କମିଶନର ଲୋକଙ୍କ ୩୦୦ ପ୍ରଶ୍ନର ସନ୍ତୋଷଜନକ ଉତର|

କମିଶନର ଲୋକଙ୍କ ୩୦୦ ପ୍ରଶ୍ନର ସନ୍ତୋଷଜନକ ଉତର|

ଭୁବନେଶ୍ୱର: ସୋସିଆଲ ମିଡ଼ିଆରେ ଲାଇଫ କାର୍ଯ୍ୟକ୍ରମ ମାଧ୍ୟମରେ ପୁଲିସ କମିଶନର ଟ୍ୱିନସିଟିରେ ରହୁଥିବା ଲୋକଙ୍କ ସମସ୍ୟା ବୁଝିବାକୁ ଚେଷ୍ଠା କରିଛନ୍ତି । ‘ଆକ୍ସ ୟୁଓରୋ ସିପି’ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କ ସମସ୍ୟାର ସମାଧାନ କରିବା ଦିଗରେ ମଧ୍ୟ ଅନେକ ପଦକ୍ଷେପ ନେଉଥିବା କହିଛନ୍ତି । ବିଶେଷ କରି ଅଧିକାଂଶ ପ୍ରଶ୍ନ ମହିଳାଙ୍କ ସୁରକ୍ଷା ଉପରେ ଥିବାରୁ କମିଶନର ଏହାକୁ ଗମ୍ଭୀରତାର ସହ ନେଇ ‘ଡାଏଲ-୧୦୦’ କାର୍ଯ୍ୟକ୍ରମ ସୁଦୃଢ କରିବା ସହ ଛାତ୍ରଛାତ୍ରୀଙ୍କୁ ଏସପିଓ ବା ସ୍ପେଶାଲ ପୁଲିସ ଅଫିସର ଭାବେ ନିଯୁକ୍ତି ଦେବାକୁ ଯୋଜନା କରାଯାଉଥିବା କହିଛନ୍ତି । ଦୁଇସହରରେ ମହିଳାଙ୍କ ସୁରକ୍ଷା ନେଇ ପୁଲିସ କି ପ୍ରକାର ପଦପେକ୍ଷ ଗ୍ରହଣ କରିଛନ୍ତି ପ୍ରଶ୍ନର ଉତରରେ ପୁଲିସ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ଜାନୁଆରୀ ୧ ତାରିଖରୁ ଭୁବନେଶ୍ୱରରେ ‘ଡାଏଲ-୧୦୦’ କାର୍ଯ୍ୟକ୍ରମକୁ ସୁଦୃଢ କରାଯିବ ।
ଜାନୁଆରୀ ୧୫ ସୁଦ୍ଧା କଟକରେ ଏହି କାର୍ଯ୍ୟକ୍ରମ କରାଯିବ । ଆସନ୍ତା ୩/୪ ମାସ ସୁଦ୍ଧା କଟକରେ ପୁଲିସ କଂଟ୍ରୋଲ ରୁମ କାର୍ଯ୍ୟକାରୀ କରାଯାଇ ଏହି କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯିବ । ଏଥିସହିତ ସହରରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇ ସ୍ପେଶାଲ ପୁଲିସ ଅଫିସର ବା ଏସପିଓ ଭାବେ ନିଯୁକ୍ତି କରାଯିବ । ଏଥିସହିତ ଆଇଟି ସେକ୍ଟରରେ କାମ କରୁଥିବା ମହିଳାମାନଙ୍କୁ ମଧ୍ୟ ଏସପିଓ ଭାବେ ନିଯୁକ୍ତି ଦିଆଯିବ । ସେମାନଙ୍କୁ ଦରମା ମିଳିବନି ଅଥଚ ପୁଲିସ କ୍ଷମତା ମିଳିବ । ଫଳରେ ଏଭଳି ଅପର।।ଧକୁ ରୋକାଯାଇପାରିବ ।
ଘରୋଇ ହିଂସା ରୋକିବାକୁ ପୁଲିସ କି ପ୍ରକାର ପଦକ୍ଷେପ ନେଇଛି ପ୍ରଶ୍ନର ଉତରରେ ଡ. ଷଡ଼ଙ୍ଗୀ କହିଛନ୍ତି, ନିଶା କାରବାର ଯୋଗୁଁ ଘରୋଇ ହିଂସା ବଢୁଛି । ନିଶା କାରବାର ରୋକିବାକୁ ପୁଲିସ ଯଥା ସମ୍ଭବ ଉଦ୍ୟମ କରୁଛି । ଏଥିସହିତ ଲୋକଙ୍କୁ ସଚେତନ କରାଯାଉଛି । ନିଶା କାରବାର ରୋକିବା ଓ ଲୋକେ ସଚେତନ ହେଲେ ଏଭଳି ଅପରାଧକୁ ରୋକାଯାଇପାରିବ । ସେହି ଏଭଳି ଘଟଣାର ସମାଧାନ ପାଇଁ ଦୁଇଟି ମହିଳା ଥାନା ଅଛି । ଏହାଦ୍ୱାରା ଘରୋଇ ହିଂସାକୁ ରୋକାଯାଇପାରିବ ।
ଟ୍ରାଫିକ ପରିଚାଳନକୁ କମିଶନରେଟ ପୁଲିସ ଗମ୍ଭୀରତାର ସହ ନେଇଛି । ଟ୍ରାଫିକ ଥାନାରେ ଅଭିଜ୍ଞ ପୁଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ଟ୍ରାଫିକ ଭିଡକୁ ନିୟନ୍ତ୍ରଣ କରାଯାଉଛି । ବିଶେଷ କରି ଅଟୋ ଚାଳକ ଯୋଗୁଁ ଟ୍ରାଫିକ ସମସ୍ୟା ବଢୁଛି । ତେଣୁ ପ୍ରାଥମିକସ୍ତରରେ ୬୦ଟି ସ୍ଥାନରେ ଅଟୋଷ୍ଟାଣ୍ଡକୁ ସ୍ଥାନାନ୍ତରଣ କରାଯାଇଛି । ଯେଉଁ ଅଟୋ ଚାଳକ ଟ୍ରାଫିକ ନିୟମ ଉଲଂଘନ କଲେ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେହିପରି ବିଭିନ୍ନ ସପିଙ୍ଗମଲ ଓ ବ୍ୟବସାୟୀକ ପ୍ରତିଷ୍ଠାନ ଆଗରେ ବେଆଇନ ପାର୍କିଂ ପାଇଁ ସେମାନେ ଦାୟୀ ରହିବେ । ନଚେତ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଏଥିସହିତ ଫିଙ୍କ ଅଟୋ ବନ୍ଦକୁ ନେଇ କମିଶର କହିଛନ୍ତି, ଆଇନଗତ ଅସଙ୍ଗତା ଥିବାରୁ ଏହାକୁ ସ୍ଥଗିତ ରଖାଯାଇଛି । ସେହିପରି ରଙ୍ଗରୁଟ୨୨୦ଟି ରଙ୍ଗରୁଟ ରାସ୍ତାକୁ ଚିହ୍ନଟ କରାଯାଇଛି, ସେଥିମଧ୍ୟରୁ ୩୮ଟି ଅତିସମ୍ବେଦନଶୀଳ ସ୍ଥାନ ରହିଛି । ସେଠାରେ ଯାଂଚ କରାଯିବା ସହ ସତର୍କ ଫଳକ ଲଗାଯାଇ ଲୋକଙ୍କୁ ସଚେତନ ସହ ଜୋରିମାନା ଆଦାୟ କରାଯାଇଛି । ସେହିପରି ଖୁବଶୀଘ୍ର ଲେନ ଡ୍ରାଇଭିଂକୁ କଡାକଡି କରାଯିବ । ସେହିପରି ଟ୍ରାଫିକ ଭଲେଂଟିୟରଙ୍କ ପୋଷାକରେ ପରିବର୍ତନ ସହ ଅଧିକ ସକ୍ରିୟ କରାଯିବ ।
ସେହିପରି ଲୋକଙ୍କ ପ୍ରଶ୍ନର ଉତର ଦେଇ କମିଶନର କହିଥିଲେ, ଏଣିକି ଅନଲାଇନ ଏତଲାକୁ ଗୁରୁତ୍ୱ ଦିଆଯିବ । ରାଜଧାନୀରେ ଏକ ଇ-ପୁଲିସ ଷ୍ଟେସନ ପ୍ରତିଷ୍ଠା କରିବାକୁ ନିଷ୍ପତି ନିଆଯାଇଛି । ସେହିପରି ବ୍ରିଟିଶ ଅମଳର ସାଲ୍ୟୁଟ ବ୍ୟବସ୍ଥା ଉଚ୍ଛେଦ ନେଇ ସେ ମତ ଦେଇଥିଲେ । କମିଶନର କହିଥିଲେ, ଜଣେ ପୁଲିସ କର୍ମଚାରୀ କାମ କରୁଥିବା ବେଳେ ହଠାତ ହାତଗୋଡ ଜାକି ସାଲ୍ୟୁଟ ମାରିବ କାହିଁକି? ସାଲୁଟ ବଦଳରେ ନମସ୍କାର ଓ ଗୁଡମର୍ଣ୍ଣଂ କହିବା ଦରକାର ବୋଲି ସେ ମତ ଦେଇଥିଲେ । ଏହି ଭଳି ଭାବେ କମିଶନର ଲୋକଙ୍କ ୩୦୦ ପ୍ରଶ୍ନର ସନ୍ତୋଷଜନକ ଉତର ଦେଇଥିଲେ ।

Leave a Reply

Your email address will not be published. Required fields are marked *