ମହାନଦୀ ପାଣି ପାଇଁ ଓଡିଶାର ସ୍ୱାର୍ଥ କିଏ ଜଗିଛି ବିଜେଡି ନା ବିଜେପି – ନିରଞ୍ଜନ

ମହାନଦୀ ପାଣି ପାଇଁ ଓଡିଶାର ସ୍ୱାର୍ଥ କିଏ ଜଗିଛି ବିଜେଡି ନା ବିଜେପି – ନିରଞ୍ଜନ
ଭୁବନେଶ୍ୱର ତା ୧୪.୭ – ମହାନଦୀ ଜଳବିବାଦକୁ ନେଇ ଛତିଶଗଡ ବିଜେପି ସରକାର ଓ ଓଡିଶା ବିଜେଡି ସରକାର ବହୁ ରାଜନୀତି କଲେ । ଜନସାଧାରଣଙ୍କ ସ୍ୱାର୍ଥ ପାଇଁ ସେମାନଙ୍କର ଆନ୍ତରିକତା ନଥିଲା ବୋଲି ଆଜିର ପ୍ରେସ୍‌ବାର୍ତାରେ ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ କ୍ଷୋଭ ପ୍ରକାଶ କରିଛନ୍ତି । ବିଜେଡି ଓ ବିଜେପି କେବଳ ଭୋଟ ରାଜନୀତିରେ ବିଶ୍ୱାସ କରନ୍ତି । ଏବେ କିନ୍ତୁ ସତ୍ୟ ସାମ୍ନାକୁ ଆସିଛି । ଓଡିଶାର ଦାବି ଥିଲା ଅଣମୌସୁମୀ ସମୟରେ ହୀରାକୁଦ ଜଳଭଣ୍ଡାର ସର୍ବନିମ୍ନ ୧.୨ ମିଲିଅନ୍ ଏକର ଫୁଟ୍ ପାଣି ଛତିଶଗଡ ସରକାର ଛାଡନ୍ତୁ । କିନ୍ତୁ ଛତିଶଗଡ ବିଜେପି ସରକାର ରୋକଠୋକ ନାହିଁ କରିଦେଲେ । ହୀରାକୁଦ ବନ୍ଧ ଗୋଟେ କେନ୍ଦ୍ରୀୟ ଯୋଜନା । ଡିପିଆରରେ ସ୍ପଷ୍ଟ ଭାବେ ଉଲ୍ଲେଖିତ ଅଛି ଓଡିଶାର ଅଂଶ ୧୨.୨୮ ମିଲିୟନ ଏକର ଫୁଟ ଏବଂ ଛତିଶଗଡ ଭାଗ ୮.୩୩ ମିଲିୟନ ଏକର ଫୁଟ । ଛତିଶଗଡ ବିଜେପି ସରକାର ଅଣମୌସୁମୀ ସମୟରେ ପାଣି ଛାଡିବାକୁ ମନା କରିଦେଲେ । ଯାହାକୁ ନେଇ ବିବାଦ ସୃଷ୍ଟି ହେଲା । କିନ୍ତୁ ଏ ବର୍ଷ ମାର୍ଚ୍ଚ ମାସରୁ ମଇ ମାସ ପର୍ଯ୍ୟନ୍ତ ୬୨୪ ରୁ ୬୧୭ ଫୁଟ ପର୍ଯ୍ୟନ୍ତ ଜଳଭଣ୍ଡାରରେ ଥିଲା । ଯାହାକି ଅନ୍ୟ ବର୍ଷ ତୁଳନାରେ ୧୦ ରୁ ୧୫ ଫୁଟ ଅଧିକ । ଏ ବର୍ଷ ଛତିଶଗଡ କଂଗ୍ରେସ ସରକାର ୧.୬ ଏକର ଫୁଟ ପାଣି ଛାଡିଛନ୍ତି । ପାଣି ଆସିଲା କେଉଁଠୁ ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀଯୁକ୍ତ ପଟ୍ଟନାୟକ । ଓଡିଶାକୁ ୨ ଲକ୍ଷ ମିଲିୟନ ଏକର ଫୁଟ ପାଣି ଦେଲେ ଅଣମୌସୁମୀ ସମୟରେ ଓଡିଶାର ଆବଶ୍ୟକତା ପୂରଣ ହୋଇପାରିବ ବୋଲି ଆଶାବ୍ୟକ୍ତ କରିଛନ୍ତି ପିସିସି ସଭାପତି । ଏହି କଥାକୁ ଦୁଇ ରାଜ୍ୟ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ କରିପାରିଥାନ୍ତେ । କିନ୍ତୁ ତାହା ନକରି ସୁପ୍ରିମ୍‌କୋର୍ଟ ଓ ଟ୍ରିବୁନାଲ୍ ଯିବାକୁ ପଡିଲା । ସବୁ କଥାରେ ବିଜେଡି ସରକାର ବିଜେପିକୁ ସମର୍ଥନ କରୁଛନ୍ତି । ଓଡିଆ ଲୋକଙ୍କ ସ୍ୱାର୍ଥ ପାଇଁ କାହିଁକି ଏତିକି କରିପାରିଲେ ନାହିଁ ବା କରିପାରୁ ନାହାନ୍ତି । ଏହାର ସନ୍ତୋଷଜନକ ଉତର ଓଡିଶାବାସୀଙ୍କୁ କିଏ ଦେବ ବିଜେପି ନା ବିଜେଡି ବୋଲି ପ୍ରଶ୍ନ କରିଛନ୍ତି ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ।

Leave a Reply

Your email address will not be published. Required fields are marked *