ଫନି କ୍ଷତିଗ୍ରସ୍ତ ଚିହ୍ନଟରେ ବ୍ୟାପକ ଦୁର୍ନୀତି ଲୋକାୟୁକ୍ତଙ୍କ ନିକଟରେ ଫେରାଦ ହେଲେ ପିପିଲିର ଶତାଧିକ ପରିବାର

ଫନି କ୍ଷତିଗ୍ରସ୍ତ ଚିହ୍ନଟରେ ବ୍ୟାପକ ଦୁର୍ନୀତି
ଲୋକାୟୁକ୍ତଙ୍କ ନିକଟରେ ଫେରାଦ ହେଲେ ପିପିଲିର ଶତାଧିକ ପରିବାର

ଭୁବନେଶ୍ୱର ତା ୨୬.୧୧ – ଫନି ପରବର୍ତୀ ସମୟରେ କ୍ଷତିଗ୍ରସ୍ତ ଚିହ୍ନଟ ଓ ଥଇଥାନରେ ବ୍ୟାପକ ଦୁର୍ନୀତି ଓ ପାତର ଅନ୍ତର ଏବଂ ରାଜନୈତିକ ହସ୍ତକ୍ଷେପ ଯୋଗୁଁ ବହୁ ସାଧାରଣ ଜନତାଙ୍କର ଫନି ବାତ୍ୟାରେ ଘର ଭାଙ୍ଗି ଯାଇଥିଲେ ମଧ୍ୟ ଘରଭଙ୍ଗା ତାଲିକାରେ ସେମାନଙ୍କର ନାଁ ନାହିଁ । ଏହି ଅନିୟମିତତାକୁ ବିରୋଧ କରି ପିପିଲି ବ୍ଲକର ଫନି ସହାୟତା ତାଲିକାରୁ ବାଦ୍ ପଡିଥିବା ଶତାଧିକ ପରିବାର ଆଜି ଲୋକାୟୁକ୍ତଙ୍କ ନିକଟରେ ଫେରାଦ ହୋଇଛନ୍ତି ।
ଆଜି କଂଗ୍ରେସ ନେତା ତଥା ଆଇନ୍ଜୀବୀ ନିଶିକାନ୍ତ ମିଶ୍ରଙ୍କ ନେତୃତ୍ୱରେ ପିପିଲି ବ୍ଲକର ମଙ୍ଗଳପୁର, ସହଜପୁର, କଂଟି, ଓରକଳ, ହାଟସାହି, ତେଇଶପୁର ଗ୍ରାମପଂଚାୟତର ଶତାଧିକ ପରିବାର ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ ଦାଖଲ କରିଛନ୍ତି । ଏପରିକି ଘର ଭଙ୍ଗା ସହାୟତା ତାଲିକାରେ ସରକାରୀ କର୍ମଚାରୀ, ସରକାରୀ ଦଳର ପ୍ରଭାବଶାଳୀ ରାଜନେତାଙ୍କ ନାମ ସ୍ଥାନ ପାଇଥିଲେ ମଧ୍ୟ ବ୍ଲକ, ତହସିଲ କର୍ମଚାରୀଙ୍କ ଲାଂଚଖୋର ମନୋବୃତି ଯୋଗୁଁ ଘର ଭାଙ୍ଗି ନଥିବା ଲୋକମାନଙ୍କ ନାଁ ଘରଭଙ୍ଗା ସହାୟତା ତାଲିକାରେ ସ୍ଥାନ ପାଇଛି । ଏଣୁ ଏହି ଅଭିଯୋଗ ଉପରେ ମାନ୍ୟବର ଲୋକାୟୁକ୍ତ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ସହିତ ଦୋଷୀ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଏବଂ ଘରଭଙ୍ଗା ସହାୟତାରୁ ବଂଚିତ ପରିବାରକୁ ଘରଭଙ୍ଗା ସହାୟତା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେବାକୁ ପ୍ରାର୍ଥନା କରାଯାଇଛି ।
ଏହି କାର୍ଯ୍ୟକ୍ରମରେ ନିଶିକାନ୍ତ ମିଶ୍ରଙ୍କ ସମେତ ମକର ପ୍ରଧାନ, ଟୁଟୁ ପରିଡା, ରଂଜିତ ମହାପାତ୍ର ସହାୟତା କରିଥିଲେ ।

Leave a Reply

Your email address will not be published. Required fields are marked *