ସିଫାରେ ଭର୍ଚୁଆଲ ଜାତୀୟ ମତ୍ସ୍ୟଚାଷୀ ଦିବସ

ସିଫାରେ ଭର୍ଚୁଆଲ ଜାତୀୟ ମତ୍ସ୍ୟଚାଷୀ ଦିବସ

ଭୁବନେଶ୍ୱର/୧୦.୦୭.୨୦୨୦: ନୂତନ କୋଭିଡ-୧୯ ଯୁଗ ସହ ତାଳଦେଇ କୌଶଲ୍ୟାଗଙ୍ଗ ସ୍ଥିତ କେନ୍ଦ୍ରୀୟ ମଧୁର ଜଳଜୀବ ପାଳନ ସଂସ୍ଥାରେ ବିଂଶତମ ଜାତୀୟ ମତ୍ସ୍ୟଚାଷୀ ଦିବସ ତଥା ବୈଜ୍ଞାନିକ-କୃଷକ ଭାବ ବିନିମୟ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଆଜି ପାଳିତ ହୋଇଯାଇଛି । ସିଫାର ନିର୍ଦ୍ଦେଶକ ଡଃ ସରୋଜ କୁମାର ସ୍ୱାଇଁ ସ୍ୱାଗତ ଅଭିଭାଷଣ ଦେବାସହ ଜାତୀୟ ମତ୍ସ୍ୟଚାଷୀ ଦିବସର ଗୁରୁତ୍ୱ ଉପରେ ଆଲୋକପାତ କରି ମଧୁର ଜଳ କୃଷି ପାଇଁ ସିଫାର ଅବଦାନ ସଂପର୍କରେ ବକ୍ତବ୍ୟ ଦେଇଥିଲେ । ମୁଖ୍ୟ ଅତିଥିଭାବେ ଭାରତୀୟ କୃଷି ଅନୁସନ୍ଧାନ ପରିଷଦର ଉପମହାନିର୍ଦ୍ଦେଶକ ଡଃ ଜେ. କେ. ଜେନା ଏହି ଭର୍ଚୁଆଲ ଇଭେଂଟରେ ଯୋଗଦାନ କରି ମତ୍ସ୍ୟ ଗବେଷଣା ଅନୁଷ୍ଠାନଗୁଡ଼ିକ କୋଭିଡ-୧୯ ପରି ପ୍ରତିକୂଳ ପରିସ୍ଥିତିରେ ମତ୍ସ୍ୟଚାଷୀ ମାନଙ୍କୁ ବୈଷୟିକ ଜ୍ଞାନକୌଶଳ ଯୋଗାଇ ଦେଉଛନ୍ତି ବୋଲି ପ୍ରକାଶ କରିଥିଲେ । ବିଶ୍ୱ ମହାମାରୀ ଭଳି ପରିସ୍ଥିତିରେ କିପରି କୃଷକମାନଙ୍କ ସମସ୍ୟାର ସମାଧାନ କରାଯାଇପାରିବ ସେ ସଂପର୍କରେ ଗବେଷକ ମାନେ ନୂତନ ରଣକୌଶଳ ଆପଣେଇବାକୁ ଆହ୍ୱାନ କରିଥିଲେ । ଏହି ଅବସରରେ ଡଃ ଜେନା କୃଷକମାନଙ୍କ ସହାୟତା ନିମନ୍ତେ ନୂତନ ହେଲ୍ପଲାଇନ୍ ହ୍ୱାଟ୍ସଅପ୍ (ନଂ.୭୭୯୦୦୦୭୭୯୭) ଓ ଇ-ମେଲ୍ (ବଗ୍ଦଳ.ମସଲବଅସମବକ୍ସ.ଶକ୍ଟଙ୍ଖ.ସଦ୍ଭ) ଉନ୍ମୋଚନ କରି କୃଷକମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ । ସିଫାର ପୂର୍ବତନ ନିର୍ଦ୍ଦେଶକ ତଥା କେନ୍ଦ୍ରୀୟ ମତ୍ସ୍ୟ ଶିକ୍ଷା ସଂସ୍ଥାନର ପ୍ରାକ୍ତନ କୁଳପତି ଡଃ ଏସ୍‌. ଡି. ତ୍ରିପାଠୀ ଅଧୁନା ମତ୍ସ୍ୟ ଓ ଜଳକୃଷିରେ ସଂକ୍ରମିତ ଜୀବମାନଙ୍କ ପ୍ରତି ଥିବା ବିପଦ ଉପରେ ଗୁରୁତ୍ୱାରୋପ କରିଥିଲେ । ସିଫାର ପୂର୍ବତନ ନିର୍ଦ୍ଦେଶକ ଡଃ ନିରଞ୍ଜନ ଷଡ଼ଙ୍ଗୀ କରୋନା ପରି ପ୍ରତିକୂଳ ପରିସ୍ଥିତିରେ ମାଛ ଚାଷ ଓ ତାର ନିରାପତା ଉପରେ ଜନ ସଚେତନତା ସୃଷ୍ଟି ପାଇଁ ଆହ୍ୱାନ ଦେଇଥିଲେ । ୧୦ ଜଣ ଅଗ୍ରଣୀ ମତ୍ସ୍ୟଚାଷୀ ବିଷାରଦ ସଦସ୍ୟ ଓ ସଂସ୍ଥାନର ପ୍ରବୀଣ ବୈଜ୍ଞାନିକ ମାନେ ଉକ୍ତ ଭର୍ଚୁଆଲ ବୈଠକରେ ଯୋଗଦାନ କରି କୃଷକମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଆନ୍ଧ୍ରପ୍ରଦେଶ ରାଜ୍ୟ କୃଷି ମିଶନର ଉପାଧ୍ୟକ୍ଷ ତଥା ଅଗ୍ରଣୀ କୃଷକ ଶ୍ରୀଯୁକ୍ତ ଏମ୍‌.ଭି.ଏସ୍‌. ନାଗି ରେଡ୍ଡୀ ଦେଶରେ ମତ୍ସ୍ୟ ଉତ୍ପାଦନର ବୃଦ୍ଧି କରିବାକୁ ହେଲେ ବିଭିନ୍ନ କ୍ଷେତ୍ରରେ ମାଛର ବ୍ୟବହାର ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଭର୍ଚୁଆଲ ବୈଠକରେ ଯୋଗଦାନ କରିଥିବା ବ୍ୟକ୍ତି ବିଶେଷଙ୍କୁ ଅନ୍ୟ ଅଗ୍ରଣୀ କୃଷକମାନେ ନିଜର ଅନୁଭୂତି ବିନିମୟ କରିଥିଲେ ଓ ମାଛଚାଷ କରିବା ପାଇଁ ଉତ୍ସାହିତ କରିଥିଲେ । ପ୍ରାୟ ୨୦୦ କୃଷକ ଭାଗ ନେଇଥିବା ଏହି କାର୍ଯ୍ୟକ୍ରମକୁ ଫିସ୍‌ଜେନେଟିକ୍ସ ଏ୍‌ଣ୍ଡ୍ ବାୟୋଟେକ୍ନୋଲୋଜି ମୁଖ୍ୟ ଡଃ ଜେ. କେ. ସୁନ୍ଦରାୟ ସଂଯୋଜନା କରିଥିଲେ ଓ ବୈଜ୍ଞାନିକ ଡଃ ଆଇ. ଶିବରମଣ ପରିଚାଳନା କରିଥିଲେ । ସମାଜବିଜ୍ଞାନ ବିଭାଗର ମୁଖ୍ୟ ଡଃ ଜି. ଏସ୍‌. ସାହା ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *