କେନ୍ଦ୍ରରେ ମୋଦି ମହାଶୟ ଓ ଭାରତୀୟ ଜନତା ପାର୍ଟି ଏବଂ ରାଜ୍ୟରେ ନବୀନ ବାବୁ ଓ ବିଜୁ ଜନତା ଦଳ ଓଡିଶାର ମହିଳାଙ୍କୁ ପ୍ରତାରିତ କରିଛନ୍ତି – କଂଗ୍ରେସ

କେନ୍ଦ୍ରରେ ମୋଦି ମହାଶୟ ଓ ଭାରତୀୟ ଜନତା ପାର୍ଟି ଏବଂ ରାଜ୍ୟରେ ନବୀନ ବାବୁ ଓ ବିଜୁ ଜନତା ଦଳ ଓଡିଶାର ମହିଳାଙ୍କୁ ପ୍ରତାରିତ କରିଛନ୍ତି – କଂଗ୍ରେସ

ଭୁବନେଶ୍ୱର ତା ୩.୧୨ – ଲଗାତର ଭାବେ କେନ୍ଦ୍ରରେ ୨୦୧୪ ରୁ ୨୦୧୯ ଦୀର୍ଘ ୬୬ ମାସର ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ବିଜେପି ସରକାର ଓ ରାଜ୍ୟରେ ୨୩୪ ମାସର ନବୀନ ବାବୁଙ୍କ ନେତୃତ୍ୱ ବିଜୁ ଜନତା ଦଳ ସରକାର ମହିଳାମାନଙ୍କୁ ନିରାପତା, ସୁରକ୍ଷା ଓ ସାମାଜିକ ଅଧିକାର ଦେବାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି । ୨୦୧୭-୨୦୧୯ ମସିହା ମଧ୍ୟରୁ ସାରା ଦେଶରେ ପାଖାପାଖି ୩୨,୨୬୫ ଜଣ ଶିଶୁ, ନାବାଳିକା ଓ ମହିଳାମାନେ ନାରୀ ନିର୍ଯ୍ୟାତନା, ଦୁଷ୍କର୍ମ ଓ ଗଣଦୁଷ୍କର୍ମର ଶିକାର ହେବା ଘଟଣା ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ପାରିବା ପଣିଆ ପ୍ରତି ଗଭୀର ପ୍ରଶ୍ନବାଚୀ ସୃଷ୍ଟି କରିଛି । ୨୦୧୨ ମସିହାର ନିର୍ଭୟା କାଣ୍ଡ ସାରା ଦେଶରେ ଗଭୀର ଆଲୋଡନ ସୃଷ୍ଟି କରିଥିବା ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଆଇନ୍ଗତ ଦୃଷ୍ଟିରୁ ଗମ୍ଭୀରତାର ସହ ପଦକ୍ଷେପ ଗ୍ରହଣ ନକରିବା ଉଭୟ ସଂସଦ ଓ ବିଧାନସଭା ଭିତରେ ଏବଂ ବାହାରେ ଗଭୀର ରେଖାପାତ ସୃଷ୍ଟି କରୁଛି । ନବୀନ ବାବୁଙ୍କ ଚତୁର୍ଥ ପାଳିର ସରକାରରେ ତକ୍ରାଳୀନ ମହିଳା ଓ ବାଳବିକାଶ ମନ୍ତ୍ରୀ ଉଷା ଦେବୀ ଓଡିଶା ବିଧାନସଭାରେ ଦେଇଥିବା ବକ୍ତବ୍ୟ ସ୍ପଷ୍ଟ ସହମତ ପ୍ରକାଶ କରୁଛି ଯେ ୧୫ ରୁ ୪୯ ବର୍ଷର ମହିଳାଙ୍କ ମଧ୍ୟରୁ ୪୨ ପ୍ରତିଶତ ମହିଳାଙ୍କ ସହିତ ଦୁଷ୍କର୍ମ ହେଉଛି । ସାରା ଦେଶରେ ୨୦୧୮ ମସିହାରୁ ୨୦୧୯ ମସିହା ମଧ୍ୟରେ ୭.୫ ପ୍ରତିଶତ ଦୁଷ୍କର୍ମ ବୃଦ୍ଧି ପାଇବା ଆମ ସମସ୍ତଙ୍କ ପାଇଁ ଚିନ୍ତା ଓ ପରିତାପର ବିଷୟ ପାଲଟିଛି । ନିଜକୁ ମହିଳାମାନଙ୍କର ତ୍ରାଣକର୍ତା ଭାବରେ ଅଭିହିତ କରୁଥିବା ନବୀନ ବାବୁ ୫ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାପରେ ଦୟାକରି ଉତର ଦେବେକି ଯେ ରାଜ୍ୟରେ ମା’ ଭଉଣୀମାନଙ୍କ ଉପରେ ବର୍ବରୋଚିତ ଆକ୍ରମଣ ତଥା ବିଭିନ୍ନ ପ୍ରକାର ଅତ୍ୟାଚାର ଓ ଶୋଷଣ କାହିଁକି ଅତିମାତ୍ରାରେ ବଢି ଚାଲିଛି? ଓଡିଶା କଂଗ୍ରେସକୁ ଓ ରାଜ୍ୟବାସୀଙ୍କୁ ନବୀନ ବାବୁଙ୍କୁ ଉତର ଦେବାକୁ ହିଁ ହେବ । ଇତିଶ୍ରୀ, କୁନ୍ଦୁଲି ପୀଡିତା, ବେବିନା, ମାଧବୀଲତା, ନିହାରିକା, ସ୍ମିତାରାଣୀ, ରାଇରଙ୍ଗପୁର ମହାବିଦ୍ୟାଳୟର ଅଧ୍ୟାପିକା ଆତ୍ମହତ୍ୟା ଘଟଣା ହେଉ ଅବା ଗତକାଲିର ଆଧ୍ୟାତ୍ମିକ ନଗରୀ ପୁରୀଠାରେ ନାବାଳିକାକୁ ଗଣଦୁଷ୍କର୍ମ ପ୍ରସଙ୍ଗ ହେଉ, ପ୍ରତ୍ୟେକଟି ଘଟଣାରେ ନବୀନ ବାବୁ ଏତେ ଅସହାୟ, ଗୁମ୍ସୁମ୍, ଖାମୋସ୍ ଆଉ ନୀରବ କାହିଁକି? ୨୦୧୪ ରୁ ୨୦୧୭ ମଧ୍ୟରେ କେବଳ ଓଡିଶାରେ ୪୭୪୯ ଜଣ ନାବାଳିକାଙ୍କ ସହିତ ବଳାକ୍ରାର ଓ ୩୮୫ ଜଣଙ୍କ ସହିତ ସାମୂହିକ ବଳାକ୍ରାର ପାଇଁ ଦାୟୀ କିଏ? ଓଡିଶାରେ ପ୍ରତିଦିନ ୮ ଜଣ ମହିଳାଙ୍କ ସହିତ ବଳାକ୍ରାର ହେଉଥିବା ବେଳେ ଦେଶରେ ପ୍ରତି ୧୫ ମିନିଟ୍ରେ ଜଣେ ମହିଳା ବଳାକ୍ରାରର ଶିକାର ହେବା ଘଟଣା ପ୍ରମାଣିତ କରୁଛି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନିଜ ଦାୟିତ୍ୱ ସଂପାଦନ କରିବାରେ ଓ ମହିଳାଙ୍କୁ ସୁରକ୍ଷା ଦେବାରେ ସଂପୂର୍ଣ୍ଣ ଅସହାୟ ଓ ବ୍ୟର୍ଥ ହୋଇଛନ୍ତି । ଭାରତୀୟ ପେନାଲକୋର୍ଟ ଧାରା ୩୫୪କ (ଯୌନ ନିର୍ଯ୍ୟାତନା) ଅନୁସାରେ ଓଡିଶା ବଳାକ୍ରାର ହାରରେ ସାରା ଦେଶରେ ଦ୍ୱିତୀୟ ସ୍ଥାନରେ ରହିଛି (୮୨୫୨/ଅପରାଧ ହାର ୩୯.୧) ଯେଉଁଥିରେ କି ଦିଲ୍ଲୀ ପ୍ରଥମ ସ୍ଥାନରେ (ଅପରାଧ ହାର ୪୩.୬) । ମହିଳା ଅପହରଣ ସଂଖ୍ୟା ୨୦୧୪ ରେ ୫୭୩୧୧ ଥିଲାବେଳେ ୨୦୧୫ ରେ ୫୯୨୭୭ କୁ ବୃଦ୍ଧି ପାଇ ୨୦୧୯ ର ପରିସଂଖ୍ୟାନ କେତେ ହେଇଥିବ ତାହା ସହଜରେ ଅନୁମେୟ । ୨୦୧୫ ତଥ୍ୟ ଅନୁଯାୟୀ ଯୌତୁକ ନିର୍ଯ୍ୟାତନା ଓ ଅପହରଣର ପାଖାପାଖି ୫୪ ପ୍ରତିଶତ ଜବରଦସ୍ତି ବିବାହ କ୍ଷେତ୍ରରେ ଓଡିଶା ସାରା ଦେଶରେ ଚତୁର୍ଥ ସ୍ଥାନରେ ରହିଛି । ୨୦୧୭ ମସିହାରେ ୫୫୬୨ ଯୌତୁକ ଜନିତ ମାମଲା ଦାୟର ହୋଇଥିବା ଯାହା ମଧ୍ୟରୁ ୪୯୯ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୧୨୫ଟି ଯୌତୁକ ଜନିତ ଆତ୍ମହତ୍ୟା ମାମଲା ତଥା ୩୨୩୦ଟି ଯୌତୁକ ନିର୍ଯ୍ୟାତନା ମାମଲା ଓଡିଶା ପୋଲିସ ଦ୍ୱାରା ରେକର୍ଡଭୁକ୍ତ ହୋଇଛି । ଏକ ତୃତୀୟାଂଶ ମହିଳାଙ୍କର ନାବାଳିକା ବୟସରେ ବିବାହ ଘଟଣା କୁପୋଷଣକୁ ବଢାଇବା ସହିତ ଶିଶୁ ମୃତ୍ୟୁହାର ଓ ମାତୃ ମୃତ୍ୟୁହାରର ମୁଖ୍ୟ କାରଣ ହୋଇଛି । ସାରା ଦେଶର ଅବସ୍ଥା କ’ଣ ଥିବ ମାନ୍ୟବର ପ୍ରଧାନମନ୍ତ୍ରୀ ଓ ମାନ୍ୟବର କେନ୍ଦ୍ର ମହିଳା ବାଳବିକାଶଙ୍କ ମନ୍ତ୍ରୀଙ୍କୁ ସଂସଦ ଭିତରେ ଦେଶବାସୀଙ୍କୁ ଜବାବ ଦେବାକୁ ହେବ । ଏଥିରୁ ସ୍ପଷ୍ଟ ଅନୁମାନ ଉଭୟ କେନ୍ଦ୍ର ଓ ରାଜ୍ୟର ମହିଳା ଶିଶୁ ବିକାଶ ବିଭାଗ କରୁଛି କ’ଣ? ପ୍ରକାଶଥାଉକି ହରିଦାସପୁର ଗ୍ରାମ ପଂଚାୟତର ପିଇଓ ସ୍ୱର୍ଗତା ସ୍ମିତାରାଣୀ ବିଶ୍ୱାଳଙ୍କ ପ୍ରସଙ୍ଗକୁ ନେଇ ସାରା ରାଜ୍ୟରେ ଗଭୀର ଆଲୋଡନ ସୃଷ୍ଟି ହୋଇଥିବା ବେଳେ ମାନନୀୟ ମୁଖ୍ୟମନ୍ତ୍ରୀ ଏହାକୁ ଏକ ସ୍ପର୍ଶକାତର ବିଷୟ ପ୍ରସଙ୍ଗ ଉଠାଇ ରାଜନୀତି ନକରିବାକୁ ଗଣମାଧ୍ୟମରେ ବିବୃତି ଦେଇଥିବା ବେଳେ ସ୍ୱର୍ଗତା ଅଧ୍ୟାପିକା ଓ ଗତକାଲିର ପୁରୀ ଠାରେ ପୋଲିସ ବିଭାଗର ନିଲମ୍ବିନ ହୋଇଥିବା କନେଷ୍ଟବଳ ଜିତେନ୍ଦ୍ର ସେଠୀ ଓ ତାଙ୍କର ସାଥିମାନେ ରକ୍ଷକ ହୋଇ ଭକ୍ଷକର ଉଦାହରଣ ରାଜ୍ୟ ସରକାରଙ୍କର ୫ଞି ପ୍ରତି ବାରମ୍ବାର ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏପଟେ ବିଧାନସଭାର ନିର୍ଦ୍ଦିଷ୍ଟ କାର୍ଯ୍ୟଦିବସର ୧୭ ଦିନ ପୂର୍ବରୁ ବିଧାନସଭାକୁ ବନ୍ଦ କରି ଗଣତନ୍ତ୍ର ପ୍ରତି ରାଜ୍ୟ ସରକାର ଚରମ ଉପହାସ କରିଛନ୍ତି । ସେପଟେ ତେଲେଙ୍ଗାନାର ହାଇଦ୍ରାବାଦ ଠାରେ ପ୍ରାଣୀ ଚିକିତ୍ସିକା ସ୍ୱର୍ଗତା ପ୍ରିୟଙ୍କା ରେଡ୍ଡୀଙ୍କ ଘଟଣାକୁ ନେଇ ସାରା ଦେଶରେ ଗଭୀର ଆଲୋଡନ ଓ କ୍ଷୋଭ ସୃଷ୍ଟି ହୋଇଥିବା ବେଳେ ସଂସଦ ଭିତରେ ୨୦୧୨ ମସିହା ନିର୍ଭୟା କାଣ୍ଡରେ ସଂପୃକ୍ତ ଦୋଷୀମାନଙ୍କୁ କେନ୍ଦ୍ରର ବିଜେପି ସରକାର ନିସର୍ତ ଛାଡିଦେବା ପାଇଁ ମହାକ୍ଷମାର ଚକ୍ରାନ୍ତକୁ ଦେଶବାସୀ କଦାପି ଗ୍ରହଣ କରିବେ ନାହିଁ ବୋଲି ରାଜ୍ୟ କଂଗ୍ରେସ ଚିନ୍ତାପ୍ରକଟ କରିଛି । ଦୈନନ୍ଦିନ ଆଖିଆଗରେ ଏପରି ଘଟଣା ସଂଗଠିତ ହେଉଥିବାରୁ ନବୀନ ବାବୁଙ୍କ ସ୍ଲୋଗାନ “ଆପଣମାନେ ଖୁସି ତ” କେତେଦୂର ଯୁକ୍ତି ସଂଗତ ତାହାର ଉତର କେବଳ ନବୀନବାବୁ ହିଁ ଦେଇପାରିବେ । ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ପୁରୀର ଏହି ଅଭାବନୀୟ ଲଜ୍ଜା ଘଟଣାକୁ ନେଇ ଶତାଧିକ କଂଗ୍ରେସ ନେତୃମଣ୍ଡଳୀ ନବୀନ ନିବାସ ଘେରାଉ, ଗିରଫ ଘଟଣା ଓ ଆଜି ପ୍ରଦେଶ ଛାତ୍ର କଂଗ୍ରେସ ତରଫରୁ ପୁନର୍ବାର ଘେରାଉ ଓ ଗିରଫ ଘଟଣା ସ୍ପଷ୍ଟ ପ୍ରମାଣ କରୁଛି ରାଜ୍ୟରେ କଂଗ୍ରେସର ୯ଟି ବିଧାୟକ ଥିଲେ ମଧ୍ୟ ଅସଲି ବିରୋଧି ଦଳର ଭୂମିକା କଂଗ୍ରେସ ଦଳ ନିଭେଇବାରେ କଂଗ୍ରେସ ପଛଘୁଂଚା ଦେଇନାହିଁ । କେନ୍ଦ୍ରାଂଚଳ ଆଇଜି ୨୦ ଦିନ ଭିତରେ ସ୍ୱତନ୍ତ୍ର ଫାଷ୍ଟଟ୍ରାକ୍ କୋର୍ଟ ମାଧ୍ୟମରେ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ଘଟଣା ଚରିତାର୍ଥ ନକଲା ପର୍ଯ୍ୟନ୍ତ ସାରା ରାଜ୍ୟରେ ଶ୍ରୀଯୁକ୍ତ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଆନ୍ଦୋଳନକୁ ତୀବ୍ରତର କରାଯିବା ପାଇଁ ନିଷ୍ପତି ନିଆଯାଇଛି । ଦରକାର ପଡିଲେ ପୁରୀ ସମେତ ସାରା ଓଡିଶା ବନ୍ଦ ଡାକରା ଦେବା ପାଇଁ କଂଗ୍ରେସ ପଛଘୁଂଛା ଦେବନାହିଁ । ପୁରୀ ନାବାଳିକା ଗଣଦୁଷ୍କର୍ମ ଘଟଣାକୁ ନେଇ ପିସିସି ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ଏକ ୭ଜଣିଆ ତଥ୍ୟଅନୁଧ୍ୟାନକାରୀ କମିଟି ଗଠନ କରିଛନ୍ତି । ଉକ୍ତ କମିଟିରେ ପ୍ରାକ୍ତନମନ୍ତ୍ରୀ ଶ୍ରୀମତୀ ବିଜୟଲକ୍ଷ୍ମୀ ସାହୁ, ପ୍ରାକ୍ତନ ଆଇଜି ବଟକୃଷ୍ଣ ତ୍ରିପାଠୀ, ବରିଷ୍ଠ ଆଇନ୍ଜୀବୀ ଶିବାନନ୍ଦ ରାୟ, ବରିଷ୍ଠ କଂଗ୍ରେସ ନେତା ସତ୍ୟପ୍ରକାଶ ନାୟକ, ଶ୍ରୀମତୀ ବନ୍ଦିତା ପରିଡା, ସୁଦର୍ଶନ ଦାସ ଓ ଶ୍ରୀମତୀ ରଶ୍ମି ମହାପାତ୍ର ରହିଛନ୍ତି । ଖୁବ୍ଶୀଘ୍ର କମିଟି ଘଟଣାସ୍ଥଳ ଗସ୍ତ କରି ପିସିସି ସଭାପତିଙ୍କୁ ତଥ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ରହିଛି । ବାରମ୍ବାର ଏପରି ଘଟଣା ରାଜ୍ୟରେ ଘଟୁଥିବା ବେଳେ ଶାସକ ଦଳର ମହିଳା ସାଂସଦ, ବିଧାୟିକା ଓ ଏପରିକି ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷା ଓ ସଦସ୍ୟାମାନଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ବ୍ୟଥିତ କରୁଛି ବୋଲି ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ପ୍ରାକ୍ତନ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ବିଜୟଲକ୍ଷ୍ମୀ ସାହୁ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ଶ୍ରୀ ପଦ୍ମାକର ଗୁରୁ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *