ଓଡ଼ିଶା ରାଜ୍ୟ ଏଡସ୍ ନିୟନ୍ତ୍ରଣ ସମିତି ଦ୍ୱାରା ଜାତୀୟ ଯୁବ ଦିବସ ପାଳିତ

ଓଡ଼ିଶା ରାଜ୍ୟ ଏଡସ୍ ନିୟନ୍ତ୍ରଣ ସମିତି ଦ୍ୱାରା ଜାତୀୟ ଯୁବ ଦିବସ ପାଳିତ
ଯୁବବର୍ଗ ସଚେତନ ହେଲେ ୨୦୩୦ ସୁଦ୍ଧା ଏଡସ୍ ମୁକ୍ତ ରାଜ୍ୟ ଓ ଦେଶ ଗଠନ ସମ୍ଭବ

ଭୁବନେଶ୍ୱର, ତା. ୧୨.୦୧.୨୦୨୦– ଭାରତର ମହାନ ସମାଜ ସଂସ୍କାରକ, ବିଚାରକ ଏବଂ ଦାର୍ଶନିକ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ଆଜି ସାରା ଦେଶରେ ‘ଯୁବଶକ୍ତିର ଜାଗରଣରେ ଜାତୀୟ ବିକାଶ’ ଅନୁଚିନ୍ତାକୁ ନେଇ ଜାତୀୟ ଯୁବ ଦିବସ ପାଳନ କରାଯାଇଛି । ଏହି ଅବସରରେ ଓଡିଶା ରାଜ୍ୟ ଏଡ୍ସ୍ ନିୟନ୍ତ୍ରଣ ସମିତି (ଓସାକ୍ସ) ଦ୍ୱାରା ସ୍ଥାନୀୟ ଇଡକଲ ଅଡିଟୋରିଅମଠାରେ ଜାତୀୟ ଯୁବ ଦିବସ – ୨୦୨୦ ପାଳିତ ହୋଇଯାଇଛି ।
ରାଜ୍ୟସ୍ତରୀୟ ସଭାରେ ଭୁବନେଶ୍ୱରର ଲୋକ ପ୍ରତିନିଧି ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲାବେଳେ, ନର୍ସିଂଗର ଅତିରିକ୍ତ ନିର୍ଦ୍ଦେଶକ ଡ. ରାମଚନ୍ଦ୍ର ରାଉତ, ଓସାକ୍ସର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀମତୀ ଗୁହା ପୁନମ ତାପସ କୁମାର, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀମତୀ ସଂଯୁକ୍ତା ସାହୁ, ଏବଂ ଅନ୍ୟ ମାନ୍ୟଗଣ ବ୍ୟକ୍ତି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ ।
ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଜେନା କହିଥିଲେ ଯେ ଭାରତର ସବୁ କ୍ଷେତ୍ରରେ ଯୁବଗୋଷ୍ଠି ସର୍ବାଗ୍ରେ ରହିଥାନ୍ତି, ସେ ସ୍ୱତନ୍ତ୍ରତା ହେଉ ବା ବିକାଶ କ୍ଷେତ୍ରରେ ହେଉ ସବୁ କ୍ଷେତ୍ରରେ ଯୁବଗୋଷ୍ଠିଙ୍କ ଭୂମିକା ଅତ୍ୟନ୍ତ ଗୁରତ୍ୱପୂର୍ଣ୍ଣ ଏବଂ ପ୍ରଶଂସନୀୟ । ସେ କହିଥିଲେ ଯେ ନିଜର ଆଖପାଖରେ ଥିବା ଲୋକମାନଙ୍କ ସହିତ ନିରନ୍ତର ସଂପର୍କରେ ରୁହନ୍ତୁ ଏବଂ ଏଚ.ଆଇ.ଭି./ଏଡସ୍ ଭଳି ସଂକ୍ରମଣ ବିଷୟରେ ସଚେନତ କରାନ୍ତୁ । ୨୦୩୦ ସୁଦ୍ଧା ଦେଶକୁ ଏଡସ୍ ମୁକ୍ତ କରିବା ଲକ୍ଷ୍ୟ ହାସଲ ପାଇଁ ପ୍ରଥମେ ରାଜ୍ୟକୁ ଏଡସ୍ ମୁକ୍ତ କରାଯିବ । ଏ ଦିଗରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିରନ୍ତର ଉଦ୍ୟମ ପ୍ରଶଂସନୀୟ । ଦେଶର ପ୍ରତ୍ୟେକ କ୍ଷେତ୍ରରେ ଯୁବଗୋଷ୍ଠୀ ନିଜର ପ୍ରମୁଖ ଯୋଗଦାନ ଦେଉଛନ୍ତି । ଏ କ୍ଷେତ୍ରରେ ମଧ୍ୟ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସେମାନେ ନିଜ ଶାରିରୀକ ସୁସ୍ଥତା ପ୍ରତି ଆହୁରୀ ଅଧିକ ସଚେତନ ହେବା ସହିତ ଅନ୍ୟମାନଙ୍କୁ ସଚେତନା କରିବାର କର୍ତବ୍ୟ ସଂପାଦନ କରିବାର ଆବଶ୍ୟକତା ରହିଛି ।
ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବା ଡ. ରାମଚନ୍ଦ୍ର ରାଉତ କହିଥିଲେ ଯେ ଦେଶର ଯୁବଗୋଷ୍ଠୀ ଦେଶକୁ ବିକାଶ ଦିଗରେ ଅଗ୍ରସର କରାଇବା ପାଇଁ ନିରନ୍ତର ପ୍ରଚେଷ୍ଟା କରିବାର ଆବଶ୍ୟକତା ରହିଛି । ଦେଶ ନିର୍ମାଣ କ୍ଷେତ୍ରରେ ଯୁବଗୋଷ୍ଠୀ ନିଜର ଭୂମିକାକୁ ନେଇ ନିଶ୍ଚିତ ରୂପେ ସଂଯମ ଅଛନ୍ତି । ସେମାନେ ସ୍ୱାମୀ ବିବେକାନନ୍ଦଙ୍କର ଆଦର୍ଶ ପ୍ରସଙ୍ଗକୁ ଉଦାହରଣ ଦେଇ କହିଥିଲେ ଯେ ବିବେକାନନ୍ଦଙ୍କ ଭଳି ନିଜର ସାମର୍ଥ୍ୟ ଏବଂ ଜ୍ଞାନକୁ ଉଦଭାବନ କରନ୍ତୁ । ଦେଶକୁ ବିକାଶ ଦିଗରେ ଅଗ୍ରସର କରିବା ପାଇଁ ନିଜେ ଜଣେ ସୁନାଗରିକର କର୍ତବ୍ୟ ସଂପାଦନ କରନ୍ତୁ ।
ଓସାକ୍ସର ପ୍ରକଳ୍ପ ନିର୍ଦ୍ଦେଶକ ତଥା ସଭାର ସଭାପତି ଶ୍ରୀମତୀ ଗୁହା ପୁନମ ତାପସ ଏହି ଅବସରରେ କହିଥିଲେ ଯେ ଯୁବଗୋଷ୍ଠି ସଚେତନ ହେଲେ ଏଚ.ଆଇ.ଭି. ଭଳି ସଂକ୍ରମଣ ରାଜ୍ୟରେ ନିଜର ପାଦୃଭାବ ବୃଦ୍ଧି କରିପାରିବ ନାହିଁ ଏବଂ ଆମେ ଅତି ସହଯରେ ୨୦୩୦ ସୁଦ୍ଧା ଏଡସ୍ର ମୂଳୋତ୍ପାଟନ ପାଇଁ ମିଳିତ ଜାତିସଂଘର ଲକ୍ଷ୍ୟ ହାସଲରେ ଏକ ବିରାଟ ଯୋଗଦାନ ଦେଇପାରିବା । ରାଜ୍ୟର ପ୍ରତ୍ୟେକ ସରକାରୀ ଡାକ୍ତରଖାନାରେ ଆଇ.ସି.ଟି.ସି କେନ୍ଦ୍ର ଜରିଆରେ ବିନା ମୂଲ୍ୟରେ ଏଚ.ଆଇ.ଭି. ପରୀକ୍ଷା କରାଯାଉଥିଲା ବେଳେ ଗ୍ରାମାଂଚଳ ପର୍ଯ୍ୟନ୍ତ ଏହି ପରୀକ୍ଷା ଭିଏଚଏନଡି ସ୍ତରକୁ ବିସ୍ତାର କରାଯାଇଛି । ଏଥିସହିତ ବିଭିନ୍ନ ଏନଜିଓ ମାଧ୍ୟମରେ ଏଚଆରଜି ମାନଙ୍କୁ ମଧ୍ୟ ସଚେତନ ଏବଂ ପରୀକ୍ଷା କରାଯାଉଛି । ସଚେତନତା ଓ ଏଚ.ଆଇ.ଭି. ପରୀକ୍ଷା କାର୍ଯ୍ୟକ୍ରମକୁ ଆହୁରୀ ବ୍ୟାପକ କରିବା ପାଇଁ ଓସାକ୍ସ, ୨୦ଟି କଂପାନୀମାନଙ୍କ ସହିତ ବୁଝାମଣା ସ୍ୱାକ୍ଷରୀତ କରିଛି । ରାଜ୍ୟରେ ବର୍ତମାନ ୫୦,୨୨୮ ହଜାରରୁ ଉଦ୍ଧ୍ୱର୍ ଏଚ.ଆଇ.ଭି. ସଂକ୍ରମିତ ବ୍ୟକ୍ତି ଥିବାବେଳେ, ୧୫-୩୫ ବର୍ଷ ବୟସର ଯୁବଗୋଷ୍ଠିଙ୍କ ମଧ୍ୟରେ ସଂକ୍ରମଣ ହାର ୪୧ପ୍ରତିଶତ ରହିଛି । ସେ କହିଥିଲେ ଯେ ଯୁବବର୍ଗ ନିଜ ଭିତରେ ସଂଯମତା ଓ ବିଶ୍ୱାସନୀୟତା ଦ୍ୱାରା ଏଥିରୁ ନିଜକୁ ଦୂରେଇ ରଖିପାରିବେ । ଯୁବବର୍ଗ ନିଜେ ସଚେତନ ହୋଇ ଅନ୍ୟକୁ ସଚେତନ କରାଇ ପାରିଲେ ଜଣେ ସୁନାଗରିକ ତଥା କର୍ତବ୍ୟନିଷ୍ଠ ନାଗରିକ ଭାବେ ନିଜକୁ ପ୍ରତିପାଦନ କରିପାରିବେ । ସ୍ୱାମୀ ବିବେକାନନ୍ଦଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇ ପ୍ରତ୍ୟେକ ଯୁବକ ଯୁବତୀଙ୍କୁ କାର୍ଯ୍ୟ କରିବା ପାଇଁ ସେ ପ୍ରବର୍ତାଇଥିଲେ ।
ଓଡ଼ିଶାର ଯୁବପିଢି ସ୍ୱାସ୍ଥ୍ୟ କ୍ଷେତ୍ରରେ ତାଙ୍କର ସକାରାତ୍ମକ ଭୂମିକା ପ୍ରଦର୍ଶନ କରିବାର ଆବଶ୍ୟକତାକୁ ଦେଖି ରାଜ୍ୟର ବିଭିନ୍ନ କଲେଜରେ ଓସାକ୍ସ ତରଫରୁ ରେଡକ୍ରସ ସୋସାଇଟି ସହଯୋଗରେ ପାଖାପାଖି ୬୪୦ ରେଡ ରିବନ କ୍ଲବ ଖୋଲାଯାଇଛିି । ୨୦୧୯-୨୦ ମସିହାରେ ସମୁଦାୟ ୨୪୬୭ ନୂତନ ସଂକ୍ରମଣ ମଧ୍ୟରୁ ୯୯୬ ଜଣ ଯାହାକି ୪୦ ପ୍ରତିଶତ ହେଉଛନ୍ତି ଯୁବବର୍ଗ । ଏହା ଜରିଆରେ ଛାତ୍ରଛାତ୍ରୀମାନଙ୍କୁ ଏଚ.ଆଇ.ଭି/ ଏଡସ୍ କ୍ଷେତ୍ରରେ ସଚେତନ କରାଯିବା ସହିତ ସମାଜ ପ୍ରତି ନିଜର କର୍ତବ୍ୟକୁ ଠିକ ଭାବେ ସଂପାଦନ କରିବା ପାଇଁ ବିଭିନ୍ନ ସଚେତନତାଧର୍ମୀ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଉଛି ।
ଏହି କାର୍ଯ୍ୟକ୍ରମରେ ଓସାକ୍ସର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଡକ୍ଟର ସଂଯୁକ୍ତା ସାହୁ ସ୍ୱାଗତ ଅଭିଭାଷଣ ପ୍ରଦାନ କରିବା ସହିତ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ପରିବର୍ତନର ବାହକ, ରାଜ୍ୟ ତଥା ଦେଶର ଭବିଷ୍ୟତ ଭାବେ ଅଭିହିତ କରି କହିଥିଲେ ଯେ ଯୁବଗୋଷ୍ଠୀ ଯେତେବେଳେ କୋ÷ଣସି କାର୍ଯ୍ୟକୁ ନିଜ ହାତକୁ ନିଅନ୍ତି ସେହି କାର୍ଯ୍ୟ ନିଶ୍ଚିତ ରୂପେ ସଫଳ ହୋଇଥାଏ ।
ସ୍ୱାମୀଜୀଙ୍କୁ ପ୍ରବାଦ ପୁରୁଷ ଏବଂ ତାଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଜୀବନର ଚଲାପଥରେ ନିର୍ଭିକ, କର୍ତବ୍ୟନିଷ୍ଠ ଏବଂ ସୁନାଗରିକ ଭାବେ ଦେଶ ପ୍ରତି ନିଜର କର୍ତବ୍ୟ ସଂପାଦନ କରିବାର ଆହ୍ୱାନ କରି ଯୁଗ୍ମ ସଚିବ ଶ୍ରୀମତୀ ରଂଜିତା ବେହେରା ଧନ୍ୟବାଦ ଜ୍ଞାପନ କରିଥିଲେ ।
ଏହି ଦିବସ ପାଳନ ଉପଲକ୍ଷେ ବିଭିନ୍ନ କଲେଜର ଛାତ୍ରଛାତ୍ରୀ ଏବଂ ରେଡ ରିବନ କ୍ଲବର ସଦସ୍ୟମାନଙ୍କ ମଧ୍ୟରେ ବର୍ଜ୍ୟବସ୍ତୁରେ ନିର୍ମିତ ବିଭିନ୍ନ ସାଜସଜ୍ଜା ସାମଗ୍ରୀ, ବକୃତା, କୁଇଜ୍, ଝୋଟି ଏବଂ ରଂଗୋଲି ଆଦି ପ୍ରତିଯୋଗୀତାରେ କୃତୀ ପ୍ରତିଯୋଗୀମାନଙ୍କୁ ସମ୍ମାନୀତ କରାଯାଇଥିଲା । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଯୁଗ୍ମ ସଚିବ ଡ. ଅଂଜନା ପଣ୍ଡା, ଯୁଗ୍ମ ସଚିବ ଡ. ଲଲାଟେନ୍ଦୁ ନାୟକ, ପ୍ରତିଷ୍ଠାନ ଅଧିକାରୀ ଶ୍ରୀଯୁକ୍ତ ଶୁଭେନ୍ଦୁ ପଟନାୟକ ଏବଂ ଓସାକ୍ସ ସମସ୍ତ କର୍ମଚାରୀମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *