ଜାନକୀ ପଟ୍ଟନାୟକ ସରକାରଙ୍କ ଉପରେ ଗଜପତି ମହାରାଜାଙ୍କ ମନ୍ତବ୍ୟ ଦୁର୍ଭାଗ୍ୟଜନକ :ସୁରେଶ କୁମାର ରାଉତରାୟ

ଜାନକୀ ପଟ୍ଟନାୟକ ସରକାରଙ୍କ ଉପରେ ଗଜପତି ମହାରାଜାଙ୍କ ମନ୍ତବ୍ୟ ଦୁର୍ଭାଗ୍ୟଜନକ
:ସୁରେଶ କୁମାର ରାଉତରାୟ

ଭୁବନେଶ୍ୱର ତା ୧୬.୧୨ – ପୁରୀ ଗଜପତି ମହାରାଜାଙ୍କ ପ୍ରତି ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଭାରତ ବର୍ଷର ସମସ୍ତ ଜନସାଧାରଣଙ୍କର ସମ୍ମାନ ରହିଛି । ସେ ଲକ୍ଷେ ରାଜାର ମଉଡ଼ମଣି । ତାଙ୍କର ସ୍ଥାନ ସ୍ୱତନ୍ତ୍ର ଓ ବହୁ ଉଚ୍ଚରେ ବୋଲି ପୂର୍ବତନ ମନ୍ତ୍ରୀ ତଥା ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଊତରାୟ କହିଛନ୍ତି । ମାତ୍ର ପୁରୀର ବିକାଶ କେବଳ ନବୀନ ପଟ୍ଟନାୟକ ସରକାର କରିଛନ୍ତି ଏବଂ ଜାନକୀ ପଟ୍ଟନାୟକ ସରକାର କରିନାହାନ୍ତି ବୋଲି ଗଜପତି ମହାରାଜା ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହାକୁ ଶ୍ରୀ ରାଉତରାୟ ଘୋର ନିନ୍ଦା କରିଛନ୍ତି । ଶ୍ରୀ ରାଉତରାୟ ଏଠାରେ ଉଲ୍ଲେଖ କରିଛନ୍ତି ଯେ ଜାନକୀ ପଟ୍ଟନାୟକ ସରକାର ସମୟରେ ପୁରୀର ବଡ଼ଦାଣ୍ଡ ପ୍ରଶସ୍ତିକରଣ ପାଇଁ ଜବର ଦଖଲ ଉଚ୍ଛେଦ କରାଯିବା ସହ ଗମନାଗମନର ସୁବିଧା ପାଇଁ ବସଷ୍ଟାଣ୍ଡ ଓ ନୂତନ ବସର ବ୍ୟବସ୍ଥା, ପାନୀୟ ଜଳ ବ୍ୟବସ୍ଥା, ଜଳନିଷ୍କାନସନ ପାଇଁ ଡ୍ରେନେଜ ବ୍ୟବସ୍ଥା ଓ ବିଦ୍ୟୁତ ଲାଇଟ ବ୍ୟବସ୍ଥା କରାଯାଇଥିଲା । ସେହିପରି ପୁରୀରୁ କୋଣାର୍କ ପର୍ଯ୍ୟନ୍ତ ସୁନ୍ଦର ମେରାଇନ୍ ରାସ୍ତା ମଧ୍ୟ ହୋଇଥିଲା ।
“ହଜାର ଦିନରେ ହଜାର ଶିଳ୍ପ” ଯୋଜନାରେ ପୁରୀ ବେଳାଭୂମିରେ ଶହ ଶହ ହୋଟେଲ ଶିଳ୍ପ ଗଢ଼ିଉଠିଥିଲା । ଭୁବନେଶ୍ୱରରୁ ପୁରୀ ପର୍ଯ୍ୟନ୍ତ ପ୍ରଶସ୍ତିକରଣ ରାସ୍ତା ନିର୍ମାଣ ଜାନକୀ ପଟ୍ଟନାୟକ ସରକାର ସମୟରେ କରାଯାଇଥିଲା । ଅନ୍ୟପକ୍ଷରେ ନବୀନ ପଟ୍ଟନାୟକ ସରକାର ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମାନି କେତେଗୁଡ଼ିଏ ମଠ ଭାଙ୍ଗିବା, କିଛି ରାସ୍ତା ନିର୍ମାଣ କରିବା ଏବଂ ସ୍ୱର୍ଗଦ୍ୱାର ଠାରେ ଜବରଦଖଲ ଉଚ୍ଛେଦ କରିବା ଛଡ଼ା ଅନ୍ୟ କିଛି କରିନାହାନ୍ତି ବୋଲି ଶ୍ରୀ ରାଉତରାୟ ପ୍ରକାଶ କରିଛନ୍ତି ।
ଏଣୁ ଗଜପତି ମହାରାଜଙ୍କ ମନ୍ତବ୍ୟ ଜନସାଧାରଣରେ ଗ୍ରହଣୀୟ ହୋଇପାରୁନାହିଁ ବୋଲି ଶ୍ରୀ ରାଉତରାୟ କହିଛନ୍ତି ।

Leave a Reply

Your email address will not be published. Required fields are marked *