ବାରଣାସୀରେ ବିଜେପିର ସିଏଏ ଜନଜାଗରଣ ଅଭିଯାନର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ବାରଣାସୀରେ ବିଜେପିର ସିଏଏ ଜନଜାଗରଣ ଅଭିଯାନର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
ଧାର୍ମିକ ନୁହେଁ ମାନବିକତା ଆଧାରରେ ନାଗରିକତା
ଦେବାର ଆଇନ୍ ସିଏଏ – ଧର୍ମେନ୍ଦ୍ର ପ୍ରଧାନ
 ଜନଜାଗରଣ ଅଭିଯାନରେ ଅନେକ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ସାକ୍ଷାତ୍ କରି ସିଏଏ ବିଷୟରେ ବୁଝାଇବା
ସହ ସମର୍ଥନ ଲୋଡିଲେ
 ପ୍ରଧାନମନ୍ତ୍ରୀଙ୍କ ଜନକଲ୍ୟାଣକାରୀ ଯୋଜନା ଧାର୍ମିକ ନୁହେଁ, ଗରିବଙ୍କ ସ୍ୱାର୍ଥ ଆଧାରରେ କରାଯାଇଛି
 ସିଏଏ ୩ଟି ଦେଶର ସଂଖ୍ୟାଲଘୁଙ୍କୁ ଭାରତ ସହ ଯୋଡିବାର ବ୍ୟବସ୍ଥା
 ଶରଣାର୍ଥୀଙ୍କୁ ସାମୂହିକ ଭାବେ ନାଗରିକତ୍ୱ ଦେବାରେ ସିଏଏ ଆଇନ ମାଧ୍ୟମରେ ଏକ ବଳିଷ୍ଠ ପଦକ୍ଷେପ
 ନିର୍ବାଚନ ସମୟରେ ବିଜେପି ଦେଇଥିବା ପ୍ରତିଶ୍ରୁତିକୁ ବାସ୍ତବିକତାରେ ପୂରଣ କରିଛି
 କଂଗ୍ରେସ ଧର୍ମ ଆଧାରରେ ଦେଶର ବିଭାଜନ କରି ନଥିଲେ ଏହି ଆଇନର ଆବଶ୍ୟକତା ନଥିଲା
 ଅସହିଷ୍ଣୁ ହୋଇ ସିଏଏ ଉପରେ ଅପପ୍ରଚାର କରି ଦେଶରେ ଅରାଜକତା ତିଆରି କରୁଛି କଂଗ୍ରେସ
ବାରଣାସୀ, ଜାନୁଆରୀ ୦୫ – ନାଗରିକତା ସଂଶୋଧନ ଆଇନ(ସିଏଏ) ନାଗରିକତା ନେବାର ଆଇନ ନୁହେଁ
ନାଗରିକତା ପ୍ରଦାନ କରିବାର ଆଇନ୍ । ସିଏଏ ଧାର୍ମିକ ନୁହେଁ ବରଂ ମାନବିକତାର ଆଧାରରେ ନାଗରିକତା
ଦେବାର ଆଇନ୍ ଅଟେ ବୋଲି ରବିବାର ଉତରପ୍ରଦେଶ ବାରଣାସୀରେ ବିଜେପିର ସିଏଏ ଜନଜାଗରଣ ଅଭିଯାନର
ଶୁଭାରମ୍ଭ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଉଲ୍ଲେଖନୀୟ ଯେ, ଦେଶବ୍ୟାପୀ ବିଜେପିର ଜନଜାଗରଣ ଅଭିଯାନ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ବାଚନ ମଣ୍ଡଳି ବାରଣାସୀର ଦାୟିତ୍ୱ ନେଇଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ । ଏହି ଦଳୀୟ ଜନଜାଗରଣ ଅଭିଯାନ
ଅବସରରେ ଶ୍ରୀ ପ୍ରଧାନ ଉତରପ୍ରଦେଶ ସୋନକର ସମାଜର ଅଧ୍ୟକ୍ଷ ଶ୍ରୀ ପ୍ରଦୀପ ସୋନକର, ଅନ୍ତରାଷ୍ଟ୍ରୀୟ ବାସ୍କେଟ୍
ବଲ ଖେଳାଳି ଶ୍ରୀ ବିଶେଷ ଭୃଗୁବଂଶୀ, ବନାରସ ବାର୍ ଆସୋସିଏସନର ପୂର୍ବ ଅଧ୍ୟକ୍ଷ ଆଡଭୋକେଟ୍ ରାଜେଶ
ମିଶ୍ରାଙ୍କୁ ଆଦି ସାକ୍ଷାତ୍ କରି ସିଏଏ ଉପରେ ସଚେତନତା କରିଥିଲେ । ଏହା ଉପରେ ହେଉଥିବା ଅପପ୍ରଚାର ଉପରେ
ଆଲୋକପାତ କରିବା ସହ ସିଏଏ ଆଇନ ପାଇଁ ସମର୍ଥନ ଲୋଡିଥିଲେ । ଏହି ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହୋଇ ସେ କହିଛନ୍ତି ଯେ ଏହି ଆଇନରେ ଭାରତର ପଡୋଶୀ ଦେଶ
ପାକିସ୍ତାନ, ବଙ୍ଗଳାଦେଶ ଓ ଆଫଗାନିସ୍ତାନରୁ ଧାର୍ମିକ ରୁପେ ନିର୍ଯ୍ୟାତନାର ଶୀକାର ହୋଇ ଭାରତକୁ ଆସିଥିବା ସେ
ଦେଶର ସଂଖ୍ୟାଲଘୁ ବର୍ଗର ଶରଣାର୍ଥୀ ମାନଙ୍କୁ ନାଗରିକତା ପ୍ରଦାନ କରିବ । ଏହି ଆଇନ ଜରିଆରେ କାହାର ନାଗରିକତା ଛିନ୍ନ କରାଯିବାର ବ୍ୟବସ୍ଥା ନାହିଁ । ଏହି ଭାରତୀୟ ନାଗରିକଙ୍କ ପାଇଁ ଲାଗୁ ହେଉନାହିଁ । ସେମାନଙ୍କ
ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ । ତିନୋଟି ପଡୋଶୀ ଦେଶ ପାକିସ୍ତାନ, ଆଫଗାନିସ୍ତାନ ଓ
ବାଂଲାଦେଶରେ ଇସଲାମିକ ରିପବ୍ଲିକ ଘୋଷିତ ରାଜ୍ୟ ଗୁଡିକରୁ ସଂଖ୍ୟାଲଘୁ ହିନ୍ଦୁ, ଶିଖ୍, ପାର୍ଶି, ଜୈନ, ବୌଦ୍ଧ,
ଖ୍ରୀଷ୍ଟିୟାନ ଶରଣାର୍ଥୀଙ୍କୁ ସାମୂହିକ ଭାବେ ନାଗରିକତ୍ୱ ଦେବାରେ ସିଏଏ ବା ନାଗରିକତା ସଂଶୋଧନ ଆଇନ ମାଧ୍ୟମରେ ଏକ ପଦକ୍ଷେପ ।ନିର୍ବାଚନ ସମୟରେ ବିଜେପି ଦେଇଥିବା ପ୍ରତିଶ୍ରୁତିକୁ ବାସ୍ତବିକତାରେ ପୂରଣ କରିଛି । ୩୭୦ ଧାରା ଉଚ୍ଛେଦ, ତିନି
ତଲାକ୍ ଭଳି ଐତିହାସିକ ପଦକ୍ଷେପ ମୋଦିଙ୍କ ସରକାର ନେଇଛନ୍ତି । ଦେଶର ବଡ ବଡ ନିଷ୍ପତି ନେବା ଲୋକର ନାଁ
ହେଲା ନରେନ୍ଦ୍ର ମୋଦି ବୋଲି ସେ କହିଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନକଲ୍ୟାଣକାରୀ
ଯୋଜନା ଯଥା ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଜନଧନ ଯୋଜନା, ସକନ୍ୟା ସମୃଦ୍ଧି ଯୋଜନା, ସୌଭାଗ୍ୟ
ଯୋଜନା, ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଧାର୍ମିକ ଆଧାରରେ ନୁହେଁ ଗରିବଙ୍କ ବିକାଶ କରିବା ଆଧାରରେ
ଦିଆଯାଉଥିଲା । ସମ୍ବିଧାନର ଧାରା ୧୪କୁ ସିଏଏ ଉଲ୍ଲଘଂନ କରୁନାହିଁ । କାରଣ ସମ୍ବିଧାନର ଧାରା ୧୪ରେ ଭାରତୀୟ ନାଗରିକ ସମ୍ପର୍କରେ ଲେଖାଯାଇଛି । ନରେନ୍ଦ୍ର ମୋଦିଙ୍କ ସିଏଏ ସାହାସିକ ପଦକ୍ଷେପ । ଯଦି କଂଗ୍ରେସ ଧର୍ମ ଆଧାରରେ ଦେଶର
ବିଭାଜନ କରି ନ ଥାନ୍ତା ତେବେ ଏହି ଆଇନର ଆବଶ୍ୟକତା ପଡି ନଥାନ୍ତା । କିନ୍ତୁ ବିରୋଧୀ ଦଳ ବିଶେଷ ଭାବରେ
କଂଗ୍ରେସ ଦଳ ଅସହିଷ୍ଣୁ ହୋଇ ସିଏଏର ଅପପ୍ରଚାର କରି ଦେଶରେ ଅରାଜକତା ତିଆରି କରିବାର ଅପଚେଷ୍ଟା
କରୁଛି । ଦେଶକୁ ଧାର୍ମିକ ଆଧାରରେ ବିଭାଜନ କରା ଯାଇଥିବା କାରଣରୁ ଭାରତରୁ ଅଲଗା ହୋଇ ଇସଲାମୀ ଦେଶ ନିର୍ମାଣ
ହୋଇଥିବାରୁ ସେଠାରେ ଧାର୍ମିକ ଆଧାରରେ ନିର୍ଯ୍ୟାତନାର ଶୀକାର ହେଉଥିବା ସଂଖ୍ୟାଲଘୁ ମାନଙ୍କୁ ନାଗରିକତା
ପ୍ରଦାନ କରିବା ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ପ୍ରଦାନ କରିବା ଭାରତର ନୈତିକ ଦାୟିତ୍ୱ । ଏହି କଥାକୁ ମହାତ୍ମା
ଗାନ୍ଧୀଙ୍କ ଠାରୁ ଆରମ୍ଭ କରି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ, ପ୍ରଥମ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ
ସମେତ ସମସ୍ତେ ବାରମ୍ବାର କହି ସାରିଛନ୍ତି । ଏହି ପରିପ୍ରେକ୍ଷୀରେ ବିଜେପି ନାଗରିକତା ସଂଶୋଧନ ଆଇନ ବା
ସିଏଏ ଏକ ଐତିହାସିକ ପଦକ୍ଷେପ ଏବଂ ସିଏଏକୁ ଆଇନରେ ପରିଣତ କରି ବିଜେପି ତାର ଦାୟିତ୍ୱ ପୂରଣ କରିଛି
ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *