ବର୍ତମାନ ପରିସ୍ଥିତିରେ କଂଗ୍ରେସ ଦଳରେ ଦୃଢ ଶୃଙ୍ଖଳାର ଆବଶ୍ୟକତା ରହିଛି – ଡ. ଜ୍ଞାନେନ୍ଦ୍ର

ବର୍ତମାନ ପରିସ୍ଥିତିରେ କଂଗ୍ରେସ ଦଳରେ ଦୃଢ ଶୃଙ୍ଖଳାର ଆବଶ୍ୟକତା ରହିଛି – ଡ. ଜ୍ଞାନେନ୍ଦ୍ର

ଭୁବନେଶ୍ୱର ତା ୧୦.୧୨ – ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ଉପସଭାପତି ତଥା ବରିଷ୍ଠ କଂଗ୍ରେସ ନେତା
ଡ. ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଆଜି ଭୁବନେଶ୍ୱର ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଦଳ ଭିତରେ ଏ କେତେଦିନ ଭିତରେ ଚାଲିଥିବା ଦଳୀୟ ବିଶୃଙ୍ଖଳା ଉପରେ କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ କଂଗ୍ରେସ ଦଳ ଏକ ସର୍ବଭାରତୀୟ ଜାତୀୟ ଦଳ । ଯେ କୌଣସି କାର୍ଯ୍ୟକ୍ରମ ବା କାର୍ଯ୍ୟାନୁଷ୍ଠାନ କେବଳ ନିଖିଳ ଭାରତ କଂଗ୍ରେସ କମିଟିର ପ୍ରତ୍ୟେକ୍ଷ ତତ୍ୱାବଧାନରେ ହିଁ ହୋଇଥାଏ । ସଭାପତି ନିଯୁକ୍ତି ଠାରୁ ଆରମ୍ଭ କରି କର୍ମକର୍ତା ମନୋନୟନ ପର୍ଯ୍ୟନ୍ତ ସବୁକିଛି ନିଖିଳ ଭାରତ କଂଗ୍ରେସ କମିଟିର ଅଧ୍ୟକ୍ଷଙ୍କ ସ୍ୱୀକୃତିରେ ହିଁ ହୋଇଥାଏ ।
ଗତ କେତେଦିନ ହେବ କଂଗ୍ରେସ ଦଳର କିଛି ବ୍ୟକ୍ତିବିଶେଷ ଯେଉଁମାନେ ଗତ ନିର୍ବାଚନ ପରିଚାଳନାରେ ବିତସ୍ପୃହ ଥିଲେ, ବର୍ତମାନ କୌଣସି ପଦ ପଦବୀରେ ନଥାଇ ମଧ୍ୟ, ସେହିମାନେ କଂଗ୍ରେସ ଦଳର ସଭାପତି ପରିବର୍ତନ ପାଇଁ ବିଭିନ୍ନ ସମୟରେ ଗଣମାଧ୍ୟମକୁ ବିବୃତିମାନ ଦେଇ ଅଯଥା କଂଗ୍ରେସ କର୍ମୀମାନଙ୍କ ମଧ୍ୟରେ ହତାଶା ଭାବ ସୃଷ୍ଟି କରୁଛନ୍ତି । ନିଖିଳ ଭାରତ କଂଗ୍ରେସ କମିଟିର ଓଡିଶା ଦାୟିତ୍ୱରେ ଥିବା କର୍ମକର୍ତାମାନେ ବାରମ୍ବାର ପରିବର୍ତନ ହେବାର ନାହିଁ ବୋଲି ସୂଚନା ଦେବା ପରେ ମଧ୍ୟ କିଛି ସ୍ୱାର୍ଥସର୍ବସ୍ୱ ବ୍ୟକ୍ତିବିଶେଷ ଦିଲ୍ଲୀ ଯାଇ କାହାକୁ ଭେଟିଲେ ନଭେଟିଲେ ଗଣମାଧ୍ୟମରେ ସମ୍ବାଦ ସୃଷ୍ଟି କରି ନେତୃତ୍ୱର ପରାକାଷ୍ଠା ଦେଖାଇବା ପାଇଁ ଚେଷ୍ଟା କରୁଛନ୍ତି । ସେମାନେ ବୁଝିବା ଦରକାର ଯେ କଂଗ୍ରେସ ଦଳ କହିଲେ ଭୁବନେଶ୍ୱର କଟକର ମୁଷ୍ଟିମେୟ ନେତାଙ୍କୁ ବୁଝାଏ ନାହିଁ । ଲକ୍ଷ ଲକ୍ଷ କଂଗ୍ରେସ କର୍ମୀ, ପ୍ରେମୀ, ଶୁଭେଚ୍ଛୁ ଏବେବି ଗ୍ରାମାଂଚଳରେ କଂଗ୍ରେସ ଦଳକୁ ଭଲ ପାଆନ୍ତି । ବିନା କାରଣରେ ସେମାନଙ୍କ ମନ ଭିତରେ ଆଘାତ ଦେଇ ଆମେ କଂଗ୍ରେସର ଲାଭ କରୁଛେ କି କ୍ଷତି କରୁଛେ ସେକଥା ଏହି ବ୍ୟକ୍ତିମାନେ ବୁଝିବା ଉଚିତ୍ ବୋଲି ଡ. ଜ୍ଞାନେନ୍ଦ୍ର କହିଛନ୍ତି ।
ସେ ଆହୁରି କହିଛନ୍ତି ଯେ କିଛି ମହିଳା ନେତ୍ରୀ କଂଗ୍ରେସରେ କାର୍ଯ୍ୟ କରୁଛନ୍ତି ବୋଲି ବାହାବା ନେଇ ଯାଇ ଦିଲ୍ଲୀରେ ବିଜେପି ନେତ୍ରୀଙ୍କ ସହ ଫଟୋ ଉଠାଇ ସାମାଜିକ ଗଣମାଧ୍ୟମରେ ଛାଡିଛନ୍ତି । ଯାହାକୁ ଦେଖିଲା ପରେ ଜଣେ କଂଗ୍ରେସ ଦଳକୁ ଭଲ ପାଉଥିବା ବ୍ୟକ୍ତି ଭାବରେ ମୋ ଭିତରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହେଉଛି । ସେ ମା’ଭଉଣୀମାନେ ଯଦି କଂଗ୍ରେସ ଦଳରେ ରହି କାର୍ଯ୍ୟ କରିବାରେ ଇଚ୍ଛା ନାହିଁ, ମୋ ମତରେ ଦଳ ଛାଡି ଦେଇ ବିଜେପି ଦଳରେ ନିଜକୁ ସାମିଲ କରିନେବା ଉଚିତ୍ । କଂଗ୍ରେସ ଦଳରେ ରହି ଏଭଳି ଅର୍ନ୍ତଘାତୀ କାର୍ଯ୍ୟ ସାଧାରଣ କର୍ମୀମାନଙ୍କୁ ବହୁତ ବାଧୁଛି । କଂଗ୍ରେସ ଦଳ ଏକ ଶୃଙ୍ଖଳିତ ଦଳ । ଆଗାମୀ ଦିନରେ ବହୁତ କିଛି କରିବାର ଅଛି । ଦେଶର ଅର୍ଥନୀତିକୁ ବିଜେପି ଦଳ ଯେଉଁ ଅବସ୍ଥାକୁ ନେଲାଣି, ତା’ ବିରୁଦ୍ଧରେ ଜୋରଦାର ଆନ୍ଦୋଳନ ପାଇଁ କଂଗ୍ରେସ ଦଳ ଅଂଟା ଭିଡୁଥିବା ବେଳେ, ଦଳ ଭିତରେ ରହି ଅର୍ନ୍ତଘାତୀ କାର୍ଯ୍ୟକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବା ଉଚିତ୍ ନୁହେଁ ବୋଲି ସେ କହିଛନ୍ତି । ରାଜ୍ୟରେ ଗୋଟିଏ ଦଳ ୨୦ ବର୍ଷ ଶାସନରେ ରହିଲାଣି, ଦୈନିକ ମା’ଭଉଣୀଙ୍କ ଉପରେ ଅତ୍ୟାଚାର, ନିର୍ଯ୍ୟାତନା, ବଳାକ୍ରାର ସୀମା ଟପି ଯାଇଥିଲେ ମଧ୍ୟ ଆମେ ତା’ ବିରୁଦ୍ଧରେ ଦୃଢ କାର୍ଯ୍ୟକ୍ରମ ନେବା ପରିବର୍ତେ ଆମେ କଂଗ୍ରେସ ଦଳକୁ ଦୁର୍ବଳ କରିବା ପାଇଁ ଶତମୁଖ ହୋଇପଡୁଛେ । ତେଣୁ ଜଣେ କଂଗ୍ରେସ ଦଳର ତଳୁ ଉଠିଥିବା କର୍ମୀ ଭାବେ ସମସ୍ତ କଂଗ୍ରେସ ନେତୃବୃନ୍ଦଙ୍କୁ ନିବେଦନ କରିବାକୁ ଚାହେଁ, ଆସନ୍ତୁ, ପୁଣିଥରେ କଂଗ୍ରେସ ସଂଗଠନକୁ ଦୃଢ଼ୀଭୂତ କରି ପୁଣି କଂଗ୍ରେସକୁ ଓଡିଶା ଶାସନରେ ବସାଇବା ପାଇଁ ସଂକଳ୍ପ ନେବା ।

Leave a Reply

Your email address will not be published. Required fields are marked *