ମିଶନ ଇନ୍ଦ୍ରଧନୁଷରେ ପ୍ରଥମ ରାଉଣ୍ଡରେ ଶତପ୍ରତିଶତରୁ ଅଧିକ ଟୀକାଦାନ

ମିଶନ ଇନ୍ଦ୍ରଧନୁଷରେ ପ୍ରଥମ ରାଉଣ୍ଡରେ ଶତପ୍ରତିଶତରୁ ଅଧିକ ଟୀକାଦାନ

ଭୁବନେଶ୍ୱର, ୨୫/୧୨- ରାଜ୍ୟରେ ମିଶନ ଇନ୍ଦ୍ରଧନୁଷର ଦ୍ୱିତୀର୍ଯ୍ୟ ପର୍ଯ୍ୟାୟ ଟୀକାଦାନ ଆରମ୍ଭ ହୋଇଥିବାବେଳେ ପ୍ରଥମ ରାଉଣ୍ଡରେ ଉଭୟ ଶିଶୁ ଓ ଗର୍ଭବତୀ ମହିଳାମାନଙ୍କୁ ଶତ ପ୍ରତିଶତରୁ ଅଧିକ ଟୀକାଦାନ କରାଯାଇ ପାରିଛି । ପ୍ରଥମ ରାଉଣ୍ଡ ଟୀକାଦାନ ପରେ କେନ୍ଦ୍ର ସରକାର କରିଥିବା ଅନୁଧ୍ୟାନରୁ ଏହି ସୂଚନା ମିଳିଛି ।ରାଜ୍ୟର ଛଅଟି ଜିଲ୍ଲା ଯଥା କୋରାପୁଟ, ମାଲକାନଗିରି, ରାୟଗଡା, ଗଜପତି, କନ୍ଧମାଳ ଓ ଢେଙ୍କାନାଳରେ ମିଶନ ଇନ୍ଦ୍ରଧନୁଷ ଯୋଜନାରେ ଟୀକାକରଣ କରାଯାଉଛି । ପ୍ରଥମ ରାଉଣ୍ଡରେ ୧୦,୫୬୦ ଜଣ ଶିଶୁଙ୍କୁ ଟୀକାଦାନ ପାଇଁ ଲକ୍ଷ୍ୟ ରଖାଯାଇଥିବାବେଳେ ୧୦,୬୦୩ ଜଣ ଶିଶୁ ଟୀକା ନେଇଛନ୍ତି । ଅର୍ଥାତ୍‍ ଶିଶୁଙ୍କ କ୍ଷେତ୍ରରେ ଟୀକାଦାନର ହାର ୧୦୦.୪ ପ୍ରତିଶତ ରହିଛି । ସେହିଭଳି ଏହି ରାଉଣ୍ଡରେ ୨୪୬୧ ଜଣ ଗର୍ଭବତୀ ମହିଳାଙ୍କୁ ଟୀକାଦାନ ପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଥିବାବେଳେ ୨୪୬୯ ଜଣଙ୍କୁ ଟୀକା ଦିଆଯାଇଛି । ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ଟୀକାଦାନ ହାର ୧୦୦.୩ ପ୍ରତିଶତ ରହିଥିବା କେନ୍ଦ୍ର ସରକାର ଉଲ୍ଲେଖ କରିଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦାଙ୍କ ପରାମର୍ଶ ଓ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଟୀକାକାରଣ କାର୍ଯ୍ୟକ୍ରମ ଜାରି ରହିଛି । ପ୍ରଥମ ରାଉଣ୍ଡ ଟୀକାଦାନ ପୂର୍ବରୁ ରାଜ୍ୟ ସ୍ତରୀୟ ଟାସ୍କଫୋର୍ସ ବୈଠକ ବସିଥିବାବେଳେ ସମସ୍ତ ଜିଲ୍ଲାରେ ଜିଲ୍ଲା ସ୍ତରୀୟ ଟାସ୍କଫୋର୍ସ ବୈଠକ ବସିଥିଲା । ସମସ୍ତ ଜିଲ୍ଲାରେ ଟୀକାଦାନ ପାଇଁ ଉଭୟ ଶିଶୁ ଓ ଗର୍ଭବତୀ ମହିଳାଙ୍କ ଗଣତି କାର୍ଯ୍ୟ ସରିଥିବାବେଳେ ଲୋକଙ୍କୁ ସଚେତନ କରିବାଲାଗି ପ୍ରଥପ୍ରାନ୍ତ ନାଟକ, ଭିଡିଓ ଏବଂ ଅଡିଓ ବାର୍ତ୍ତା, ସ୍ୱାସ୍ଥ୍ୟ କାନ୍ଥ ସହିତ ବିଭିନ୍ନ ସ୍ଥାନରେ ପ୍ରଚାରପତ୍ର ଲାଗିଥିଲା ।

Leave a Reply

Your email address will not be published. Required fields are marked *