ବଲାଙ୍ଗିର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲି ସମାରୋହରେ କେନ୍ଦ୍ରମନ୍ତ୍ରୀ

ବଲାଙ୍ଗିର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲି ସମାରୋହରେ କେନ୍ଦ୍ରମନ୍ତ୍ରୀ
ପଶ୍ଚିମ ଓଡିଶାର ବିକାଶରେ ଗୁରୁତ୍ୱପୂର୍ଣ୍ଣ
ଭୂମିକା ନେବ ରାଜେନ୍ଦ୍ର କଲେଜ – ଧର୍ମେନ୍ଦ୍ର ପ୍ରଧାନ
 ରାଜେନ୍ଦ୍ର କଲେଜ୍ ତଥା ସରକାରୀ ଶିକ୍ଷାନୁଷ୍ଠାନରେ ଆବଶ୍ୟକୀୟ ଅଧ୍ୟାପକ ପଦବୀ ପୂରଣ କରିବାକୁ ରାଜ୍ୟ
ସରକାରଙ୍କୁ ଅନୁରୋଧ
 କଲେଜର ସ୍ମରଣିକା ‘ରାଜେନ୍ଦ୍ରାୟନ-୭୫’ ଲୋକାର୍ପିତ
 ଏହି ଶିକ୍ଷାନୁଷ୍ଠାନ ପଶ୍ଚିମ ଓଡିଶାବାସୀଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବାରେ ଅନେକ କ୍ଷେତ୍ରରେ ସଫଳ ହୋଇଛି
 ବିଶ୍ୱବିଦ୍ୟାଳୟ ପାଇଁ ଆବଶ୍ୟକ ଆନୁଷଙ୍ଗୀକ ବ୍ୟବସ୍ଥାରେ ସମସ୍ତଙ୍କ ସହଯୋଗ ନେଇ ଗୁରୁତ୍ୱାରୋପ
 ବିଶ୍ୱସ୍ତରର କଳ୍ପନା ରଖୁଥିବା ସ୍ଥାନର ନାଁ ହେଲା ବଲାଙ୍ଗିର ଏବଂ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଏହାର ଏନ୍ତୁଡିଶାଳ
 ବଲାଙ୍ଗିରର ବିକାଶ କରିବା ପାଇଁ ମୋଦି ସରକାର ପ୍ରତିବଦ୍ଧ
ବଲାଙ୍ଗିର,ଡିସେମ୍ବର ୨୭ – ରାଜେନ୍ଦ୍ର କଲେଜ ଆଗାମୀ ଦିନରେ ବଲାଙ୍ଗିର ତଥା ପଶ୍ଚିମ ଓଡିଶାକୁ ବିକାଶ କରାଇବାରେ
ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି ଶୁକ୍ରବାର ପଶ୍ଚିମ ଓଡିଶାର ସର୍ବପୂରାତନ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ୭୫ ବର୍ଷ ପୂର୍ତି
ପାଳନ ହେବା ଅବସରରେ ଆୟୋଜିତ ପ୍ଲାଟିନମ୍ ଜୁବୁଲି ଉତ୍ସବରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଏହି ଅବସରରେ ଶ୍ରୀ ପ୍ରଧାନ ବିଶ୍ୱବିଦ୍ୟାଳୟର ଏକ ସ୍ମରଣିକା ‘ରାଜେନ୍ଦ୍ରାୟନ-୭୫’ର ମଧ୍ୟ ଲୋକାର୍ପଣ କରିଥିଲେ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଦୀର୍ଘ ୭୫ ବର୍ଷ ଯାତ୍ରାରେ ଏହି ଶିକ୍ଷାନୁଷ୍ଠାନ ନିଶ୍ଚିତ ଭାବରେ ପଶ୍ଚିମ ଓଡିଶାର ଲୋକଙ୍କ ଆଶା
ଆକାଂକ୍ଷାକୁ ପୂରଣ କରିବାରେ ଅନେକ କ୍ଷେତ୍ରରେ ସଫଳ ହୋଇଛି । ରାଜ୍ୟ ସରକାର ଏହାକୁ ବିଶ୍ୱବିଦ୍ୟାଳୟ ପାଇଁ ସ୍ୱୀକୃତି
ପ୍ରଦାନ କରିଥିବା ବେଳେ କଲେଜର ଉନ୍ନତି ପାଇଁ ସମସ୍ତଙ୍କର ଆବଶ୍ୟକତା ଅଛି । ଏହି ଅବସରରେ ଶ୍ରୀ ପ୍ରଧାନ ରାଜେନ୍ଦ୍ର
କଲେଜ ସମେତ ସରକାରୀ ଶିକ୍ଷାନୁଷ୍ଠାନରେ ଆବଶ୍ୟକ ପଡୁଥିବା ଅଧ୍ୟାପକ ପଦବୀ ପୂରଣ କରିବାକୁ ଅନୁରୋଧ କରିଥିଲୋ
ସେ କହିଛନ୍ତି ଯେ ୧୯୪୪ ମସିହା ଇଂରେଜ ଶାସନ ସମୟରେ ବଲାଙ୍ଗୀରର ଜନପ୍ରିୟ ପ୍ରତିନିଧି ତଥା ଓଡିଶାର ପୂର୍ବତନ
ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂଦେଓଙ୍କ ନାମରେ ନାମିତ ହୋଇଥିବା ଏହି ଶିକ୍ଷାନୁଷ୍ଠାନ ଲମ୍ବା ସମୟ ଧରି ଛାତ୍ରଛାତ୍ରୀଙ୍କୁ
ଗୁଣାତ୍ମକ ଶିକ୍ଷା ପ୍ରଦାନ କରିଆସୁଛି । ଆଗାମୀ ଦିନରେ ମଧ୍ୟ ଏହି ଶିକ୍ଷାନୁଷ୍ଠାନ ଉଚ୍ଚ ସ୍ତରକୁ ଯାଉ । ଆଗାମୀ ଦିନରେ
ବଲାଙ୍ଗୀର ରାଜେନ୍ଦ୍ର କଲେଜ୍ର ବିକାଶ କରିବାରେ ଆଲୁମିନି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଅନ୍ତୁ । ବଲାଙ୍ଗୀରର ବିକାଶରେ ରାଜେନ୍ଦ୍ର
ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶୀଦାର ହୁଅନ୍ତୁ ଏବଂ ଏଥିରେ କଲେଜ ଆଲୁମିନି ସଂଘ ବଡ ଭୂମିକା ନେବା ନେଇ ଆହ୍ୱାନ
କରିଛନ୍ତି । ରାଜେନ୍ଦ୍ର କଲେଜ ଆହୁରି ଆଗକୁ ବଢିବା ସହ ବିଶ୍ୱବିଦ୍ୟାଳୟ ପାଇଁ ଆନୁଷଙ୍ଗୀକ ବ୍ୟବସ୍ଥାରେ ସମସ୍ତଙ୍କ ସହଯୋଗ ରହିବା
ଉପରେ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଛନ୍ତି । ସେ କହିଛନ୍ତି ଯେ ବିଶ୍ୱସ୍ତରର କଳ୍ପନା ରଖୁଥିବା ସ୍ଥାନର ନାଁ ହେଲା ବଲାଙ୍ଗିର
ଏବଂ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଏହାର ଏନ୍ତୁଡିଶାଳ । ରାଜେନ୍ଦ୍ର କଲେଜ ବୌଦ୍ଧିକ ଜାଗରଣର ପେଣ୍ଠସ୍ଥଳ ।
ଯେ ପର୍ଯ୍ୟନ୍ତ ରାଜେନ୍ଦ୍ର କଲେଜ ଆଗକୁ ବଢିବ ନାହିଁ ସେ ପର୍ଯ୍ୟନ୍ତ ବଲାଙ୍ଗିର ଆଗକୁ ବଢିବ ନାହି । ବଲାଙ୍ଗିର ଆଗକୁ
ନବଢିଲେ ଓଡିଶାର ବିକାଶ ହେବ ନାହିଁ । ତେଣୁ ବଲାଙ୍ଗିରକୁ ବିକାଶ କରିବାର ଦାୟିତ୍ୱ ସମସ୍ତଙ୍କର ଅଛି । ପ୍ରଧାନମନ୍ତ୍ରୀ
ମୋଦି ବଲାଙ୍ଗିର ସମେତ ଦେଶର ୧୧୫ଟି ଜିଲ୍ଲାକୁ ଆକାଂକ୍ଷୀ ଜିଲ୍ଲା ଭାବେ ଘୋଷିତ କରିଛନ୍ତି । ଏହି ଜିଲ୍ଲାର ବିକାଶ
କରିବା ପାଇଁ ମୋଦି ସରକାର ପ୍ରତିବଦ୍ଧ ବୋଲି ଶ୍ରୀ ପ୍ରଧାନ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଉଲ୍ଲେଖ କରିଥିଲେ ।

Leave a Reply

Your email address will not be published. Required fields are marked *