ଗୁରୁଜୀ ଡଃ ଚନ୍ଦ୍ରଭାନୁ ଶତପଥୀଙ୍କ କରକମଳରେ ଯୁକ୍ତରାଷ୍ଟ୍ର ଆମେରିକାରେ ଶିରିଡ଼ି ସାଇବାବାଙ୍କ ଦୁଇଟି ନୂତନ ମନ୍ଦିର ପ୍ରତିଷ୍ଠା

ଗୁରୁଜୀ ଡଃ ଚନ୍ଦ୍ରଭାନୁ ଶତପଥୀଙ୍କ କରକମଳରେ
ଯୁକ୍ତରାଷ୍ଟ୍ର ଆମେରିକାରେ ଶିରିଡ଼ି ସାଇବାବାଙ୍କ ଦୁଇଟି ନୂତନ ମନ୍ଦିର ପ୍ରତିଷ୍ଠା
ଭୁବେନେଶ୍ୱର:ୱାଶିଂଟନ : ଯୁକ୍ତରାଷ୍ଟ୍ର ଆମେରିକାରେ ଏହାମଧ୍ୟରେ ଶ୍ରୀ ଶ୍ରୀ ଶିରିଡ଼ି ସାଇବାବାଙ୍କର ଦୁଇଟି ମନ୍ଦିର ପ୍ରତିଷ୍ଠା ହୋଇଯାଇଛି । ମିନେସୋଟା ପ୍ରଦେଶର ଚସ୍‍କା ସହରଠାରେ ଡିସେମ୍ବର ୧୫ ତାରିଖରେ ଗୋଟିଏ ମନ୍ଦିର ପ୍ରତିଷ୍ଠା ହୋଇଥିଲା । ଶିରିଡ଼ି ସାଇବାବାଙ୍କର ଅନନ୍ୟ ଭକ୍ତ ତଥା ଆନ୍ତର୍ଜାତିକ ସ୍ତରରେ ଖ୍ୟାତିସମ୍ପନ୍ନ ବୁଦ୍ଧିଜୀବୀ ଓ ଦାର୍ଶନିକ ଗୁରୁଜୀ ଡଃ ଚନ୍ଦ୍ରଭାନୁ ଶତପଥୀ ଏହି ମନ୍ଦିରର ପ୍ରତିଷ୍ଠା କାର୍ଯ୍ୟ ସମ୍ପାଦନ କରିବା ସହିତ ଆନୁଷ୍ଠାନିକ ଭାବରେ ଉଦ୍‍ଘାଟନ କରିଥିଲେ । ପ୍ରାୟ ଚାଳିଶି ଏକର ପରିସର ବିଶିଷ୍ଟ ବିସ୍ତୀର୍ଣ୍ଣ ଭୂଖଣ୍ଡରେ ଏହି ମନ୍ଦିର ନିର୍ମିତ ହୋଇଛି । ଏହି ମନ୍ଦିରର ପ୍ରତିଷ୍ଠା ଉତ୍ସବରେ ଯୋଗଦେବାକୁ ଆମେରିକାର ପ୍ରାୟ ୧୪ଟି ରାଜ୍ୟ ସମେତ ଆମେରିକା ବାହାରୁ ବିଭିନ୍ନ ଦେଶ ଯଥା ଭାରତ, ନିଉଜିଲାଣ୍ଡ, ଜର୍ମାନୀ, ଯୁକ୍ତରାଜ୍ୟ ଓ କାନଡ଼ା ପ୍ରଭୃତି ରାଷ୍ଟ୍ରରୁ ବହୁ ସଂଖ୍ୟକ ଭକ୍ତ ଆସିଥିଲେ । ତିନିଦିନ ବ୍ୟାପୀ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଥିଲା ।
ସେହିପରି ଡିସେମ୍ବର ୨୯ ତାରିଖରେ ୱାଶିଂଟନ ନିକଟସ୍ଥ ବେଲିଭ୍ୟୁଠାରେ ସଦ୍‍ଗୁରୁ ଶ୍ରୀ ଶିରିଡ଼ି ସାଇବାବାଙ୍କର ଏକ ଭବ୍ୟ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଥିଲା । ତିନିଦିନ ଧରି ଚାଲିଥିବା ଏହି ଉତ୍ସବର ଶେଷଦିନରେ ଗୁରୁଜୀ ଡଃ ଚନ୍ଦ୍ରଭାନୁ ଶତପଥୀ ଯୋଗଦେଇ ପ୍ରତିଷ୍ଠା କାର୍ଯ୍ୟ ସମ୍ପାଦନ କରିଥିଲେ । ଏହି ଅବସରରେ ଗୁରୁଜୀ ଡଃ ଶତପଥୀ ଉପସ୍ଥିତ ଶ୍ରଦ୍ଧାଳୁମାନଙ୍କୁ ଉଦ୍‍ବୋଧନ ଦେଇ ସାମ୍ପ୍ରତିକ ବିଶ୍ୱରେ ଭ୍ରାତୃତ୍ୱ, ପ୍ରେମ ଓ କରୁଣାର ପ୍ରସାର ନିମନ୍ତେ ଶିରିଡ଼ି ସାଇବାବାଙ୍କ ଶିକ୍ଷାର କିପରି ଆବଶ୍ୟକତା ରହିଛି, ତାହା ଉପରେ ଆଲୋକପାତ କରିଥିଲେ ।
ଡିସେମ୍ବର ୨୧ ତାରିଖରେ ଯୁକ୍ତରାଷ୍ଟ୍ର ଆମେରିକାର ସିଆଟେଲଠାରେ ଏକ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗୁରୁଜୀ ଡଃ ଚନ୍ଦ୍ରଭାନୁ ଶତପଥୀ ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ । ଏହି ଅବସରରେ ସେ ଶିରିଡ଼ି ସାଇବାବା ଓ ତାଙ୍କର ଦର୍ଶନ ସମ୍ପର୍କରେ ସାରଗର୍ଭକ ବକ୍ତବ୍ୟ ରଖିଥିଲେ । ଭାରତ, ନେପାଳ, ଦକ୍ଷିଣ ଓ କେନ୍ଦ୍ରୀୟ ଆମେରିକା ତଥା ଆମେରିକାର ମୁଖ୍ୟ ସ୍ରୋତରେ ସାମିଲ ଥିବା ଅନେକ ସମ୍ପ୍ରଦାୟର ବ୍ୟକ୍ତି ବିଶେଷ ଏଥିରେ ଯୋଗଦେଇଥିଲେ । ଏହି ଅବସରରେ ବହୁ ଆମେରିକୀୟ ବ୍ୟକ୍ତି ଗୁରୁଜୀଙ୍କ ସହିତ ଆଳାପ ଆଲୋଚନାରେ ସାମିଲ ହୋଇଥିଲେ । ସିଆଟେଲସ୍ଥିତ ଶ୍ରୀ ସାଇ ଆଙ୍ଗନର ସପ୍ତମ ବାର୍ଷିକ ପୂର୍ତ୍ତି ଉପଲକ୍ଷେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *