ତାମିଲନାଡୁରେ ସିଫାବ୍ରୁଡ଼ ମାଧ୍ୟମରେ ଅଣୠତୁ ମତ୍ସ୍ୟ ପ୍ରଜନନ

ତାମିଲନାଡୁରେ ସିଫାବ୍ରୁଡ଼ ମାଧ୍ୟମରେ ଅଣୠତୁ ମତ୍ସ୍ୟ ପ୍ରଜନନ

ଭୁବନେଶ୍ୱର:ସାଧାରଣତଃ ରୋହୀ, ଭାକୁର ଓ ମିରିକାଳି ମାଛଗୁଡ଼ିକ ୠତୁଭିତିକ ପ୍ରଜନନ କରିଥାନ୍ତି । ବିଶେଷକରି ସେମାନଙ୍କର ଭାରତରେ ମୌସୁମୀ ଆସିବାପରେ ଜୁନ୍ରୁ ସେପ୍ଟେମ୍ବର ମାସ ମଧ୍ୟରେ ପ୍ରଜନନ ହୋଇଥାଏ । ବର୍ତମାନ ସମୟରେ କୃଷକମାନେ ଆଗୁଆ ପ୍ରଜନନ କରିବା ପାଇଁ ଇଚ୍ଛାପ୍ରକଟ କରିଲେଣି । ସେଥିପାଇଁ ପ୍ରାୟ ଫେବୃଆରୀ ଶେଷ ସପ୍ତାହରୁ ସେପ୍ଟେମ୍ବର ପର୍ଯ୍ୟନ୍ତ କୃଷକମାନେ ମତ୍ସ୍ୟ ପ୍ରଜନନ କରୁଛନ୍ତି । ସ୍ପନ୍ ହେବାଠାରୁ ବଡ଼ ଜାଆଁଳ ହେବାକୁ ପ୍ରାୟ ୩ ମାସ ସମୟ ଲାଗୁଥିବାରୁ ଫେବୃଆରୀ ଶେଷ ସପ୍ତାହରୁ ପ୍ରଜନନ ଆରମ୍ଭ କଲେ ଜୁନ୍ ବେଳକୁ ତାହା ଷ୍ଟକିଂ ସାଇଜ୍ର ହୋଇଯାଇଥାଏ । ମାତ୍ର ଅଣଋତୁ (ନଭେମ୍ବର-ଜାନୁଆରୀ) ରେ ମତ୍ସ୍ୟ ପ୍ରଜନନ ଏକ ବିରାଟ ପ୍ରତିବନ୍ଧକ ଅଟେ । ଆଇସିଏଆର୍-ସିଫା ରେ ଏହି ଅଣଋତୁ ପ୍ରଜନନ ସମ୍ଭବ ହେଉଥିବାବେଳେ କୃଷକଙ୍କ ଫାର୍ମରେ ଅନେକ ପ୍ରଚେଷ୍ଟା ସତ୍ୱେ ଅସମ୍ଭବ ହୋଇପଡୁଛି ।
ତାମିଲନାଡୁରେ ଅକ୍ଟୋବର-ଡିସେମ୍ବରରେ ଉତରପୂର୍ବ ମୌସୁମୀବାୟୁ ଓ ଜୁନ୍ ଅଗଷ୍ଟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ୨ ଥର ମୌସୁମୀ ଆସୁଥିବାରେ ଏଠାରେ ମତ୍ସ୍ୟ ପ୍ରଜନନ ପାଇଁ ଏକ ଅନୁକୂଳ ପରିବେଶ ରହିଛି । ମାତ୍ର ଆଜି ପର୍ଯ୍ୟନ୍ତ ଏ ଦିଗରେ କେହି ଦୃଷ୍ଟି ଦେଉନଥିବାରୁ , ଆଇସିଏଆର୍-ସିଫାର ବୈଜ୍ଞାନିକ ମାନଙ୍କ ଦ୍ୱାରା ପ୍ରଥମଥର ୩-୫ ଡିସେମ୍ବରରେ ତାମିଲନାଡୁ କୃଷକଙ୍କ ପୋଖରୀରେ ରୋହି ଓ ଭାକୁର ମାଛର ପ୍ରଜନନ କରାଯାଇପାରିଛି ।ଆଇସିଏଆର୍-ସିଫା ପ୍ରସ୍ତୁତ ‘ସିଫାବ୍ରୁଡ଼’ ନାମକ ବହୁଦା ପ୍ରମାଣିତ ପୋଖତା ମାଛ ଖାଦ୍ୟ ତାମିଲନାଡୁର କେତେକ ଫାର୍ମରେ ସେପ୍ଟେମ୍ବର ଶେଷ ସପ୍ତାହ ସୁଦ୍ଧା ମାଛମାନଙ୍କୁ ପୋଖତା କରିବା ପାଇଁ ଦିଆଯାଇଥିଲା । ତାମିଲନାଡୁ ସରକାରଙ୍କ ଦ୍ୱାରା ମନୋନିତ କୃଷକମାନଙ୍କୁ ପୋଖତାଯୋଗ୍ୟ ମାଛମାନଙ୍କ ଶରୀର ଓଜନର ୨% ସିଫାବ୍ରୁଡ ୪୫ ଦିନ ପାଇଁ ଦିଆଯାଇଥିଲା । ପଗା ଆକ୍ୱାଫାର୍ମ, କୁମାରକୁଡ଼ି, ସାଥିଆତୋପ ଆଦି ଅଂଚଳରେ ଡିସେମ୍ବର ୩ ତାରିଖରେ ପ୍ରଜନନ କରାଯାଇଥିବାବେଳେ ସରକାରୀ ମତ୍ସ୍ୟଫାର୍ମ, ମନୁମୁଥରରେ ୫ ଡିସେମ୍ବରରେ ଏହା କରାଯାଇଥିଲା । ପଗାଠାରେ ୨୩.୧ କିଗ୍ରା ମାଈ ମାଛରୁ ୨୫ ଲକ୍ଷ ସ୍ପନ ଉତ୍ପାଦନ ହୋଇଥିବାବେଳେ ସରକାରୀ ଫିସ୍ ଫାର୍ମରେ ୧୧.୩ କିଗ୍ରା ଜୟନ୍ତୀ ରୋହିରୁ ୧୧ ଲକ୍ଷ ସ୍ପନ୍ ଉତ୍ପାଦନ ହୋଇପାରିଛି । ଦେଶର ଜଳକୃଷି ଅଗ୍ରଗତିରେ ତାମିଲନାଡୁ ଠାରେ ମିଳିଥିବା ଅଣଋତୁ ପ୍ରଜନନର ସଫଳତା ଏକ ମାଇଲଖୁଂଟ ।

Leave a Reply

Your email address will not be published. Required fields are marked *