶୁ ଏବଂ ସହରରେ ଥିବା ବସ୍ତିମାନଙ୍କରେ ଏହି ଅଭିଯାନକୁ ଆହୁରି ଦୃଢ କରିବା ନିମନ୍ତେ ଏକ ୩୬୦ ଡିଗ୍ରୀ ପଦ୍ଧତି ଆପଣାଇବାକୁ ଉଦ୍ୟମ କରାଯିବ । ଏହି ବର୍ଷ ଏହି ପ୍ରତିଯୋଗିତାରେ ୪୯ଟି କ୍ଷୁଦ୍ର ଚଳଚ୍ଚିତ୍ର ସାମିଲ ହେବା ଏକ ଖୁସିର ବିଷୟ । ଏହା ଅତ୍ୟନ୍ତ ଉତ୍ସାହଜନକ ଯେ ଯୁବ ଉତ୍ସାହୀ ପିଲାମାନେ ଶିଶୁ ଅଧିକାର ସମ୍ପର୍କିତ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ ନିମନ୍ତେ ନିଜର ପ୍ରତିଭା ଓ କୌଶଳର ଉପଯୋଗ କରୁଛନ୍ତି ଯେଉଁଥିପାଇଁ କଲ୍ଲୋଳ ସେମାନଙ୍କୁ ଏକ ଅଭିନବ ମଂଚ ପ୍ରଦାନ କରୁଛି ।”

ନିଜର ଅଭିଭାଷଣରେ ଶ୍ରୀଯୁକ୍ତ ଅରବିନ୍ଦ ଅଗ୍ରୱାଲ, ଭାରତୀୟ ପ୍ରଶାସନିକ ସେବା ଅଧିକାରୀ, ନିର୍ଦ୍ଦେଶକ, ଆସିଡିଏସ୍ ଏବଂ ସାମାଜିକ କଲ୍ୟାଣ, ଓଡିଶା ସରକାର କହିଥିଲେ, “ଏହି ଅଭିଯାନରେ ସାମିଲ ହେବା ମୋ ପାଇଁ ଅତ୍ୟନ୍ତ ସୌଭାଗ୍ୟଜନକ । ଶିଶୁର ଉଚିତ୍ ବୃଦ୍ଧି ନିମନ୍ତେ ସୁପୋଷଣ ନିହାତି ଆବଶ୍ୟକ । କୁପୋଷଣ ବିରୁଦ୍ଧରେ ଆଇନା ପକ୍ଷରୁ ସାରା ରାଜ୍ୟରେ ଚାଲୁଥିବା ଏହି ଅଭିଯାନ ନିଶ୍ଚିତ ଭାବରେ ପ୍ରଶଂସାଜନକ ।”

ଏହି ଅବସରରେ ମିସ୍ ଅର୍ଚ୍ଚିତା ସାହୁ କହିଥିଲେ, “ମୁଁ ବିଭିନ୍ନ ମଂଚରେ ପୋଷଣ ସମ୍ବନ୍ଧୀୟ ବାର୍ତାଳାପର ମହତ୍ୱକୁ ଲକ୍ଷ୍ୟ କରେ । ଓଡିଶାର ବାଳିକାମାନଙ୍କ ମଧ୍ୟରେ ଦେଖା ଦେଉଥିବା ଆନେମିଆ ରୋଗ ସାରା ଭାରତବର୍ଷରେ ଅତି ଉକ୍ରଟଜନକ ଏବଂ ମୁଁ ଭାବୁଛି ବିକାଶର ଗତିକୁ ତ୍ୱରାନ୍ୱିତ କରିବା ପାଇଁ ଏହି ସମ୍ପର୍କିତ କଥୋପକଥନ ଆମର ଉତର ଦାୟିତ୍ୱ ଅଟେ । ଏହି ଲକ୍ଷ୍ୟ ସହ ଓଡିଶାରୁ କୁପୋଷଣକୁ ଦୂରେଇ ଦେବା ନିମନ୍ତେ ମୁଁ ଏହି ଅଭିଯାନରେ ସାମିଲ ହୋଇଛି ।”

ଏହି କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ଆକାଶ ଦାସ ନାୟକ କହିଥିଲେ, “ଅଧିକରୁ ଅଧିକ ଚଳଚ୍ଚିତ୍ର ନିର୍ମାତା ସମାଜର କଲ୍ୟାଣ ନିମନ୍ତେ ଏହିପରି ଏକ ସମ୍ବେଦନଶୀଳ ବିଷୟବସ୍ତୁ ଉପରେ ଚଳଚ୍ଚିତ୍ର ନିର୍ମାଣ କରିବା ନିଶ୍ଚିତ ଭାବରେ ଅତି ପ୍ରଶଂସାଯୋଗ୍ୟ । କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ ଯେ ଖାଲି କଠିନ ତାହା ନୁହେଁ ବରଂ ଏହା ଅତ୍ୟନ୍ତ କଷ୍ଟକର ବ୍ୟାପାର କାରଣ ସଠିକ୍ ଢଙ୍ଗରେ ତିନି ଘଂଟାର ଚଳଚ୍ଚିତ୍ରକୁ ଅତି କମ୍ ସମୟରେ ସୀମିତ କରିବା ଏକ କଳାକୃତି ନିଶ୍ଚୟ । ଦୀର୍ଘ ପାଂଚ ବର୍ଷ ହେବ ଏହିପରି ଏକ ଅଭିଯାନମୂଳକ ପ୍ରତିଯୋଗିତା ଆୟୋଜନ ନିମନ୍ତେ ୟୁନିସେଫ୍ ଓଡିଶା ଏବଂ ଆଇନାର ଉଦ୍ୟମକୁ ମୁଁ ପ୍ରଶଂସା କରୁଛି । ଦ୍ୱିତୀୟତଃ ଶିଶୁକୁ ସୁପୋଷଣ ପ୍ରଦାନ କରିବା ଯେ କେବଳ ମାଆର କର୍ତବ୍ୟ ତାହା ନୁହେଁ ବରଂ ଉଭୟ ପିତାମାତା ମିଳିତ ଭାବରେ ନିଜର ଶିଶୁ ନିମନ୍ତେ ସୁପୋଷଣକୁ ସୁନିଶ୍ଚିତ କରିବା ଉଚିତ୍ । ମୁଁ ମୋର ସବୁ ପୁରୁଷ ବନ୍ଧୁମାନଙ୍କୁ ଆହ୍ୱାନ କରୁଛି ଯେ ସେମାନେ ସମନ୍ତେ ସେମାନଙ୍କର ଶିଶୁ ନିମନ୍ତେ ସୁପୋଷଣକୁ ସୁନିଶ୍ଚିତ କରନ୍ତୁ । ପରିଶେଷରେ ରାଜକୁ କୁପୋଷଣ ମୁକ୍ତ କରିବା ନିମନ୍ତେ ଓଡିଶା ସରକାରଙ୍କ ଏହି ଅଭିଯାନରେ ମୁଁ ସାମିଲ ହୋଇଛି ।”

ପେଶାଦାର ଚଳଚ୍ଚିତ୍ର ନିର୍ମାତା, ଚଳଚ୍ଚିତ୍ରର ଜଗତର ଛାତ୍ରଛାତ୍ରୀ, ଚଳଚ୍ଚିତ୍ର ଦକ୍ଷତା ଥିବା ସୌଖୀନ ବ୍ୟକ୍ତିବିଶେଷ, ନୂତନ ଚିନ୍ତାଧାରାର ବ୍ୟକ୍ତିବିଶେଷ କିମ୍ବା ଚଳଚ୍ଚିତ୍ର ନିର୍ମାଣରେ ଅଭିଜ୍ଞତା ଥିବା ବ୍ୟକ୍ତିବିଶେଷଙ୍କ ସମେତ ସମସ୍ତ ବର୍ଗର ବ୍ୟକ୍ତିମାନଙ୍କ ନିମନ୍ତେ ଏହି ପ୍ରତିଯୋଗିତା ସଦାସର୍ବଦା ଉନ୍ମୁକ୍ତ ରହିଥିଲା । ଏଥି ସମ୍ବନ୍ଧୀୟ ଏକ ବିଷୟଗତ ଓ ବୈଷୟିକ କର୍ମଶାଳା ୮ ସେପ୍ଟେମ୍ବର ୨୦୧୯ ତାରିଖ ଦିନ ଭୁବନେଶ୍ୱର ଠାରେ ଆୟୋଜିତ ହୋଇଥିଲା । ଏହି ପୁରସ୍କାର ବିତରଣ ସମାରୋହର ପ୍ରାରମ୍ଭରେ ଚଳିତ ଥର ପ୍ରତିଯୋଗିତାରେ ଭାଗ ନେଇଥିବା ଚଳଚ୍ଚିତ୍ର ପ୍ରତିଯୋଗୀମାନଙ୍କୁ ସାନ୍ତ୍ୱନାମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ଅବସରରେ ଓଡିଶାର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏକ କୁଇଜ୍ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା ।

ଏହି ଅବସରରେ ଶ୍ରୀମତୀ ସ୍ନେହା ମିଶ୍ର କହିଥିଲେ, “କଲ୍ଲୋଳ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହିତ ରାଜ୍ୟରେ ଥିବା ଚଳଚ୍ଚିତ୍ର ନିର୍ମାତା ଏବଂ ଚଳଚ୍ଚିତ୍ର ନିର୍ମାଣରେ ରୁଚି ରଖୁଥିବା ବ୍ୟକ୍ତିବିଶେଷଙ୍କ ନିମନ୍ତେ ଏହା ଏକ ସଫଳ ମଂଚ ଭାବରେ ଉଭା ହୋଇପାରିଛି ଓ ବିଗତ ପାଂଚ ବର୍ଷ ହେବ ଆମର ଏହି ଅୟମାରମ୍ଭ ଯାତ୍ରା ଅତ୍ୟନ୍ତ ଖୁସିର ବିଷୟ । କଲ୍ଲୋଳର ଏହି ପଂଚମ ସଂସ୍କରଣରେ ସୁପୋଷଣ- ସୁସ୍ଥ ଜୀବନ ନିମନ୍ତେ ପ୍ରତ୍ୟେକ ଶିଶୁର ଅଧିକାର ବିଷୟବସ୍ତୁକୁ ନେଇ ଚଳଚ୍ଚିତ୍ର ପ୍ରତିଯୋଗିତା ଆୟୋଜନ କରାଯାଇଥିଲା ଏବଂ ଚଳିତ ଥର ୪୯ଟି ଚଳଚ୍ଚିତ୍ର ଏହି ପ୍ରତିଯୋଗିତାରେ ଭାଗ ନେବା ଅତି ଆନନ୍ଦଦାୟକ ।ମୋର ବିଶ୍ୱାସ ଆମର ଏହି ଚଳଚ୍ଚିତ୍ର ଭିତିକ ସଚେତନତା ଅଭିଯାନ ନିଶ୍ଚିତ ଭାବରେ ଶିଶୁମାନଙ୍କ ଉଚିତ୍ ପୋଷଣ ସମ୍ପର୍କରେ ଆମକୁ ଅଧିକ ଦାୟିତ୍ୱବାନ କରିବ ।”

ଏହି ପୁରସ୍କାର ବିତରଣ ସମାରୋହ ଅବସରରେ ଶ୍ରୀଯୁକ୍ତ ଅନନ୍ତ ମହାପାତ୍ର କହିଥିଲେ ଯେ ପାଂଚ ବର୍ଷ ବୟସ ସୁଦ୍ଧା ଗୋଟେ ଶିଶୁର ବୁଦ୍ଧିର ବିକାଶ ଜୀବନର ଅନ୍ୟ କୌଣସି ସମୟ ଠାରୁ ଅଧିକ ହୋଇଥାଏ । ଏହା ପାଇଁ ସୁପୋଷଣ ଏକ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ ଯାହା ପ୍ରତ୍ୟେକ ଶିଶୁର ଅଧିକାର ଅଟେ ।

ପୃଷ୍ଠଭୂମି: ୟୁନିସେଫ୍ ଓଡିଶା ପକ୍ଷରୁ ରାଜ୍ୟରେ ଥିବା ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆଇନାର ସହଭାଗୀତାେରେ ୨୦୧୫ ମସିହାରେ ଶିଶୁ ଅଧିକାର ସମ୍ପର୍କିତ ଏକ ବାର୍ଷିକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରତିଯୋଗିତା କଲ୍ଲୋଳର ଶୁଭାରମ୍ଭ କରାଯାଇଥିଲା । ବିଗତ ଚାରିଗୋଟି ସଂସ୍କରଣରେ ଥିବା ବିଷୟବସ୍ତୁଗୁଡିକ ହେଲା- ଶିଶୁମାନଙ୍କ ଉପରେ ହେଉଥିବା ହିଂସା ପରିସମାପ୍ତି, ଝିଅମାନଙ୍କ କ୍ଷେତ୍ରରେ ଲିଙ୍ଗଗତ ଭେଦଭାବର ପରିସମାପ୍ତି, ଶିଶୁମାନଙ୍କ ଉପରେ ହେଉଥିବା ହିଂସା ପରିସମାପ୍ତି…… ବିଚାରଧାରାରେ ପରିବର୍ତନ, ଜଳ ଏବଂ ଶିଶୁ । ପ୍ରତିଯୋଗିତାରେ ଭାଗ ନେବାକୁ ଥିବା ସମସ୍ତ ଚଳଚ୍ଚିତ୍ର ୩୦, ୬୦ ଏବଂ ୯୦ ସେକେଣ୍ଡର ଅବଧି ବିଶିଷ୍ଟ ଲୋକ ସେବା ବିଜ୍ଞାପନ ଶ୍ରେଣୀର ଅଟେ ଏବଂ ଚଳଚ୍ଚିତ୍ର ନିର୍ମାତାଙ୍କ ଦ୍ୱାରା ନିଶୁଳ୍କ ଭାବରେ ନିର୍ମାଣ କରାଯାଇଥାଏ । ବାର୍ଷିକ ୫ଟି ଶ୍ରେଷ୍ଠ ଚଳଚ୍ଚିତ୍ରକୁ ପୁରସ୍କୃତ କରାଯାଇଥାଏ । ବର୍ତମାନ ପର୍ଯ୍ୟନ୍ତ ୧୫୫ ଜଣ ଚଳଚ୍ଚିତ୍ର ନିର୍ମାତା ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିସାରିଛନ୍ତି ଏବଂ ୨୦ଟି ଚଳଚ୍ଚିତ୍ରକୁ ପୁରସ୍କୃତ କରାଯାଇଛି ।

Leave a Reply

Your email address will not be published. Required fields are marked *