ୟୁନିଟ-୩ ପ୍ରଦର୍ଶନୀ ପଡ଼ିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ

ଜାତୀୟସ୍ତରର ହସ୍ତତନ୍ତ ଓ କୁଟୀର ଶିଳ୍ପ ମେଳା ‘ଶିଶିର ସରସ’ ୟୁନିଟ-୩ ପ୍ରଦର୍ଶନୀ ପଡ଼ିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛଥି।

ମେଳାରେ କନ୍ଧମାଳ ହଳଦୀ, ସବାଇ ଘାସ ଚାଙ୍ଗୁଡ଼ି କିଣିଲେ ନବୀନ

ଭୁବନେଶ୍ୱର: ଭୁବନେଶ୍ୱରରେ ଜାତୀୟସ୍ତରର ହସ୍ତତନ୍ତ ଓ କୁଟୀର ଶିଳ୍ପ ମେଳା ‘ଶିଶିର ସରସ’ ୟୁନିଟ-୩ ପ୍ରଦର୍ଶନୀ ପଡ଼ିଆରେ ଶନିବାର ସନ୍ଧ୍ୟାରେ ଆରମ୍ଭ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଥିଲେ, ଏହି ମେଳା ହସ୍ତତନ୍ତ ଓ କୁଟୀର ଶିଳ୍ପକୁ ସମୃଦ୍ଧ କରିବ ।

ସେ ମେଳା ବୁଲିବା ସହ ଦାରିଙ୍ଗିବାଡ଼ିରୁ ଆସିଥିବା ଏକ ସ୍ୱୟଂ ସହାୟକ ଗୋଷ୍ଠୀ(ଏସଏଚଜି)ଙ୍କଠାରୁ ୫୦ଟଙ୍କା ଦେଇ ଅଧ କିଲୋ ହଳଦୀ କିଣିଥିଲେ ।

ପରେ ବାରିପଦାରୁ ଆସିଥିବା ଜୟନ୍ତୀ ମହାନ୍ତିଙ୍କଠାରୁ ସବାଇ ଘାସର ଫୁଲ ଚାଙ୍ଗୁଡ଼ି କିଣିଥିଲେ । ପକେଟରୁ ୧୦୦ଟଙ୍କିଆ ଦୁଇ ଖଣ୍ଡ ନୋଟ୍ ବାହାର କରି ଦେଇଥିଲେ ।

ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ, ଆଇନ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ପ୍ରତାପ ଜେନା ସମ୍ମାନିତ ଅତିଥି ଭାବେ ମେଳାରେ ଯୋଗ ଦେଇଥିଲେ ।

ଆସନ୍ତା ୧୪ଜାନୁଆରୀ ପର୍ଯ୍ୟନ୍ତ ଦୀର୍ଘ ୧୧ ଦିନ ବ୍ୟାପୀ ଚାଲିବାକୁ ଥିବା ଏହି ମେଳାରେ ଖୋଲିଥିବା ୩୦୦ଷ୍ଟଲରୁ ଅନେକ ରାଜ୍ୟ ବାହାରୁ ଆସିଛନ୍ତି । ୨୫ଟି ରାଜ୍ୟର ବିଭିନ୍ନ ସାମଗ୍ରୀ ଏଠାରେ ପ୍ରଦର୍ଶିତ ହେଉଛି ।

ଆମ ରାଜ୍ୟର ପ୍ରାୟ ସବୁ ଜିଲ୍ଲାରୁ ବିଭିନ୍ନ ହସ୍ତତନ୍ତ ଓ କୁଟୀର ଶିଳ୍ପ ସାମଗ୍ରୀ ସ୍ଥାନ ପାଇଛି । ଏସଏଚଜିଙ୍କ ଦ୍ୱାରା ଉତ୍ପାଦିତ ଦ୍ରବ୍ୟ ଓ ସାମଗ୍ରୀ ବିକ୍ରିର ବ୍ୟବସ୍ଥା ହୋଇଛି ।

ମେଳାରେ ଉତ୍ତର ପୂର୍ବ ରାଜ୍ୟର ବାଉଁଶ ଶିଳ୍ପ ସାମଗ୍ରୀ, ଘରସଜ୍ଜା ସାମଗ୍ରୀ, ଶୀତପୋଷାକ, ଉତ୍ତରପ୍ରଦେଶର ହସ୍ତତନ୍ତ, ସିଲକ୍ ଓ ରଟ୍ ଆଇରନ ସାମଗ୍ରୀ, ମଧ୍ୟପଦେଶ ଓ ଛତିଶଗଡ଼ର ଟସର କପଡ଼ା ଏବଂ ଲୁଗା, ରାଜସ୍ଥାନ, ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁର ହସ୍ତତନ୍ତ ଓ ଘରକରଣା ସାମଗ୍ରୀ, ପଞ୍ଜାବର ଫୁଲକରୀ ପୋଷାକ ଓ ଜମ୍ମୁକାଶ୍ମୀରର ଶୀତ ପୋଷାକ ବିକ୍ରି ହେଉଛି ।

ମେଳାରେ ଏକ ଫୁଡ୍ କୋର୍ଟ ମଧ୍ୟ ଖୋଲିଛି । ରାଜ୍ୟର ପ୍ରସିଦ୍ଧ କେନ୍ଦ୍ରାପଡ଼ା ରସାବଳୀ, ବାରିପଦା ମୁଢ଼ି-ମାଂସ ଓ ୮ଟି ରାଜ୍ୟର ଖାଦ୍ୟ ସାମଗ୍ରୀ ଏଠାରେ ମିଳୁଛି ।

ଉଦଘାଟନୀ କାର୍ଯ୍ୟକ୍ରମରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ସୁଶାନ୍ତ କୁମାର ରାଉତ, ଅନନ୍ତ ନାରାୟଣ ଜେନା, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ ଦେଓରଞ୍ଜନ କୁମାର ସିଂହ, ମିଶନ ଶକ୍ତି ନିର୍ଦ୍ଦେଶିକା ସୁଜାତା ଆର୍ କାର୍ତ୍ତିକେୟନ୍, ଓରମାସ୍ ସିଇଓ ସ୍ମୃତିରଞ୍ଜନ ପ୍ରଧାନ, ପଞ୍ଚାୟତିରାଜ ବିଭାଗ ଯୁଗ୍ମ ସଚିବ ସ୍ୱଂୟପ୍ରଭା ମହାନ୍ତି ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *