ପ୍ରାକୃତିକ ଦୁର୍ବିପାକ ମୃତ୍ୟୁ ଠାରୁ ଡାହାଣୀ ସନ୍ଦେହରେ ହତ୍ୟା ଅଧିକ

ପ୍ରାକୃତିକ ଦୁର୍ବିପାକ ମୃତ୍ୟୁ ଠାରୁ ଡାହାଣୀ ସନ୍ଦେହରେ ହତ୍ୟା ଅଧିକ!

ଭୁବନେଶ୍ୱର, ୧୦/୦୬: ଆମ ଦେଶରେ ଡାହାଣୀ ଓ ଗୁଣିଆ ସନ୍ଦେହରେ ବାର୍ଷିକ ହାରାହାରି ୫୩ ଜଣଙ୍କୁ ହତ୍ୟା କରାଯାଉଛି; ଯାହାକି ପ୍ରାକୃତିକ ଦୁର୍ବିପାକ ଓ ମହାମାରୀ ମୃତ୍ୟୁ, ଚାଷୀ ଆତ୍ମହତ୍ୟା, ନକ୍ସଲ ହତ୍ୟା ଭଳି ସାମାଜିକ ସମସ୍ୟା ଠାରୁ ଢେର ଅଧିକ । ୨୦୧୦ ମସିହାରୁ ଚଳିତ ବର୍ଷର ଶେଷ ସୁଦ୍ଧା ଡାହାଣୀ ଓ ଗୁଣିଆ ସନ୍ଦେହ ଜନିତ ହତ୍ୟା ସଂଖ୍ୟା ୫୩୩ରେ ପହଞ୍ଚିଛି । ମୋଟ ହତ୍ୟା ଘଟଣା ଭିତରୁ ୨୫୪ ଜଣ ପୁରୁଷ ଥିବାବେଳେ ୧୯୫ ଜଣ ମହିଳା ଏବଂ ୮୪ ଜଣ ଶିଶୁ ଅଟନ୍ତି । ଆମ ରାଜ୍ୟରେ ଗୁଣିଗାରେଡି ପ୍ରତିକାର ଆଇନ୍‍ ୨୦୧୩ କାର୍ଯ୍ୟକାରୀ ହେଉଥିଲେ ମଧ୍ୟ ଏହା କେବଳ ମହିଳା ପୀଡିତାଙ୍କ ଉଦ୍ଦିଷ୍ଟ ଅଟେ । ଏହି ଆଇନ୍‍ରେ ତୁରନ୍ତ ସଂଶୋଧନ କରାଯାଇ ଗୁଣିଆ ସନ୍ଦେହରେ ହତ୍ୟା କରାଯାଉଥିବା ପୁରୁଷମାନଙ୍କୁ ମଧ୍ୟ ଅର୍ନ୍ତଭୁକ୍ତ କରାଯିବା ଆବଶ୍ୟକ ରହିଛି । ସେହିପରି ଏହି ଆଇନ୍‍ରେ ଥିବା ଜୋରିମାନକୁ ବୃଦ୍ଧି କାରିବା ଓ ଦଣ୍ଡ ବ୍ୟବସ୍ଥାକୁ କଡାକଡି ଭାବେ ଲାଗୁ କରିବା ଦରକାର ବୋଲି ଆଜି ସ୍ୱେଚ୍ଛାସେବୀ ସଙ୍ଗଠନ ‘ମମତା’ ଦ୍ୱାରା ଆୟୋଜିତ ‘ଗୁଣିଗାରେଡି ଓ କୁସଂସ୍କାର ଦୂରୀକରଣ’ ସମ୍ପର୍କିତ ଏକ କର୍ମଶାଳାରେ ମତ ପ୍ରକାଶ ପାଇଛି ।

ଏହି କର୍ମଶାଳାରେ ରାଜ୍ୟ ସୁଚନା କମିଶନର୍‍ ଶ୍ରୀମତୀ ଶଶି ବିନ୍ଧାଣୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ ଗୁଣିଗାରେଡି ଓ ଅନ୍ଧବିଶ୍ୱାସକୁ ପ୍ରୋତ୍ସାହିତ କରୁଥିବା ଲୋକମାନେ ଆଇନ୍‍ର ପରିସରକୁ ଆସିପାରୁନାହାଁନ୍ତି ତେଣୁ ଏଥି ନିମନ୍ତେ ତ୍ୱରିତ ପଦକ୍ଷେପ ନିହାତି ଆବଶ୍ୟକ ଏବଂ ଏହି ଆଇନ୍‍କୁ କଡାକଡି ଭାବେ ଲାଗୁ କରିବା ଦରକାର । ଲୋକମାନଙ୍କ ପାଖରେ ସଠିକ୍‍ ସୁଚନା ପହଞ୍ଚାଇ ସେମାନଙ୍କ ଭ୍ରାନ୍ତ ଧାରଣ ଦୂର କରାଯାଇ ଆଇନ୍‍ ଓ ପୀଡିତାଙ୍କ ମଧ୍ୟରେ ବ୍ୟବଧାନ ହ୍ରାସ କରାଯାଇପାରିଲେ ଏହି ସମସ୍ୟା ଅନେକାଂଶରେ ଦୂର କରାଯାଇପାରିବ ବୋଲି ଶ୍ରୀମତୀ ବିନ୍ଧାଣୀ ମତବ୍ୟକ୍ତ କରିଛନ୍ତି । କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ନୃବିଜ୍ଞାନ ଅଧ୍ୟାପିକା ଡ. ଅନ୍ନପୂର୍ଣ୍ଣା ପାଣ୍ଡେ ଯୋଗଦେଇ କହିଲେ ଯେ ଅନ୍ୟ କୌଣସି ବିଷୟ ଭଳି କୁସଂସ୍କାର ମଧ୍ୟ ଆମ ମନର ଏକ ବିଶ୍ୱାସ ବ୍ୟବସ୍ଥା । ଏହା କେବଳ ଓଡିଶା କି ଭାରତ ନୁହେଁ ଆଫ୍ରିକା ମହାଦେଶରେ ମଧ୍ୟ ଅନେକ ଘଟଣା ସାମ୍ନାକୁ ଆସୁଛି । ବିଶ୍ୱ ସ୍ତରରେ ବିଭିନ୍ନ ବିଶ୍ୱ ବିଦ୍ୟାଳୟ ଏହି ସମ୍ପର୍କରେ ଗବେଷଣା କରୁଛନ୍ତି; ତେବେ ଆମେ ଦେଶରେ ମଧ୍ୟ କୁସଂସ୍କାର, ଅନ୍ଧବିଶ୍ୱାସ, ଗୁଣିଗାରେଡି ଆଦି ସମ୍ପର୍କରେ ବିଶ୍ୱ ବିଦ୍ୟାଳୟଗୁଡିକ ସବିଶେଷ ଗବେଷଣା କରିବା ଆବଶ୍ୟକ । ତୃଣମୂଳ ସ୍ତରର ଗୁଣିଗାରେଡି, ଗୁଣିଆ ଓ ଡାହାଣୀମାନଙ୍କ କାହାଣୀର ମୌଳିକ ଆଧାର ଓ କାରଣ ପାଇପାରିଲେ ଏହାର ପ୍ରତିକାର କରାଯାଇପାରିବ ବୋଲି ଡ. ପାଣ୍ଡେ ମତ ବ୍ୟକ୍ତ କରିଥିଲେ ।

ଆମ ରାଜ୍ୟରେ ମଧ୍ୟ ଗୁଣିଆ ଓ ଡାହାଣୀ ସନ୍ଦେହରେ ହତ୍ୟା ଓ ଅତ୍ୟାଚାର ଘଟଣା କିଛି କମ୍‍ ନୁହେଁ । ଏହି କ୍ଷେତ୍ରରେ ମୟୁରଭଞ୍ଜ, କେଉଁଝର, ସୁନ୍ଦରଗଡ, ଗଞ୍ଜାମ ଓ ରାୟଗଡା ଜିଲା୍ଲଗୁଡିକ ସବୁଠୁ ଆଗରେ ଅଛନ୍ତି ବୋଲି ବୈଜ୍ଞାନିକ ଚର୍ଚ୍ଚାର ସମ୍ପାଦକ ଦେବେନ୍ଦ୍ର ସୁତାର ମତବ୍ୟକ୍ତ କହିଥିଲେ । ସେ ଅନେକ ଏପରି କାହାଣୀର ଅନୁସନ୍ଧାନ କରିଛନ୍ତି ଏବଂ ଜମି ଓ ସମ୍ପି ହଡପ, ଯୌନ ଶୋଷଣ କରିବାରେ ବିଫଳତା, ଅସହିଷ୍ଣୁତା, ଅନ୍ଧବିଶ୍ୱାସ ଆଦି ମୂଳ କାରଣ ବୋଲି ଶ୍ରୀ ସୁତାର କହିଥିଲେ । ତେବେ ଏହି ସାମାଜିକ ସଂସ୍କାର ପ୍ରକ୍ରିୟା କେବଳ ଗୋଟିଏ ଦିନ ବା ମାସର ପ୍ରୟାସ ନୁହେଁ ବରଂ ଏହା ଏକ ସାମାଜିକ ଆନ୍ଦୋଳନରେ ପରିଣତ ହେବା ଆବଶ୍ୟକ । ଏହି ଆନ୍ଦୋଳନ ସାମାଜିକ, ସାଂସ୍କୃତିକ ଓ ଶିକ୍ଷା ଆଦି କ୍ଷେତ୍ରରେ ଜାତୀୟ ସ୍ତରରେ ହେବା ଦରକାର ବୋଲି ଭାରତ ନିର୍ବାଚନ କମିଶନଙ୍କ ପୂର୍ବତନ ଉପଦେଷ୍ଟା ଡ. ଭଗବାନ ପ୍ରକାଶ ମତ ପୋଷଣ କରିଛନ୍ତି । କୁସଂସ୍କାର, ଅନ୍ଧବିଶ୍ୱାସ ଓ ଗୁଣିଗାରେଡି ଆଦି ପାଇଁ ସାମାଜିକ ଆନ୍ଦୋଳନରେ ସତ୍ୟତା ଅନୁସନ୍ଧାନ ଦଳର ପ୍ରମୁଖ ଭୁମିକା ରହିବ ଏବଂ ସେମାନେ ପ୍ରତିଟି ଘଟଣାର ମୌଳିକ ଆଧାରକୁ ଖୋଜି ବାହାର କରି ଲୋକଲୋଚନକୁ ଆଣିପାରିଲେ ଏହା ବାସ୍ତବ ସମାଧାନ ହେବ ବୋଲି ସିୱାଇଏସ୍‍ଡିର ମାର୍ଗବର୍ଶକ ଜଗଦାନନ୍ଦ ମତ ବ୍ୟକ୍ତ କରିଥିଲେ ।

ଆମ ମାନସିକତାର ପରିର୍ବନ ପାଇଁ ଶିକ୍ଷା ବ୍ୟବସ୍ଥାରେ ଗୁଣିଗାରେଡି ଓ ଡାହାଣୀ ଆଦି ଭଳି କୁସଂସ୍କାର ସମ୍ପର୍କରେ ସଚେତନ ଧର୍ମୀ ପାଠ୍ୟକ୍ରମ ସାମିଲ କରିବା ନିମନ୍ତେ ବୁଦ୍ଧିଜୀବୀମାନେ ସୁପାରିଶ କରିଥିଲେ । ଗୁଣିଗାରେଡି ଓ ଡାହାଣୀ ପ୍ରଥା ଦୂରୀକରଣ ପାଇଁ ଶିକ୍ଷାବିତ୍‍, ସ୍ୱେଚ୍ଛାସେବୀ ସଂଙ୍ଗଠନର ପ୍ରତିନିଧି ଓ ଆଦର୍ଶବାଦୀମାନଙ୍କୁ ନେଇ ଏକ କାର୍ଯ୍ୟକାରୀ କମିଟୀ ଗଠନ କରାଯାଇଥିଲା ଏବଂ ଆଗାମୀ ଏକ ବର୍ଷର କାର୍ଯ୍ୟ ଯୋଜନା ପ୍ରସ୍ତୁତି କରିବାକୁ ନିଷ୍ପି ନିଆଯାଇଥିଲା । ଏହି କର୍ମଶାଳାରେ ଓଡିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ଉପଦେଷ୍ଟା ଡ. ବିଜୟ ସାହୁ, ମମତାର ଡ. ତରୁଲତା ଦ୍ୱିବେଦୀ ଓ ଡ. ଶ୍ରୀ ମିଶ୍ର, ବିଶିଷ୍ଟ ନୃବିଜ୍ଞାନୀ ଡ. ଲୋନା ନାୟକ, ଏନ୍‍ସିଇଆର୍‍ଟିର ଡ. ଜୋସ୍ନା ମହାପାତ୍ର, ପିଆଇବିର ପୂର୍ବତନ ଅଧିକାରୀ ସୁଧାଂଶୁ ଶେଖର ଧଡା, ଆଇନାର ସମ୍ପାଦିକା ସ୍ନେହା ମିଶ୍ର, ସାମାଜର ମୁଖ୍ୟ ସଂଯୋଜକ ସୁରେଶ ମନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *