ଭାଜପାର ଲୋକଙ୍କ ସମସ୍ୟା ସମାଧାନ ପ୍ରତି ବେଗ କମ୍, ନିଜ ଦଳୀୟ କର୍ମୀ ଓ ନେତାଙ୍କ ଫାଇଦା ପାଇଁ ଆବେଗ ଅଧିକ – କଂଗ୍ରେସ

ଭାଜପାର ଲୋକଙ୍କ ସମସ୍ୟା ସମାଧାନ ପ୍ରତି ବେଗ କମ୍, ନିଜ ଦଳୀୟ କର୍ମୀ ଓ ନେତାଙ୍କ ଫାଇଦା ପାଇଁ ଆବେଗ ଅଧିକ – କଂଗ୍ରେସ

ଭୁବନେଶ୍ୱର ତା ୬.୧ – ଅଯୋଧ୍ୟା ରାମ ମନ୍ଦିର ଜମି ହସ୍ତାନ୍ତର ସଂପର୍କରେ ଗୋଟିଏ ଟ୍ରଷ୍ଟ ପ୍ରତିଷ୍ଠା ହୋଇ ଉକ୍ତ ଟ୍ରଷ୍ଟ ମାଧ୍ୟମରେ ଜମି ହସ୍ତାନ୍ତର କରାଯିବାର ଆଇନଗତ ବ୍ୟବସ୍ଥା କରିବା ପାଇଁ ନିକଟରେ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଦେଇଥିଲେ । ଟ୍ରଷ୍ଟ ଆଇନ୍ ଅନୁଯାୟୀ ସମସ୍ତ ଆୟ ବ୍ୟୟର ଏକ ବାର୍ଷିକ ବିବରଣୀ ପ୍ରସ୍ତୁତ ହୋଇଥାଏ । କିନ୍ତୁ ଏହି ବ୍ୟବସ୍ଥା ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ସମସ୍ତଙ୍କର ମନେଥିବ ଭାରତୀୟ ଜନତା ପାର୍ଟିର କର୍ମୀମାନେ ଗାଁ ଗାଁ ବୁଲି ରାମ ମନ୍ଦିର ନିର୍ମାଣ ପାଇଁ ଇଟା ଖଣ୍ଡେ ଓ ଟଙ୍କାଟିଏ ଆଦାୟ କରୁଥିଲେ । ସ୍ଥଳ ବିଶେଷରେ ୧୦ ଟଙ୍କା ମଧ୍ୟ ଆଦାୟ କରାଯାଉଥିଲା । ସାଧାରଣ ଲୋକେ ଭାବପ୍ରବଣତାର ଶିକାର ହୋଇ ଇଟା ଗୋଟିଏ ଓ ଟଙ୍କାଟିଏ ଏହି କର୍ମୀମାନଙ୍କୁ ଦେଇଥିଲେ । ଇଟାକୁ ମୁଣ୍ଡରେ ଲଗାଇ ସେଥିରେ ଶ୍ରୀରାମ ଲେଖୁଥିଲେ ଓ କନାଖଣ୍ଡେ ଗୁଡାଇ ଦେଉଥିଲେ । ଏ ବାବଦରେ କୋଟି କୋଟି ଇଟା ଓ କୋଟି କୋଟି ଟଙ୍କା ଆଦାୟ ହେଲା । ଆଦାୟ ହୋଇଥିବା ଏହି ଟଙ୍କା ଓ ଇଟା କୁଆଡେ ଗଲା ବୋଲି ପୂର୍ବତନ ମନ୍ତ୍ରୀ ଶ୍ରୀ ପଂଚାନନ କାନୁନ୍ଗୋ ପ୍ରଶ୍ନ କରିଛନ୍ତି । ଆଜି କଂଗ୍ରେସ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ କାନୁନ୍ଗୋ କହିଲେ ଯେ ଯେଉଁ ଭାଜପା ନେତା ଓ କର୍ମୀମାନେ ଏବେ ଗାଁ ଗାଁ ବୁଲୁଛନ୍ତି, ଜନସାଧାଣଣଙ୍କୁ ପ୍ରଥମେ ସେହିସବୁ ଇଟା ଓ ଟଙ୍କାର ହିସାବ ଦିଅନ୍ତୁ ଓ କେଉଁ ଟ୍ରାନ୍ସପୋର୍ଟ ବ୍ୟବସ୍ଥା ଦ୍ୱାରା ଏହା ଓଡିଶାରୁ ଅଯୋଧ୍ୟା ଯାଇଥିଲା ସେ ସଂପର୍କରେ ଜନସାଧାରଣଙ୍କ ମନରୁ ସନ୍ଦେହ ଦୂର କରନ୍ତୁ । କାରଣ ଅନେକଙ୍କ ମନରେ ସନ୍ଦେହ ଉପୁଜୁଛି ଯେ ଏହି ଇଟା ଭାଜପା କର୍ମୀଙ୍କ ଘରେ ଓ ଦୁଆରେ ଲାଗିଛି ।
କେତେ ଇଟା ପାଇଥିଲେ ବଡ କଥା ନୁହେଁ, ବଡ କଥା ହେଉଛି ‘ମିଥ୍ୟା ବାଂଟିବା’ ମିଛ କହି ଲୋକଙ୍କୁ ଠକିବା । ମିଛ ଓ ଠକେଇ ଅଭିଯୋଗ ସେତେବେଳେ ଆସିବ ଯେତେବେଳେ ଏହି ଇଟା ଗ୍ରହଣ ଓ ବାସ୍ତବତାର ଚିତ୍ର ପଦାକୁ ଆସିବ । ଯେଉଁମାନଙ୍କ ଅପକର୍ମ ପାଇଁ ଦେଶରେ ଅସନ୍ତୋଷ ଓ ଅଶାନ୍ତିର ବହ୍ନି ଜଳୁଛି, ସେମାନେ ଘର ଘର ବୁଲି ଲୋକଙ୍କୁ ବୁଝାଇବାକୁ ଧାଇଁଲେଣି ।
ଆଳୁ, ପିଆଜ, ଡାଲି, ତେଲ ଦର ହୁ ହୁ ବଢୁଛି । ସାଧାରଣ ଖାଉଟି ହନ୍ତସନ୍ତ ହେଉଛନ୍ତି କାହିଁକି? ଗାଁ ଗାଁରେ ବେକାରୀ ବଢୁଛି । ତା’ର ସମାଧାନ ନାହିଁ । ଗୋଟେ ଦେଶ ବିଭାଜନକାରୀ ଆଇନ୍ ସଂପର୍କରେ ଧାଇଁଛନ୍ତି କାହିଁକି? ଏହା ବିଫଳତାକୁ ଲୁଚାଇବା ପାଇଁ ନୁହେଁ ତ ବୋଲି ଶ୍ରୀ କାନୁନ୍ଗୋ ପ୍ରଶ୍ନ କରିଛନ୍ତି ।
ଉପା ସରକାର ସମୟରେ ଅର୍ନ୍ତଜାତିକ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୨୦ ରୁ ୧୩୫ ଡଲାର ଥିବାବେଳେ ଭୁବନେଶ୍ୱର ବଜାରରେ ପେଟ୍ରୋଲ ଦର ୭୧ ଟଙ୍କା ଟପି ନଥିଲା । ଏବେ ଅର୍ନ୍ତଜାତିକ ବଜାରରେ ଏହି ମୂଲ୍ୟ ୬୦ ରୁ ୭୦ ଡଲାର ମଧ୍ୟରେ ଅଛି । କିନ୍ତୁ ପେଟ୍ରୋଲ, ଡିଜେଲ, କିରୋସିନ, ଜାଳେଣି ଗ୍ୟାସ ଦର ହୁ ହୁ ବଢୁଛି । କ’ଣ ପାଇଁ ଏପରି ଘଟୁଛି? ଗରିବ ଲୋକଙ୍କୁ ଉଜ୍ଜ୍ୱଳା ବାଂଟିବା ନାମରେ ଯେଉଁ ହେରଫେର ହୋଇଛି ସେ ସଂପର୍କରେ କେନ୍ଦ୍ର ସିଏଜି ତାଙ୍କ ସଦ୍ୟ ପ୍ରକାଶିତ ରିପୋର୍ଟରେ କହି ସାରିଲେଣି । ଅନେକ ଅନିୟମିତତା ଅଛି ହଜାର ହଜାର କୋଟି ଟଙ୍କା ହେରଫେର ହୋଇଛି । ସେଥିରୁ ମୁହଁ ଫେରାଇବା ପାଇଁ ଏସବୁ କାର୍ଯ୍ୟକ୍ରମ ନୁହେଁ ତ? ଦୈନିକ ଭାରତ ବର୍ଷରେ ନାରୀ ନିର୍ଯ୍ୟାତନା ବୃଦ୍ଧି ପାଇବାରେ ଲାଗିଛି । ତା’ ବିରୁଦ୍ଧରେ ଦେଶବ୍ୟାପୀ ସଚେତନତା ସଂପର୍କ ଯାତ୍ରା ନକରି ଯେଉଁ ଆଇନ୍ ଦେଶକୁ ଭାଗ ଭାଗ କରୁଛି ତା’ର ସପକ୍ଷରେ ମିଥ୍ୟା ବାଂଟିବା ବେଳେ ଏ ସବୁର ପ୍ରଶ୍ନ ଉଠୁଛି । ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ସୁଦର୍ଶନ ଦାସ, ରଜନୀ ମହାନ୍ତି, ନୀରଦବରଣ ଖୁଂଟିଆ ଓ ଦୀପକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *