ଭାଲିଆଗୁଡା ମିଛ ଏନକାଉଁଂଟର୍କୁ ୭ ବର୍ଷ (୨୦୧୨-୨୦୧୯) ମୃତକମାନଙ୍କୁ ନ୍ୟାୟ ଦାବିରେ ମିଥ୍ୟ ମକଦମା ବିରୋଧ ଅଭିଯାନ ଓ ବନବସୀ ସୁରକ୍ଷା ପରିଷଦର ବିଧାନସଭା ସମ୍ମୁଖରେ ବିକ୍ଷୋଭ

ଭାଲିଆଗୁଡା ମିଛ ଏନକାଉଁଂଟର୍କୁ ୭ ବର୍ଷ (୨୦୧୨-୨୦୧୯)
ମୃତକମାନଙ୍କୁ ନ୍ୟାୟ ଦାବିରେ ମିଥ୍ୟ ମକଦମା ବିରୋଧ ଅଭିଯାନ ଓ ବନବସୀ ସୁରକ୍ଷା ପରିଷଦର ବିଧାନସଭା ସମ୍ମୁଖରେ ବିକ୍ଷୋଭ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ
ଭୁବନେଶ୍ୱର, ତା-୧୮-୧୧-୨୦୧୯ ମାଓବାଦୀ ଆଳରେ କନ୍ଧମାଳ ଜିଲ୍ଲାର ୫ଜଣ ନିର୍ଦ୍ଦୋଷ ଆଦିବାସୀ ଓ ଦଳିତଙ୍କୁ ଗତ ୧୪ ମଭେମ୍ବର, ୨୦୧୨ ରେ ଗଞ୍ଜାମ ପୋଲିସ୍ ଓ ଅନ୍ୟ ସୁରକ୍ଷା ବାହିନୀ ମିଳିତ ଭାବେ ନୃଂଶସ ହତ୍ୟାକରିବାର ୭ ବର୍ଷ ବିତିଯାଇଥିଲେ ମଧ୍ୟ ଅଦ୍ୟାବିଧୀ ମୃତକ ମାନଙ୍କ ପରିବାରଗୁଡିକୁ ନ୍ୟାୟ ମିଳିପାରିନାହିଁ, ଯାହା ଓଡିଶା ସରକାରଙ୍କ ତଥାକଥିତ ନ୍ୟାୟିକ ଶାସନ ପ୍ରତି ଚରମ ଉପହାସ ବୋଲି ବିଭିନ୍ନ ଗଣ ସଂଗଠନ ମାନେ ଅଭିଯୋଗ କରିଛନ୍ତି ।
ଭାରତୀୟ ନ୍ୟାୟ ବ୍ୟବସ୍ଥାର ମୂଳ ଭିତ୍ତି ‘ହଜାରେ ଦୋଷୀ ପଛେ ଖସି ଯାଆନ୍ତୁ, ଜଣେ ନିର୍ଦ୍ଦୋଷୀ ଦଣ୍ଡ ନପାଉ’ ଘୋଷଣାକୁ ଉଲ୍ଲେଖ କରି ମୃତକ ମାନଙ୍କର ପରିବାରୁକୁ ନ୍ୟାୟ ପ୍ରଦାନ ଓ ହତ୍ୟାକାରୀ ପୋଲିସ୍ ଅଧିକାରୀ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଆଜି ମିଥ୍ୟା ମକଦ୍ଦମା ବିରୋଧି ଅଭିଯାନ,ଓଡିଶା ଓ ବନବାସୀ ସୁରକ୍ଷା ପରିଷଦ, କନ୍ଧମାଳ ନେତୃତ୍ୱରେ ଶତାଧିକ ଜନସାଧାରଣ ମୃତକ ମାନଙ୍କର ବିଧିବା ପତ୍ନୀ ମାନଙ୍କ ସହିତ ବିଧାନସଭା ସମ୍ମୁଖରେ ବିକ୍ଷୋବ ପ୍ରଦର୍ଶନ କରିଥିଲେ । ସେମାନେ କମାପଲ୍ଲୀ ଛକ ଠାରୁ ଏକ ଶୋଭା ଯାତ୍ରାରେ ବାହାରି ଆର୍.ଡି.ସି.ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭାର ଆୟୋଜନ କରିଥିଲେ । ଅଭିଯାନର ରାଜ୍ୟ ଆବାହକ ନରେନ୍ଦ୍ର ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ଏହି ପ୍ରତିବାଦରେ ସି.ପି.ଆଇ. (ଏମ୍.ଏଲ୍.)-ରେଡ୍ ଷ୍ଟାରର ନେତା ଶଙ୍କର ସାହୁ, ସି.ପି.ଆଇ. (ଏମ୍.ଏଲ୍) ଲିବରେସନର ରାଧାକାନ୍ତ ସେଠି, ବନବାସୀ ସୁରକ୍ଷା ପରିଷଦର ବଳଭଦ୍ର ମଲ୍ଲିକ, ଶରତ ମଲ୍ଲିକ ଓ ମୃତ ଘାସିରାମ ବାଗ୍ସିଂଙ୍କ ବିଧବା ପତ୍ନୀ ଲକ୍ଷ୍ମୀ ବାଗ ସିଂ, ପିୟୁସିଏଲ୍ର ପ୍ରମୋଦିନୀ ପ୍ରଧାନ, ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନର ଦେବ ରଞ୍ଜନ, ଅଖିଳ ଭାରତ ଜନମଞ୍ଚର ମାନସ ପ୍ରଧାନ, ଫରୱାର୍ଡ଼ ବ୍ଲକର ନାରୟଣ ଡ଼ାଳୁଅ।।, ଆଇନ୍ଜୀବୀ ପ୍ରତିମା ଦାଶ, ସିଏସ୍ଡ଼ିର ପ୍ରଦୀପ ସାହୁ, ଲୋକଶକ୍ତି ଅଭିଯାନର ମାନଓ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ଏହି ମିଛ ଏନକାଉଁଂଟ୍ର ରେ କ୍ଷତିଗ୍ରସ୍ଥ ପିଡିତ ପରିବାରଙ୍କୁ ଅବିଳମ୍ବେ ନ୍ୟାୟ ପ୍ରଦାନ ପାଇଁ ଦାବି କରିଥିଲେ ।
ପ୍ରକାଶ ଥାଉକି କନ୍ଧମାଳ ଜିଲ୍ଲାର ବ୍ରାହ୍ମଣୀ ଗାଁ ଥାନା ଅର୍ନ୍ତଗତ ସରାମୂଳି ପଂଚାୟତରେ ତତ୍ କାଳୀନ ସରପଂଚ କମଳା ପାଟମାଝୀ ବି.ପି.ଏଲ. ଚାଉଳ ଚୋରା ଚାଲାଣ କରୁଥିବାବେଳେ ପୂର୍ବତନ ସମିତିସଦସ୍ୟ ଘାସିରାମ ବାଗ୍ସିଂ, ଶ୍ୟାମସନ ମାଝି, ଆଇବ ପଡ୍ରା ପ୍ରମୁଖ ସେହି ଚାଉଳକୁ ଜବତ କରିଥିଲେ ଓ ବ୍ରାହ୍ମଣୀ ଗାଁ ଥାନାରେ ଏକ ମକଦମା ରୁଜୁ କରିଥିଲେ । ଫଳରେ ସରପଂଚ କମଳା ପାଟମାଝୀ ଓ ତାଙ୍କ ସ୍ୱାମୀ ପୂର୍ବତନ ସରପଂଚ କର୍ମା ପାଟମାଝୀ ଗିରଫ୍ ହୋଇ ହାଇକୋର୍ଟରୁ ଜାମିନ୍ ରେ ଆସିଥିଲେ । ସେଥିରେ କ୍ରୋଧାନିତ ହୋଇ କର୍ମା ପାଟମାଝୀ ସେହି ଚୋରାଚାଲାଣ ବିରୋଧୀ ଆନ୍ଦୋଳନର ନେତୃତ୍ୱ ନେଉଥିବା ଘାସିରାମ ଓ ଅନ୍ୟ ମାନେ‘ମାଓବାଦିଙ୍କ ନାମରେ ଚାନ୍ଦା ଆଦାୟ କରୁଛନ୍ତି ବୋଲି ତତକାଳିନ ଓଡିଶା ମାଓବାଦୀ ପାର୍ଟିର ସବ୍ୟସାଚୀ ପଣ୍ଡାଙ୍କ ନିକଟରେ ଏକ ମିଛ ଅଭିଯୋଗ କରିଥିଲେ । ଗତ ୨୦୧୨ ମସିହା ମଭେମ୍ବର ୧୪ ତାରିଖରେ କନ୍ଧମାଳ-ଗଂଜାମ-ଗଜପତି ଜିଲ୍ଲାର ସିମାନ୍ତ ବର୍ତୀ ଭାଲିଆଗୁଡା ଗ୍ରାମରେ ମାଓବାଦୀ ମାନେ ପ୍ରଜାକୋର୍ଟ କରୁଥିବା ବେଳେ ସେମାନଙ୍କ ଠାରୁ ଡାକରା ପାଇ ଘାସିରାମ ଓ ଅନ୍ୟ ମାନେ ସେହି ପ୍ରଜା କୋର୍ଟରେ ନିଜକୁ ନିର୍ଦ୍ଦୋଶ ବୋଲି କୈଫିୟତ୍ ଦେଇ ଫେରୁଥିବା ବେଳେ ପୋଲିସ୍ ଗୁଳିରେ ପ୍ରାଣ ହରାଇଥିଲେ । ସେହି ମିଛ ଏନକାଉଁଂଟ୍ରରେ ଘାସିରାମ ଙ୍କ ସମେତ ଶ୍ୟାମସନ ମାଝୀ,ଆଇବ ପଡ୍ରା, ସନାତନ ମଳିକ ଓ ଲକ୍ଷ୍ମୀ କାନ୍ତ ନାୟକ ପ୍ରାଣ ହରାଇଥିବା ବେଳେ ଘଟଣାର ପ୍ରତ୍ୟକ୍ଷ ଦର୍ଶୀ ଜୁନେଶ ଦିଗାଲଙ୍କୁ ପୋଲିସ୍ ସଶସ୍ତ୍ର ମାଓବାଦୀ ଭାବେ ପୋଲିସ୍ ଘଟଣା ସ୍ଥଳରୁ ଗିରଫ୍ କରି ଜେଲ୍ କୁ ପଠାଇ ଦେଇଥିଲା, କିନ୍ତୁ ପ୍ରାୟ ଦୁଇ ବର୍ଷ ପରେ ଜୁନେଶ ନିର୍ଦ୍ଦୋଶରେ ଖଲାସ ହୋଇଥିଲେ ।
ଏକ ଉଚ୍ଚ ତଥ୍ୟାନୁସନ୍ଧାନୀ ଦଳ (ଏସ୍.ଆଇ.ଟି.) ଗଠନ କରି ଏହି ମିଛ ଏନକାଉଁଂଟ୍ରର ତଦନ୍ତ କରିବା, ପ୍ରତ୍ୟେକ ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତି ପୁରଣ ପ୍ରଦାନ, ନିର୍ଦ୍ଦୋଷ ଲୋକଙ୍କୁ ହତ୍ୟା କରିଥିବା ପୋଲିସ୍ ଅଧିକାରୀ ମାନଙ୍କ ବିରୋଧରେ ନରହତ୍ୟା ଆଇନ୍ ର ଧାରା -୩୦୨ ଅନୁଯାଇ ମକଦ୍ଦମା ରୁଜୁ କରିବାକୁ ଦାବି କରି ଅଭିଯାନର ଆବାହକ ନରେନ୍ଦ୍ର ମହାନ୍ତିଙ୍କ ନେତୃତ୍ୱରେ ମୃତକମାନଙ୍କର ବିଧବା ପତ୍ନୀ ଲକ୍ଷ୍ମୀ ବାଗସିଂ, ମାମିତା ପ୍ରଧାନ, ରଞ୍ଜିତା ପାଟମାଝୀ ଓ ସିକଆଲୁ ମାଝୀ ଓଡିଶାର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *