ସଂଶୋଧନ ବିଲ୍ ବିରୋଧରେ ୧୯ ରେ ବାମପନ୍ଥୀଙ୍କ ପ୍ରତିବାଦ ଆନ୍ଦୋଳନ ଡାକରା

 

୧୯ ରେ ବାମପନ୍ଥୀଙ୍କ ପ୍ରତିବାଦ ଆନ୍ଦୋଳନ ଡାକରା

ଭୁବନେଶ୍ୱର, ୧୩/୧୨-
ନାଗରିକତା ସଂଶୋଧନ ବିଲ୍ ଓ ଜାତୀୟ ନାଗରିକ ପଞ୍ଜିକା ବିରୋଧରେ ୧୯ ଡିସେମ୍ବର ଦେଶବ୍ୟାପୀ ପ୍ରତିବାଦ ଆନ୍ଦୋଳନ ପାଇଁ ବାମପନ୍ଥୀ ଦଳମାନେ ଡାକରା ଦେଇଛନ୍ତି  । ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ୪ଟି ବାମପନ୍ଥୀ ଦଳ ସିପିଆଇ, ସିପିଆଇ(ଏମ୍), ସିପିଆଇ(ଏମ୍-ଏଲ୍)-ଲିବରେସନ, ଓ ଫରୱାର୍ଡ ବ୍ଲକ ପକ୍ଷରୁ ଉକ୍ତଦିନ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟବ୍ୟାପୀ ଏହି ପ୍ରତିବାଦ ଦିବସ ପାଳନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି  ।
ଆଜି ସଂଧ୍ୟାରେ ସିପିଆଇର ରାଜ୍ୟ ଦପ୍ତର ଭଗବତୀ ଭବନଠାରେ ୪ ଦଳର ବୈଠକରେ ଗୃହୀତ ପ୍ରସ୍ତାବରେ କୁହାଯାଇଛି– ପାର୍ଲ୍ୟାମେର ଉଭୟ ଗୃହରେ ପାରିତ ହୋଇଥିବା ଏହି ବିଲ୍ ସଂପୂର୍ଣ୍ଣ ଭାବରେ ସମ୍ବିଧାନର ଉଲ୍ଲଙ୍ଘନ କରୁଛି ଏବଂ ଏହା ଭାରତର ଧର୍ମ ନିରପେକ୍ଷ-ଗଣତାନ୍ତ୍ରିକ ଭିତ୍ତିଭୂମିକୁ ଧ୍ୱଂସ କରିବା ପାଇଁ ଉଦ୍ଦିଷ୍ଟ  । କାରଣ କୌଣସି ବ୍ୟକ୍ତିର ଧର୍ମକୁ ଆଧାରକରି ନାଗରିକତା ପ୍ରଦାନ ଆମଦେଶର ଧର୍ମନିରପେକ୍ଷ ସମ୍ମିଧାନର ମୌଳିକ ନିର୍ଯ୍ୟାସର ବିରୋଧୀ ଏବଂ ଏହା ସାଂପ୍ରଦାୟିକ ବିଭାଜନକୁ ତ୍ୱରାନ୍ୱିତ କରିବା ସହିତ ଦେଶର ଏକତା ଓ ଅଖଣ୍ଡତା ପ୍ରତି ଅତ୍ୟନ୍ତ ବିପଜ୍ଜନକ  ।
ଏହି ବିଲ୍କୁ ଅନୁମୋଦନ ସମୟରେ ମୋଦି-ଶାହା ସରକାର ଦ୍ୱାରା ସମଗ୍ର ଦେଶରେ ଜାତୀୟ ନାଗରିକ ପଞ୍ଜିକା ଲାଗୁ କରାଯିବ ବୋଲି ଯେଉଁ ଘୋଷଣା କରାଯାଇଛି– ତାହା ଭାରତୀୟ ସାଧାରଣତନ୍ତ୍ରର ଧର୍ମନିରପେକ୍ଷ ଓ ଗଣତାନ୍ତ୍ରିକ ଚରିତ୍ରକୁ ପରିବର୍ତ୍ତନ କରି ଆର୍ଏସ୍ଏସ୍ର ରାଜନୈତିକ ପରିକଳ୍ପନା ‘ହିନ୍ଦୁ ରାଷ୍ଟ୍ର’ ରେ ପରିଣତ କରିବାର ଦୁଇଧାରୁଆ ଅସ୍ତ୍ର  ।
ଏହି ସମ୍ବିଧାନ ବିରୋଧୀ ବିଭାଜନକାରୀ ବିଲ୍କୁ ବିଜୁ ଜନତା ଦଳ ସମର୍ଥନ କରିବା ଫଳରେ ପାର୍ଲ୍ୟାମେରେ ଏହା ପାଶ୍ ହୋଇପାରିଛି  । ଏହାଦ୍ୱାରା ବିଜେଡ଼ି ଆର୍ଏସ୍ଏସ୍ର ଦୁଇ ଜାତୀୟତା ତତ୍ତ୍ୱ (ଞଙ୍ଗକ୍ଟ ଘବଗ୍ଧସକ୍ଟଦ୍ଭ ଞଷରକ୍ଟକ୍ସଚ୍ଚ) କୁ ସମର୍ଥନ କଣାଇଛି  । ନିର୍ବାଚନରେ ବିଜେପି ବିରୋଧରେ ଜନାଦେଶ ପାଇବାପରେ ବିଜେଡ଼ି ସଂସଦରେ ବିଜେପିର ସମସ୍ତ ସିଦ୍ଧାନ୍ତ ଓ ବିଲ୍କୁ ସମର୍ଥନ ଜଣାଇବା ହେଉଛି, ଓଡ଼ିଶାବାସୀଙ୍କ ରାୟପ୍ରତି ବିଶ୍ୱାସଘାତକତା  ।
ଏଣୁ ଭାରତୀୟ ସମ୍ବିଧାନ, ଗଣତନ୍ତ୍ର ଓ ଧର୍ମନିରପେକ୍ଷତା ବିରୋଧୀ ଏହି ବିଲ୍ – ଆଇନକୁ ବିରୋଧ କରିବା ପାଇଁ ବାମପନ୍ଥୀ ଦଳମାନେ ରାଜ୍ୟବାସୀଙ୍କୁ ଆହ୍ୱାନ ଜଣାଇଛନ୍ତି  । ୪ ଦଳର ଏହି ମିଳିତ ବୈଠକରେ ସିପିଆଇ ପକ୍ଷରୁ ଆଶିଷ କାନୁନ୍ଗୋ, ଦିବାକର ନାୟକ, ରାମକୃଷ୍ଣ ପଣ୍ଡା, କ୍ଷୀରୋଦ ସିଂହଦେଓ, ଅଶୋକ ଦାସ, ସିପିଆଇ(ଏମ୍) ପକ୍ଷରୁ ଜଗନ୍ନାଥ ମିଶ୍ର ଓ ସୁରେଶ ପାଣିଗ୍ରାହୀ, ସିପିଆଇ(ଏମ୍-ଏଲ୍) ଲିବରେସନ ପକ୍ଷରୁ ଯୁଧିଷ୍ଠିର ମହାପାତ୍ର ଓ ମହେନ୍ଦ୍ର ପରିଡ଼ା ଏବଂ ଫରୱାର୍ଡ଼ ବ୍ଲକ ପକ୍ଷରୁ ପୂର୍ଣ୍ଣଚନ୍ଦ୍ର ପାଢ଼ୀ ଉପସ୍ଥିତ ଥିଲେ  ।

Leave a Reply

Your email address will not be published. Required fields are marked *