ଆଇସିଏଆର୍-ସିଫାରେ ସ୍ୱଚ୍ଛତା ପକ୍ଷ ପାଳିତ

ଆଇସିଏଆର୍-ସିଫାରେ ସ୍ୱଚ୍ଛତା ପକ୍ଷ ପାଳିତ

ଭୁବନେଶ୍ୱର: ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଦ୍ୱାରା ପରିଚାଳିତ କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ଅନୁସନ୍ଧାନ ସଂସ୍ଥା ତରଫରୁ ଡିସେମ୍ବର ୧୬ ରୁ ୩୧ ତାରିଖ ପର୍ଯ୍ୟନ୍ତ ସ୍ୱଚ୍ଛତା ପକ୍ଷ ପାଳନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ସଂସ୍ଥାନ ତରଫରୁ ମତ୍ସ୍ୟଚାଷୀ, ଛାତ୍ର ସମାଜ ଓ ସାଧାରଣ ଜନତାଙ୍କ ପାଖରେ ସ୍ୱଚ୍ଛତା ବାର୍ତା ତଥା ସଚେତନତା ପ୍ରଦାନ କରାଯାଇଥିଲା ।
ଭାରତ ସରକାରଙ୍କ ସ୍ୱଚ୍ଛ ଭାରତ ମିଶନ ପ୍ରକଳ୍ପ ୨୦୧୪ ଗାନ୍ଧୀ ଜୟନ୍ତୀଠାରୁ ଆରମ୍ଭ ହୋଇଛି । ଏଥିରେ ଜନସାଧାରଣଙ୍କୁ ନିୟୋଜିତ କରି ୨୦୧୯ ରେ ପାଳନ ହେବାକୁଥିବା ୧୫୦ତମ ଗାନ୍ଧୀ ଜୟନ୍ତୀ ମହୋତ୍ସବ ଅବସରରେ ସାରା ଭାରତବର୍ଷକୁ ସ୍ୱଚ୍ଛ କରିବା ପାଇଁ ସରକାରଙ୍କ ଲକ୍ଷ୍ୟ ରହିଥିଲା । ତଦନୁଯାୟୀ ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭିନ୍ନ ବିଭାଗ ଗୁଡ଼ିକ ଏକ ସ୍ୱଚ୍ଛ ଭାରତ ଗଠନ କରିବା ଉଦ୍ଦେଶ୍ୟରେ ବର୍ଷସାରା ବିଭିନ୍ନ ସ୍ୱଚ୍ଛତା କାର୍ଯ୍ୟକ୍ରମ ସହ ଡିସେମ୍ବର ୧୬ ତାରିଖ ଠାରୁ ୩୧ ତାରିଖ ପର୍ଯ୍ୟନ୍ତ ସ୍ୱଚ୍ଛତା ପକ୍ଷ ପାଳନ କରିଆସୁଛନ୍ତି । ଏହି ପରିପ୍ରେକ୍ଷୀରେ ଆଇସିଏଆର୍-କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ଅନୁସନ୍ଧାନ ସଂସ୍ଥାନ (ସିଫା)ରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଡିସେମ୍ବର ୧୬ ତାରିଖରେ ସ୍ୱଚ୍ଛତା ଶପଥ ପାଠ ସହ ବୃକ୍ଷରୋପଣ, କାର୍ଯ୍ୟାଳୟ ଓ ତା’ର ପରିସର ପରିଚ୍ଛନ୍ନତା, ଜୈବପାଚନ ପ୍ରଣାଳୀରେ ଆବର୍ଜନା ପରିଚାଳନା ଓ ସେଥିନିମନ୍ତେ ତତ୍କାଳ ସହାୟତା ସିଫା ତରଫରୁ କରାଯାଇଥିଲା । ପଲିଥିନ୍ ମୁକ୍ତ ପରିବେଶ, ଆବର୍ଜନା ନାଳ ସଫା କରିବା ସହିତ କୃଷକ ଦିବସ, ପ୍ରଦର୍ଶନୀ, କର୍ମଶାଳା ତଥା ବୈଷୟିକ କର୍ମଶାଳା ଆଦି ଅନୁଷ୍ଠିତ ହୋଇଯାଇଛି । ତତ୍ସିହତ ସଚେତନତା ଶିବିର, ପଥପ୍ରାନ୍ତ ନାଟକ, ପଦଯାତ୍ରା ଆଦି ସ୍ଥାନୀୟ ଅଂଚଳ, ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଆୟୋଜନ କରାଯାଇ ସ୍ୱଚ୍ଛତା ସଂପର୍କରେ ସଚେତନ କରାଯାଇଥିଲା ।
ଡିସେମ୍ବର ୩୧ ତାରିଖରେ “ସ୍ୱଚ୍ଛତା ନିମନ୍ତେ ପ୍ରତିବଦ୍ଧତା” ଶୀର୍ଷକ ଏକ ସୁକ୍ଷ୍ମାନୁଭବ କର୍ମଶାଳା ସିଫା ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ବିଶିଷ୍ଟ ପ୍ରସ୍ତର ଶିଳ୍ପୀଗୁରୁ ତଥା ରାଜ୍ୟସଭା ସାଂସଦ ପଦ୍ମବିଭୁଷଣ ଡଃ ରଘୁନାଥ ମହାପାତ୍ର ଦୈନନ୍ଦିନ ଜୀବନରେ ପରିଚ୍ଛନ୍ନତାର ଅପରିହାର୍ଯ୍ୟତା ସମ୍ବନ୍ଧରେ ଆଲୋଚନା କରିଥିଲେ । ଏହା ପ୍ରଥମେ ପରିବାରରୁ ଆରମ୍ଭହୋଇ ସମାଜକୁ ବ୍ୟାପିଲେ କେନ୍ଦ୍ର ସରକାରଙ୍କର ପରିଚ୍ଛନ୍ନତା ପାଇଁ ଥିବା ପ୍ରତିବଦ୍ଧତା ସଫଳ ହେବ ଓ ମଣିଷର ବ୍ୟକ୍ତିଗତ ଜୀବନ ଓ ସାମାଜିକ ଜୀବନ ସୁସ୍ଥତାରେ ପରିପୁଷ୍ଟ ହେବ ବୋଲି କହିଥିଲେ । ସମ୍ମାନୀତ ଅତିଥି ଭାବେ ପ୍ରାକ୍ତନ ଉପମୁଖ୍ୟ ଶ୍ରମ କମିଶନର ଡଃ ପି. କେ. ଋଥ ଯୋଗଦେଇ ସବୁଜ ଓ ପରିଷ୍କାର ପରିବେଶ ହିଁ ଇଶ୍ୱରାନୁଭବ ଓ ଏହାକୁ ପାଇବା ପାଇଁ ବ୍ୟକ୍ତିଗତ ଓ ସାମାଜିକ ପ୍ରତିବଦ୍ଧତାର ଆବଶ୍ୟକତା ସମ୍ବନ୍ଧରେ ଆଲୋଚନା କରିଥିଲେ । ପ୍ରାରମ୍ଭରେ ଆଇସିଏଆର୍-ସିଫାର ନିର୍ଦ୍ଦେଶିକା ଡଃ ବିନ୍ଦୁ ଆର୍. ପିଲାଇ ଅତିଥିମାନଙ୍କୁ ସ୍ୱାଗତ କରିବା ସହିତ ସିଫା ଦ୍ୱାରା କରାଯାଇଥିବା ସ୍ୱଚ୍ଛଭାରତ ଅଭିଯାନର ସବିଶେଷ ବିବରଣୀ ପ୍ରଦାନ କରିଥିଲେ ।
ଏହି କାର୍ଯ୍ୟକ୍ରମକୁ ପ୍ରମୁଖ ବୈଜ୍ଞାନିକ ତଥା ଫିସ୍ ଜେନେଟିକ୍ସ ଓ ବାୟୋଟେକ୍ନୋଲୋଜି ବିଭାଗର ଡଃ ଜେ. କେ. ସୁନ୍ଦରାୟ; ସାମାଜିକ ବିଜ୍ଞାନ ବିଭାଗର ବରିଷ୍ଠ ବୈଜ୍ଞାନିକ ଡଃ ନଗେଶ କୁମାର ବାରିକ ପରିଚାଳନା କରିଥିଲେ ।
କାର୍ଯ୍ୟକ୍ରମକୁ ବୈଜ୍ଞାନିକ ଡଃ ଶ୍ୱେତା ପ୍ରଧାନ ସଂଯୋଜନା କରିଥିଲାବେଳେ, ବୈଜ୍ଞାନିକ ଶ୍ରୀ ନିତିଶ ଚନ୍ଦନ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ । ସ୍ୱଚ୍ଛତା ପକ୍ଷରେ ସିଫା ତରଫରୁ କରାଯାଇଥିବା ବିଭିନ୍ନ କାର୍ଯ୍ୟଗୁଡ଼ିକର ଏକ ସଂକ୍ଷୀପ୍ତ ଭିଡିଓ ସୋ କରାଯାଇଥିଲା । ସର୍ବଶେଷରେ ବୈଜ୍ଞାନିକ ଡଃ ସୁନିଲ କୁମାର ଆଇଲ୍ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *