ଅଲିଭା ମହାସଂଘ ମହିଳା ପଞ୍ଚାୟତ ପ୍ରତିନିଧିଙ୍କ ସମାବେଶ ଦେଶର ବିକାଶ ପାଇଁ ମହିଳାମାନେ ଅଧିକ ସଂଖ୍ୟାରେ ରାଜନୈତିକ ପ୍ରକ୍ରିୟାରେ ଭାଗିଦାର ହୁଅନ୍ତୁ

ଅଲିଭା ମହାସଂଘ ମହିଳା ପଞ୍ଚାୟତ ପ୍ରତିନିଧିଙ୍କ ସମାବେଶ
ଦେଶର ବିକାଶ ପାଇଁ ମହିଳାମାନେ ଅଧିକ ସଂଖ୍ୟାରେ ରାଜନୈତିକ ପ୍ରକ୍ରିୟାରେ ଭାଗିଦାର ହୁଅନ୍ତୁ

ଭୁବନେଶ୍ୱର, ୨୨/୧୨ : ମହିଳାମାନେ ହେଉଛନ୍ତି ବିକାଶର ସୂତ୍ରଧର । ରାଜନୈତିକ ପ୍ରକ୍ରିୟାରେ ସେମାନଙ୍କ ଭାଗିଦାରୀ ବୃଦ୍ଧି ପାଇଲେ କେବଳ ରାଜନୀତି କ୍ଷେତ୍ରର ବିକାଶ ହେବନାହିଁ ଦେଶର ଅର୍ଥନୀତି ମଧ୍ୟ ବିକଶିତ ହୋଇପାରିବ । ପିପୁଲ୍ସ କଲଚରାଲ ସେଣ୍ଟର (ପିକକ) ଓ ଦି ହଙ୍ଗର ପ୍ରୋଜେକ୍ଟର ମିଳିତ ଆନୁକୂଲ୍ୟରେ ବୋଲଗଡ ଓ ବାଲିଅନ୍ତା ବ୍ଲକର ନିର୍ବାଚିତ ମହିଳା ପଞ୍ଚାୟତ ପ୍ରତିନିଧିଙ୍କୁ ନେଇ ଗଠିତ ଅଲିଭା ମହାସଂଘର ଏକ ମତାମତ ବିନିମୟ କାର୍ଯ୍ୟକ୍ରମରେ ଯୋଗଦେଇଥିବା ବିଶିଷ୍ଟ ବକ୍ତାମାନେ ଏଭଳି ମତ ଦେଇଛନ୍ତି ।

ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଅରବିନ୍ଦ ଢାଲି ବୈଠକକୁ ଉଦ୍‍ଘାଟନ କରି କହିଲେ ଯେ ଶାସନ କ୍ଷେତ୍ରରେ ମହିଳାମାନଙ୍କ ଭାଗିଦାରୀ ବୃଦ୍ଧି ପାଇଲେ ଦେଶର ଅର୍ଥନୀତିର ବିକାଶ ହୋଇପାରିବ । ଦେଶର ପ୍ରଗତିରେ ନିଶା ପ୍ରମୁଖ ବାଧକ ହୋଇଥିବାବେଳେ ମହିଳାମାନେ ନିଶା ନିବାରଣ କ୍ଷେତ୍ରରେ ଚଳାଇଥିବା ଅଭିଯାନ ଉଲ୍ଲେଖନୀୟ । ବିଧାୟକ ଅନନ୍ତ ନାରାୟଣ ଜେନା ଯୋଗଦେଇ କହିଥିଲେ ଯେ ମହିଳା ଲୋକପ୍ରତିନିଧିମାନେ ସର୍ବଦା ଶୃଙ୍ଖଳା ଓ ଶାନ୍ତି ପାଳନ କରିବା ଆବଶ୍ୟକ । ପଞ୍ଚାୟତ ପ୍ରତିନିଧିମାନଙ୍କୁ ଯେତିକି ଦାୟିତ୍ୱ ମିଳିଛି ସେହି ଅନୁଯାୟୀ କାମ କରିବାକୁ ଶ୍ରୀ ଜେନା ପରାମର୍ଶ ଦେଇଥିଲେ । ଏହି ଅବସରରେ ପଞ୍ଚାୟତ ପ୍ରତିନିଧିମାନେ ସେମାନଙ୍କ ପ୍ରୋତ୍ସାହନ ରାଶି ବୃଦ୍ଧି, ବିଭିନ୍ନ ଉନ୍ନୟନ ଯୋଜନାର ଅର୍ଥ ଠିକଣା ସମୟରେ ମିଳିବା, ପଞ୍ଚାୟତ ନିର୍ବାଚନରେ ଦୁଇ ସନ୍ତାନ କଟକଣା ଉଚ୍ଛେଦ, ପଞ୍ଚାୟତରେ ବିବାହ ପଞ୍ଜିକରଣ ବାଧ୍ୟତାମୂଳକ କରିବା, ପିଲାମାନଙ୍କ ପାଇଁ ପଞ୍ଚାୟତରେ ପାର୍କ ନିର୍ମାଣ ଉଠାଇଥିବା ୧୪ ଦଫା ଦାବି ସଂକ୍ରାନ୍ତରେ ସେ ସରକାରଙ୍କ ସହିତ ଆଲୋଚନା କରିବେ ବୋଲି କହିଥିଲେ ।

ସୋଆ ବିଶ୍ୱବିଦ୍ୟାଳୟର ପ୍ରଫେସର ପ୍ରବୀର ପଟ୍ଟନାୟକ କହିଥିଲେ ଯେ ମହିଳା ପ୍ରତିନିଧିମାନଙ୍କୁ ଲୋକଙ୍କ ବିଶ୍ୱାସଭାଜନ ହୋଇ କାମ କରିବାକୁ ପଡିବ । ପ୍ରତିନିଧିମାନେ ଲୋକଙ୍କ ସହ ଯୋଡିହେବା ସହିତ ଗାଁ ଗହଳର ଲୋକଙ୍କର ସମସ୍ତ ସୂଚନା ନିଜ ପାଖରେ ଠୁଳ କରିବାପାଇଁ ପରାମର୍ଶ ଦେଇଥିଲେ । ପଞ୍ଚାୟତ ସ୍ତରରେ କିଭଳି ସରକାରୀ ଅର୍ଥର ସୁବିନିଯୋଗ ହେବ ସେଥିପାଇଁ ମହିଳାମାନେ ଯୋଜନା ପ୍ରସ୍ତୁତ ସହିତ କାର୍ଯ୍ୟକ୍ଷେତ୍ର ପରିଦର୍ଶନ ପାଇଁ କହିଥିଲେ । ପିକ୍‍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି କହିଥିଲେ ଯେ ଅଲିଭା ମହାସଂଘ ଆଜି ନିର୍ବାଚିତ ମହିଳା ପ୍ରତିନିଧିମାନଙ୍କ ମନୋବଳ ବଢାଇଛି । ମହିଳା ପଞ୍ଚାୟତ ପ୍ରତିନିଧିମାନେ ନିୟମିତ ଗ୍ରାମସଭା ବୈଠକ କରିବାରେ ସଫଳ ହୋଇଥିବାବେଳେ ଲୋକଙ୍କୁ ବିଭିନ୍ନ ନ୍ୟାୟ ମିଳିବାରେ ସହାୟକ ହୋଇପାରିଛନ୍ତି । ମହିଳାମାନଙ୍କ ଭିତରେ ଅଲିଭା ମହାସଂଘ ନେତୃତ୍ୱ ନେବାର ଦକ୍ଷତାକୁ ବିକଶିତ କରିପାରିଛି । ମହିଳାମାନେ ଏଭଳି ସଶକ୍ତ ହୋଇଛନ୍ତି ଯେ ଅଣସଂରକ୍ଷିତ ଆସନରେ ବି ସେମାନେ ବିଜୟୀ ହୋଇପାରୁଛନ୍ତି ।

ପିକକ୍‍ର ସମ୍ପାଦକ ରଞ୍ଜନ କୁମାର ମହାନ୍ତି କହିଥିଲେ ଯେ ଲୋକଙ୍କ ମନୋଭାବରେ ପରିବର୍ତ୍ତନ କରିବା ହେଉଛି ଲୋକପ୍ରତିନିଧିଙ୍କ ଦାୟିତ୍ୱ । ଲୋକଙ୍କ ମନୋଭାବରେ ପରିବର୍ତ୍ତନ ନହେଲେ ବ୍ୟୟବହୁଳ ନିର୍ବାଚନୀ ବ୍ୟବସ୍ଥାରେ ମହିଳାମାନେ ତିଷ୍ଠି ରହିବା କଷ୍ଟକର ହୋଇପଡିବ । ନିଶା ନିବାରଣ ହେଉ କିମ୍ବା ବାଲ୍ୟ ବିବାହ ଉଚ୍ଛେଦ ମହିଳା ପ୍ରତିନିଧିମାନଙ୍କୁ ଆହୁରି ପରିବର୍ତ୍ତନମୂଳକ ପଦକ୍ଷେପ ନେବାକୁ ପଡିବ । ଦାୟିତ୍ୱ, କର୍ତ୍ତବ୍ୟ ସହିତ ମହିଳା ପ୍ରତିନିଧିମାନେ ପରିବର୍ତ୍ତନର ବାହକ ହେବାକୁ ସେ ପରାମର୍ଶ ଦେଇଥିଲେ । ବୋଲଗଡ ବ୍ଲକ ଅଲିଭା ମହିଳା ପଞ୍ଚାୟତ ପ୍ରତିନିଧି ମହାସଂଘର ସଭାନେତ୍ରୀ ବବିତା ସାହୁ ଓ ବାଲିଅନ୍ତା ବ୍ଲକର ସଭାନେତ୍ରୀ ରଶ୍ମିତା ପାତ୍ର ମହାସଂଘ ପକ୍ଷରୁ ସ୍ମାରକପତ୍ର ଉପସ୍ଥାପନ କରିଥିବାବେଳେ ଉପସ୍ଥିତ ମହିଳା ପ୍ରତିନିଧିମାନେ ନିଜ ନିଜ ଅଞ୍ଚଳରେ କରିଥିବା ବିଭିନ୍ନ ସଫଳ କାର୍ଯ୍ୟର ଅବତାରଣା କରିଥିଲେ । ପିକକ୍‍ର ରତ୍ନା ଦାଶ ସମାବେଶରେ ତାଙ୍କର ବକ୍ତବ୍ୟ ରଖିଥିବାବେଳେ ପିକକ୍‍ ବାଲିଅନ୍ତା ବ୍ଲକର ସଂଯୋଜିକା ଉପମା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବୋଲଗଡ ବ୍ଲକ ସଂଯୋଜକ ବାମଦେବ ଜେନା ଓ କାର୍ଯ୍ୟକ୍ରମ ପରିଚାଳକ ପ୍ରଶାନ୍ତ ମଲିକ ଓ ଡକ୍ଟର ସୁମିତ୍ରା ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *