ଚାନ୍ଦବାଲି ଥାନାର ଆଇଆଇସିଙ୍କ ଦବଙ୍ଗ ଗିରି ପ୍ରସଙ୍ଗ ଜିଲ୍ଲା ଏସପି ତୁରନ୍ତ ଆଇଆଇସିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ :ମହିଳାମୋର୍ଚ୍ଚା

ଚାନ୍ଦବାଲି ଥାନାର ଆଇଆଇସିଙ୍କ ଦବଙ୍ଗ ଗିରି ପ୍ରସଙ୍ଗ
ଜିଲ୍ଲା ଏସପି ତୁରନ୍ତ ଆଇଆଇସିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ :ମହିଳାମୋର୍ଚ୍ଚା
୪୮ ଘଂଟା ଭିତରେ ସଂପୃକ୍ତ ଆଇଆଇସିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆନଗଲେ ରାଜ୍ୟ ମାନବାଧିକାର କମିଶନଙ୍କ ପାଖରେ ଫେରାଦ ହେବ ବିଜେପି
ଏସପିଙ୍କ ନୀରବତା ଏବଂ ବିଧାୟକଙ୍କ ସମର୍ଥନରେ ଆଇଆଇସିଙ୍କର ପାର୍ଦ୍ରୁଭାବ ଦିନକୁ ଦିନ ବଢିଚାଲିଛି
ଚାନ୍ଦବାଲି ଆଇଆଇସି ସ୍ଥାନୀୟ ବିଧାୟକ ବ୍ୟୋମକେଶ ରାୟଙ୍କ ଇଙ୍ଗିତରେ ବିଜେଡିର କର୍ମକର୍ତାଭାବେ କାର୍ଯ୍ୟ କରୁଛନ୍ତି
ଭୁବନେଶ୍ୱର,ତା. ୧୩/୦୭: ଦୀର୍ଘ କିଛିଦିନ ଧରି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅନ୍ତର୍ଗତ ଉତୁକୁଡା ଗ୍ରାମ ପଂଚାୟତରେ ରାଜନୈତିକ ହିଂସା ଲାଗିରହିଛି । ଏହି ହିଂସାରେ ଗ୍ରାମ ପଂଚାୟତର ମହିଳାମାନେ ଶିକାର ହୋଇଛନ୍ତି । ବିଜେଡି ଦଳର ସମର୍ଥକମାନେ ତଥା କର୍ମକର୍ତାମାନେ ଗ୍ରାମର ମହିଳା ମାନଙ୍କ ଉପରେ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦେଇ ଚାଲିଛନ୍ତି । ଉକ୍ତ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ସ୍ମୃତି ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟ ମୁଖପାତ୍ର ସୋନାଲି ସାହୁ ଓ ଭଦ୍ରକ ଜିଲ୍ଲାର ସଭାପତି ହେମନ୍ତ ନନ୍ଦ, ବଦ୍ରି ନାରାୟଣ ଧଳ, ଜିଲ୍ଲା ସଂପାଦକ ଅଭିମନ୍ୟୁ ସେଠୀ, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ମନସ୍ମିତା ଖୁଂଟିଆଙ୍କୁ ନେଇ ଗଠିତ ତଦନ୍ତକାରୀ ଦଳ ୧୦ ତାରିଖରେ ଉକ୍ତ ପଂଚାୟତକୁ ଗସ୍ତ କରି ଘଟଣାର ସରଜମିନ ତଦନ୍ତ କରିଥିଲେ । ଉକ୍ତ ପଂଚାୟତକୁ ଯିବା ବାଟରେ ଅନେକ ସ୍ଥାନରେ ଶତାଧିକ ମହିଳା ବିଜେଡି ଗୁଣ୍ଡାମାନଙ୍କ ଦ୍ୱାରା ହିଂସାର ଶିକାର ହୋଇଥିବା ଘଟଣା ପ୍ରତିନିଧୀ ଦଳକୁ ଜଣାଇବା ସହ ପୋଲିସର ନିଷ୍କ୍ରିୟତା ବିଷୟରେ ଅବଗତ କରାଇଥିଲେ ।
ବିଜେପି ପ୍ରତିନିଧୀ ଦଳ ଉତୁକୁଡା ପଂଚାୟତର ବୁରୁଜାଲ ଗ୍ରାମରେ ପହଂଚି ଶତାଧିକ ମହିଳାଙ୍କୁ ଭେଟିି ହିଂସାକାଣ୍ଡର ତଥ୍ୟ ସଂଗ୍ରହ କରିଛି । ମିଳିଥିବା ତଥ୍ୟ ଅନୁସାରେ ବିଜେଡିର ଗୁଣ୍ଡାମାନେ ଉକ୍ତ ଗ୍ରାମର କେଉଁ ମହିଳାଙ୍କୁ ବାଡେଇ ତାଙ୍କ ଡାହାଣ ହାତ ଭାଙ୍ଗିଛନ୍ତି ତ କାହାକୁ ଧାରୁଆ ଅସ୍ତ୍ରରେ ପ୍ରହାର କରି ଲହୁ ଲୁହାଣ କରିଛନ୍ତି । ପୁଣି ଜଣେ ଗର୍ଭବତୀ ମହିଳାଙ୍କୁ ପେଟକୁ ଗୋଇଠା ମାରିବା ଦ୍ୱାରା ତାଙ୍କର ପ୍ରିମାଚ୍ୟୁର ଡେଲିଭରି ମଧ୍ୟ ହୋଇଛି । ମହିଳାମାନେ ଏକୁଟିଆ ଥିବାର ସୁଯୋଗ ନେଇ ବିଜେପିର ଗୁଣ୍ଡାମାନେ ଶାବଳ ଓ ଧରୁଆ ଅସ୍ତ୍ରଶସ୍ତ୍ରରେ କବାଟ ଝରକା ଭାଙ୍ଗି ଜୋର ଜବରଦସ୍ତି ତାଙ୍କ ଘରେ ପଶି ମହିଳାମାନଙ୍କୁ ଅସଦ ବ୍ୟବହାର କରିବା ସହିତ ମାଡ ମାରିଛନ୍ତି । କାହାର ଲାଟିନ ଭାଙ୍ଗିଛନ୍ତି ତ କାହାର ଚାଳଛପର ଘର ଓଲାରିଛନ୍ତି, ପୁଣି କାହାର ଆଜବେଷ୍ଟସ ଭାଙ୍ଗି ଗୃହରେ ପ୍ରବେଶ କରିବାକୁ ଚେଷ୍ଟା ଚଲାଇଛନ୍ତି ।
ଏହି ସବୁ ହିଂସାର ଶିକାର ହୋଇଥିବା ମହିଳାମାନେ ଯେତେବେଳେ ଚାନ୍ଦବାଲି ଥାନାକୁ ଅଭିଯୋଗ କରିବାକୁ ଗଲେ ସେତେବେଳେ ଥାନା ଆଇଆଇସି ପ୍ରଜ୍ଞା ମହାନ୍ତି ସେମାନଙ୍କ ଏତଲା ଗ୍ରହଣ ନକରି ଓଲଟା ମହିଳାମାନଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ ମୋବାଇଲ ଛଡାଇ ଥାନାରୁ ଧକ୍କା ଦେଇ ବାହାର କରିଦେଇଥିଲେ । ଖାଲି ସେତିକି ନୁହେଁ ଅଭିଯୋଗ କରିଥିବା ମହିଳାମାନଙ୍କ ଉପରେ ଆକ୍ରୋଶ ମନୋଭାବ ରଖି କାହାର ଭାଇ, କାହାର ସ୍ୱାମୀ, କାହାର ବାପାଙ୍କୁ ଗିରଫ କରି ନେଇଥିଲେ । ଏଠି ପଶ୍ନ ଉଠୁଛି ଯେ, ମାଡ ଖାଇଥିବା ବ୍ୟକ୍ତିଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନେଇଥିବାବେଳେ ମାଡ ମାରିଥିବା ବ୍ୟକ୍ତିଙ୍କ ପ୍ରତି କୋହଳ ମନୋଭାବ ପୋଷଣ କରିବା ତଥା ଚାନ୍ଦବାଲି ଥାନାକୁ ଶାସକ ଦଳର ଅଫିସ ଭାବେ ବ୍ୟବହାର କରିବା କେଉଁଠି ନା କେଉଁଠି ସନ୍ଦେହ ଦୃଢୀବୃତ କରୁଛି କି, ଆଇଆଇସି ଶ୍ରୀମତୀ ମହାନ୍ତି ସ୍ଥାନୀୟ ବିଧାୟକ ବ୍ୟୋମକେଶ ରାୟଙ୍କ ଇଙ୍ଗିତରେ ବିଜେଡିର କର୍ମକର୍ତାଭାବେ କାର୍ଯ୍ୟ କରୁଛନ୍ତି । ଆମ ପାଖରେ ଏ ଖବର ମଧ୍ୟ ରହିଛି କି ଆଇଆଇସି ବିଭିନ୍ନ ଅନୈତିକ ଉପାୟରେ ଅର୍ଥ ଉପାର୍ଜନ ସହିତ ଦଳୀୟ ପାଣ୍ଠି ସଂଗ୍ରହ କାରବାରରେ ଲିପ୍ତ ଅଛନ୍ତି ବୋଲି ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ସ୍ମୃତି ପଟ୍ଟନାୟକ ଅଭିଯୋଗ କରିଛନ୍ତି ।
