ଦୁଇ ଭଉଣୀଙ୍କ ଦୁଃସାହସିକ କାର୍ଯ୍ୟପାଇଁ ବିଭିନ୍ନ ଅନୁଷ୍ଠାନ, ପ୍ରଶାସନ ତରଫରୁ ସେମାନଙ୍କୁ ସମ୍ବର୍ଦ୍ଧିତ!

ଦୁଇ ଭଉଣୀଙ୍କ ଦୁଃସାହସିକ କାର୍ଯ୍ୟପାଇଁ ବିଭିନ୍ନ ଅନୁଷ୍ଠାନ, ପ୍ରଶାସନ ତରଫରୁ ସେମାନଙ୍କୁ ସମ୍ବର୍ଦ୍ଧିତ!

ଭୁବନେଶ୍ୱର:କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ବତୀଘର ନିପାଣିଆ ଠାରେ ୨୦୧୯ ପ୍ରାରମ୍ଭରେ ଘଟିଥିବା ପିକନିକ୍ ଡଙ୍ଗାବୁଡ଼ି ଘଟଣାରେ ଅପୂର୍ବ ସାହସିକତା ଦେଖାଇ ବହୁ ଲୋକଙ୍କ ଜୀବନ ଉଦ୍ଧାର କରିଥିବା ସବିତା ଗିରି ଓ ପୂର୍ଣ୍ଣିମା ଗିରିଙ୍କୁ ଜାତୀୟ ସାହସିକତା ପୁରସ୍କାର ସମ୍ମାନ ପାଇଁ ମନୋନୀତ କରାଯାଇଛି I ଏହି ପୁରସ୍କାର ଉତ୍ସବରେ ଯୋଗ ଦେବା ଲାଗି ଦୁଇ ଭଉଣୀଙ୍କ ନିକଟକୁ ଇଣ୍ଡିଆନ୍ କାଉନସିଲ ଫର ଚିଲଡ୍ରେନ୍ ୱେଲଫେୟାର ପକ୍ଷରୁ ଚିଠି ଆସିଛି। ଆସନ୍ତା ଜାନୁଆରୀରେ ନୂଆଦିଲ୍ଲୀରେ ଏହି ସାହସିକତା ପୁରସ୍କାର ଦିଆଯିବ। ଏଥିପାଇଁ ଦୁଇ ଭଉଣୀଙ୍କୁ ଆବଶ୍ୟକ ଡକ୍ୟୁମେଣ୍ଟ ପ୍ରସ୍ତୁତି ସହ ନୂଆଦିଲ୍ଲୀ ଯିବାକୁ ନିମନ୍ତ୍ରଣ କରାଯାଇଥିବା କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ଠାରୁ ସୂଚନା ମିଳିଛି।

ଗତ ଜାନୁଆରୀ ମାସ ୨ ତାରିଖରେ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ହଂସିଣା ଗ୍ରାମରୁ ୫୦ରୁ ଉର୍ଦ୍ଧ୍ବ ଲୋକ ସପରିବାର ପିକନିକ୍ ପାଇଁ ଐତିହାସିକ ହୁକିଟୋଲା ଯାଇ ଫେରିବା ସମୟରେ ବତୀଘର ପଞ୍ଚାୟତ ନିପାଣିଆ ନିକଟରେ ଭାରସାମ୍ୟ ହରାଇ ଡଙ୍ଗା ବୁଡିଯାଇଥିଲା । ଏହି ଦୂର୍ଘଟଣା ରେ ୭ ଜଣ ଛୋଟ ପିଲାଙ୍କ ସହ ୧୦ ଜଣଙ୍କର ମୃତ୍ୟୁ ଘଟିଥିଲା। ଅନ୍ଧାର ରାତିରେ ବୁଡିଯାଉଥିବା ଲୋକମାନଙ୍କର ଆର୍ତ ଚିତ୍କାର ଶୁଣି ଘରେ ପାଠପଢୁଥିବା ବୁଦ୍ଧଦେବ ଗିରିଙ୍କ ଝିଅ ସବିତା ଓ ଉତ୍ତମ ଗିରିଙ୍କ ଝିଅ ପୂର୍ଣ୍ଣିମା ନଦୀ ମଧ୍ୟକୁ ଡେଇଁପଡି ଜଣକ ପରେ ଜଣେ ୧୨ ଜଣକୁ ଉଦ୍ଧାର କରି ନୂଆ ଜୀବନ ଦେଇଥିଲେ । ସଂପର୍କୀୟ ଦୁଇ ଭଉଣୀଙ୍କ ଦୁଃସାହସିକ କାର୍ଯ୍ୟପାଇଁ ବିଭିନ୍ନ ଅନୁଷ୍ଠାନ, ପ୍ରଶାସନ ତରଫରୁ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *