ବିଧାନସଭାକୁ ଅବଧି ପୂର୍ବରୁ ସାରିବା ପାଇଁ କାହିଁକି ଚାହୁଁଛନ୍ତି ବାଚସ୍ପତି : ପ୍ରଦୀପ୍ତ ନାଏକ

ବିଧାନସଭାକୁ ଅବଧି ପୂର୍ବରୁ ସାରିବା ପାଇଁ କାହିଁକି ଚାହୁଁଛନ୍ତି ବାଚସ୍ପତି : ପ୍ରଦୀପ୍ତ ନାଏକ
କାର୍ଯ୍ୟ ଅବଧି ଅଧା ସରିନଥିବା ବେଳେ ଗୃହକୁ ବନ୍ଦ କରିଦେବା ପାଇଁ ଏକ ମନ୍ତ୍ରଣା ଚାଲିଛି
ସରକାର ଆଲୋଚନାକୁ ଡରୁଛନ୍ତି କାହିଁକି ?
ସରକାରଙ୍କ ପାଖରେ କେତେ ବିଜିନେସ୍ ଅଛି ଓ ଅଧିବେଶନ କେତେଦିନ ଚାଲିବାର ଆବଶ୍ୟକତା ରହିଛି, ଏକଥା କଣ ସରକାର ବିଜ୍ଞପ୍ତି ପୂର୍ବରୁ ଜାଣିନଥିଲେ?
ପ୍ରଶ୍ନୋତର କାର୍ଯ୍ୟକ୍ରମ କଣ ଗୃହର ବ୍ୟବସାୟ ନୁହେଁ ?
ବିଭାଗୀୟ ଅତିରିକ୍ତ ବଜେଟ ଉପରେ ଆଲୋଚନାକୁ ଏପରି କାଁଟ୍ଛାଁଟ୍ କାହିଁକି କରାଯାଇଛି ?
ଭୁବନେଶ୍ୱର, ୨୬ ନଭେମ୍ବର – ବିଧାନସଭା ଅଧିବେଶନ ତା ୧୩/୧୧/୨୦୧୯ ତାରିଖ ଠାରୁ ୧୯/୧୨/୨୦୧୯ ତାରିଖ ପର୍ଯ୍ୟନ୍ତ ଚାଲିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ହେଲେ, ଏହାର କାର୍ଯ୍ୟ ଅବଧି ଅଧା ସରିନଥିବା ବେଳେ ଗୃହକୁ ବନ୍ଦ କରିଦେବା ପାଇଁ ଏକ ମନ୍ତ୍ରଣା ଚାଲିଛି ବୋଲି ଶୁଣିବାକୁ ମିଳୁଛି । ଏହା କ’ଣ ସତ! ଯଦି ସତ ହୋଇଥାଏ, ଏହାର କାରଣ କ’ଣ ବୋଲି ଆଜି ଗୃହର ଶୂନ୍ୟ କାଳରେ ପ୍ରଶ୍ନ ଉଠାଇ ପଚାରିଛନ୍ତି ବିରୋଧି ଦଳର ନେତା ପ୍ରଦୀପ୍ତ ନାଏକ ।
ଗୃହ ଚାଲିବା ପାଇଁ ସରକାରଙ୍କ ପାଖରେ ଆଉ ବିଜିନେସ୍ ନାହିଁ ବୋଲି କୁହାଯାଉଛି । ସରକାରଙ୍କ ପାଖରେ କେତେ ବିଜିନେସ୍ ଅଛି ଓ ଅଧିବେଶନ କେତେଦିନ ଚାଲିବାର ଆବଶ୍ୟକତା ରହିଛି, ଏକଥା କ’ଣ ସରକାର ବିଜ୍ଞପ୍ତି ପୂର୍ବରୁ ଜାଣିନଥିଲେ? ପ୍ରଶ୍ନୋତର କାର୍ଯ୍ୟକ୍ରମ କ’ଣ ଗୃହର ବ୍ୟବସାୟ ନୁହେଁ ? ଆହୁରି ହଜାର ହଜାର ସଂଖ୍ୟକ ପ୍ରଶ୍ନର ଉତର ଦେବାକୁ ରହିଛି ସରକାର ଏତେ ଶୀଘ୍ର ଆଲୋଚନାକୁ ଡରୁଛନ୍ତି କାହିଁକି ? ସେହିପରି ବିଭାଗୀୟ ଅତିରିକ୍ତ ବଜେଟ ଉପରେ ଆଲୋଚନାକୁ ଏପରି କାଁଟ୍ଛାଁଟ୍ କାହିଁକି କରାଯାଇଛି ବୋଲି ଶ୍ରୀ ନାଏକ ପ୍ରଶ୍ନ କରିଛନ୍ତି ।
ବିଧାନସଭାରେ ଆଲୋଚନା ଓ ଜନସାଧାରଣଙ୍କ ସମସ୍ୟା ଉପରେ ସରକାରଙ୍କ ପ୍ରତିକ୍ରିୟା ଏହା ହିଁ ହେଉଛି ଗଣତାନ୍ତ୍ରିକ ବ୍ୟବସ୍ଥା । ଏହି ଲୋକତାନ୍ତ୍ରିକ ବ୍ୟବସ୍ଥାର ଏପରି ଚକ୍ରାନ୍ତ କରାଯାଇ କାହିଁକି କରାଯାଉଛି? ଜନସାଧାରଣଙ୍କ ସ୍ୱାର୍ଥଜଡିତ ବହୁତ ଗୁଡିଏ ପ୍ରସଙ୍ଗ ଉପରେ ଗୃହରେ ଆଲୋଚନା ହେବାର ଥିଲା । ମହିଳା ମାନଙ୍କ ଉପରେ ଅତ୍ୟାଚାର ଓ ହତ୍ୟା, ଧାନ ବିକ୍ରିରେ ଅବ୍ୟବସ୍ଥା, ବିଧାନସଭାରେ ମନ୍ତ୍ରୀଙ୍କ ଘୋଷଣା ଓ ବାହାରେ ଆଉ ଏକ ପ୍ରକାର ଘୋଷଣା ନେଇ ଚାଷୀମାନ ମନରେ ସନ୍ଦେହ, କାଳିଆ ଯୋଜନାରେ ସରକାରଙ୍କ ଘୋଷଣା ଅନୁଯାୟୀ କିସ୍ତିୱାରୀ ଟଙ୍କା ପ୍ରଦାନ ନକରିବା, ଚିଟ୍ଫ ଠକେଇରେ ପଡିଥିବା ସ୍ୱଳ୍ପ ସଂଚୟକାରୀ ମାନଙ୍କୁ କ୍ଷତିପୂରଣ ନଦେବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଆଦି ଅଭିଯୋଗ ଉପରେ ସରକାରଙ୍କ ଆଭିମୁଖ୍ୟ କ’ଣ ଏ ପର୍ଯ୍ୟନ୍ତ ଜଣାଯାଇନାହିଁ । ଏପରି ସ୍ଥିତିରେ ଗୃହକୁ ହଠାତ ବନ୍ଦ କରିବା କାହା ସ୍ୱାର୍ଥ୍ୟରେ ବୋଲି ଶ୍ରୀ ନାଏକ ପ୍ରଶ୍ନ କରିଛନ୍ତି ।
ଶ୍ରୀ ନାଏକ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ତଥା ବିଜେଡିର ସଭାପତିଙ୍କ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ କାଳିଆ ଯୋଜନାକୁ ନେଇ ସାକ୍ଷାତ କରିଥିଲେ । ଲୋକଙ୍କୁ କାଳିଆ ଯୋଜନାରେ ଟଙ୍କା ଦେବା ପାଇଁ ଆମକୁ ଅନୁମତି ଦିଅ । ଅନୁମତି ମିଳିନଥିଲା ହେଲେ ଘୋଷଣା ହୋଇଥିଲା । ନିର୍ବାଚନରେ ଜିତି ଶପଥ ନେବାର ପ୍ରଥମ ଦିନରେ ହିଁ କାଳିଆ ଯୋଜନା ଟଙ୍କା ଲୋକଙ୍କୁ ମିଳିବ ବୋଲି ଘୋଷଣା ହେଲା । ନିର୍ବାଚନ ସରିଲା, ଶପଥ ନେଲେ, ହେଲେ ଲୋକେ ଟଙ୍କା ପାଇଲେ ନାହିଁ କି କେବେ ପାଇବେ ମଧ୍ୟ ଜଣାଇଲେନାହିଁ । ସେହିପରି ଯୋଜନାବଦ୍ଧ ଭାବରେ ଆଉ ଏକ ନାଟକ ଚାଲିଲା । ରାଜ୍ୟ ସରକାରଙ୍କର ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ବିଜ୍ଞାପନ ବାହାରିଲା । ଚିନ୍ତାଗ୍ରସ୍ତ ମୁଖ୍ୟମନ୍ତ୍ରୀଙ୍କ ଫଟୋ ସହ ମୋ ରାଜ୍ୟର ଜଣେ ଲୋକଙ୍କୁ ବି ଖାଦ୍ୟ ଅଭାବରୁ ମରିବାକୁ ଦେବିନି ଭଳି ଘୋଷଣା କରାଗଲା । ହେଲେ, ସରକାରଙ୍କୁ ଆସିବା ପରେ ଆଧାର ଲିଙ୍କ୍ ନହେବା କାରଣରୁ ବହୁ ଭୁତ ଓ ଅଯୋଗ୍ୟ ହିତାଧିକାରୀ ରାଜ୍ୟ ସରକାର ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ ଦେଲେ । ଯେତିକି ଲୋକ ରାଜ୍ୟ ସରକାରଙ୍କର ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ଥିଲେ, ସେତିକି ଲୋକଙ୍କୁ ଆଧାର ଲିଙ୍କ୍ର ଆଳ ଦେଖାଇ କାଟି ଦିଆଯାଇ ସେମାନଙ୍କୁ ପୁଣି କେନ୍ଦ୍ର ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରିଦିଆଗଲା । ଏବେ ରାଜ୍ୟ ସରକାରଙ୍କର ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ଜିରୋ ।

Leave a Reply

Your email address will not be published. Required fields are marked *