ଶାଳୀନତା ଟପୁଛନ୍ତି ବିଜେପି ନେତା : ବିଜେଡି

ଶାଳୀନତା ଟପୁଛନ୍ତି ବିଜେପି ନେତା : ବିଜେଡ

ଭୁବନେଶ୍ୱ : ବିଜେପି ବିଧାୟକ ତଥା ବିଧାନସଭାରେ ବିରୋଧିଦଳର ଉପନେତା ବିଷ୍ଣୁ ସେଠୀ ସାମ୍ବାଦିକ ସମ୍ମିଳନୀରେ ଯେଭଳି ଅସାମ୍ବିଧାନିକ ଶବ୍ଦ ବ୍ୟବହାର କରିଛନ୍ତି ତାହା ଜଣେ ବିଧାୟକଙ୍କ ମୁହଁରେ ଶୋଭା ପାଏନାହିଁ । ବିଧାୟକ ହିସାବରେ ନିଜର ପଦ ମର୍ଯ୍ୟାଦା ସହିତ ଗାରିମା ରକ୍ଷା ଦୃଷ୍ଟିରୁ ଶ୍ରୀ ସେଠୀ ଦେଇଥିବା ଆପତ୍ତିଜନକ ମନ୍ତବ୍ୟ ପ୍ରତ୍ୟାହାର ପାଇଁ ବିଜେଡି ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର କହିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ସେ ଦେଇଥିବା ମନ୍ତବ୍ୟର ଜବାବ ଦେଇ ଡକ୍ଟର ପାତ୍ର କହିଛନ୍ତି ଯେ, ଶ୍ରୀ ସେଠୀ ଶାଳୀନତାର ସୀମା ଟପିଛନ୍ତି । ଦୀର୍ଘବର୍ଷ ଧରି ଓଡିଶା ରାଜନୀତିରେ ଏଭଳି ଅଶାଳୀନ ଶବ୍ଦ ବ୍ୟବହାର ଆଦୌ ଲକ୍ଷ୍ୟ କରାଯାଇନଥିଲା କି କୌଣସି ସ୍ଥିତିରେ ଜଣେ ବିଧାୟକଙ୍କ ଠାରୁ ଏଭଳି ଆଶା କରାଯାଏ ନାହିଁ ।
ଶ୍ରୀ ସେଠୀ ଯେଉଁ ପ୍ରସଙ୍ଗ ଉଠାଇଛନ୍ତି ତାହା ବିଧାନସଭାରେ ଉତ୍‍ଥାପନ ପାଇଁ ତାଙ୍କ ହାତରେ ଯଥେଷ୍ଟ ସମୟ ଥିଲା । ହେଲେ ବିଧାନସଭା ଅଧିବେଶନ କାଳରେ ତାହା ନକରି ଗୃହ ମୁଲତବି ପରେ ସାମ୍ବାଦିକ ସମ୍ମିଳନୀ କରିବା ଅତ୍ୟନ୍ତ ହାସ୍ୟାସ୍ପଦ କଥା । ଗତକାଲିର ବିଧାନସଭା ଅଧିବେଶନ ବନ୍ଦ ନେଇ ଶ୍ରୀ ସେଠୀ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ଆଣିଛନ୍ତି । ଏହି ପ୍ରସଙ୍ଗକୁ ସେ ଗତକାଲି ବିଧାନସଭାରେ ଉଠାଇ ପାରିଥାନ୍ତେ ବୋଲି ଡକ୍ଟର ପାତ୍ର କହିଛନ୍ତି । ସେହିଭଳି ଧାନ ସଂଗ୍ରହ ପାଇଁ ମଣ୍ଡିରେ ଦଲାଲଙ୍କ ପ୍ରାର୍ଦୁଭାବ ହ୍ରାସ ପାଇଁ ଟୋକନ ବ୍ୟବସ୍ଥା ହୋଇଥିବାବେଳେ ଶ୍ରୀ ସେଠୀ ଏହାକୁ ବିରୋଧ କରୁଛନ୍ତି । ଏହା ଫଳରେ ଧାନ ବିକ୍ରିରେ ବିଧାୟକ ଶ୍ରୀ ସେଠୀ ଦଲାଲ ବ୍ୟବସ୍ଥାକୁ ପ୍ରୋତ୍ସାହନ କରୁଥିବା ଏଥିରୁ ସ୍ପଷ୍ଟ ହେଉଛି ବୋଲି ଡକ୍ଟର ପାତ୍ର କହିଛନ୍ତି ।

Leave a Reply

Your email address will not be published. Required fields are marked *