(ପୃଷ୍ଠା-୧/୨)
ଆଇଆଇସିଙ୍କ ଏଭଳି କାରନାମାର ସମସ୍ତ ସଦସ୍ୟ ତଥ୍ୟ ଦଳର ନେତା ମନମୋହନ ସାମଲ ଓ ବିରୋଧୀ ଦଳ ଉପନେତା ଶ୍ରୀ ବିଷ୍ଣୁ ସେଠୀ ଗତ ୪ ତାରିଖରେ ଏସପିଙ୍କୁ ଭେଟି ସବିଶେଷ ବିବରଣୀ ଦେଇଥିଲେ କିନ୍ତୁ ଏତେ ଦିନ ବିତିଯାଇଥିଲେ ମଧ୍ୟ ଏସପି ଏପର୍ଯ୍ୟନ୍ତ ଆଇଆଇସିଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ଚୁପ୍ ବସିବା ଆଇନକୁ ଆଖିଠାର ସଦୃଶ୍ୟ । ଏସପିଙ୍କ ନୀରବତା ଏବଂ ବିଧାୟକଙ୍କ ସମର୍ଥନରେ ଆଇଆଇସିଙ୍କର ପାର୍ଦ୍ରୁଭାବ ଦିନକୁ ଦିନ ବଢିଚାଲିଛି । ଏକଥା ମଧ୍ୟ ସ୍ପଷ୍ଟ ହୋଉଛି କି ଗୃହ ବିଭାଗର ମନ୍ତ୍ରୀ ତଥା ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଜାଣତରେ ଏସବୁ ଘଟଣା ଘଟୁଛି । ବିଭାଗୀୟ ଅଫିସର ଶ୍ରୀମତୀ ମହାନ୍ତିଙ୍କର ସମସ୍ତ କଳାକାରନାମାର କଥା ମୁଖ୍ୟମନ୍ତ୍ରୀ ଜାଣିଶୁଣି ନିରବ ରହିବା ରାଜ୍ୟର ଆଇନ ଶୃଙ୍ଖଳା ପ୍ରତି ବିପଦ ସୃଷ୍ଟି କରୁଛି ବୋଲି ରାଜ୍ୟ ମୁଖପାତ୍ର ଶ୍ରୀମତୀ ସୋନାଲି ସାହୁ କହିଛନ୍ତି ।
ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଘଟଣାରେ ପୋଲିସର ସଂପୃକ୍ତି ରହିବା, ମାଲକାନଗିରି ପୋଲିସ କ୍ୟାଂଟିନରେ ମହିଳାଙ୍କୁ ଦୁଷ୍କର୍ମ ଘଟଣା ହେଉ କି ଚାନ୍ଦବାଲି ଥାନାର ଆଇଆଇସିଙ୍କ ଦବଙ୍ଗ ଗିରି, ସବୁ ସ୍ଥାନରେ ପୋଲିସ ରକ୍ଷକ ହୋଇ ଭକ୍ଷକ ସାଜୁଥିବାର ନଜର ଆସୁଛି । ଏହି ଘଟଣାରେ ଜିଲ୍ଲା ଏସପି ତୁରନ୍ତ ସଂପୃକ୍ତ ଆଇଆଇସିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ବିଭାଗୀୟ ମନ୍ତ୍ରୀ ହିସାବରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଏ ସଂପର୍କରେ ସ୍ପଷ୍ଟୀକରଣ ଦିଅନ୍ତୁ । ଯଦି ୪୮ ଘଂଟା ଭିତରେ ସଂପୃକ୍ତ ଆଇଆଇସିଙ୍କ ବିରୁଦ୍ଧରେ କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ନିଆନଯାଏ ତେବେ ମହିଳା ମୋର୍ଚ୍ଚା ଏ ଘଟଣାକୁ ନେଇ ରାଜ୍ୟ ମାନବାଧିକାର କମିଶନଙ୍କ ପାଖରେ ଫେରାଦ ହେବା ସହିତ କୋଭିଡ ନିୟମ ପାଳି ଆନ୍ଦୋଳନକୁ ଓହ୍ଲାଇବ ବୋଲି ଶ୍ରୀମତୀ ପଟ୍ଟନାୟକ ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *