ବାଣୀବିହାରର ୮୦ ଫୁଟ ଛାତ ଉପରୁ ତଳକୁ ଡ଼େଇଁ ଆତ୍ମହତ୍ୟା କରିବାର ଧମକ !

ବାଣୀବିହାରର ୮୦ ଫୁଟ ଛାତ ଉପରୁ ତଳକୁ ଡ଼େଇଁ ଆତ୍ମହତ୍ୟା କରିବାର ଧମକ !

ଭୁୁବନେଶ୍ୱର: ଉତ୍କଳ ବିଶ୍ଵବିଦ୍ୟାଳୟ ର ଲାଇବ୍ରେରୀ ଛାତ ଉପରେ ଜନୈକ ବ୍ୟକ୍ତି ଚଢ଼ି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଉଦ୍ଧାର ପାଇଁ ଚାଲିଛି ଅଗ୍ନିଶମ କର୍ମଚାରୀ ପକ୍ଷରୁ ଜୋରଦାର ପ୍ରୟାସ।୪୦ ବର୍ଷୀୟ ଜଣେ ଯୁବକ ବାଣୀବିହାରର ୮୦ ଫୁଟ ଛାତ ଉପରୁ ତଳକୁ ଡ଼େଇଁ ଆତ୍ମହତ୍ୟା କରିବାର ଧମକ ଦେଇ ଆଜି ସମସ୍ତଙ୍କୁ ପାଣି ପିଆଇଛି । ତାଙ୍କୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ ବିଭାଗର କର୍ମଚାରୀ ନୟାନ୍ତ ହୋଇଛନ୍ତି । ପାଖାପାଖି ୫ ଘଣ୍ଟାର ଝାଳନାଳ ଉଦ୍ୟମ ପରେ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଉତ୍କଳ ବିଶ୍ୱବିଦ୍ୟାଳୟ ପରିଜା ଲାଇବ୍ରେରୀର ତିନି ମହଲା ଛାତ ଉପରେ ଘଟିଥିବା ଏହି ଦୃଶ୍ୟକୁ ସାରା ଓଡ଼ିଶାବାସୀ ଆଜି ଟିଭିରେ ଦେଖିଛନ୍ତି ।

ଆଜି ସକାଳ ପ୍ରାୟ ୧୦ଟା ବେଳେ ଯୁବକଟି ବାଣୀବିହାର ପରିସରରେ ଥିବା ପରିଜା ଲାଇବ୍ରେରୀର ତିନି ମହଲା ଛାତ ଉପରକୁ ହଠାତ୍ ଚଢ଼ି ଯାଇଥିଲେ । ଆସନ୍ତାକାଲିଠାରୁ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲି ଉଦଯାପନୀ ଉତ୍ସବ ପାଳନ ପାଇଁ ଲାଇବ୍ରେରୀ ହଲ୍ ର ରଙ୍ଗ ଦିଆ କାମ ଚାଲିଥିବାରୁ ସେଠାରେ ବ୍ୟବହୃତ ସିଢ଼ିକୁ ବ୍ୟବହାର କରି ସେ ଏମିତି କାଣ୍ଡ କରିଥିଲେ । ସବା ଉପରର ସ୍ଲୋପିଂ ଛାତ ଉପରେ ଛିଡ଼ା ହୋଇ ତଳକୁ ଡେଇଁ ଆତ୍ମହତ୍ୟା କରିବେ ବୋଲି ଧମକାଇଥିଲେ । ବାଣୀବିହାରରେ ଏହା ପ୍ରଚାର ହେବାରୁ ଘଟଣା ଜାଣିବା ପାଇଁ ଛାତ୍ରଛାତ୍ରୀମାନେ ଛୁଟି ଆସିଥିଲେ । ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ଗଣମାଧ୍ୟମ ପ୍ରତିନିଧିମାନେ ଘଟଣାସ୍ଥଳକୁ ଆସି ଅତ୍ୟନ୍ତ ବିପଦଶଙ୍କୁଳ ଜାଗାରେ ଯୁବକଟି ଥିବାରୁ ତାଙ୍କୁ ଉଦ୍ଧାର କରି ତଳକୁ ଆଣିବା ବେଶ୍ ଚାଲେଂଜକର ଥିଲା । ସୁରକ୍ଷିତ ଭାବେ ତାଙ୍କୁ କେମିତି ତଳକୁ ଅଣାଯିବ ଅଗ୍ନିଶମ ବିଭାଗ ଉଦ୍ଧାରକାରୀ ଦଳର ମୁଣ୍ଡ ଗୋଲ୍ ହୋଇଯାଇଥିଲା । ସହିଦନଗର ଓ ନୟାପଲ୍ଲୀ ପୁଲିସ ବି ଘଟଣାସ୍ଥଳରେ ଜଗି ରହିଥିଲେ । ସୁରକ୍ଷିତ ଉଦ୍ଧାର ପାଇଁ ବିଭିନ୍ନ କୌଶଳ କରାଯାଯାଇଥିଲା । କାଳେ ତଳକୁ ଡେଇଁ ସତରେ ଆତ୍ମହତ୍ୟା କରିଦେବେ ସେହି ଡରରେ ପରିଜା ଲାଇବ୍ରେରୀ ଚାରିପଟେ ଚାଲ୍ ବିଛାଇ ଜଗିଥିଲେ ୩୦ ଜଣ ଅଗ୍ନିଶମ କର୍ମଚାରୀ । ଦୁଇ ଦୁଇଟି ବ୍ରୋଣ୍ଟୋ ସ୍କାଏ ଲିଫ୍ଟ ସାହାଯ୍ୟରେ ଯୁବକଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ହୋଇଥିଲା । ଅଗ୍ନିଶମ କର୍ମଚାରୀମାନେ ତିନି ତିନି ଥର ଉଦ୍ୟମ କରିଥିଲେ ମଧ୍ୟ ତାଙ୍କୁ ବୁଝାଇ ତଳକୁ ଆଣିବାରେ ବିଫଳ ହୋଇଥିଲେ ।

ମଜ୍ଜାର କଥା, ତଳେ ସମସ୍ତଙ୍କୁ ପାଣି ପିଆଉଥିବା ଏହି ଯୁବକ ଛାତ ଉପରେ ବସି ଖାଇବା, ପିଇବା ଅର୍ଡର ଦେଉଥିଲେ । ଯାହା ଚାହୁଁଥିଲେ ତାଙ୍କୁ ତୁରନ୍ତ ଯୋଗାଇ ଦିଆଯାଉଥିଲା । ଖାଇପିଇ ଯୁବକଟି ନାନା ଫନ୍ଦି ଫିକର କରୁଥିଲେ । ଆତ୍ମହତ୍ୟା କରିବାକୁ ଡରୋଉଥିଲେ ବି ତାଙ୍କ ହାବଭାବ ସେଭଳି ନ ଥିଲା । ଭିସିଙ୍କୁ ଡାକି ଆଣିଲେ ସେ ତଳକୁ ଓହ୍ଲାଇଯିବେ ବୋଲି କେତେବେଳେ କହୁଥିଲେ ତ ଆଉ କେତେବେଳେ ସୁରଥ ନାୟକ ବୋଲି କାହାରି ଜଣଙ୍କ ନାଁ ନେଇ ଡାକୁଥିଲେ । ତଳେ କୋଳାହଳ କରୁଥିବା ବାଣୀବିହାର ଛାତ୍ର ଓ ଅନ୍ୟ ଦେଖଣାହାରୀଙ୍କୁ ଗାଳିମନ୍ଦ କରି ତଳକୁ ଡେଇଁ ପଡ଼ିବେ ବୋଲି ଧମକୋଉଥିଲେ । ତାଙ୍କର ହାବଭାବ ଉଦ୍ଧାରକାରୀ ଦଳକୁ ଛାନିଆଁ କରୁଥିଲା ସତ ହେଲେ ଯୁବକଟି ପାଖରେ ଆତ୍ମହତ୍ୟା କରିବାର ପ୍ରବଣତା ଜମାରୁ ନ ଥିଲା ବରଂ କିଛି ମୂଲଚାଲ କରିବା ଚକ୍କରରେ ଥିଲା ।

ତାଙ୍କର ମନସ୍ତତ୍ତ୍ୱକୁ ଠିକ୍ ଭାବେ ଅନ୍ଦାଜ କରି ଅଗ୍ନିଶମ କର୍ମଚାରୀମାନେ ଉପାୟ ପାଞ୍ଚିଥିଲେ । ତାଙ୍କୁ ଡରେଇ କିମ୍ବା ବୁଝେଇ ତଳକୁ ଆଣିବାକୁ ଉପାୟ ସ୍ଥିର କରାଗଲା । ତାଙ୍କର ଜଣେ ବନ୍ଧୁଙ୍କୁ ବ୍ରୋଣ୍ଟୋ ସ୍କାଏ ଲିଫ୍ଟ ରେ ନିଆଗଲା । ସେ ଯୁବକଙ୍କୁ ବୁଝାଇଲେ ମଧ୍ୟ ସେ ଶୁଣିବା ଅବସ୍ଥାରେ ନ ଥିଲେ । ତେବେ ବନ୍ଧୁ ବୁଝାସୁଝା କରୁଥିବା ବେଳେ ଜଣେ ଅଗ୍ନିଶମ କର୍ମଚାରୀ ସାହାସ ଜୁଟାଇ ତାଙ୍କୁ ତାଙ୍କୁ ଲିଫ୍ଟ ଭିତରକୁ ଭିଡ଼ି ଆଣିବାରେ ସଫଳ ହୋଇଥିଲେ । ତଳକୁ ଅଣାଯିବା ପରେ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ ଅଣାଯାଇଥିଲା । ତାଙ୍କର ମାନସିକ ବିକୃତ ଥିବା ମେଡ଼ିକାଲ୍ ରିପୋର୍ଟରୁ ଜଣାପଡ଼ିଛି ।

ମାନସିକ ବିକୃତଧାରୀ ଏହି ଯୁବକଙ୍କ ନାଁ ହେଉଛି ତପନ ଓରଫ୍ ସୁବୋଧ ବାରିକ । ଘର କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ କଲେଜ ଛକ ଅଞ୍ଚଳରେ । ଗତ ଅକ୍ଟୋବର ୨୩ ତାରିଖରେ ଭୁବନେଶ୍ୱରର ବେହେରା ସାହିରେ ରହୁଥିବା ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରକୁ ଆସିଥିଲେ । ମାତ୍ର ତା ପରଦିନ କେଉଁଆଡ଼େ ନିଖୋଜ ହୋଇଯାଇଥିଲେ । ୨୪ ତାରିଖରେ ପରିବାର ଲୋକେ ନୟାପଲ୍ଲୀ ଥାନାରେ ଏକ ମିସିଂ ରିପୋର୍ଟ କରିଥିଲେ । ପୁଲିସ ସେବେଠାରୁ ତାଙ୍କର ଖୋଜଖବର ପାଉ ନ ଥିଲା ।

Leave a Reply

Your email address will not be published. Required fields are marked *