ଗାନ୍ଧିବାଦ ସହ ନେଚୁରୋପ୍ୟାଥିର ସମ୍ପର୍କ ଅତି ନିବିଡ଼

ଗାନ୍ଧିବାଦ ସହ ନେଚୁରୋପ୍ୟାଥିର ସମ୍ପର୍କ ଅତି ନିବିଡ଼

ଭୁବନେଶ୍ୱର, : ଶାରୀରିକ ଓ ମାନସିକ ସୁସ୍ଥତା ପାଇଁ ନେଚୁରୋପ୍ୟାଥି ବା ପ୍ରାକୃତିକ ଚିକିତ୍ସା ପଦ୍ଧତି ଏକ ମାତ୍ର ବିକଳ୍ପ । ଯୋଗ, ଉପବାସ, ଧ୍ୟାନ ଓ ପ୍ରାର୍ଥନା ଏକ ସୁସ୍ଥ ସମାଜ ଗଠନର ମୂଳମନ୍ତ୍ର ଅଟେ । ପ୍ରାକୃତିକ ଚିକିତ୍ସା ପଦ୍ଧତିର ଏହି ଚାରିଗୋଟି ଉପାଦାନ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ନିଜ ଜୀବନଶୈଳୀର ଏକ ପ୍ରମୁଖ ଅଙ୍ଗ ରହିଥିଲା ବୋଲି ‘ସୁସ୍ଥ ଜୀବନଶୈଳୀ ପରିଚାଳନା’ ସମ୍ପର୍କିତ ଏକ ଆଲୋଚନା ଚକ୍ରରେ ମତ ପ୍ରକାଶ ପାଇଛି । ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ଓ ଜାତୀୟ ନେଚୁରୋପ୍ୟାଥି ଦିବସ ପାଳନ ଅବସରରେ ଆୟୋଜିତ ଏହି ଆଲୋଚନାଚକ୍ରରେ ପ୍ରାକ୍ତନ ବିଚାରପତି ତଥା ବରିଷ୍ଠ ଗାନ୍ଧିବାଦୀ ମନୋରଞ୍ଜନ ମହାନ୍ତି ଯୋଗଦେଇ ଗାନ୍ଧିବାଦ ସହ ନେଚୁରୋପ୍ୟାଥିର ସମ୍ପର୍କ ଅତି ନିବିଡ଼ ବୋଲି ମତବ୍ୟକ୍ତ କରିଛନ୍ତି । ମହାତ୍ମା ଗାନ୍ଧୀ ନିଜ ଜୀବନରେ ନେଚୁରୋପ୍ୟାଥିକୁ ଖୁବ୍ ନିଖୁଣ ଭାବେ ପ୍ରୟୋଗ କରିଥିଲେ ବୋଲି ଶ୍ରୀ ମହାନ୍ତି ସୂଚନା ଦେଇଥିଲେ । ଗାନ୍ଧୀଙ୍କ ଧର୍ମପତ୍ନୀ କସ୍ତୁରବାଙ୍କ ପ୍ରଭାବ ସମୟରେ ନେଚୁରୋପ୍ୟାଥିର ବିଭିନ୍ନ ପଦ୍ଧତି ଆପଣା ଯାଇଥିଲା ବୋଲି ଦୂରଦର୍ଶନର ପୂର୍ବତନ ନିର୍ଦ୍ଦେଶିକା ତଥା ଗାନ୍ଧୀ ସ୍ମାରକ ନିଧିର ସଦସ୍ୟା ଶ୍ରୀମତୀ ଜୟନ୍ତୀମଞ୍ଜରୀ ରଥ ମତ ବ୍ୟକ୍ତ କରିଥିଲେ । ସେହିପରି ଆଜିର ଯୁବସମାଜ ବିଭିନ୍ନ ଜଙ୍କ ଫୁଡ଼୍, ପ୍ରିଜର୍ଭଫୁଡ଼୍ ଓ ଫାଷ୍ଟଫୁଡ଼୍ ଭଳି ଖାଦ୍ୟ ଆପଣେଇବା ନିହାତି ଚିନ୍ତାଜନକ ଏବଂ ଶାରୀରିକ ଅସୁସ୍ଥତା ପାଇଁ ମୁଖ୍ୟତଃ ଦାୟୀ ବୋଲି ଯୋଗ ଆଣ୍ଡ୍ ନେଚୁରୋପ୍ୟାଥି ହସ୍ପିଟାଲର ନିର୍ଦ୍ଦେଶକ ଡ.ମିଲିନ୍ଦ ପରାସର କହିଥିଲେ । ଉପବାସ, ଜଳ ସ୍ନାନ ଭଳି ସୂର୍ଯ୍ୟସ୍ନାନ, ଚାଲିବା ଆଦି ନେଚୁରୋପ୍ୟାଥିର ବିଭିନ୍ନ ଉପାୟ ଏବଂ ଏହା ମାନସିକ ଶାନ୍ତି ବଜାୟ ରଖିବା ସହ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିରେ ସହାୟକ ହୋଇଥାଏ ବୋଲି ନେଚୁରୋପ୍ୟାଥି ହସ୍ପିଟାଲ ଆଣ୍ଡ ରିସର୍ଚ୍ଚ ସେଂଟର ତଥା ପ୍ରାକୃତିକ ଚିକିତ୍ସା କାର୍ଯ୍ୟକ୍ରମ ସଂଯୋଜକ ବିଜୟ ପୃଷ୍ଟି ମତବ୍ୟକ୍ତ କରିଥିଲେ ।
ଏହି ଆଲୋଚନାଚକ୍ରକୁ ପରିଚାଳନା କରିବା ଅବସରରେ ସି.ୱାଇ.ଏସ୍.ଡି.ର ମାର୍ଗଦର୍ଶକ ତଥା ସହ-ପ୍ରତିଷ୍ଠାତା ଜଗଦାନନ୍ଦ ପ୍ରାକୃତିକ ଚିକିତ୍ସାରେ ନିଜ ଜୀବନର ଅଭିଜ୍ଞତା ବଖାଣି କହିଥିଲେ ଯେ, ତାଙ୍କର ମେରୁଦଣ୍ଡଜନିତ ଆଘାତକୁ ନେଚୁରୋପ୍ୟାଥି ମାଧ୍ୟମରେ ସମ୍ପୂର୍ଣ୍ଣ ପ୍ରତିହତ କରିପାରିଛନ୍ତି ଏବଂ ଭଲଭାବେ ନିଜର କାର୍ଯ୍ୟ ସମ୍ପାଦନ କରିପାରୁଛନ୍ତି । ଏହି ଆଲୋଚନା ଚକ୍ରରେ ବିଭିନ୍ନ ସାମାଜିକ ଅନୁଷ୍ଠାନର କର୍ମକର୍ତା, ଯୁବ ସଂଗଠନର କର୍ମକର୍ତା ଗଣମାଧ୍ୟମର ପ୍ରତିନିଧି ଏବଂ ଭୁବନେଶ୍ୱରର ଆବାସିକ ସଙ୍ଗଠନର ପ୍ରତିନିଧିମାନେ ଯୋଗ ଦେଇଥିବାବେଳେ ସି.ୱାଇ.ଏସ୍.ଡ଼ି.ର ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ସାହୁ ନିଜ ମତାମତ ରଖିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି ଆଲୋଚନାଚକ୍ର ପୁଣେସ୍ଥିତ ନେଚୁରୋପ୍ୟାଥି ଅନୁଷ୍ଠାନ ଓ ସି.ୱାଇ.ଏସ୍.ଡ଼ି-ଡିଆର୍ଟିସିର ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଜାତୀୟ ସ୍ତରରେ ପାଳିତ ହେଉଥିବା ପ୍ରାକୃତିକ ଚିକିତ୍ସା ଦିବସର ଏକ ଅଂଶବିଶେଷ

Leave a Reply

Your email address will not be published. Required fields are marked *